Categories
ଆଞ୍ଚଳିକ

ବାଣପୁରରେ ରୋଡ ରୋମିଓଙ୍କ ଆତଙ୍କରାଜ, ଟାର୍ଗେଟରେ ଟ୍ୟୁସନ ଛାତ୍ରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଦିନକୁ ଦିନ ବଢ଼ିଚାଲିଛି ଅସାମାଜିକ ଯୁବକ ତଥା ରୋଡ ରୋମିଓ ଏବଂ ବାଇକ ଚାଳକଙ୍କ ପ୍ରାଦୁର୍ଭାବ। ଉକ୍ତ ଯୁବକ ମାନେ ବିଶେଷ କରି ଘରୋଇ ଟ୍ୟୁସନ ପାଇଁ ଆସୁଥିବା ନାବାଳିକା ଛାତ୍ରୀମାନଙ୍କୁ ଟାର୍ଗେଟ କରୁଛନ୍ତି। ଏମାନେ ସହରର ବଜାର ସାହି, ତଳ ସାହି, ଭଗବତୀ ସାହି, ବିଷରପାଟଣା, କଲେଜ ଛକ, ପଲଟନ ପଡିଆ ଆଦି ଅଞ୍ଚଳରେ ଆତଙ୍କରାଜ ମଚାଉଛନ୍ତି।

ଉକ୍ତ ଅଞ୍ଚଳରେ ଏକାଧିକ ଘରୋଇ ଟ୍ୟୁସନ ଥିବା ଯୋଗୁଁ ଅସାମାଜିକ ଯୁବକଙ୍କ ଆଡ୍ଡା ସ୍ଥଳି ପାଲଟିଛି ଉକ୍ତ ଅଞ୍ଚଳ। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଟ୍ୟୁସନ ଛୁଟି ହେବା ସମୟରେ ପଇଁତରା ମାରନ୍ତି ଏହି ଯୁବକମାନେ। ଏପରିକି ଏମାନେ ବାଇକ ଷ୍ଟଣ୍ଟ ମଧ୍ୟ ଦେଖାଇବାକୁ ପଛାନ୍ତି ନାହିଁ। ବିକଟାଳ ଶବ୍ଦରେ ଦୃତ ଗତିରେ ବାଇକ ଚାଳନା କରୁଛନ୍ତି। ଫଳରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ନାବାଳିକା ଛାତ୍ରୀ ମାନଙ୍କୁ ପିଛା କରିବା ସହ ସେମାନଙ୍କ ସମ୍ମୁଖରେ କ୍ଷିପ୍ର ଗତିରେ ବାଇକ ଚାଳନା କରୁଛନ୍ତି। ତେବେ ଲୋକ ଲଜ୍ୟା ଭୟରେ ଛାତ୍ରୀ ମାନେ ଉକ୍ତ ଘଟଣା ପରିବାରବର୍ଗଙ୍କୁ କହୁଥିବା ବେଳେ ପୋଲିସ ନିକଟରେ ଅଭିଯୋଗ କରୁନାହାନ୍ତି। ତେବେ ଏହା ନିତିଦିନର ଘଟଣା ପାଲଟିଗଲାଣି ବାଣପୁର ସହରାଞ୍ଚଳରେ।

ଗତକାଲି ରାତିରେ ଏହାକୁ ନେଇ ଏକ ତୁମୁଳକାଣ୍ଡ ଘଟିଥିଲା ବାଣପୁର ବଜାର ସାହିରେ। ଟ୍ୟୁସନ ଛୁଟି ହେବା ସମୟରେ ଜନୈକ ନାବାଳିକା ଛାତ୍ରୀଙ୍କ ସାଇକେଲକୁ ଜଣେ ଯୁବକ ଜାଣିଶୁଣି ବାଇକରେ ଧକ୍କା ଦେଇଥିବାର ନାବାଳିକାଙ୍କ ଗ୍ରାମବାସୀ କହିଛନ୍ତି। ଫଳରେ ନାବାଳିକାଙ୍କ ପିତା ଓ ଯୁବକଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ଏପରିକି ହାତାହାତି ମଧ୍ୟ ହୋଇଥିବାର ଅଞ୍ଚଳବାସି କହିଛନ୍ତି।

ତେବେ ଏପରି ଘଟଣା ନିତିଦିନ ଘଟୁଥିବା ବେଳେ ରୋଡ ରୋମିଓଙ୍କୁ ସାବଡ଼ କରିବା ପାଇଁ ବାଣପୁର ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରୁ ବୋଲି ଦାବି ଜୋର ଧରିଛି। କିଛି ମାସ ତଳେ ବାଲୁଗାଁ ପୂର୍ବତନ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ଉଦ୍ୟମକ୍ରମେ ରୋଡ ରୋମିଓଙ୍କୁ ସାବଡ଼ କରିବା ପାଇଁ ଏକ ଅଭିଯାନ ବାଣପୁର ବାଲୁଗାଁ ଅଞ୍ଚଳରେ ଆରମ୍ଭ କରାଯାଇଥିଲା ଯାହାଦ୍ୱାରା ପୋଲିସ ଗୋଡ଼ାଇ ଗୋଡ଼ାଇ ଉକ୍ତ ଅସାମାଜିକ ଯୁବକଙ୍କୁ ଧରିବା ସହ ସେମାନଙ୍କ ବାଇକ ସିଜ କରି ମାମଲା ମଧ୍ୟ ରୁଜୁ କରିଥିଲା।

ତେବେ ଉକ୍ତ ଅଭିଯାନ ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ ପୁନଶ୍ଚ ଆରମ୍ଭ କରିବା ପାଇଁ ନୂତନ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ‘ସମୀକ୍ଷା’ ଜରିଆରେ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ। ଅନୁରୂପ ଭାବେ ବିକଟାଳ ଶବ୍ଦ ଓ କ୍ଷିପ୍ର ଗତିରେ ବାଇକ ଚାଳନା ଦ୍ୱାରା ବରିଷ୍ଠ ନାଗରିକ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ଉକ୍ତ ବାଇକ ଚାଳକ ଙ୍କ ମଧ୍ୟରେ ୯୦ ପ୍ରତିଶତ ନାବାଳକ ଓ ଲାଇସେନ୍ସ ବିହୀନ। ଆଜିର ସମୟରେ ଯଦି ଜଣେ ଯୁବତୀ ଅବା ଛାତ୍ରୀ ନିର୍ଡରରେ ସନ୍ଧ୍ୟାରେ ଟ୍ୟୁସନ ରୁ ନିଜ ଘରକୁ ଯାଇପାରିବନି ତେବେ ଆମ ବ୍ୟବସ୍ଥାକୁ ସୁଧାରିବା ଅପରିହାର୍ଯ୍ୟ ହୋଇପଡିଛି। ବାଲୁଗାଁ ଏସଡିପିଓ ଏବଂ ବାଣପୁର ନୂତନ ଆଇଆଇସି ରମେଶ କୁମାର ଦେବତାଙ୍କୁ ଉକ୍ତ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବାଣପୁର ବାସି ନିବେଦନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏଥର ରୋଡ ରୋମିଓଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ: ବାଲୁଗାଁ ଏସଡିପିଓ ନେଲେ ଏହି ନିଷ୍ପତ୍ତି

ବାଲୁଗାଁ: ଦିନକୁ ଦିନ ଚିଲିକା ଅଞ୍ଚଳରେ ରୋଡ ରୋମିଓଙ୍କ ପାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ରାସ୍ତାରେ ଯାଉଥିବା ସ୍କୁଲ ଆଉ କଲେଜ ଛାତ୍ରୀମାନଙ୍କୁ ଏମାନେ ଟାର୍ଗେଟ କରୁଥିବା ବାରମ୍ବାର ଅଭିଯୋଗ ହେଉଛି। ରାସ୍ତା ପାର୍ଶ୍ଵରେ କିମ୍ବା କୌଣସି ନିକାଞ୍ଚନ ସ୍ଥାନରେ ଛିଡା ହୋଇ ଏହି ରୋଡ ରୋମିଓମାନେ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଇଙ୍ଗିତ କରୁଥିବାରେ ଅଭିଯୋଗ ହେଉଛି।

ତେବେ ଏହି ଅସାମାଜିକ ଯୁବକଙ୍କ ଏଭଳି କାର୍ଯ୍ୟକୁ ରୋକିବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବେ ସଜାଗ ହୋଇଛନ୍ତି। ସେମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ବାରିକ ଯୋଜନା ପ୍ରସ୍ତୁତଛନ୍ତି। ସେଥିପାଇଁ ଜନସାଧାରଣଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି। ରୋଡ ରୋମିଓଙ୍କ କାର୍ଯ୍ୟକଳାପ ଯୋଗୁଁ ଅସୁବିଧା ପଡୁଥିବା ବ୍ୟକ୍ତିମାନଙ୍କୁ ସେ ବାର୍ତ୍ତା ଦେଇଛନ୍ତି।

ତେଣୁ ସେ କିଛି ଅଭିଯୋଗ ନମ୍ବର ଜାରି କରିଛନ୍ତି। ଟ୍ବିଟର ଜରିଆରେ ଶ୍ରୀ ବାରିକ ଏହି ଯୋଗାଯୋଗ ନମ୍ବର ସେୟାର କରି ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

ସେ ଟ୍ବିଟରରେ ବାଲୁଗାଁ, ବାଣପୁର, ଟାଙ୍ଗୀ ଏବଂ ନିରାକାରପୁର ଥାନା କ୍ଷେତ୍ର ପାଇଁ ଥାନା ଅଧିକାରୀଙ୍କ ନମ୍ବର ସେୟାର କରିଛନ୍ତି। ଆବଶ୍ୟକମୁତାବକ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଯଦି ଏହି ଥାନା ଅଧିକାରୀଙ୍କ ସହ କେହି ଯୋଗାଯୋଗ କରିବାରେ ବିଫଳ ହୁଏ, ତେବେ ସିଧାସଳଖ ବାଲୁଗାଁ ଏସଡିପିଓଙ୍କୁ ସେହି ବ୍ୟକ୍ତି ଅଭିଯୋଗ କରିପାରିବେ ବୋଲି କହିଛନ୍ତି।

ବାଲୁଗାଁ ଥାନା ଅଧିକାରୀ- ୭୦୦୮ ୮୩୨୩ ୮୦୭

ବାଣପୁର ଥାନା ଅଧିକାରୀ- ୮୬୩ ୭୨୨ ୫୦୫୯

ଟାଙ୍ଗୀ ଥାନା ଅଧିକାରୀ- ୭୯୭୮ ୧୯୭ ୬୯୫

ନିରାକରପୁର ଥାନା- ୮୭୬ ୩୯୬ ୫୭୦୫

ଉପରୋକ୍ତ ନମ୍ବରରେ ଯୋଗାଯୋଗ ବିଫଳ ହେଲେ…..

ବାଲୁଗାଁ ଏସଡିପିଓ- ୯୦୭ ୮୯୩ ୪୯୩୪