Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଏବଂ କଟକ ରେଲୱେ ଷ୍ଟେସନରେ ଆରମ୍ଭ ହେଲା “ଗୋଟିଏ ଷ୍ଟେସନ୍ ଗୋଟିଏ ଉତ୍ପାଦ” ଷ୍ଟଲ୍ 

ଭୁବନେଶ୍ବର: “ଗୋଟିଏ ଷ୍ଟେସନ୍ ଗୋଟିଏ ଉତ୍ପାଦ” ଯୋଜନା ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର/ହ୍ୟାଣ୍ଡଲୁମ୍ ବୁଣାକାର, ଆଦିବାସୀ ମାନଙ୍କର ଜୀବିକା ବୃଦ୍ଧି ତଥା କଲ୍ୟାଣ ଉଦ୍ଦେଶ୍ୟରେ ଭାରତ ସରକାର ନିକଟରେ ବଜେଟରେ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ରେଳ ଷ୍ଟେସନରେ ସ୍ଥାନୀୟ କାରିଗରମାନଙ୍କୁ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳ ସମ୍ବନ୍ଧୀୟ ପ୍ରସିଦ୍ଧ ସ୍ଥାନୀୟ ଉତ୍ପାଦଗୁଡିକ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଷ୍ଟଲ୍ ଯୋଗାଇ ଦିଆଯାଉଛି।  ଲକ୍ଷ୍ୟ ହେଉଛି ରେଳ ଷ୍ଟେସନକୁ ଏକ ପ୍ରମୋସନାଲ୍ ହବ୍ ଏବଂ ଏକ ସ୍ଥାନୀୟ ଉତ୍ପାଦ ପାଇଁ ପ୍ରଦର୍ଶନ ଗନ୍ତବ୍ୟସ୍ଥଳ କରିବା, ଯାହା ଦ୍ଵାରା ସ୍ଥାନୀୟ ଶିଳ୍ପଗୁଡିକ ଏକ ପ୍ରମୁଖ ଉତ୍ସ ହେବ।

ଗୋଟିଏ ଷ୍ଟେସନ ଗୋଟିଏ ପ୍ରଡକ୍ଟ ଯୋଜନା ଅଧୀନରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ORMAS) ର ସମନ୍ୱୟ ରେ ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନରେ ଦୁଇଟି ବିକ୍ରି ଷ୍ଟଲ ଉନ୍ମୋଚନ କରାଯାଇଛି।
ବର୍ତ୍ତମାନ ଯାତ୍ରୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ “ବେଲ୍ ମେଟାଲ୍ ପ୍ରଡକ୍ଟ” ଏବଂ କଟକ ରେଳ ଷ୍ଟେସନରେ କଟକ ଜିଲ୍ଲାର ପ୍ରସିଦ୍ଧ “ସିଲଭର ଫିଲିଗ୍ରି ହ୍ୟାଣ୍ଡିକ୍ରାଫ୍ଟ ଏବଂ ହ୍ୟାଣ୍ଡଲୁମ୍ ଉତ୍ପାଦ” ପାଇପାରିବେ। ଯାତ୍ରୀମାନେ କୌଣସି ମଧ୍ୟସ୍ଥିଙ୍କୁ ଜଡିତ ନକରି ସିଧାସଳଖ କାରିଗରମାନଙ୍କଠାରୁ ଏହି ଉତ୍ପାଦ କ୍ରୟ କରିପାରିବେ।

ଏହାପୂର୍ବରୁ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ପୁରୀ ରେଳ ଷ୍ଟେସନରେ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ “ପଟାଚିଟ୍ରା” ଏବଂ “ପିପିଲି ଆପ୍ଲିକ୍” କୁ ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଯୋଜନା ଅଧୀନରେ ପ୍ରୋତ୍ସାହିତ କରିବା ପାଇଁ ପୁରୀ ରେଳ ଷ୍ଟେସନରେ ଗୋଟିଏ ଷ୍ଟଲ୍ ଖୋଲା ଯାଇଥିଲା।  ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ୭୮ ରେଳ ଷ୍ଟେସନରେ ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଷ୍ଟଲ୍ ପାଇଁ ଆବେଦନ ନିମନ୍ତ୍ରଣ ପାଇଁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବିଜ୍ଞପ୍ତି ଜାରି କରିଛି।

ଖୋର୍ଦ୍ଧା ରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରାୟ ଯାତ୍ରୀମାନଙ୍କୁ ଷ୍ଟଲଗୁଡିକର ସୁବିଧା ନେବାକୁ ଏବଂ ରେଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦର ସାମଗ୍ରୀ ଗୁଡ଼ିକ ଦେଖିବାକୁ ଅନୁରୋଧ କରିଛନ୍ତି। ସେ ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର, ଆଦିବାସୀମାନଙ୍କୁ ଷ୍ଟେସନ ଗୁଡ଼ିକ ରେ ନିଜର ଷ୍ଟଲ ଖୋଲିବା ପାଇଁ ଆବେଦନ କରିବାକୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ରେଲୱେ ଷ୍ଟେସନରେ ହେବ କରୋନା ପରୀକ୍ଷା: ନିୟୋଜିତ ହେବ ସ୍ଵତନ୍ତ୍ର ଟିମ୍

ଭୁବନେଶ୍ବର: କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ବିମାନ ବନ୍ଦରରେ ଆସୁଥିବା ଯାତ୍ରୀଙ୍କୁ କରୋନା ପରୀକ୍ଷା ବାଧ୍ୟତାମୂଳକ କରିଥିବା ବେଳେ ଏଣିକି ରେଲୱେ ଷ୍ଟେସନରେ ମଧ୍ୟ କରୋନା ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଛି। ରେଲୱେ ଷ୍ଟେସନରେ କରୋନା ପରୀକ୍ଷା କରିବା ପାଇଁ ଭୁବନେଶ୍ଵର ମହାନଗର ନିଗମ ନିଷ୍ପତ୍ତି ନେଇଛି।

ଭୁବନେଶ୍ଵର ରେଲୱେ ଷ୍ଟେସନକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ କରୋନା ପରୀକ୍ଷା କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ସେଥିପାଇଁ ଭୁବନେଶ୍ଵର ରେଲୱେ ଷ୍ଟେସନରେ ସ୍ଵତନ୍ତ୍ର ଟିମକୁ ନିଯୋଜିତ କରାଯିବ। ପ୍ରାୟ ୧୦ ହଜାର ଆରଟି-ପିସିଆର ଟେଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁଷଣ୍ଡପୁର ରେଲୱେ ଷ୍ଟେସନ ନିକଟରେ ଅଘଟଣ: ହାତୀକୁ ପିଟିଲା ଟ୍ରେନ୍

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଂଜ୍ ଭୁଷଣ୍ଡ ପୁର ରେଲୱେ ଷ୍ଟେସନ ନିକଟରେ ଅଘଟଣ ଘଟିଛି। ଭୁଷଣ୍ଡ ପୁର ଉଗ୍ରତାରା ରେଳ ଫାଟକ ନିକଟରେ ଦନ୍ତାକୁ ଟ୍ରେନ ଧକ୍କା ଦେଇଛି। ଫଳରେ ହାତୀଟି ଗୁରୁତର ଆହାତ ହୋଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ରେଂଜ୍ ର ଭୁଷଣ୍ଡ ପୁର ଡିପିଏଫ୍ ଉଗ୍ରତାରା ରେଳ ଫାଟକ ନିକଟରେ ହାତୀ ପଲ ରେଳ ଟ୍ରାକ ଅତିକ୍ରମ କରୁଥିଲେ। ୧୯ ଟିକିଆ ହାତୀ ପଲ ମଧ୍ୟରୁ ୬ ଦନ୍ତା, ୫ ଛୁଆ ହାତୀ ଏବଂ ୮ ଟି ମାଇ ହାତୀ ଥିବା ଜଣା ପଡିଛି। ଉକ୍ତ ହାତୀ ପଲ ରାତିରେ ଗାଁ ମୁହାଁ ହୋଇ ଧାନ ଫସଲ ଖାଇବା ପାଇଁ ଚାଷ କ୍ଷେତକୁ ଯାଉଥିଲେ। ଆଜି ରାତିରେ ୧୯ ଟିକିଆ ହାତୀ ପଲ ଉଗ୍ରତାରା ଛକ ନିକଟ କନ୍ତଳ ବାଇ ନିକଟରେ ରେଳ ଧାରଣା ପାର୍ ହୋଇ ଚାଷ କ୍ଷେତକୁ ଧାନ ଖାଇବାକୁ ଯାଉଥିବା ବେଳେ କନ୍ତଳ ବାଇ ରେଳ ଫାଟକ ନିକଟରେ ଏକ ଦନ୍ତାକୁ ଧକ୍କା ଦେଇଥିଲା ମାଲ ବାହୀ ଟ୍ରେନ୍।

ଫଳରେ ଦନ୍ତାର ପଛ ଭାଗରେ ଗୁରୁତର ଆଘାତ ଲାଗିଥିଲା। ବର୍ତ୍ତମାନ ସେହି ହାତୀଟି ଚାଲିବା ପାଇଁ ଅକ୍ଷମ ବୋଲି ସୂଚନା ରହିଛି। ଖବର ପାଇ ଟାଙ୍ଗୀ ବନ ବିଭାଗ ରେଂଜର ରବିନ୍ଦ୍ର ନାଥ ପଣ୍ଡାଙ୍କ ନେତ୍ରୁତ୍ୱରେ ଏକ ଦଳ ବାହାରି ଗୁରୁତର ଆହତ ଦନ୍ତାକୁ ଠାବ କରିବା ପାଇଁ ଯାଇଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠୁ ଭୁବନେଶ୍ବର ଷ୍ଟେସନରେ ଯାଞ୍ଚ ହେବ କଡାକଡି: ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ହେଲା ପରିବର୍ତ୍ତନ

ଭୁବନେଶ୍ବର: ଆସନ୍ତାକାଲିଠୁ ଭୁବନେଶ୍ଵର ରେଲୱେ ଷ୍ଟେସନରେ ଯାଞ୍ଚକୁ କଡାକଡି କରାଯିବ। ରାଜ୍ୟ ବାହାରୁ ଆସୁଥିବା ଟ୍ରେନ ଯାତ୍ରୀଙ୍କୁ କଡାକଡି ଯାଞ୍ଚ କରାଯିବ। କିନ୍ତୁ ଲୋକାଲ ଟ୍ରେନ ପାଇଁ କୌଣସି ଯାଞ୍ଚ ବ୍ୟବସ୍ଥା ନାହିଁ। ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ। ନଚେତ ଦୁଇଟି ଡୋଜ ଟୀକା ନେଇଥିବା ପ୍ରମାଣପତ୍ର ଦେଖାଇବା ଜରୁରୀ ହେବ। ଏହା ମଧ୍ୟରୁ କୌଣସି ପ୍ରମାଣପତ୍ର ନଥିଲେ ସମ୍ପୃକ୍ତ ଯାତ୍ରୀଙ୍କ ନାମକୁ ପଞ୍ଜୀକରଣ କରାଯିବ।

ତେବେ ଯାତ୍ରୀମାନଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ପରିବର୍ତ୍ତନ କରାଯାଇଛି। ପ୍ରବେଶ ପାଇଁ ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡ ପଟେ ବ୍ୟବସ୍ଥା ହୋଇଥିବା ବେଳେ ପ୍ରସ୍ଥାନ ପାଇଁ ଷ୍ଟେସନ ସମ୍ମୁଖର ଡାହାଣ ପଟେ ବ୍ୟବସ୍ଥା ହୋଇଛି। ଏନେଇ ଭୁବନେଶ୍ବର ରେଳ ଷ୍ଟେସନ ନିର୍ଦ୍ଦେଶକ ଓ ବିଏମସି ଡେପୁଟି କମିଶନର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୧୬୯ ଦିନ ପରେ କୃଷକ ସଂଗଠନର ଧାରଣା ଶେଷ: ଆରମ୍ଭ ହେଲା ଟ୍ରେନ ସେବା

ନୂଆଦିଲ୍ଲୀ: ବିଗତ ତିନି ମାସରୁ ଉର୍ଦ୍ଧ୍ଵ ଦିନ ଧରି ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହା ଭିତରେ ପଞ୍ଜାବରୁ ଏକ ଆଶ୍ବସ୍ତିକର ଖବର ମିଳିଛି। ପଞ୍ଜାବର ଅମୃତସରରେ କୃଷି ଆଇନକୁ ନେଇ ରେଳ ଧାରଣାରେ କୃଷକ ଆନ୍ଦୋଳନରେ ବସିଥିଲେ। ଯାହାଫଳରେ ସେହି ରୁଟରେ ଯାଉଥିବା ସମସ୍ତ ଟ୍ରେନର ଯାତାୟତା ଉପରେ ବାଧା ସୃଷ୍ଟି ହୋଇଥିଲା। ଯାହାକୁ ଆଜି ଆନ୍ଦୋଳନରତ କୃଷକମାନେ ରେଳ ଧାରଣା ଖାଲି କରିଛନ୍ତି।

ସୂଚନା ଅନୁଯାୟୀ, ଟ୍ରେନ ରଦ୍ଦ ହେବା କାରଣରୁ ଚାଷୀ ଏବଂ ବ୍ୟବସାୟୀମାନଙ୍କୁ ବେଶୀ କ୍ଷତି ହେଉଥିଲା। ସେଥିପାଇଁ ୧୬୯ ଦିନ ପରେ ଏହି ଧାରଣାକୁ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନିଆଗଲା।

ସେପଟେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଆସନ୍ତା ୨୬ ତାରିଖକୁ ୪ ମାସରେ ପହଞ୍ଚିବ। ତେଣୁ ନୂଆ କୃଷି ଆଇନ ବିରୋଧରେ ଆସନ୍ତା ୨୬ ତାରିଖରେ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛି।

କୃଷକ ନେତା ବୁଟା ସିଂହଙ୍କ କହିଛନ୍ତି ଯେ, ଏହା ପୂର୍ବରୁ ମାର୍ଚ୍ଚ ୧୫ ତାରିଖରେ କୃଷକ ଏବଂ ବ୍ୟବସାୟୀ ସଂଘ ମିଶି ପେଟ୍ରୋଲ-ଡ଼ିଜେଲର ଦାମ ବୃଦ୍ଧି ଏବଂ ରେଳବାଇକୁ ଘରୋଇକରଣ ବିରୋଧରେ ପ୍ରତିବାଦ କରିବ। ସେଥିପାଇଁ ଦେଶର ସବୁ ରେଲୱେ ଷ୍ଟେସନରେ ପ୍ରତିବାଦ କରାଯିବ ବୋଲି ବୁଟା ସିଂହ କହିଛନ୍ତି।