ଢେଙ୍କାନାଳ: ଭିଣୋଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିବା ସହ ବାଇକ୍ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟ୍ ଅଭିଯୋଗ ହୋଇଛି। କାମାକ୍ଷାନଗର ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ଶାଳୁଆ ଛକରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ପ୍ରମୋଦ କୁମାର ଭୋଇ କୌଣସି ଏକ ମାମଲା ସମ୍ପର୍କରେ ପଣ୍ଡୁଆ ଫାଣ୍ଡିକୁ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ଶାଳୁଆ ଛକ ନିକଟରେ ତାଙ୍କ ଶାଳକ ରୁଦ୍ରନାରାୟଣ ଭୋଇ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି।
ରୁଦ୍ରନାରାୟଣ ଧାରୁଆ ଅସ୍ତ୍ରରେ ପ୍ରମୋଦଙ୍କୁ ଆକ୍ରମଣ କରିବା ପରେ ତାଙ୍କ ବାଇକ୍ ଡିକି ଭାଙ୍ଗିଥିଲେ। ଡିକିରୁ ୫୦ ହଜାର ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇଯାଇଥିବା ପ୍ରମୋଦ ଅଭିଯୋଗ କରିଛନ୍ତି।
ଆକ୍ରମଣରେ ଗୁରୁତର ଆହତ ପ୍ରମୋଦଙ୍କୁ ମୁର୍ମୁଷୁ ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଘଟଣା ପରେ ଅଭିଯୁକ୍ତ ରୁଦ୍ରନାରାୟଣଙ୍କୁ ଧରିବା ପାଇଁ ପୁଲିସ୍ ତଦନ୍ତ ଜାରି ରଖିଛି।


