ଛେଳି ବ୍ୟବସାୟୀଙ୍କଠାରୁ ଲୁଟ୍ ଘଟଣା : ୧୧ ଗିରଫ, ଟଙ୍କା ଜବତ

Published: Jun 2, 2020, 9:22 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୮ ତାରିଖ ରାତିରେ ଧରାକୋଟ ଥାନା ଅନ୍ତର୍ଗତ ବଡ଼ଗଡ଼-କୁଲାଗଡ଼ ଛକରେ ହୋଇଥିବା ବଡ଼ ଧରଣର ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍‌ । ପୋଲିସ୍ ମାଷ୍ଟର ମାଇଣ୍ଡ ଅଟୋ ଡ୍ରାଇଭର ସହ ୧୧ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ଲକ୍ଷ ୫୯ହଜାର ୫ଶହ ଟଙ୍କା ସହ ମୋଟର ସାଇକେଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନିଲ ଡ଼ାକୁଆ (୨୪), କୃଷ୍ଣଚନ୍ଦ୍ର ଜେନା (୨୪), ମିଲିକେଶନ ବେହେରା (୨୨), ସୁଜିତ ବିଷୋୟୀ (୨୨), ଲକ୍ଷ୍ମୀନାରାୟଣ ବେହେରା (୨୨), ରାଜେଶ୍ୱର ନାୟକ(୨୩), ଶ୍ରୀକାନ୍ତ ଗୌଡ଼ (୨୨), କବି ଗୌଡ଼ (୨୫), ବସନ୍ତ କୁମାର ବିଷୋୟୀ, ଅମରନାଥ ମୁନି(୨୩) ଏବଂ ଅରୁଣ ନାୟକ (୨୨) ।

ସୂଚନାଯୋଗ୍ୟ ୨୭ ତାରିଖରେ ବଡ଼ଗଡ଼ ଥାନା କେନ୍ଦୁପଲ୍ଲି ଗ୍ରାମର ବି. ବାୟା ପାତ୍ର, ଏ. ଗଣେଶ ପାତ୍ର ଏବଂ ଏସ୍‌ଭି ତ୍ରିପତି ପାତ୍ର ସେମାନଙ୍କ ଛେଳି ବିକିବାକୁ ବିଶାଖପାଟଣା ଯାଇଥିଲେ । ସେଠାରୁ ଛେଳି ବିକ୍ରି କରିବା ପରେ ଛେଳିବିକ୍ରିର ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଇଚ୍ଛାପୁରରେ ରାତ୍ର ୮ ଘଣ୍ଟାରେ ପହଞ୍ଚିଥିଲେ । ଅଟୋ ଡ଼୍ରାଇଭର ଅଭିଯୁକ୍ତ କବି ଗୌଡ଼ ଏବଂ ହେଲ୍‌ପର ବସନ୍ତ କୁମାର ବିଷୋୟୀ ଅଟୋ ଧରି ଆସି ତିନିଜଣଙ୍କୁ ଅଟୋ ବସାଇ ଡ଼ାକବିଜା ଗ୍ରାମ ଅଭିମୁଖେ ବାହାରିଥିଲେ । ସେମାନେ ଗିରିସୋଲା, ଦିଗପହଣ୍ଡି, ପାଟପୁର, ବନ୍ଧାଗୁଡ଼ା ଛକ ଦେଇ ଘରକୁ ଫେରିବାବେଳେ ରାତ୍ର ୧୨ଟା ସମୟରେ ୪ଟି ବାଇକ୍‌ରେ ୮ ଜଣ ଡ଼କାୟତି ତାଙ୍କୁ ଅଟାକାଇଥିଲେ । ପିସ୍ତଲ, ବୋମା ଏବଂ ଖଣ୍ଡା ଦେଖାଇ ଭୟଭୀତ କରି ସେମାନଙ୍କ ନିକଟରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ ।

ଏନେଇ ସକାଳୁ ବି. ବାୟା ପାତ୍ର ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଥାନା କେସ ନଂ ୮୩/୨୮.୫.୨୦୨୦, ୟୁ/ଏସ୍ ୩୯୫, ଆଇପିସି ଆର୍‌/ଡ଼ବ୍ଲୁ ୨୫/୨୭ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଥିଲେ । ଅନୁସନ୍ଧାନରେ ଏହି ଘଟଣାରେ ଅଟୋ ଡ୍ରଇଭର ଏବଂ ହେଲ୍‌ପରଙ୍କ ସଂପୃକ୍ତ ଥିବାରୁ ସେମାନଙ୍କୁ ଡ଼ାକି ପଚରା ଉଚରା କରିବା ପରେ ସେମାନେ ସେମାନଙ୍କ ଦୋଷ ସ୍ୱୀକାର କରିବା ସହ ସେମାନଙ୍କ ଅନ୍ୟ ୯ ଜଣ ସହଯୋଗୀଙ୍କ ନାମ ପ୍ରକାଶ କରିଥିଲେ । ପୋଲିସ୍ ସମସ୍ତ ଅଭିଯୁକ୍ତକୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ ଲକ୍ଷ ୫୯ହଜାର ୫୦୦ ଟଙ୍କା, ୪ଟି ମୋଟର ସାଇକେଲ୍‌, ୮ଟି ମୋବାଇଲ୍ ଫୋନ୍‌, ଗୋଟିଏ ମେଟାଲ ପଞ୍ଚ, ଗୋଟିଏ ଖେଳଣା ବନ୍ଧୁକ, ଅଭିଯୋଗକାରୀଙ୍କ ଦୁଇଟି ଜଳାଯାଇଥିବା ମୋବାଇଲ୍ ଫୋନ୍ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଗଂଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ସୂଚନା ଦେଇଛନ୍ତି ।

Related posts