୧୬୯ ଦିନ ପରେ କୃଷକ ସଂଗଠନର ଧାରଣା ଶେଷ: ଆରମ୍ଭ ହେଲା ଟ୍ରେନ ସେବା

Published: Mar 12, 2021, 11:52 am IST

ନୂଆଦିଲ୍ଲୀ: ବିଗତ ତିନି ମାସରୁ ଉର୍ଦ୍ଧ୍ଵ ଦିନ ଧରି ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହା ଭିତରେ ପଞ୍ଜାବରୁ ଏକ ଆଶ୍ବସ୍ତିକର ଖବର ମିଳିଛି। ପଞ୍ଜାବର ଅମୃତସରରେ କୃଷି ଆଇନକୁ ନେଇ ରେଳ ଧାରଣାରେ କୃଷକ ଆନ୍ଦୋଳନରେ ବସିଥିଲେ। ଯାହାଫଳରେ ସେହି ରୁଟରେ ଯାଉଥିବା ସମସ୍ତ ଟ୍ରେନର ଯାତାୟତା ଉପରେ ବାଧା ସୃଷ୍ଟି ହୋଇଥିଲା। ଯାହାକୁ ଆଜି ଆନ୍ଦୋଳନରତ କୃଷକମାନେ ରେଳ ଧାରଣା ଖାଲି କରିଛନ୍ତି।

ସୂଚନା ଅନୁଯାୟୀ, ଟ୍ରେନ ରଦ୍ଦ ହେବା କାରଣରୁ ଚାଷୀ ଏବଂ ବ୍ୟବସାୟୀମାନଙ୍କୁ ବେଶୀ କ୍ଷତି ହେଉଥିଲା। ସେଥିପାଇଁ ୧୬୯ ଦିନ ପରେ ଏହି ଧାରଣାକୁ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନିଆଗଲା।

ସେପଟେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଆସନ୍ତା ୨୬ ତାରିଖକୁ ୪ ମାସରେ ପହଞ୍ଚିବ। ତେଣୁ ନୂଆ କୃଷି ଆଇନ ବିରୋଧରେ ଆସନ୍ତା ୨୬ ତାରିଖରେ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛି।

କୃଷକ ନେତା ବୁଟା ସିଂହଙ୍କ କହିଛନ୍ତି ଯେ, ଏହା ପୂର୍ବରୁ ମାର୍ଚ୍ଚ ୧୫ ତାରିଖରେ କୃଷକ ଏବଂ ବ୍ୟବସାୟୀ ସଂଘ ମିଶି ପେଟ୍ରୋଲ-ଡ଼ିଜେଲର ଦାମ ବୃଦ୍ଧି ଏବଂ ରେଳବାଇକୁ ଘରୋଇକରଣ ବିରୋଧରେ ପ୍ରତିବାଦ କରିବ। ସେଥିପାଇଁ ଦେଶର ସବୁ ରେଲୱେ ଷ୍ଟେସନରେ ପ୍ରତିବାଦ କରାଯିବ ବୋଲି ବୁଟା ସିଂହ କହିଛନ୍ତି।

Related posts