Categories
ଆଞ୍ଚଳିକ

ବାଣପୁର: ମୋଟର ସାଇକେଲ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଣପୁର କଲେଜ ଛକ ନିକଟରେ ଥିବା ୟୁକୋବ୍ୟାଙ୍କ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବରରୁ ଜଣାଯାଇଛି ଯେ, କୁମାରାଙ୍ଗ ଗ୍ରାମର ଶିବ ମହାରଣା ଘରୁ ସାଇକେଲ ଯୋଗେ ବାଣପୁର ବଜାରକୁ ଆସୁଥିଲେ। ଏହି ସମୟରେ ଏକ କେଟିଏମ ମୋଟରସାଇକେଲ ଆରୋହୀ ଦ୍ରୁତ ଗତିରେ ଆସି ଶିବ ମହାରଣାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଶିବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବାଣପୁର ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଶିବଙ୍କ ସ୍ତ୍ରୀ କୁନି ମହାରଣା ବାଣପୁର ଥାନାରେ ଏତଲା ଦେବା ପରେ ବାଣପୁର ପୋଲିସ ମୋଟର ସାଇକେଲଟିକୁ ଜବତ କରିଛି।

ଚାଳକ ଜଣକ ସୁନାକେରାର ବବୁଲ ସାହୁ ବୋଲି ଜଣାପଡିଛି। କିନ୍ତୁ ଶିବଙ୍କୁ ଜୋରରେ ଆଘାତ ଲାଗିଥିବା କାରଣରୁ ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଚାଲୁ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

କନ୍ଦର୍ପ ବେହେରା

ରେଢ଼ାଖୋଲ: କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧ ମୃତ୍ୟୁବରଣ କରିଥିବା ଜଣା ପଡିଛି। ମୃତକ ଜଣକ ହେଲେ କେଲୋ ଗ୍ରାମର ଚନ୍ଦ୍ରମଣି ପ୍ରଧାନ (୬୫)ବର୍ଷ।

ସୂଚନା ଅନୁସାରେ ଚନ୍ଦ୍ରମଣି ତାଙ୍କ ନିଜ ପୋଖରୀରେ ମାଛ ଚାଷ କରି ଥିବାରୁ ରାତିରେ ପୋଖରୀ ହୁଡାରେ ଜଗୁଥିଲେ। ତେବେ ସେ ଦୁର୍ଭାଗ୍ୟବଶତଃ ରାତିରେ ପୋଖରୀରେ ବୁଡ଼ିଯାଇଥିଲେ। ତେବେ ସେ ସକାଳୁ ଘରକୁ ନଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ଏବଂ ପୋଖରୀରେ ତାଙ୍କ ଶବ ଭାସୁଥିବାର ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ।

ଦମକଳ ବାହିନୀ ଘଟଣା ସ୍ଥଳକୁ ଆସି ଶବକୁ ଉଦ୍ଧାର କରିଥିଲା। ଏ ସମ୍ପର୍କରେ ଖବର ପାଇ କିସିଣ୍ଡା ପୋଲିସ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ରେଢ଼ାଖୋଲରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପୋଲିସ୍ ଭ୍ୟାନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ୧୬ନଂ ଜାତୀୟ ରାଜପଥ ବାଲୁଗାଁ ବାଇପାସ୍ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ପୋଲିସ୍ ଭ୍ୟାନ୍ ଧକ୍କାରେ ୬୦ବର୍ଷର ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାନାପଲ୍ଲି ଅଞ୍ଚଳର ପି କୃଷ୍ନ ଚନ୍ଦ୍ର ପାତ୍ର ଗୋଲା ସମ୍ପ୍ରଦାୟର ହେଇଥିବାରୁ ପ୍ରତିଦିନ ଛେଳି ଚରେଇବାକୁ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ମାତ୍ର ଆଜି ବାଲୁଗାଁ ସୀମା ଅଞ୍ଚଳକୁ ଛେଳି ଚରାଇବାକୁ ଆସିଥିବା ବେଳେ ଦିନ ୧୨ଟାରେ ବାଲୁଗାଁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ୍ ପୋଲିସ୍ ଭ୍ୟାନ୍ (ଓଡି ୦୫ଏପି ୨୭୪୨)ରାସ୍ତାରେ ପାର ହେଉଥିବା ସମୟରେ ବୃଦ୍ଧ କୃଷ୍ଣ ପାତ୍ରଙ୍କୁ ଧକ୍କା ଦେଇଥିଲା।

ଘଟଣା ସ୍ଥଳରେ ନାଭାଲ୍ ଫାଣ୍ଡି ପୋଲିସ୍ ପହଞ୍ଚି ଗୁରୁତର ଅବସ୍ଥାରେ କୃଷ୍ଣ ପାତ୍ରଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ଗୁରୁତର ପାତ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବାଲୁଗାଁ ପୋଲିସ୍ ଶବ ଜବତ କରି ୧୧୬/୨୦୨୨ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଦେଇଛି।

ତେବେ ଘଟଣା ଘଟାଇଥିବା ପୋଲିସ୍ କର୍ମଚାରୀଙ୍କୁ ନାଭାଲ୍ ଫାଣ୍ତିରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କାଳୁପଡ଼ା: ରେଳ ଟ୍ରାକ ଅତିକ୍ରମ କରୁଥିବା ବେଳେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

କାଳୁପଡା: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡାଘାଟ ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରେନ୍ ଧକ୍କା ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ପାରାଦ୍ୱୀପ ଅଞ୍ଚଳର ଜଣେ ବୃଦ୍ଧ (୬୦) ଦୀର୍ଘ ଦିନ ହେବ କାଳୁପଡ଼ାସ୍ଥିତ ତାଙ୍କ ସମ୍ପର୍କୀୟ ଭାଇଙ୍କ ପାଖେ ରହି ବେତ କାମ କରୁଥିଲେ। ବୃଦ୍ଧ ଜଣକ ଆଜି ଅପରାହ୍ନ ୪.୩୦ ଘଟିକା ସମୟରେ କାଳୁପଡ଼ାଘାଟ ଷ୍ଟେସନ ସାଉଥ ଗେଟ ପଡିଥିବା ସମୟରେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିଲେ। ଠିକ୍ ସେହି ସମୟରେ ଟ୍ରେନ ନମ୍ବର ୧୨୮୪୬ ୟଶବନ୍ତପୁର ହାଉଡ଼ା ସୁପରଫାଷ୍ଟ ଏକ୍ସପ୍ରେସଟି ବୃଦ୍ଧଙ୍କୁ ଧକ୍କା ଦେଇଥିଲା।

ତେବେ ଖବର ପାଇ ଆରପିଏଫ କର୍ମଚାରୀମାନେ ବୃଦ୍ଧଙ୍କୁ ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଜିଆରପି ବୃଦ୍ଧଙ୍କ ଶବ ଜବତ କରିଥିବାବେଳେ ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ସଡ଼କ ଦୁର୍ଘଟଣା: ଅଜଣା ବାଇକ୍ ଧକ୍କାରେ ବୃଦ୍ଧ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସର ମଠପାଟଣା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଆଜି ସକାଳ ପାଖାପାଖି ୭.୩୦ ସମୟରେ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମଠପାଟଣା ଗ୍ରାମର ଗୋବିନ୍ଦ ରାଉତ (୭୫) ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ମଠପାଟଣା ଛକରେ ଭୁବନେଶ୍ୱର ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇ ଘଟଣାରୁ ଫେରାର ହୋଇଯାଇଥିଲା।

ଫଳରେ ଗୋବିନ୍ଦଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀମାନେ ସ୍ୱଳ୍ପ ସମୟ ପାଇଁ ରାସ୍ତାରୋକ କରିବା ସହ ଗୋବିନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଗୋବିନ୍ଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ଏନେଇ ପରିବାର ଲୋକଙ୍କ ପକ୍ଷରୁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ବାଲୁଗାଁ ପୋଲିସ ସେଠାରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ଖବର ହସ୍ତଗତ ହୋଇଛି।

ସେପଟେ ବାଣପୁର ପୋଲିସ ଏବଂ ଜାତୀୟ ରାଜପଥରେ ନିୟୋଜିତ ପାଟ୍ରୋଲିଂ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।