ରାସନ କାର୍ଡ଼ ପ୍ରଦାନ ନିମନ୍ତେ ୨୦ରୁ ଉର୍ଦ୍ଧ୍ୱ ମହିଳା ଜିଲ୍ଲାପାଳଙ୍କୁ ଭେଟିଲେ

Published: Sep 28, 2020, 8:49 pm IST

ହେମାଙ୍ଗ ପ୍ରସାଦ ରାଉଳ
ଛତ୍ରପୁର: ଆମେ ନିହାତି ଗରିବ, ଅସହାୟ ଓ ମେହନତି ଖଟିଖିଆ ଶ୍ରେଣୀର ମହିଳା ଅଟୁ। ଆମେ ରାସନ କାର୍ଡ଼ ପ୍ରଦାନ କରିବା ନିମନ୍ତେ ଯୋଗ୍ୟ ହିତାଧିକାରୀ। ତେଣୁ ଆମମାନଙ୍କୁ ତୁରନ୍ତ ରାସନ କାର୍ଡ଼ ପ୍ରଦାନ କରିବା ଦାବି ନେଇ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମପଂଚାୟତ ଅନ୍ତର୍ଗତ ଖଣ୍ଡୁୁରୁ ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ମହିଳାମାନେ ଛତ୍ରପୁର ଆସି ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।

ସେମାନେ କହିବାନୁସାରେ ଆମେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ପଂଚାୟତ ସରପଂଚ ଓ ବ୍ଲକ କର୍ତୃପକ୍ଷ ରାସନ କାର୍ଡ଼ ପ୍ରଦାନ କରୁନାହାନ୍ତି। ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଇଛି। ତେଣୁ ଆମକୁ ରାସନ କାର୍ଡ଼ ଖଣ୍ଡିଏ ଖଣ୍ଡିଏ ପ୍ରଦାନ କଲେ ଆମେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ପାଇବୁ। ଏହାସହ ଗ୍ରାମର ରଶ୍ମିତା ବେହେରା, ମଞ୍ଜୁ ସାହୁ, ଶଶୀ ବେହେରା, ରେଣୁ ବେହେରା, ଉର୍ମିଳା ବେହେରା ସେମାନଙ୍କ ରାସନ କାର୍ଡ଼ ମିଳିଥିଲେ ମଧ୍ୟ ତାଙ୍କୁ ରାସନ କାର୍ଡ଼ରୁ ବାଦ୍ କରାଯାଇଛି। ତେଣୁ ସେମାନଙ୍କୁ ରାସନ କାର୍ଡ଼ର ସଂଯୋଗ କରିବା ନିମନ୍ତେ ସେମାନେ ଦାବି କରିଛନ୍ତି।

Related posts