କାଳୁପଡ଼ା: ରେଳ ଟ୍ରାକ ଅତିକ୍ରମ କରୁଥିବା ବେଳେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

Published: Dec 28, 2021, 9:23 pm IST

ସୀତାରାମ ଅଗ୍ରୱାଲ

କାଳୁପଡା: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡାଘାଟ ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରେନ୍ ଧକ୍କା ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ପାରାଦ୍ୱୀପ ଅଞ୍ଚଳର ଜଣେ ବୃଦ୍ଧ (୬୦) ଦୀର୍ଘ ଦିନ ହେବ କାଳୁପଡ଼ାସ୍ଥିତ ତାଙ୍କ ସମ୍ପର୍କୀୟ ଭାଇଙ୍କ ପାଖେ ରହି ବେତ କାମ କରୁଥିଲେ। ବୃଦ୍ଧ ଜଣକ ଆଜି ଅପରାହ୍ନ ୪.୩୦ ଘଟିକା ସମୟରେ କାଳୁପଡ଼ାଘାଟ ଷ୍ଟେସନ ସାଉଥ ଗେଟ ପଡିଥିବା ସମୟରେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିଲେ। ଠିକ୍ ସେହି ସମୟରେ ଟ୍ରେନ ନମ୍ବର ୧୨୮୪୬ ୟଶବନ୍ତପୁର ହାଉଡ଼ା ସୁପରଫାଷ୍ଟ ଏକ୍ସପ୍ରେସଟି ବୃଦ୍ଧଙ୍କୁ ଧକ୍କା ଦେଇଥିଲା।

ତେବେ ଖବର ପାଇ ଆରପିଏଫ କର୍ମଚାରୀମାନେ ବୃଦ୍ଧଙ୍କୁ ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଜିଆରପି ବୃଦ୍ଧଙ୍କ ଶବ ଜବତ କରିଥିବାବେଳେ ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

Related posts