Categories
ଆଜିର ଖବର ରାଜ୍ୟ ଖବର

ମୃତ ପ୍ରମାଣ ପତ୍ର ଦେବା ପାଇଁ ଡାକ୍ତରଖାନା କର୍ମଚାରୀ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ମୃତ ପ୍ରମାଣ ପତ୍ର ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ଏହିପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ହଳଦିଆ ସିଏଚସି ରେ ଘଟିଛି। ଆଜି ଦିନ ପ୍ରାୟ 12ଟା ବେଳେ ସେଠାକାର କ୍ଲର୍କ ଅନୁପ କୁମାର ଶତପଥୀ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଶ୍ରୀ ଶତପଥୀ ଜଣେ ଅଭିଯୋଗକାରୀଙ୍କ ଜେଜେ ବାପାଙ୍କ ମୃତ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ। ତାଙ୍କର ପୈତୃକ ସଂପତ୍ତି ବିକ୍ରି ପାଇଁ ସେ ଏହି ଆବେଦନ କରିଥିଲେ। ହେଲେ ଶ୍ରୀ ଶତପଥୀ ତାଙ୍କୁ ବହୁବାର ଅଫିସକୁ ଦଉଡାଇଥିଲେ। ଶେଷରେ ସେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୋଜନା ମୁତାବିକ ଆଜି ଭିଜିଲାନ୍ସ ତାଙ୍କୁ ଧରିବା ସହିତ ତାଙ୍କ ହାତରୁ ଲାଞ୍ଚ ଟଙ୍କା ମଧ୍ୟ ଉଦ୍ଧାର କରିଛି। ତାଙ୍କ ନାମରେ ମାମଲା ଋଜୁ ପରେ ଅଧିକ ତଦନ୍ତ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ଜଣେ ଡାକ୍ତର ଲାଞ୍ଚ ଭାବେ ଏକ ଅଛିଣ୍ଡା ଅଙ୍କର ଟଙ୍କା କାହିଁକି ମାଗିଲେ? ଗୃହରେ ପ୍ରଶ୍ନ କଲେ ବିଷ୍ଣୁ

ଭୁବନେଶ୍ବର: ଗତକାଲି ବିଧାନସଭାରେ ବିରେୋଧୀ ଦଳର ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀ ଏକ ପ୍ରଶ୍ନ କରିଥିଲେ। ତାହା ହେଲା ଯେ, ଢେଙ୍କାନାଳର ଜଣେ ଡାକ୍ତର ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତାଙ୍କୁ ଭିଜିଲାନସ ଗିରଫ କରିଛି।

ତେବେ ସାଧାରଣରେ ଏକ ପ୍ରଶ୍ନ ଉଠୁଛି ଯେ, ଯେଉଁମାନେ ଲାଞ୍ଚ ମାଗନ୍ତି ସେମାନେ ୧୦ ହାଜାର, ୨୦ ହଜାର, ୩୦ ହଜାର କିମ୍ବା ୪୦  ହଜାର ଦାବୀ କରନ୍ତି। ହେଲେ ଢେଙ୍କାନାଳ ଡାକ୍ତର ଏପରି ଅଛିଣ୍ଡା ୧୧ ହଜାର ଟଙ୍କା ଲାଞ୍ଚ କଣ ପାଇଁ ମାଗିଲେ ?

ବିଷ୍ଣୁ କହିଥିଲେ ଯେ, ଏପରି ଅଛିଣ୍ଡା ଅଙ୍କର ଟଙ୍କା ମାଗିବା ପଛରେ ଏକ କାରଣ ଥିବାର ଅନୁମାନ କରାଯାଉଛି। କାରଣ ସେ ଅନ୍ୟମାନଙ୍କୁ ସେହି ଲାଞ୍ଚ ଟଙ୍କା ଦେବା ପରେ ମୋଟ ଏପରି ଅଛିଣ୍ଡା ଅଙ୍କ ହିସାବକୁ ଆସିଛି। ଏହା ଉପରେ ଅଧିକ ତଦନ୍ତ ହେବା ଆବଶ୍ୟକ ବୋଲି ବିଧାୟକ ବିଷ୍ଣୁ ସେଠୀ କହିଥିଲେ।

ଜୁଲାଇ 19 ତାରିଖରେ ଢେଙ୍କାନାଳ ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ଉମାକାନ୍ତ ଖେଜୁରିଆ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସେ ଏଲଆଇସି ଡେଥ୍ କ୍ଲେମ୍ କେସ୍ ବାବଦରେ ଫର୍ମ ଦସ୍ତଖତ କରାଇଦେବା ପାଇଁ ଏଜେଣ୍ଟଙ୍କଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବେଳେ ଧରାପଡି ଗିରଫ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେବା ବେଳେ ଧରାପଡିଲେ ଆଉ ଜଣେ ଶିକ୍ଷା ଅଧିକାରୀ

ପାରଳାଖେମୁଣ୍ଡି: ଆଜି ଆଉ ଜଣେ ଶିକ୍ଷା ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଲାଞ୍ଚ ନେବା ବେଳେ ନୂଆଗଡ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ଭିଜିଲାନ୍ସ ଧରିଛି। ଜଣେ ଶିକ୍ଷକଙ୍କ ଏରିଅର ବିଲ କରେଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶ୍ରୀ ନାୟକ ଧରାପଡିଛନ୍ତି। ବର୍ତ୍ତମାନ ଏହି ଶିକ୍ଷା ଅଧିକାରୀଙ୍କ ଘରେ ଏବଂ ଅଫିସରେ ଭିଜିଲାନ୍ସ ଚଢାଉ ଜାରି ରଖିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ: ଦୁଇ ଲକ୍ଷ ଲାଞ୍ଚ ନେବା ବେଳେ ଧରାପଡିଲେ ଆଇଏଏସ୍ ଅଧିକାରୀ

ଚଣ୍ଡିଗଡ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆଜି ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପରମଜିତ ସିଂଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଗିରଫ କରିଛି। ପଞ୍ଜାବ ରୋଡୱେର ନିର୍ଦ୍ଦେଶକ ଭାବରେ ପଦୋନ୍ନତି କରିବା ଲାଗି ଜଣେ ଅଧିକାରୀଙ୍କ ନାମ ସୁପାରିଶ କରିବା ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି।

ସିବିଆଇ ମୁଖପାତ୍ର ଆରସି ଯୋଶୀ କହିଛନ୍ତି ଯେ, ଅଭିଯୋଗ ଏବଂ ପ୍ରାଥମିକ ଯାଞ୍ଚ ପରେ ସିବିଆଇ ଟିମ୍ ଚଢାଉ କରି ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ସିଂଙ୍କୁ ଧରିଥିଲା। ସେ କହିଛନ୍ତି ଯେ, ସିଂଙ୍କୁ ଗିରଫ କରିବା ପ୍ରକ୍ରିୟା ଚାଲିଛି। ଆଜି ଚଣ୍ଡିଗଡ଼ ଏବଂ ମୋହାଲିରେ ଅଭିଯୁକ୍ତଙ୍କ ଘର ତଲାସି କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ସିବିଆଇ: ବିଜେପିରୁ ବହିଷ୍କୃତ ହେଲେ କାଉନ୍‌ସିଲର

ନୂଆଦିଲ୍ଲୀଭ୍ରଷ୍ଟାଚାର ଅଭିଯୋଗରେ ଗିରଫ ହୋଇଥିବା ବିଜେପି ନେତାଙ୍କୁ ଦଳରୁ ବହିସ୍କାର କରାଯାଇଛି। ଦିଲ୍ଲୀର ବସନ୍ତ କୁଞ୍ଜ ମ୍ୟୁନିସ୍‌ପାଲ୍‌ ଅଞ୍ଚଳର କାଉନ୍‌ସିଲର ମନୋଜ ମହଲୱତଙ୍କୁ ଦଳରୁ ବହିଷ୍କାର କରାଯାଇଛି।

ଗତକାଲି ତାଙ୍କୁ ସିବିଆଇ ଗିରଫ କରିବା ପରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ଆଜି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ଏନେଇ ଦିଲ୍ଲୀ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ମନୋଜ ତାଙ୍କ ଅଞ୍ଚଳରେ ଜଣେ ଠିକାଦାରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ମନୋଜ ଲାଞ୍ଚ ନେଲାବେଳେ ତାଙ୍କୁ ସିବିଆଇ ଘଟଣା ସ୍ଥଳରେ ଧରିଥିଲା। ମନୋଜ ଭାରତୀୟ ଜନତା ପାର୍ଟି ତରଫରୁ ୨୦୧୭ରେ ବସନ୍ତ କୁଞ୍ଜ ମ୍ୟୁନିସ୍‌ପାଲ୍‌ ଅଞ୍ଚଳରୁ ନିର୍ବାଚନ ଲଢ଼ି ଏବେ ସେଠାକାର କାଉନ୍‌ସିଲର୍‌ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଇ ଭିଜିଲାନସ ହାତରେ ଧରାପଡ଼ିଲେ କମ୍ପ୍ୟୁଟର ପ୍ରୋଗ୍ରାମର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜନୈକ ବ୍ୟକ୍ତିଙ୍କ ବିବାହ ସାର୍ଟିଫିକେଟ କରାଇଦେବାକୁ ଲାଞ୍ଚ ନେଇ ବ୍ରହ୍ମପୁର ଭିିଜିଲାନସ ହାତରେ ଧରାପଡ଼ିଛନ୍ତି ଗୋପାଳପୁର ଏନ୍‌ଏସିର ଜଣେ କମ୍ପ୍ୟୁଟର ପ୍ରୋଗ୍ରାମର।

ଘଟଣାରୁ ପ୍ରକାଶ ଯେ ଗୋପାଳପୁର ଭଂଜବିହାରରେ ରହୁଥିବା ପ୍ରଫୁଲ ଚନ୍ଦ୍ର ଦାଶ ନିଜ ପୁଅ ସିଦ୍ଧାନ୍ତ କୁମାରଦାଶର ବିବାହ ସାର୍ଟିଫିକେଟ୍ କରିବା ପାଇଁ ଗୋପାଳପୁର ଏନ୍‌ଏସିରେ କାର୍ଯ୍ୟରତ କମ୍ପ୍ୟୁଟର ପ୍ରୋଗ୍ରାମର ନୟାଗଡ଼ ଜିଲ୍ଲା ପୁରୁଣା ସହର ରଥଗଡ଼ ସାହିର ପ୍ରିୟରଂଜନ ମହାରଣାଙ୍କ ସହ ଯୋଗଯୋଗ କରିଥିଲେ। ପ୍ରିୟରଂଜନ ଏଥିପାଇଁ ପ୍ରଫୁଲଙ୍କୁ ୨୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଫୁଲ ଏ ବିଷୟ ନେଇ ବ୍ରହ୍ମପୁର ଭିଜିଲାନସ ବିଭାଗକୁ ଜଣାଇବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା।

ଆଜି ଦାବି ମୁତାବକ କ୍ୟାମିକାଲ୍ ବୋଳା ଟଙ୍କା ଧରି ପ୍ରଫୁଲ ଏନ୍‌ଏସି କାର୍ଯ୍ୟାଳୟ ପ୍ରିୟରଂଜନଙ୍କ ନିକଟକୁ ଯାଇଥିଲେ। ଉକ୍ତ ଟଙ୍କାକୁ ସେ ଡାହାଣ ହାତରେ ଗ୍ରହଣ କରି ନିଜ ଅଫିସ୍ ଟେବୁଲ୍‌ରେ ରଖିବାବେଳେ ଭିଜିଲାନସ ଅଧିକାରୀମାନେ ପହଞ୍ଚି ଟଙ୍କାକୁ ଜବତ କରିଥିଲେ। ପରେ ଅଭିଯୁକ୍ତଙ୍କୁ ଗୋପାଳପୁର ଭଡ଼ାଘର ଏବଂ ଅଫିସ୍ ରୁମ୍‌କୁ ଯାଞ୍ଚ କରାଯାଇଛି। ଅଧିକ ଅନୁସନ୍ଧାନ କରାଯାଉଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଇ ଧରାପଡିଲେ ସିଡିପିଓ

ଜୟପୁର : ଲାଞ୍ଚ ନେଇ ଧରାପଡ଼ିଛନ୍ତି କୋରାପୁଟ ନନ୍ଦପୁର ସିଡିପିଓ । ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ଅଙ୍ଗନବାଡ଼ି କେନ୍ଦ୍ରର ଏକ ଜାଲି ବିଲ୍ କରାଇ ଦେବା ପାଇଁ ସ୍ନିଗ୍ଧାରାଣୀ 1 ଲକ୍ଷ 75ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଜଣେ ଠିକାଦାରଙ୍କ ପାଇଁ ଏହି ଲାଞ୍ଚ କରାଇଦେବାକୁ ସ୍ନିଗ୍ଧା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତରେ ଧରିଛି । ଭିଜିଲାନ୍ସ ଟିମ୍ ସିଡିପିଓଙ୍କ କୋରାପୁଟ ସେମିଳିଗୁଡ଼ା ଅଫିସ୍ ଓ ବାସଭବନରେ ପହଞ୍ଚି ତଦନ୍ତ କରୁବା ନେଇ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ : ବୟସ ପ୍ରମାଣପତ୍ର ପାଇଁ ଦୁଇ ହଜାର ଟଙ୍କାର ଲାଞ୍ଚ ନେଇ ଧରାପଡିଲେ

ସମୀକ୍ଷା ବ୍ୟୁରୋ

ବାଙ୍କୀ : ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ ପ୍ରଧାନ ଶିକ୍ଷୟିତ୍ରୀ । ଲାଞ୍ଚ ନେବା ଅଭିଯୋଗରେ କଟକ ତୁଳସୀପୁର ରଙ୍ଗଣୀ ସାହି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁରର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି ।  ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇ ହଜାର ଟଙ୍କାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଗିରଫ କରିଛି ।  ବୟସ ପ୍ରମାଣପତ୍ର ଦେବାକୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିପ୍ରଭା ଶତପଥୀ । ପ୍ରଧାନଶିକ୍ଷୟିତ୍ରୀଙ୍କ ବାଙ୍କୀସହର ସ୍ଥିତ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି ।