Categories
ଆଜିର ଖବର ରାଜ୍ୟ ଖବର

ରେଳ ଟ୍ରାକରୁ ମୃତ ଦେହ ଉଦ୍ଧାର କଲା ବାଲୁଗାଁ ଆରପିଏଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଉତ୍ତର କ୍ୟାବିନ ନିକଟ ଟ୍ରାକ କଡ଼ରେ ଏକ ମୃତ ଦେହକୁ ବାଲୁଗାଁ ଆରପିଏଫ ଉଦ୍ଧାର କରିଛି।

ସୂଚନା ମୁତାବକ ଆଜି ସକାଳେ ସ୍ଥାନୀୟ ଲୋକ ଉକ୍ତ ଷ୍ଟେସନ ଟ୍ରାକ କଡ଼ରେ ଏକ ମୃତ ଦେହ ପଡିଥିବାର ଦେଖି ବାଲୁଗାଁ ଆରପିଏଫକୁ ସୂଚନା ଦେଇଥିଲେ। ମୃତକ ଜଣକ ଏକ କଳା ପ୍ୟାଣ୍ଟ ଓ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଘଟଣା ସ୍ଥଳରେ ଜିଆରପି ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ପ୍ରାଥମିକ ତଦନ୍ତରୁ ମୃତକ ଜଣକ କଟକ ଅଞ୍ଚଳର ମନୋରଞ୍ଜନ ସ୍ବାଇଁ (୩୭) ବୋଲି ଜଣାପଡ଼ିଛି। ଏଥିସହିତ ସେ ଜଣେ ଦିବ୍ୟଙ୍ଗ ହୋଇଥିବା ବେଳେ ତାଙ୍କ ନିକଟରୁ ଅନେକ କାଗଜ ପତ୍ର, ବିଦେଶୀ ମୁଦ୍ରା ସହ ୫୨୦ ଟଙ୍କା ମିଳିଛି। ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରାଯିବା ସହ ଘଟଣା ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରହିଥିବା ଖୋର୍ଦ୍ଧା ରୋଡ଼ ଜିଆରପି ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

କାଳୁପଡ଼ା: ରେଳ ଟ୍ରାକ ଅତିକ୍ରମ କରୁଥିବା ବେଳେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

କାଳୁପଡା: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡାଘାଟ ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରେନ୍ ଧକ୍କା ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ପାରାଦ୍ୱୀପ ଅଞ୍ଚଳର ଜଣେ ବୃଦ୍ଧ (୬୦) ଦୀର୍ଘ ଦିନ ହେବ କାଳୁପଡ଼ାସ୍ଥିତ ତାଙ୍କ ସମ୍ପର୍କୀୟ ଭାଇଙ୍କ ପାଖେ ରହି ବେତ କାମ କରୁଥିଲେ। ବୃଦ୍ଧ ଜଣକ ଆଜି ଅପରାହ୍ନ ୪.୩୦ ଘଟିକା ସମୟରେ କାଳୁପଡ଼ାଘାଟ ଷ୍ଟେସନ ସାଉଥ ଗେଟ ପଡିଥିବା ସମୟରେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିଲେ। ଠିକ୍ ସେହି ସମୟରେ ଟ୍ରେନ ନମ୍ବର ୧୨୮୪୬ ୟଶବନ୍ତପୁର ହାଉଡ଼ା ସୁପରଫାଷ୍ଟ ଏକ୍ସପ୍ରେସଟି ବୃଦ୍ଧଙ୍କୁ ଧକ୍କା ଦେଇଥିଲା।

ତେବେ ଖବର ପାଇ ଆରପିଏଫ କର୍ମଚାରୀମାନେ ବୃଦ୍ଧଙ୍କୁ ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଜିଆରପି ବୃଦ୍ଧଙ୍କ ଶବ ଜବତ କରିଥିବାବେଳେ ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ରେଳ ଟ୍ରାକ୍ ରେ ଗାଡି ଚଳାଇବା ମହଙ୍ଗା ପଡିଲା: ଦ୍ରୁତ ଗତିରେ ଆସୁଥିବା ଟ୍ରେନଟି ବାଇକକୁ ଦେଲା ଧକ୍କା

ବକ୍ସର: ଆଜିକାଲି ଯୁବକମାନେ ବାଇକ୍ ଷ୍ଟଣ୍ଟ୍ କରିବାକୁ ପସନ୍ଦ କରନ୍ତି। ବେଳେବେଳେ ଏଭଳି ଯୁବକମାନେ ସ୍ଥାନୀୟ ଅଞ୍ଚଳରେ କିମ୍ବା ରାଜପଥରେ ଷ୍ଟଣ୍ଟ କରୁଥିବା ଦେଖାଯାଆନ୍ତି। ସୋମବାର ଦିନ ବିହାରର ବକ୍ସରରେ ମଧ୍ୟ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଦୁଇ ଜଣ ଯୁବକ ଏତେ ତତ୍ପର ଥିଲେ ଯେ, ସେମାନେ ରାସ୍ତାରୁ ବାହାରି ବାଇକ୍ ଯୋଗେ ରେଳ ଟ୍ରାକରେ ଦୌଡିଥିଲେ। ଏହି ସମୟରେ ପଛରୁ ଏକ ଟ୍ରେନ୍ ଆସିଥିଥିଲା। ଯେତେବେଳେ ଉଭୟ ଯୁବକ ଏହା ବିଷୟରେ ଜାଣିଲେ, ସେତେବେଳେ ସେମାନଙ୍କର ହୋଶ୍ ଉଡ଼ିଗଲା। ସୌଭାଗ୍ୟ ବଶତଃ ଉଭୟ ଯୁବକଙ୍କ କିଛି କ୍ଷତି ହୋଇ ନଥିଲା, କିନ୍ତୁ ସେମାନଙ୍କ ବାଇକ୍ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୦ ଟା ସମୟରେ ରେଳ ଫାଟକ ବନ୍ଦ ରହିଥିଲା। ଗେଟ୍ ବନ୍ଦ ଥିବା ଦେଖି ଦୁଇଜଣ ଯୁବକ ନିକଟରେ ଥିବା ସଂକୀର୍ଣ୍ଣ ରାସ୍ତା ଦେଇ ବାଇକ୍ ଅତିକ୍ରମ କରିବା ପରେ ବାଇକକୁ ଟ୍ରାକରେ ଚଲାଇଥିଲେ। ଟ୍ରାକ ଉପରେ ଷ୍ଟେସନ ଆଡକୁ ଉଭୟ ଯୁବକ ଯାଉଥିବା ବେଳେ ପଛରୁ ଏକ ଟ୍ରେନ ଦ୍ରୁତ ଗତିରେ ଆସିଥିଲା। ଟ୍ରେନ୍ ଦେଖି ଲୋକମାନେ ଚିକ୍ତାର କରିବା ଆରମ୍ଭ କଲେ। ଲୋକଙ୍କ ସ୍ୱର ଶୁଣି ଉଭୟ ଯୁବକ ବାଇକ ଛାଡି ଡେଇଁପଡିଥିଲେ। ଟ୍ରାକରେ ପଡ଼ିଥିବା ବାଇକଟି ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ଦ୍ୱାରା ଧକ୍କା ହୋଇଥିଲା। ବହୁ ଦୂରପର୍ଯ୍ୟନ୍ତ ବାଇକଟି ଖଣ୍ଡ ବିଖଣ୍ଡିତ ହୋଇ ରେଳ ଟ୍ରାକ୍ ଚାରିପାଖରେ ବିଛାଡି ହୋଇପଡିଥିଲା।

ଏହି ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ରେଳ ପୋଲିସ ନମ୍ବର ପ୍ଲେଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଛି। ଗାଡି ନମ୍ବରରୁ ମାଲିକଙ୍କ ପରିଚୟ ମିଳିଥିବା ବେଳେ ଦୁଇ ଯୁବକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।