ଜୟପୁର: ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରେ ଦୁର୍ନୀତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି ଜଣେ ସରକାରୀ କର୍ମଚାରୀ। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ (CDVO) ଅଧୀନରେ ଥିବା ରାଇଘର ପ୍ରାଣୀଧନ ନିରୀକ୍ଷକ (LI) ପ୍ରଫୁଲ୍ଲ ହାଲଦାରଙ୍କୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ରେଡ୍ କରି ଗିରଫ କରିଛି।
ସୂଚନା ଅନୁସାରେ, ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଅଧୀନରେ ଦୁଗ୍ଧ ଚାଷୀଙ୍କ ସବ୍ସିଡି ମଞ୍ଜୁରି ପାଇଁ ଅଭିଯୁକ୍ତ ଅଧିକାରୀ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଦାବି କରିଥିଲେ। କେବଳ ସେତିକି ନୁହେଁ, ଲାଞ୍ଚ ନଦେଲେ ଅନ୍ୟ ହିତାଧିକାରୀଙ୍କ ସହାୟତା ଅଟକାଇଦେବାକୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ଜାଲ ବିଛାଇ ଆଜି ଟ୍ରାପ୍ ଅପରେସନ୍ କରିଥିଲା। ଅଭିଯୁକ୍ତ ପ୍ରଫୁଲ୍ଲ ହାଲଦାର ୮୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଗିରଫ କରାଯାଇଛି। ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଗିରଫ ପରେ ଭିଜିଲାନ୍ସ ବିଭାଗ ଅଭିଯୁକ୍ତଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ଆୟ ବହିର୍ଭୂତ ସମ୍ପତ୍ତି ନେଇ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି।


