Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା

ଭୁବନେଶ୍ଵର: ୨୦୨୩ ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ତୃଣମୂଳ ସ୍ତରର ଲୋକଙ୍କୁ ଲାଭାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟଗତ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଶକ୍ତିଶାଳୀ ମଞ୍ଚ ରେ ପରିଣତ ହୋଇଛି। ଯାତ୍ରାର ସଚେତନତା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ବାହନ ସେମାନଙ୍କ ନିକଟରେ ବିକାଶମୂଳକ ଯୋଜନାର ବାର୍ତ୍ତା ପହଞ୍ଚାଇବା ସହିତ ଗ୍ରାମ ପଞ୍ଚାୟତରେ ଆୟୋଜିତ ହେଉଥିବା ସ୍ୱାସ୍ଥ୍ୟ ଶିବିରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଲୋକମାନଙ୍କର ଯକ୍ଷ୍ମା, ଉଚ୍ଚ ରକ୍ତଚାପ, ମଧୁମେହ ଇତ୍ୟାଦି ପରୀକ୍ଷା କରାଯାଉଛି।

ବର୍ତ୍ତମାନ ସୁଦ୍ଧା ୬୩ ଲକ୍ଷରୁ ଅଧିକ ଲୋକ ସ୍ୱାସ୍ଥ୍ୟ ଶିବିରର ଲାଭ ନେଇସାରିଲେଣି। ଯାତ୍ରା ସମୟରେ୨୬,୭୫୨ରୁ ଅଧିକ ଗ୍ରାମ ପଞ୍ଚାୟତ ଆୟୁଷ୍ମାନ କାର୍ଡର ଶତ ପ୍ରତିଶତ (ଡିସେମ୍ବର ୧୨, ୨୦୨୩ ସୁଦ୍ଧା) ହାସଲ କରିଛନ୍ତି।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ସୁସ୍ଥ ଭାରତ ଅଭିଯାନର ଏକ ଅଂଶ ଭାବରେ ନିମ୍ନଲିଖିତ କାର୍ଯ୍ୟକଳାପ ହାତକୁ ନିଆଯାଉଛି –

ଆୟୁଷ୍ମାନ ଭାରତପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) କାର୍ଡ ପାଇଁ ପଞ୍ଜୀକରଣ:ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ସେବା ଯୋଜନା ଅଧୀନରେ ଆୟୁଷ୍ମାନ ଆପ୍ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରାଯାଉଛି ଏବଂ ହିତାଧିକାରୀଙ୍କୁ ଫିଜିକାଲ କାର୍ଡ ବଣ୍ଟନ କରାଯାଉଛି। ଡିସେମ୍ବର ୧୨, ୨୦୨୩ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ଶିବିରରେ .୬୯ ଲକ୍ଷରୁ ଅଧିକ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି। ଆୟୁଷ୍ମାନ କାର୍ଡ ଶିବିରରେ .୫୩ ଲକ୍ଷରୁ ଅଧିକ ଲୋକ ଏହି ସେବା ପାଇଛନ୍ତି।

ଯକ୍ଷ୍ମା ଯାଞ୍ଚ: ବିକଶିତ ଭାରତ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ଯକ୍ଷ୍ମା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଯକ୍ଷ୍ମା ଲକ୍ଷଣ ଥିବା ଲୋକଙ୍କୁ ଉଚ୍ଚ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି। ବର୍ତ୍ତମାନ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ଶିବିରରେ ୨୬.୪୧ ଲକ୍ଷ ଲୋକଙ୍କୁ ଯକ୍ଷ୍ମା ପରୀକ୍ଷା କରାଯାଇଛି।

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ଯକ୍ଷ୍ମା ରୋଗୀଙ୍କୁ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି ଏବଂ ଯକ୍ଷ୍ମା ରୋଗୀଙ୍କୁ ନିକ୍ଷୟ ମିତ୍ରଙ୍କ ଠାରୁ ସହାୟତା ପାଇବା ପାଇଁ ସହମତି ନିଆଯାଉଛି। ଯକ୍ଷ୍ମା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ନିକ୍ଷୟ ମିତ୍ର ରୂପରେ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ଉପସ୍ଥିତ ଲୋକଙ୍କ ଉତ୍ସାହ ଏକ ଆନନ୍ଦଦାୟକ ଦୃଶ୍ୟ। ସେମାନଙ୍କୁ ଘଟଣାସ୍ଥଳରେ ପଞ୍ଜୀକରଣ କରାଇ ସୁବିଧା ଯୋଗାଇ ଦିଆଯାଉଛି। ଯକ୍ଷ୍ମା ରୋଗୀଙ୍କୁ ସହାୟତା କରିବା ପାଇଁ ଆଉ ଏକ ସରକାରୀ ପଦକ୍ଷେପ ହେଉଛି ନିକ୍ଷୟ ପୋଷଣ ଯୋଜନା (ଏନପିୱାଇ), ଯାହା ଅଧୀନରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

 ସିକଲ୍ସେଲ୍ରୋଗ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା: ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ୱାସ୍ଥ୍ୟ ଶିବିରରେ ଅଂଶଗ୍ରହଣକାରୀମାନେ ସିକଲ୍ ସେଲ୍ ରୋଗ ପାଇଁ ମଧ୍ୟ ନିଜକୁ ଯାଞ୍ଚ କରାଇ ପାରିବେ। ଏହି ରୋଗ ମୁଖ୍ୟତଃ ଆଦିବାସୀ ଜନସଂଖ୍ୟାକୁ ପ୍ରଭାବିତ କରୁଥିବାରୁ ଅଧିକ ଆଦିବାସୀ ଜନସଂଖ୍ୟା ଥିବା ଅଞ୍ଚଳରେ ସ୍କ୍ରିନିଂ କରାଯାଉଛି। ଯୋଗ୍ୟ ଲୋକମାନେ (ଅର୍ଥାତ୍, ଜନ୍ମରୁ ୪୦ ବର୍ଷ ପର୍ଯ୍ୟନ୍ତ ଲୋକ) ସିକଲ୍‌ ସେଲ୍‌ ରୋଗ ପାଇଁ ପଏଣ୍ଟ ଅଫ୍ କେୟାର (ପିଓସି) ପରୀକ୍ଷା ମାଧ୍ୟମରେ କିମ୍ବା ଦ୍ରବଣୀୟତା ପରୀକ୍ଷା ମାଧ୍ୟମରେ ସ୍ୱାସ୍ଥ୍ୟ ଯାଞ୍ଚ କରାଉଛନ୍ତି। ବର୍ତ୍ତମାନ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ  .୧୨ ଲକ୍ଷ ଅଂଶଗ୍ରହଣକାରୀଙ୍କୁ ଏସସିଡି ପାଇଁ ସ୍କ୍ରିନିଂ କରାଯାଇଛି।

ଅଣସଂକ୍ରାମକ ରୋଗ ପାଇଁ ସ୍କ୍ରିନିଂ: ଲୋକମାନେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ଅନ୍ୟ ନୀରବ ହତ୍ୟାକାରୀମାନଙ୍କ ପାଇଁ ମଧ୍ୟ ଯାଞ୍ଚ କରିପାରିବେ। ୩୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପରୀକ୍ଷା କରୁଛନ୍ତି। ପଜିଟିଭ୍ ଚିହ୍ନଟ ହେଲେ ସେମାନଙ୍କୁ ପ୍ରଭାବଶାଳୀ ଉପଚାର ପାଇଁ ଉଚ୍ଚ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାସନ ହିତାଧିକାରୀଙ୍କ ପାଇଁ ଖୁସି ଖବର: ନୂଆ ନିୟମ ଜାରି କଲେ ସରକାର

ନୂଆଦିଲ୍ଲୀ: ଯଦି ଆପଣଙ୍କର ମଧ୍ୟ ଏକ ରାସନ କାର୍ଡ ଅଛି ଏବଂ ସରକାରଙ୍କ ଠାରୁ ରାସନ ନିଅନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ପ୍ରକାଶ ଯେ ହିତାଧିକାରୀମାନେ ରାସନ ଗ୍ରହଣକୁ ଦୃଷ୍ଟିରେ ରଖି ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ କରିଛନ୍ତି ଏବଂ ଏହାକୁ କଡାକଡି ପାଳନ କରୁଛନ୍ତି। ଏହା ଅଧୀନରେ, ଡିଲରମାନେ ରାସନ ବଣ୍ଟନ ଦୁର୍ନୀତିରୁ ଦୂରେଇ ରହିବେ।

ବାସ୍ତବରେ ଗ୍ରାହକଙ୍କ ଠାରୁ ରାସନ ଓଜନରେ ଅନିୟମିତତା ସମ୍ପର୍କରେ ଅନେକ ଅଭିଯୋଗ ଆସିଥିଲା, ଯାହା ପରେ ସରକାର ବର୍ତ୍ତମାନ ରାସନ ଦୋକାନରେ ଇଲେକ୍ଟ୍ରୋନିକ୍ ବିକ୍ରୟ ସ୍ଥଳ ସ୍ଥାପନ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ବର୍ତ୍ତମାନ କୌଣସି ରାସନ ଡିଲର ଇଲେକ୍ଟ୍ରୋନିକ୍ ପଏଣ୍ଟ ବିନା ସରକାରୀ ରାସନ ଦୋକାନରେ ବିକ୍ରୟ କରିପାରିବେ ନାହିଁ। ଏହା ମାଧ୍ୟମରେ ରାସନ ବଣ୍ଟନ ପ୍ରକ୍ରିୟା ସରଳୀକୃତ ହେଉଛି।

ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ, କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ୍ ସେଲ (ଇପିଏସ୍) କୁ ରାସନ ଦୋକାନରେ ଇଲେକ୍ଟ୍ରୋନିକ୍ ମାପକାଠି ସହିତ ସଂଯୋଗ କରିଛନ୍ତି, ଯାହା ଦ୍ଵାରା ସରକାରୀ ରାସନ ଗ୍ରହଣ କରୁଥିବା ଲୋକମାନେ ସଠିକ୍ ପରିମାଣର ରାସନ ପାଇବେ। ରାସନ ଦୋକାନଗୁଡ଼ିକରେ ସ୍ୱଚ୍ଛତା ବୃଦ୍ଧି ଲକ୍ଷ୍ୟରେ ସରକାର ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, କମ୍ ଓଜନ ମାମଲା ବିଷୟରେ ଗ୍ରାହକଙ୍କ ଠାରୁ ଅନେକ ଅଭିଯୋଗ ଆସିଥିଲା।

ନୂତନ ନିୟମର ବ୍ୟବସ୍ଥା କ’ଣ?:

ଟାର୍ଗେଟ୍ ପବ୍ଲିକ୍ ଡିଷ୍ଟ୍ରିବୁସନ ସିଷ୍ଟମ୍ (ଟିପିଡିଏସ୍) ଚଳାଇବା ପାଇଁ କେନ୍ଦ୍ର ସରକାର ଆଇନର ଧାରା ୧୨ ଅନୁଯାୟୀ ରାସନର ଓଜନରେ ସଂସ୍କାର ଆଣିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ମାଧ୍ୟମରେ ସରକାର ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ପ୍ରତି ମାସରେ ୫ କିଲୋଗ୍ରାମ ଗହମ ଏବଂ ଚାଉଳ ଦେଉଛନ୍ତି।

ନିୟମରେ ପରିବର୍ତ୍ତନ:

ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ୍ ସେଲ ଅଧୀନରେ ନୂତନ ନିୟମ ଲାଗୁ ହେବା ସହିତ ରାସନ ବଣ୍ଟନରେ ସ୍ୱଚ୍ଛତା ରହିବ। ଏଥିସହ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ରାସନ୍ ଡିଲରମାନଙ୍କୁ ଇପିଏସ୍ ମାଧ୍ୟମରେ ରାସନ ଦେବାକୁ ଉତ୍ସାହିତ କରିବା ପାଇଁ ସରକାର ସେମାନଙ୍କୁ କ୍ୱିଣ୍ଟାଲ ପ୍ରତି ୧୭ ଟଙ୍କା ଅତିରିକ୍ତ ଲାଭ ଦେବେ। ଏହା ସେମାନଙ୍କୁ EPOS ମାଧ୍ୟମରେ ରାସନ ଦେବା ପାଇଁ ପ୍ରେରଣା ଦେବ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଉଠା ଦୋକାନୀଙ୍କୁ କୋଭିଡ ସହାୟତା ରାଶି ବଣ୍ଟନ, ରାସନ କାର୍ଡ ହିତାଧିକାରୀଙ୍କୁ ମିଳିଲା ୧ ହଜାର ଟଙ୍କା

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସି ରେ ବହୁ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅନ୍ତର୍ଗତ କୋଭିଡ ସହାୟତା ରାଶି ପ୍ରଦାନ କରାଯାଇଛି। ଏ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ସୂଚନା ଦେଇଛନ୍ତି।

ବାଲୁଗାଁ ସହରାଞ୍ଚଳର ୮୪ ଜଣ ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ଅର୍ଥରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଥିବା ଜଣାପଡିଛି। ତେବେ ପୂର୍ବରୁ ମଧ୍ୟ ଉକ୍ତ ୮୪ ଜଣ ଉଠାଦୋକାନୀ କୋଭିଡ ସହାୟତା ରାଶିର ପ୍ରଥମ ଭାଗ କିସ୍ତି ପାଇଥିଲେ।

ସେହିପରି ଭାବେ ଏନଏସିରେ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ୧ ହଜାର ଟଙ୍କା କୋଭିଡ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ହୋଇଯାଇଛି। ଆଜି ପ୍ରଥମ ଦିନରେ ୧୦୦ ଜଣ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ୧ ହଜାର ଟଙ୍କା କୋଭିଡ଼ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଆଗକୁ ପ୍ରତି ୱାର୍ଡରେ ହିତାଧିକାରୀଙ୍କୁ ଉକ୍ତ ରାଶି ବଣ୍ଟନ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସେଠ କହିଛନ୍ତି।

Categories
ବିଶେଷ ଖବର

ପିଏମ କିଷାନ ଯୋଜନା: ୬ ହଜାର ପାଇଁ କରିବାକୁ ପଡିବ ଏହି କାମ, ନଚେତ୍ ଆକାଉଣ୍ଟରେ ଜମା ହେବନି ରାଶି!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସରକାର ଏକ ବଡ ପରିବର୍ତ୍ତନ କରିଛନ୍ତି। ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଉଛନ୍ତି, ତେବେ ଆପଣ ତୁରନ୍ତ ଯାଞ୍ଚ କରିବା ଉଚିତ୍। ବର୍ତ୍ତମାନଠାରୁ ଏହି ଯୋଜନାର ଲାଭ ଉଠାଇବା ପାଇଁ ଅନ୍ୟ ସମସ୍ତ ଦଲିଲ ସହିତ ଚାଷୀଙ୍କୁ ରାସନ କାର୍ଡ ଦେବା ଆବଶ୍ୟକ। ଯେଉଁ କୃଷକ ରାସନ କାର୍ଡ ଦେବେ ନାହିଁ, ସେ ଏହି ଯୋଜନାର ଲାଭ ପାଇପାରିବେ ନାହିଁ।

ପଞ୍ଜୀକରଣ ସମୟରେ ରେସନ କାର୍ଡ ଦେବା ବାଧ୍ୟତାମୂଳକ:

ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ନେଇ ଚାଲିଥିବା ଠକେଇକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ଆପଣ ରାସନ କାର୍ଡ ବିନା କିସ୍ତି ଟଙ୍କା ପାଇବେ ନାହିଁ। ଏହି ଯୋଜନା ଅଧୀନରେ ସମସ୍ତ ଚାଷୀଙ୍କ ପାଇଁ ରେସନ କାର୍ଡ ବାଧ୍ୟତାମୂଳକ କରାଯାଇଛି, ଯାହା ବର୍ତ୍ତମାନ ନୂତନ ପଞ୍ଜିକରଣ କରିବ। ଆପଣ କିମ୍ବା ଆପଣଙ୍କ ପରିବାର ସଦସ୍ୟମାନେ କେବଳ ରାସନ କାର୍ଡ ନମ୍ବର ଦେବା ପରେ ଏହି ଯୋଜନାର ଲାଭ ପାଇବେ।

ଅପଲୋଡ୍ କରିବାକୁ ପଡିବ ସଫ୍ଟ କପି:

ଆପଣଙ୍କୁ ପୋର୍ଟାଲରେ ସମସ୍ତ ଡକ୍ୟୁମେଣ୍ଟ୍ ର ସଫ୍ଟ କପି ଅପଲୋଡ୍ କରିବାକୁ ପଡିବ। ଏହା ବ୍ୟତୀତ, ବର୍ତ୍ତମାନ ଏହି ଯୋଜନାର ସୁଯୋଗ ନେଉଥିବା ସମସ୍ତ ଚାଷୀଙ୍କୁ ମଧ୍ୟ ସେମାନଙ୍କର ରେସନ କାର୍ଡ ନମ୍ବର ପୋର୍ଟାଲରେ ଅପଲୋଡ୍ କରିବାକୁ ପଡିବ।

ଦେବାକୁ ପଡିବ ଏହି ଡକ୍ୟୁମେଣ୍ଟ:

– ଆବେଦନକାରୀଙ୍କ 2 ହେକ୍ଟର ପର୍ଯ୍ୟନ୍ତ ଜମି ରହିବା ଉଚିତ୍।
– କୃଷି ଜମି କାଗଜପତ୍ର ଥିବା ଜରୁରୀ।
– ଆଧାର କାର୍ଡ
– ପରିଚୟ ପତ୍ର
– ଆଇଡି ପ୍ରୁଫ୍, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି
– ବ୍ୟାଙ୍କ ଆକାଉଣ୍ଟ ପାସବୁକ୍
– ମୋବାଇଲ୍ ନମ୍ବର
– ଠିକଣା ପ୍ରମାଣ
– ଚାଷ ସୂଚନା (ଚାଷର ଆକାର, କେତେ ଜମି ଅଛି)
– ପାସପୋର୍ଟ ସାଇଜ୍ ଫଟୋ

ଡିସେମ୍ବର ୧୫ ସୁଦ୍ଧା ଦଶମ କିସ୍ତି ଆସିପାରେ:

ଏହି ଯୋଜନା ଅଧୀନରେ ସରକାର ଏପର୍ଯ୍ୟନ୍ତ ୯ ଟି କିସ୍ତିର ଟଙ୍କା ସ୍ଥାନାନ୍ତର କରିଛନ୍ତି ଏବଂ ଖୁବ୍ ଶୀଘ୍ର ଦଶମ କିସ୍ତିର ଟଙ୍କା ଟ୍ରାନ୍ସଫର ହେବ। ଡିସେମ୍ବର ୧୫ ତାରିଖ ୨୦୨୧ ସୁଦ୍ଧା କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଦଶମ କିସ୍ତି ଜାରି କରିବାକୁ ଯୋଜନା କରୁଛନ୍ତି।

ପାଇବେ ୬୦୦୦ ଟଙ୍କା:

ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଏଥିରେ, ୩ ଟି କିସ୍ତିରେ ଆପଣଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୧.୩୭ କୋଟି ଚାଷୀ ଏହି ଯୋଜନାର ଲାଭ ପାଇଛନ୍ତି। ଏହି ଯୋଜନା ଅଧୀନରେ ସରକାର ୧.୫୮ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି।

ଏହି ଯୋଜନାର କିଏ ଲାଭ ଉଠାଇ ପାରିବେ:

ଏହି ଯୋଜନାର ଲାଭ ଉଠାଇବାକୁ, ଆପଣଙ୍କର ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଉଚିତ୍। ଏହା ବ୍ୟତୀତ ୨ ହେକ୍ଟର ଚାଷ ଜମି ରହିବା ମଧ୍ୟ ଆବଶ୍ୟକ, ଯେଉଁମାନଙ୍କର ଚାଷ ଜମି ନାହିଁ, ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ତୁରନ୍ତ ରାସନ କାର୍ଡ ଜାରି ପାଇଁ ରାଜ୍ୟଗୁଡିକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ, ସମ୍ପ୍ରତି କୋଭିଡ-୧୯ ମହାମାରୀ ପରିସ୍ଥିତିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଜନସଂଖ୍ୟାର ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ମଧ୍ୟରୁ ସମସ୍ତ ଯୋଗ୍ୟ ମନୋନୀତ ଲୋକଙ୍କ ସାମିଲକୁ ସୁନିଶ୍ଚିତ କରିବା ଜରୁରି ହୋଇପଡ଼ିଛି ।

ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଉଭୟ ସହର ଓ ଗ୍ରାମାଞ୍ଚଳରେ ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଚିହ୍ନଟ କରିବା ଏବଂ ଏନଏଫଏସଏ ରାସନ କାର୍ଡ ଜାରି ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ନିମନ୍ତେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳକୁ ୨୦୨୧ ଜୁନ ୨ରେ ମାର୍ଗଦର୍ଶିକା ଜାରି କରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିଜ ନିଜ ଏନଏଫଏସଏ ସୀମା ଅଧୀନରେ ଉପଲବ୍ଧ କଭରେଜକୁ ବ୍ୟବହାର କରିବାକୁ କୁହାଯାଇଛି ।

ସମାଜର ଅସୁରକ୍ଷିତ ତଥା ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର ଲୋକ ଯଥା ରାସ୍ତାକଡ଼ ବାସିନ୍ଦା, ଜରି ଗୋଟାଳି, ଫେରି ବାଲା, ରିକସା ଚାଳକ ଆଦିଙ୍କ ନିକଟରେ ପହଞ୍ଚିବା ଲାଗି ପଦକ୍ଷେପ ନେବାକୁ ବିଭାଗ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ଆହ୍ୱାନ ଦେଇଛି । ଏନଏଫଏସଏ ଅଧୀନରେ ଯୋଗ୍ୟ ବ୍ୟକ୍ତି, ପରିବାରଗୁଡ଼ିକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ରାସନ କାର୍ଡ ଜାରି କରିବାର ପରିଚାଳନାଗତ ଦାୟିତ୍ୱ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ରହିଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକରେ ପୁଣି ଏକ ମହାଦୁର୍ନୀତି: ମୃତକଙ୍କ ସହିତ ସରକାରୀ କର୍ମଚାରୀଙ୍କୁ ମିଳୁଛି ରାସନ ସାମଗ୍ରୀ

ସୀତାରାମ ଅଗ୍ରୱାଲ

ଚିଲିକା: ନିକଟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ଗ୍ରାମପଞ୍ଚାୟତରେ ଦୁଇ ଜଣ ମୃତ ବ୍ୟକ୍ତିଙ୍କ ଚାରି ଚାରି ବର୍ଷ ଯାଏଁ ରାସନ କାର୍ଡ କାର୍ଯ୍ୟକ୍ଷମ ରହିଥିବାର ଦେଖିବାକୁ ମିଳିଥିଲା। ଏହି ଖବର ଆମେ ପ୍ରସାରଣ କରିବାପରେ ଚଳଚଞ୍ଚଳ ହୋଇଉଠିଥିଲା ଉଭୟ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ। ଯୋଗାଣ ନିରୀକ୍ଷକଙ୍କୁ ବି.ଡ଼ି.ଓ ରିପୋର୍ଟ ମାଗିଥିବାବେଳେ ଜିଲ୍ଲାପାଳ ଉକ୍ତ ଘଟଣାର ତଦନ୍ତ ଉପଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ। ଖବର ପ୍ରସାରଣ ହେବାର ଚାରି ଘଣ୍ଟା ପରେ ଯୋଗାଣ ନିରୀକ୍ଷକ ମୃତ ଦୁଇ କାର୍ଡଧାରୀଙ୍କ ନାମକୁ ପି.ଡ଼ି.ଏସ ଓଡିଶା ୱେବସାଇଟରୁ କାଟିଦେଇଥିଲେ ଏବଂ ବି.ଡ଼ି.ଓ ଙ୍କୁ ଲିଖିତ ଉତ୍ତର ଦେଇଥିଲେ।

କିନ୍ତୁ ଏହାପରେ ମଧ୍ୟ ଉକ୍ତ ପଞ୍ଚାୟତର ଅନେକ ମୃତ ବ୍ୟକ୍ତିଙ୍କ ନାମ ରାସନ କାର୍ଡ ତାଲିକାରେ ଦେଖିବାକୁ ମିଳିଛି ଯାହା ଆଜି ବି ସକ୍ରିୟ ଅଛି। ପୁଣି ମାନସିଂହପୁର ପଞ୍ଚାୟତରୁ ଗୋଟେ କିମ୍ବା ଦୁଇଟା ନାଇଁ ଛଅ ଗୋଟି ରାସନ କାର୍ଡର ଦୁର୍ନୀତି ଦେଖିବାକୁ ମିଳିଛି। ଯେଉଁ ହିତାଧିକାରୀଙ୍କ ମୃତ୍ୟୁ ବହୁତ ବର୍ଷ ପୂର୍ବେ ହୋଇଯାଇଛି, ସେହି କାର୍ଡ ଗୁଡିକର ତଥ୍ୟ ଦେଖିଲେ ଚିଲିକା ବ୍ଲକରେ ରାସନ କାର୍ଡ଼ର ଦୁର୍ନୀତି କିପରି କରାଯାଉଛି ସ୍ପଷ୍ଟ ରୂପେ ଜାଣି ହେବ।

ଦେଖନ୍ତୁ ମୃତ ବ୍ୟକ୍ତି ନାମରେ ରାସନ ସାମଗ୍ରୀ ହରିଲୁଟର ତାଲିକା

୧- କାର୍ଡ ନଂ-୧୯୦୭୧୪୧୩୬୩୩- ସମ୍ଭାରୀ ବେହେରା-୨୭.୩.୧୮ରେ ମୃତ।

– କାର୍ଡ ନଂ- ୧୯୦୭୧୪୧୪୪୧୦- ଶିଶୁଳା ଘଡେ଼ଇ- ୩.୧୦.୧୮ରେ ମୃତ।

୩- କାର୍ଡ ନଂ- ୧୯୦୭୧୪୧୪୬୮୪- ମେଘି ବେହେରା- ୯.୧୨.୧୬ ରେ ମୃତ।

୪- କାର୍ଡ ନଂ-୧୯୦୭୧୪୧୩୯୬୨-ଡୋମୀ ବେହେରା- ୩.୨.୨୦ରେ ମୃତ।

୫- କାର୍ଡ ନଂ-୧୯୦୭୧୪୧୨୯୩୬ ଧନୀ ଦେଇ-୧୯.୧.୧୬ରେ ମୃତ।

୬- କାର୍ଡ ନଂ-୧୯୦୭୧୪୧୩୨୭୪-ଅନ୍ନପୂର୍ଣ୍ଣା ବେହେରା- ୫.୦୫.୧୯ରେ ମୃତ।

ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ଯେ କେବଳ କାଗଜ କଲମରେ ତଦନ୍ତ ହେଉଛି। ବି.ଡ଼ି.ଓ ଙ୍କ ଉଦାସୀନତା ମନୋଭାବ ଲାଗି ଯୋଗାଣ ନିରୀକ୍ଷକ ଏବଂ ଉକ୍ତ ପଞ୍ଚାୟତର ଯୋଗାଣ ସହାୟକ ଆଜି ବେଫିକର ରହୁଛନ୍ତି। ଏପରିକି ଜନସାଧାରଣ କହୁଛନ୍ତି ଯେ ଯୋଗାଣ ନିରୀକ୍ଷକଙ୍କ ଖୋର୍ଦ୍ଧା ଏ.ସି.ଏସ.ଓ ଭାବେ ପଦୋନ୍ନତି ହୋଇଯାଇଥିବାରୁ ଖୁସିରେ କାର୍ଡ କାଟୁନାହାନ୍ତି ଏବଂ ଖୋଲାଖୋଲି ଦୁର୍ନୀତି କରୁଛନ୍ତି।

ସେହିପରି ଚିଲିକା ବ୍ଲକରେ ଆଉ ଏକ ବଡ ଦୁର୍ନୀତି ସାମ୍ନାକୁ ଆସିଛି। ଯୋଗ୍ୟ ହିତାଧିକାରୀ କାର୍ଡ ପାଇବା ପାଇଁ ଛଟପଟ ହେଉଥିବା ବେଳେ ସରକାରୀ କର୍ମଚାରୀଙ୍କ ପରିବାରକୁ ମିଳୁଛି ରାସନ ସାମଗ୍ରୀ।

୧୯୦୭୧୪୧୩୩୮୬ କାର୍ଡ ନମ୍ବର ଟି ହେଉଛି ସୋରଣ ଡାକ୍ତରଖାନରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ ପରିବାରର। ଉକ୍ତ କାର୍ଡରେ ଚଂଚକତାର ସହ ଫାର୍ମାସିଷ୍ଟ ମହୋଦୟା ନିଜ ନାମ କାଟିଦେଇଛନ୍ତି। କିନ୍ତୁ ତାଙ୍କ ପରିବାର ସଦସ୍ୟ ବରାବର ରାସନ ପାଉଛନ୍ତି। ଉକ୍ତ କାର୍ଡରେ ଚାରିଜଣ ହିତାଧିକାରୀଙ୍କ ନାମ ଅଛି। ଯେଉଁଥିରେ ଫାର୍ମାଶିଷ୍ଟଙ୍କ ଶଶୁରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ନାମରେ ମଧ୍ୟ ରାସନ ସାମଗ୍ରୀ ଆସୁଛି। ଏଠି ପ୍ରଶ୍ନ ଉଠୁଛି ଜଣେ ସରକାରୀ ଚାକିରିଆ କିମ୍ବା ତାଙ୍କ ପରିବାରର ରାସନ କାର୍ଡ ପାଇବାର ପ୍ରାବଧାନ ନଥିବାବେଳେ ଯୋଗାଣ ନିରୀକ୍ଷକ କିପରି ତାଙ୍କୁ କାର୍ଡ ପ୍ରଦାନ କଲେ। ଏଠି ଖୋଲାଖୋଲି ଦୁର୍ନୀତି ହୋଇଥିବାର ପ୍ରମାଣ ମିଳୁଛି। ଯୋଗାଣ ସହାୟକ ଏବଂ ଯୋଗାଣ ନିରୀକ୍ଷକ ଉଭୟ ମିଶିକରି ମାନସିଂହପୁର ପଞ୍ଚାୟତରେ ଦୁର୍ନୀତି କରୁଥିବାର ଲୋକେ ଅଭିଯୋଗ କରୁଛନ୍ତି।

ସୂଚନାଥାଉ କି ଯୋଗାଣ ନିରୀକ୍ଷକ ବାଣପୁର ଏବଂ ଚିଲିକା ବ୍ଲକ ଓ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ଚାରି ଗୋଟି ଅଞ୍ଚଳର ଦାଇତ୍ତ୍ଵରେ ଥିବାବେଳେ ଏପରି ଅନେକ ଦୁର୍ନୀତି ସବୁ ସ୍ଥାନରେ ହୋଇଥିବାର ଅଭିଯୋଗ ହେଉଛି। ଆଗାମୀ ଦିନରେ ଯଦି ମାନସିଂହପୁର ପଞ୍ଚାୟତରେ ହୋଇଥିବା ଉକ୍ତ ଦୁର୍ନୀତିର ନ୍ୟାୟିକ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆନଯାଏ। ତେବେ ପଞ୍ଚାୟତବାସି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଲଗାତର ମାନସିଂହପୁର ପଞ୍ଚାୟତରେ ହେଉଥିବା ରାସନ କାର୍ଡ଼ ଦୁର୍ନୀତିର ପର୍ଦାଫାଶ ତଥ୍ୟ ପ୍ରମାଣ ଆଧାରରେ କରାଯିବାପରେ ଦୋଷୀଙ୍କ ଉପରେ ଚିଲିକା ବ୍ଲକ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଦେଖିବାକୁ ବାକି ରହିଲା।

Categories
ଆଞ୍ଚଳିକ

ରାସନ କାର୍ଡ଼ ପ୍ରଦାନ ନିମନ୍ତେ ୨୦ରୁ ଉର୍ଦ୍ଧ୍ୱ ମହିଳା ଜିଲ୍ଲାପାଳଙ୍କୁ ଭେଟିଲେ

ହେମାଙ୍ଗ ପ୍ରସାଦ ରାଉଳ
ଛତ୍ରପୁର: ଆମେ ନିହାତି ଗରିବ, ଅସହାୟ ଓ ମେହନତି ଖଟିଖିଆ ଶ୍ରେଣୀର ମହିଳା ଅଟୁ। ଆମେ ରାସନ କାର୍ଡ଼ ପ୍ରଦାନ କରିବା ନିମନ୍ତେ ଯୋଗ୍ୟ ହିତାଧିକାରୀ। ତେଣୁ ଆମମାନଙ୍କୁ ତୁରନ୍ତ ରାସନ କାର୍ଡ଼ ପ୍ରଦାନ କରିବା ଦାବି ନେଇ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମପଂଚାୟତ ଅନ୍ତର୍ଗତ ଖଣ୍ଡୁୁରୁ ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ମହିଳାମାନେ ଛତ୍ରପୁର ଆସି ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।

ସେମାନେ କହିବାନୁସାରେ ଆମେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ପଂଚାୟତ ସରପଂଚ ଓ ବ୍ଲକ କର୍ତୃପକ୍ଷ ରାସନ କାର୍ଡ଼ ପ୍ରଦାନ କରୁନାହାନ୍ତି। ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଇଛି। ତେଣୁ ଆମକୁ ରାସନ କାର୍ଡ଼ ଖଣ୍ଡିଏ ଖଣ୍ଡିଏ ପ୍ରଦାନ କଲେ ଆମେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ପାଇବୁ। ଏହାସହ ଗ୍ରାମର ରଶ୍ମିତା ବେହେରା, ମଞ୍ଜୁ ସାହୁ, ଶଶୀ ବେହେରା, ରେଣୁ ବେହେରା, ଉର୍ମିଳା ବେହେରା ସେମାନଙ୍କ ରାସନ କାର୍ଡ଼ ମିଳିଥିଲେ ମଧ୍ୟ ତାଙ୍କୁ ରାସନ କାର୍ଡ଼ରୁ ବାଦ୍ କରାଯାଇଛି। ତେଣୁ ସେମାନଙ୍କୁ ରାସନ କାର୍ଡ଼ର ସଂଯୋଗ କରିବା ନିମନ୍ତେ ସେମାନେ ଦାବି କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକରେ ରାସନ କାର୍ଡର ମହାଦୁର୍ନୀତି: ଚାରି ବର୍ଷ ଧରି ମୃତକଙ୍କୁ ମିଳୁଛି ରାସନ ସାମଗ୍ରୀ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନଜରକୁ ଆସିଛି ରାସନ କାର୍ଡର ମହାଦୁର୍ନୀତି। ଦୀର୍ଘ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ରାସନ କାର୍ଡରୁ ରାସନ ସାମଗ୍ରୀ ଉଠୁଥିବା ନେଇ ଅଭିଯୋଗ ହେଉଛି। ମାନସିଂହପୁର ପଞ୍ଚାୟତରେ ଏପରି ଜଘନ୍ୟ କାରନାମା ଚାଲିଛି।

ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ମାନସିଂହପୁର ପଞ୍ଚାୟତର ସୀତା ବେହେରା ଏବଂ ରାଞ୍ଚନ ବେହେରାଙ୍କ ରାସନ କାର୍ଡ ନମ୍ବର ଯଥାକ୍ରମେ ୧୯୦୭୧୪୧୨୫୮୬ ଏବଂ ୧୯୦୭୧୪୧୨୮୨୦ ଅଟେ। ହେଲେ ସୀତା ବେହେରା ୩୧.୦୮.୧୮ରେ ମୃତ୍ୟୁବରଣ କରିଥିବାବେଳେ କାଞ୍ଚନ ବେହେରାଙ୍କ ମୃତ୍ୟୁ ୨୪.୦୭.୧୬ ରେ ହୋଇଥିଲା। ତେବେ ଆଜି ତାରିଖରେ ସୀତା ବେହେରାଙ୍କ ମୃତ୍ୟକୁ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇଯାଇଥିବା ସ୍ଥଳେ କାଞ୍ଚନଙ୍କ ମୃତ୍ୟୁକୁ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇଗଲାଣି କିନ୍ତୁ ଆଶ୍ଚର୍ଯ୍ୟର କଥା ଉଭୟଙ୍କ ରାସନ କାର୍ଡ ଆଜି ବି କାର୍ଯ୍ୟକ୍ଷମ ଅଛି।

ହେଲେ ଏ ନେଇ ମାନସିଂହପୁର ଗ୍ରାମ ପଞ୍ଚାୟତ ଯୋଗାଣ ସହାୟକ ସୁକାନ୍ତ ବେହେରାଙ୍କୁ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇପାରିନାହିଁ। କିନ୍ତୁ ଗ୍ରାମରେ ଚର୍ଚ୍ଚା ହେଉଛି ଯେ ଏହି ସବୁ ହେରଫେର ଏବଂ ଦୁଇ ନମ୍ବରୀ କାମରେ ଯୋଗାଣ ସହାୟକଙ୍କ ପ୍ରତ୍ୟେକ୍ଷ ଭୂମିକା ଅଛି। ଯୋଗାଣ ନିରୀକ୍ଷକ ଶ୍ରୀ ତ୍ରିଲୋଚନ ସାହୁଙ୍କୁ ଏ ନେଇ ପଚାରିବାରୁ ସେ କହିଲେ ଯେ ଏ ବିଷୟ ଗତ ତିନି ମାସ ତଳେ ତାଙ୍କ ନଜରକୁ ଆସିଛି କିନ୍ତୁ କାର୍ଡ ସକ୍ରିୟ ଥିଲେ ବି ରାସନ ସାମଗ୍ରୀ ସରକାରଙ୍କୁ ଫେରାଇ ଦିଆଯାଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ୧-ଏତେ ବର୍ଷ ହେଲା କାର୍ଡ ଗୁଡିକ କିପରି କାର୍ଯ୍ୟକ୍ଷମ ଅଛି?

୨- ମୃତକଙ୍କ ନାମରେ ଆସୁଥିବା ରାସନ ସାମଗ୍ରୀ ଖାଉଛି କିଏ?

୩-ଶେଷରେ ଯଦି ମୃତକଙ୍କ ନାମରେ ଆସୁଥିବା ରାସନ ସାମଗ୍ରୀକୁ ବାଟମାରଣା କରାଯାଉନାହିଁ ତେବେ ରାସନ କାର୍ଡ ତାଲିକାରୁ ମୃତକଙ୍କ ନାମକୁ ବାଦ ଦିଆଯାଇ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ କାହିଁକି ବର୍ଷ ବର୍ଷ ଧରି ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ?

ଲକ ଡ଼ାଉନ ସମୟରେ ବହୁ ଯୋଗ୍ୟ ଗରିବ ହିତାଧିକାରୀ ରାସନ କାର୍ଡ ନପାଇ ଭୋକ ଉପାସରେ ଡହଳ ବିକଳ ହେଉଥିବା ବେଳେ ଯୋଗାଣ ନିରୀକ୍ଷକ ଏପରି ମୃତ ବ୍ୟକ୍ତିଙ୍କ କାର୍ଡକୁ ଦୀର୍ଘ ବର୍ଷ ଧରି କାର୍ଯ୍ୟକ୍ଷମ କରି ରଖିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ତେବେ ଯୋଗାଣ ନିରୀକ୍ଷକଙ୍କ ଚିଲିକା ବ୍ଲକରେ ଏପରି ମନୋବୃତ୍ତି ଯୋଗୁଁ ସତର ଗୋଟି ପଞ୍ଚାୟତ ର କେତେ ଜଣ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଞ୍ଚିତ ହେଉଥିବେ ତାହା ସଠିକ ଯାଞ୍ଚ ହେଲେ ଜଣାପଡିବ।

ହେଲେ ଯୋଗାଣ ନିରୀକ୍ଷକଙ୍କ ସରକାରଙ୍କୁ ରାସନ ଫେରାଯାଉଛି ଉକ୍ତିକୁ ପଞ୍ଚାୟତବାସି ମାନେ ସହଜରେ ହଜମ କରିପାରୁନାହାନ୍ତି। ସେମାନଙ୍କ କହିବା ଅନୁଯାୟୀ ଏହି ହେରଫେରରେ ଯୋଗାଣ ସହାୟକ ସୁକାନ୍ତ ବେହେରା ଓ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁଙ୍କ ସିଧା ସମ୍ବନ୍ଧ ଅଛି। କାରଣ ଚାରି ଚାରି ବର୍ଷ ଯାଏଁ ରାସନ କାର୍ଡ ତାଲିକାରୁ ମୃତକଙ୍କ ନାମକୁ ବାଦ ନଦେବା ଗ୍ରାମବାସୀଙ୍କୁ ସନ୍ଦେହ ଘେରରେ ପକାଇଛି। ସେହି କାର୍ଡରୁ ଅଫଲାଇନରେ ରାସନ ସାମଗ୍ରୀ ଉଠାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏତଦବ୍ୟତୀତ ଫନି ବାତ୍ୟା ପଇସା, କୋଭିଡ ପଇସା, କୋଭିଡ ବାବଦରେ ଆସିଥିବା ନିଃଶୁଳ୍କ ରାସନ ଇତ୍ୟାଦି ମଧ୍ୟ ଉକ୍ତ ମୃତକଙ୍କ କାର୍ଡରୁ ଉଠୁଥିବାର ସମ୍ଭାବନାକୁ ଏଡାଇଦିଆଯାଇନପାରେ ବୋଲି ପଞ୍ଚାୟତବାସି ଅଭିଯୋଗ କରିବା ସହ ଏହାର ଉଚିତ ତଦନ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସମୀକ୍ଷା ନ୍ୟୁଜ୍‌ର ମହାପ୍ରଭାବ: ତୁମୁରାପୁଟ ଡିଲରଙ୍କ ଲାଇସେନ୍ସ ଋଦ୍ଦ କଲେ ଉପ ଜିଲ୍ଲାପାଳ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତର ରାସନ ସାମଗ୍ରୀ ବିତରକ (ପିଡିଏସ୍‌ ଡିଲର)ଙ୍କୁ ନିଲମ୍ବନ କରାଯାଇଛି। ରାସନ କାର୍ଡ ଏବଂ ରାସନ ସାମଗ୍ରୀ ପ୍ରଦାନରେ କରାଯାଇଥିବା ଦୁର୍ନୀତି କାରଣରୁ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ତୁମୁରାପୁଟ ପିଡିଏସ୍‌ ରିଟେଲରଙ୍କ ଲାଇସେନ୍ସ ଋଦ୍ଦ କରିଛନ୍ତି। ତୁମୁରାପୁଟ ଅନ୍ତର୍ଗତ ରାଣୀପଡାର ଡିଲର ବାବୁଲା ବେହେରାଙ୍କ ଲାଇସେନ୍ସକୁ ଉପ ଜିଲ୍ଲାପାଳ ଖାରଜ କରିଦେଇଛନ୍ତି। ଓପିଡିଏସ୍‌ ନିୟମ ୨୦୧୬ ର ଧାରା ୧୭(୪) ଅନୁଯାୟୀ ଡିଲରଙ୍କ ଲାଇସନ୍ସ ଋଦ୍ଦ କରାଯିବା ସହିତ ପଞ୍ଚାୟତକୁ ବିକଳ୍ପ ବ୍ୟବସ୍ଥାରେ ରାସନ ବଣ୍ଟନର ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ରାସନ କାର୍ଡକୁ ନେଇ ଘଟିଥିବା ଏହି ମହାଦୁର୍ନୀତି ସମ୍ପର୍କରେ ମେ ୨୨ ତାରିଖରେ ସମୀକ୍ଷା ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଥିଲା। ରାସନ କାର୍ଡ ରହିଥିବା ସତ୍ତ୍ବେ ମଧ୍ୟ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳୁନଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ଚିଲିକା ରିପୋର୍ଟସ ଆସୋସିଏନ୍‌ ମଧ୍ୟ ଏହି ଦୁର୍ନୀତିର ପର୍ଦ୍ଦାଫାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ଘଟଣା ସମ୍ମୁଖକୁ ଆସିବା ପରେ ଏନେଇ ବାଣପୁର ବ୍ଲକ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁ, ବିଡିଓ ଶିବାନଦ ସ୍ଵାଇଁ, ସହକାରୀ ଯୋଗାଣ ଅଧିକାରୀ ଖୋର୍ଦ୍ଧା ଅଜୟ କୁମାର ରଥଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ତୁରନ୍ତ ଏହି ମାମଲାର ତଦନ୍ତ ରିପୋର୍ଟ ପାଇଁ ବିଡିଓ ଶିବାନଦ ସ୍ଵାଇଁଙ୍କ ପକ୍ଷରୁ ବ୍ଲକ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯୋଗାଣ ନିରୀକ୍ଷକ ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରି ବିଡିଓଙ୍କ ଜରିଆରେ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ଆଜି ଉପ ଜିଲ୍ଲାପାଳ ଡିଲରଙ୍କ ଲାଇସେନ୍ସ ଋଦ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି।