Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏଟିଏମ୍ ଆଗରୁ ଟଙ୍କା ଲୁଟ୍ ଘଟଣା, ଇମା ସହଯୋଗୀ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳର ଜନୈକ ବ୍ୟକ୍ତିଙ୍କୁ ଏଟିଏମ୍ ଆଗରୁ ଇମା ଗ୍ୟାଙ୍ଗର ସଦସ୍ୟ ମାରଣାସ୍ତ୍ର ଦେଖାଇ ମାଡ ମାରିବା ସହିତ ୩୦ ହଜାର ଟଙ୍କା ଲୁଟ୍ କରିଥିଲେ। ଏହି ଘଟଣାରେ କୁଜଙ୍ଗ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଇମ୍ରାନ୍ ଓରଫ୍ ଇମାକୁ ଗିରଫ କରିବା ସହିତ ତାର ଆଉ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା। ଅନ୍ୟ ସହଯୋଗୀମାନେ ସେହିଦିନଠାରୁ ଫେରାର ଥିଲେ।

ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରଶ୍ମୀରଂଜନ ଦାଶଙ୍କ ତତ୍ୱାବଧାନରେ ଏକ ଟିମ୍ ଜିଲ୍ଲା ବାହାରୁ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପଙ୍କପାଳ ଅଂଚରଳର ରାକେଶ ସେନାପତି।

ପ୍ରକାଶ ଯେ, କୁଜଙ୍ଗ ଅଂଚଳର ଜନୈକ ବ୍ୟକ୍ତି ଏଟିଏମ୍‌ରୁ ୩୦ ହଜାର ଟଙ୍କା ଉଠାଣ କରି ବାହାରକୁ ଆସୁଥିବା ବେଳେ ଇମା ଓ ତାର ସହଯୋଗି ବିଜୟ, ସ୍ମୃତିରଞ୍ଜନ, ରାକେଶ ତାଙ୍କୁ ମାରଣାସ୍ତ୍ର ଦେଖାଇ ମାଡମାରି ଟଙ୍କା ଲୁଟ୍ କରି ନେଇଯାଇଥିଲେ। ପରେ ଜନୈକ ବ୍ୟକ୍ତି କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ କେସ୍ ନଂ ୩୬୦/୨୩ ମୋକଦ୍ଦମା କରିଥିଲା। ତତ୍‌କ୍ଷଣାତ୍ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଇମାକୁ ଗିରଫ କରିଥିବା ବେଳେ ସହଯୋଗୀମାନେ ଫେରାର ହୋଇଯାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ୱର ଛକ ନିକଟରୁ ୫.୫ ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ: ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଲୁଟ୍ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାକୁ ନେଇ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଖୋର୍ଦ୍ଧା ଏସପିଙ୍କ  ନିର୍ଦ୍ଦେଶରେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର, ଜଙ୍କିଆ ଆଇଆଇସି ସତ୍ୟବ୍ରତ ଲେଙ୍କା, ନିରାକାରପୁର ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ବିଭିନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା

ତେବେ ଗତକାଲି ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ୍ୟ ୧୦ ହଜାର ୩ ଶହ ୮୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଗୁଳି, ଗୋଟେ ଖଣ୍ଡା, ୫ଟି  ମୋବାଇଲ ଏବଂ ୩ଟି ମଟରସାଇକେଲ ଜବତ ହୋଇଛି। ଏନେଇ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଆଜି ମଧ୍ୟାହ୍ନରେ ଜଙ୍କିଆ ଥାନାରେ ଏକ ପ୍ରେସମିଟ ଜରିଆରେ ଜଣାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୫ ତାରିଖ ଦିନ ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଏକ ସ୍କୁଟିରେ ଟଙ୍କା ଜମା କରିବା ପାଇଁ ନିକଟସ୍ଥ ପଂଜାବ ନାସନାଲ ବ୍ୟାଙ୍କକୁ ଯାଉଥିଲେ। ପେଟ୍ରୋଲ ଟାଙ୍କି ଠାରୁ ମାତ୍ର ୧.୫୦  କିଲୋମିଟର ରାସ୍ତା ଯାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଲୁଟେରାମାନେ ୨ ଟି ପଲସର ବାଇକ୍ ରେ ଆସି ସ୍କୁଟିକୁ ଗୋଇଠା ମାରିଥିଲେ। ଫଳରେ ସ୍କୁଟିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଖସି ଯାଇଥିଲା। ପରେ ଲୁଟେରାମାନେ ଚାଳକଙ୍କୁ ଭୁଜାଲି ଓ  ପିସ୍ତଲ ଦେଖାଇ ସ୍କୁଟି ଚାବି ଛଡାଇ ନେଇଯାଇଥିଲେ। ଏବଂ ସ୍କୁଟି ଡିକିରୁ ୫ ଲକ୍ଷ  ୫୦ ହଜାର ଟଙ୍କା ଲୁଟି ନେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମଦ ଦୋକାନ କର୍ମଚାରୀ ଲୁଟ୍ ଘଟଣା: ୪ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶେରଗଡ଼ ଥାନା ପିତଳ ଚେରମାରିଆ ରାସ୍ତାରେ ଗତ ୮ ତାରିଖ ଦିନ ମଦ ଦୋକାନ କର୍ମଚାରୀଙ୍କଠାରୁ ହୋଇଥିବା ଲୁଟ୍ ଘଟଣାରେ ପୋଲିସ୍ ଆଜି ୪ ଜଣ ଚୋରକୁ ଗିରଫ କରିଛି। ଗିରଫ ଚାରିଜଣ ହେଲେ ଶିବରାମ ସେଠୀ, ବିକାଶ ଜେନା, ଗିରିଧାରୀ ମଣ୍ଡଳ ଓ ସନ୍ତୋଷ କୁମାର ବେହେରା।

ଘଟଣାରୁ ପ୍ରକାଶ ଯେ ଗତ ୮ ତାରିଖ ଦିନ କିଛି ଲୁଟେରା ଜନୈକ ମଦ ଦୋକାନ କର୍ମଚାରୀଙ୍କୁ ବାଟରେ ଭୟଭୀତ କରାଇ ଲୁଟ୍‌ପାଟ କରିଥିଲେ। ମଦ ଦୋକାନ କର୍ମଚାରୀ ଜଣକ ମଦ ଦୋକାନର ଟଙ୍କାକୁ ଆସିକା ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ସେ ଧରିଥିବା ଏକଲକ୍ଷ ଟଙ୍କା ଝାମ୍ପି ନେବା ସହ ଚମ୍ପଟ ମାରିଥିଲେ। ଏନେଇ କର୍ମଚାରୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଚାରି ଲୁଟେରାକୁ ଗିରଫ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଲେକସନ ଏଜେଣ୍ଟଠାରୁ ଟଙ୍କା ଲୁଟ୍ ଘଟଣା: ୨ ଗିରଫ

ହେମାଙ୍ଗ ପ୍ରାସାଦ ରାଉଳ
ବ୍ରହ୍ମପୁର: ତଳଦିନେ ଜନୈକ ଅନ୍ନପୂର୍ଣ୍ଣା ଫାଇନାନସ, ଭଂଜନଗରର କଲେକସନ ଏଜେଣ୍ଟଠାରୁ ଟଙ୍କା ଲୁଟ୍ ଘଟଣାରେ ତାରସିଂ ପୋଲିସ୍ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଓଢ଼ଁଗା ଥାନା ଅଂଚଳର ରାହୁଲ ନାୟକ ଏବଂ ଫକିର ପ୍ରଧାନ। ଘଟଣାରୁ ପ୍ରକାଶ ଯେ ଉଭୟ ଅଭିଯକ୍ତ ଫାଇନାନସ୍ କର୍ମଚାରୀ ଯାଉଥିବାବେଳେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ତାଙ୍କ ନିକଟରୁ ୧ ଲକ୍ଷ ୫ହଜାର ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଥିଲେ। ଉଭୟଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛେଳି ବ୍ୟବସାୟୀଙ୍କଠାରୁ ଲୁଟ୍ ଘଟଣା : ୧୧ ଗିରଫ, ଟଙ୍କା ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୮ ତାରିଖ ରାତିରେ ଧରାକୋଟ ଥାନା ଅନ୍ତର୍ଗତ ବଡ଼ଗଡ଼-କୁଲାଗଡ଼ ଛକରେ ହୋଇଥିବା ବଡ଼ ଧରଣର ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍‌ । ପୋଲିସ୍ ମାଷ୍ଟର ମାଇଣ୍ଡ ଅଟୋ ଡ୍ରାଇଭର ସହ ୧୧ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ଲକ୍ଷ ୫୯ହଜାର ୫ଶହ ଟଙ୍କା ସହ ମୋଟର ସାଇକେଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନିଲ ଡ଼ାକୁଆ (୨୪), କୃଷ୍ଣଚନ୍ଦ୍ର ଜେନା (୨୪), ମିଲିକେଶନ ବେହେରା (୨୨), ସୁଜିତ ବିଷୋୟୀ (୨୨), ଲକ୍ଷ୍ମୀନାରାୟଣ ବେହେରା (୨୨), ରାଜେଶ୍ୱର ନାୟକ(୨୩), ଶ୍ରୀକାନ୍ତ ଗୌଡ଼ (୨୨), କବି ଗୌଡ଼ (୨୫), ବସନ୍ତ କୁମାର ବିଷୋୟୀ, ଅମରନାଥ ମୁନି(୨୩) ଏବଂ ଅରୁଣ ନାୟକ (୨୨) ।

ସୂଚନାଯୋଗ୍ୟ ୨୭ ତାରିଖରେ ବଡ଼ଗଡ଼ ଥାନା କେନ୍ଦୁପଲ୍ଲି ଗ୍ରାମର ବି. ବାୟା ପାତ୍ର, ଏ. ଗଣେଶ ପାତ୍ର ଏବଂ ଏସ୍‌ଭି ତ୍ରିପତି ପାତ୍ର ସେମାନଙ୍କ ଛେଳି ବିକିବାକୁ ବିଶାଖପାଟଣା ଯାଇଥିଲେ । ସେଠାରୁ ଛେଳି ବିକ୍ରି କରିବା ପରେ ଛେଳିବିକ୍ରିର ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଇଚ୍ଛାପୁରରେ ରାତ୍ର ୮ ଘଣ୍ଟାରେ ପହଞ୍ଚିଥିଲେ । ଅଟୋ ଡ଼୍ରାଇଭର ଅଭିଯୁକ୍ତ କବି ଗୌଡ଼ ଏବଂ ହେଲ୍‌ପର ବସନ୍ତ କୁମାର ବିଷୋୟୀ ଅଟୋ ଧରି ଆସି ତିନିଜଣଙ୍କୁ ଅଟୋ ବସାଇ ଡ଼ାକବିଜା ଗ୍ରାମ ଅଭିମୁଖେ ବାହାରିଥିଲେ । ସେମାନେ ଗିରିସୋଲା, ଦିଗପହଣ୍ଡି, ପାଟପୁର, ବନ୍ଧାଗୁଡ଼ା ଛକ ଦେଇ ଘରକୁ ଫେରିବାବେଳେ ରାତ୍ର ୧୨ଟା ସମୟରେ ୪ଟି ବାଇକ୍‌ରେ ୮ ଜଣ ଡ଼କାୟତି ତାଙ୍କୁ ଅଟାକାଇଥିଲେ । ପିସ୍ତଲ, ବୋମା ଏବଂ ଖଣ୍ଡା ଦେଖାଇ ଭୟଭୀତ କରି ସେମାନଙ୍କ ନିକଟରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ ।

ଏନେଇ ସକାଳୁ ବି. ବାୟା ପାତ୍ର ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଥାନା କେସ ନଂ ୮୩/୨୮.୫.୨୦୨୦, ୟୁ/ଏସ୍ ୩୯୫, ଆଇପିସି ଆର୍‌/ଡ଼ବ୍ଲୁ ୨୫/୨୭ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଥିଲେ । ଅନୁସନ୍ଧାନରେ ଏହି ଘଟଣାରେ ଅଟୋ ଡ୍ରଇଭର ଏବଂ ହେଲ୍‌ପରଙ୍କ ସଂପୃକ୍ତ ଥିବାରୁ ସେମାନଙ୍କୁ ଡ଼ାକି ପଚରା ଉଚରା କରିବା ପରେ ସେମାନେ ସେମାନଙ୍କ ଦୋଷ ସ୍ୱୀକାର କରିବା ସହ ସେମାନଙ୍କ ଅନ୍ୟ ୯ ଜଣ ସହଯୋଗୀଙ୍କ ନାମ ପ୍ରକାଶ କରିଥିଲେ । ପୋଲିସ୍ ସମସ୍ତ ଅଭିଯୁକ୍ତକୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ ଲକ୍ଷ ୫୯ହଜାର ୫୦୦ ଟଙ୍କା, ୪ଟି ମୋଟର ସାଇକେଲ୍‌, ୮ଟି ମୋବାଇଲ୍ ଫୋନ୍‌, ଗୋଟିଏ ମେଟାଲ ପଞ୍ଚ, ଗୋଟିଏ ଖେଳଣା ବନ୍ଧୁକ, ଅଭିଯୋଗକାରୀଙ୍କ ଦୁଇଟି ଜଳାଯାଇଥିବା ମୋବାଇଲ୍ ଫୋନ୍ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଗଂଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ସୂଚନା ଦେଇଛନ୍ତି ।