ବାଣପୁର-ବାଲୁଗାଁ ବାଇପାସରେ ସଡ଼କ ଦୁର୍ଘଟଣା: ଅଜଣା ବାଇକ୍ ଧକ୍କାରେ ବୃଦ୍ଧ ମୃତ

Published: Mar 9, 2021, 1:20 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସର ମଠପାଟଣା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଆଜି ସକାଳ ପାଖାପାଖି ୭.୩୦ ସମୟରେ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମଠପାଟଣା ଗ୍ରାମର ଗୋବିନ୍ଦ ରାଉତ (୭୫) ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ମଠପାଟଣା ଛକରେ ଭୁବନେଶ୍ୱର ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇ ଘଟଣାରୁ ଫେରାର ହୋଇଯାଇଥିଲା।

ଫଳରେ ଗୋବିନ୍ଦଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀମାନେ ସ୍ୱଳ୍ପ ସମୟ ପାଇଁ ରାସ୍ତାରୋକ କରିବା ସହ ଗୋବିନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଗୋବିନ୍ଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ଏନେଇ ପରିବାର ଲୋକଙ୍କ ପକ୍ଷରୁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ବାଲୁଗାଁ ପୋଲିସ ସେଠାରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ଖବର ହସ୍ତଗତ ହୋଇଛି।

ସେପଟେ ବାଣପୁର ପୋଲିସ ଏବଂ ଜାତୀୟ ରାଜପଥରେ ନିୟୋଜିତ ପାଟ୍ରୋଲିଂ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।

Related posts