Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଳମ୍ବିତ ରାତ୍ରିରେ ଟ୍ରକ ଚାଳକଙ୍କ ଠାରୁ ଟଙ୍କା ଲୁଟ୍ ଅଭିଯୋଗରେ ସାମ୍ବାଦିକ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଛିନତାଇ ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଜନୈକ ସାମ୍ବାଦିକ ଜଣକ ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା ନିକଟରେ ଏକ ମାଲ ବୋଝେଇ ଟ୍ରକ ଚାଳକଙ୍କୁ ସାମ୍ବାଦିକ ପରିଚୟ ଦେଇ ଜୋର ଜବରଦସ୍ତ ଗାଡ଼ି କାଗଜପତ୍ର ମାଗିବା ସହ ବଟି ମାଗିଥିଲେ ଏବଂ ଟ୍ରକ ଚାଳକ ଏଥିରେ ଅମଙ୍ଗ ହେବାରୁ ତାଙ୍କ ନିକଟରୁ ଟଙ୍କା ଲୁଟିନେଇଥିଲେ।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସ୍ଥାନୀୟ ଜନସାଧାରଣ ଓ ପୋଲିସକୁ ମଧ୍ୟ ସାମ୍ବାଦିକଜଣଙ୍କ ଦୁର୍ବ୍ୟବହାର କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ସାମ୍ବାଦିକଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇପିସି ଦଫା ୩୯୨, କେସ ନମ୍ବର ୩୪୪/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବନ୍ଧୁକ ମୁନରେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଅଭିଯୋଗ: ବାଲୁଗାଁ ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବଡ଼କୁଳ ନିକଟରେ ଆଜି ଅପରାହ୍ନରେ ଏକ ବଡ଼ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ବନ୍ଧୁକ ଦେଖାଇ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଚାଳିଶ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ପୁରୀ ଜିଲ୍ଲା କଣାସ ଅଞ୍ଚଳର ଲିପୁନ ପାଟଶାଣୀ ଭାରତ ଫାଇନାନ୍ସ କମ୍ପାନୀ, ବାଲୁଗାଁ ଶାଖାରେ କାର୍ଯ୍ୟରତ ଥିଲେ। ଆଜି ଅପରାହ୍ନ ସାଢେ ତିନି ଘଟିକା ସମୟରେ ଲିପୁନ ନାଭାଲ ଫାଣ୍ଡି ଅନ୍ତର୍ଗତ ନୂଆଗଡ ଗ୍ରାମରୁ ୩୮ ହଜାର ୮ ସହ ୯୯ ଟଙ୍କା ଗ୍ରୁପ ଟଙ୍କା କଲେକ୍ସନ କରି ଫେରୁଥିଲେ। କିନ୍ତୁ ବଡ଼କୁଳ ଓଭରବ୍ରିଜ ନିକଟରେ ହଠାତ ଏକ ନାଲି ରଙ୍ଗର ପଲସର ବାଇକରେ ତିନି ଜଣ ଯୁବକ ପଛପଟୁ ଆସି ଲିପୁନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଲିପୁନଙ୍କ ଠାରୁ ଲୁଟେରାମାନେ ସମସ୍ତ ଟଙ୍କା ଲୁଟିନେବା ସହ ତାଙ୍କ ନିକଟରୁ ଏକ ଟ୍ୟାବଲେଟ, ବାଇଓ ମାଟ୍ରିକ ଯନ୍ତ୍ର, ଭୋଟର କାର୍ଡ ଏବଂ ଆରସି ବହି ମଧ୍ୟ ଲୁଟି ବାଣପୁର ଆଡକୁ ଫେରାର ହୋଇଯାଇଥିଲେ।

ତେବେ ଲିପୁନ ସଙ୍ଗେସଙ୍ଗେ ଏ ନେଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ ଯୋଗେ ଜଣାଇବାରୁ ଘଟଣାସ୍ଥଳରେ ଜାତୀୟ ରାଜପଥ ପାଟ୍ରୋଲିଂ ଏସପିଓ ଦୀପକ ଦାସ ତୁରନ୍ତ ପହଁଚି ଲିପୁନଙ୍କୁ ସ୍ଥାନୀୟ ପୋଲିସ ସହ ଯୋଗାଯୋଗ କରାଇଥିଲେ। ତେବେ ଏ ସମ୍ପର୍କରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କୁ ପଚାରିବାରୁ ଉକ୍ତ ଘଟଣା ଘଟିଥିବାର କହିଥିବାବେଳେ କିନ୍ତୁ ଏଯାବତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବାର କହିଛନ୍ତି। ତଥାପି ପୋଲିସ ନିଜଆଡୁ ତଦନ୍ତ ଜାରିରଖିଥିବାର ଆଇଆଇସି କହିଛନ୍ତି।