Categories
ଆଞ୍ଚଳିକ

ବାଣପୁର ମାରଣାସ୍ତ୍ର ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦୁଇ ଜଣ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ସାନ ହନ୍ତୁଆଡ଼ ଗ୍ରାମ ତପନ କୁମାର ପାଇକରାୟ (୧୯) ବୋଲି ଜଣାପଡିଛି।

ତେବେ ଅନ୍ୟ ଅଭିଯୁକ୍ତ ମାନେ ଅଦ୍ୟାବଧି ଫେରାର ଅଛନ୍ତି। ଗତକାଲି ପୋଲିସ ଘଟଣାସ୍ଥଳରୁ ଏକ କାତି ଏବଂ ଠେଙ୍ଗା ଜବତ କରିଥିବା ବେଳେ ଆଜି ଗିରଫ ଅଭିଯୁକ୍ତଙ୍କ ନିକଟରୁ ଏକ ବାଇକ ଜବତ କରିଛି।

ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କେସ ନମ୍ବର ୨୨୫/୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଆଇପିସି ଦଫା ୩୦୭ ସହ ଏକାଧିକ ସଙ୍ଗୀନ ଦଫା ଲାଗିଛି।

ସୂଚନା ଥାଉ କି ଗତକାଲି ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ବାଣପୁର ପଲଟନ ପଡିଆ ନିକଟରେ ଭୀମପୁର ଗ୍ରାମର ଦୁଇ ଯୁବକଙ୍କୁ ଦୁର୍ବୁତ୍ତ ମାନେ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ। ବାଣପୁର ପରି ଶାନ୍ତିପ୍ରିୟ ଅଞ୍ଚଳରେ କଦାପି ଅସାମାଜିକ ଏବଂ ଅପରାଧିକ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର କହିଛନ୍ତି।

ତେବେ ଖୁବଶୀଘ୍ର ଅନ୍ୟ ସମସ୍ତ ଆକ୍ରମଣକାରୀମାନେ ଗିରଫ ହେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛେଳି ବ୍ୟବସାୟୀଙ୍କଠାରୁ ଲୁଟ୍ ଘଟଣା : ୧୧ ଗିରଫ, ଟଙ୍କା ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୮ ତାରିଖ ରାତିରେ ଧରାକୋଟ ଥାନା ଅନ୍ତର୍ଗତ ବଡ଼ଗଡ଼-କୁଲାଗଡ଼ ଛକରେ ହୋଇଥିବା ବଡ଼ ଧରଣର ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍‌ । ପୋଲିସ୍ ମାଷ୍ଟର ମାଇଣ୍ଡ ଅଟୋ ଡ୍ରାଇଭର ସହ ୧୧ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ଲକ୍ଷ ୫୯ହଜାର ୫ଶହ ଟଙ୍କା ସହ ମୋଟର ସାଇକେଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନିଲ ଡ଼ାକୁଆ (୨୪), କୃଷ୍ଣଚନ୍ଦ୍ର ଜେନା (୨୪), ମିଲିକେଶନ ବେହେରା (୨୨), ସୁଜିତ ବିଷୋୟୀ (୨୨), ଲକ୍ଷ୍ମୀନାରାୟଣ ବେହେରା (୨୨), ରାଜେଶ୍ୱର ନାୟକ(୨୩), ଶ୍ରୀକାନ୍ତ ଗୌଡ଼ (୨୨), କବି ଗୌଡ଼ (୨୫), ବସନ୍ତ କୁମାର ବିଷୋୟୀ, ଅମରନାଥ ମୁନି(୨୩) ଏବଂ ଅରୁଣ ନାୟକ (୨୨) ।

ସୂଚନାଯୋଗ୍ୟ ୨୭ ତାରିଖରେ ବଡ଼ଗଡ଼ ଥାନା କେନ୍ଦୁପଲ୍ଲି ଗ୍ରାମର ବି. ବାୟା ପାତ୍ର, ଏ. ଗଣେଶ ପାତ୍ର ଏବଂ ଏସ୍‌ଭି ତ୍ରିପତି ପାତ୍ର ସେମାନଙ୍କ ଛେଳି ବିକିବାକୁ ବିଶାଖପାଟଣା ଯାଇଥିଲେ । ସେଠାରୁ ଛେଳି ବିକ୍ରି କରିବା ପରେ ଛେଳିବିକ୍ରିର ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଇଚ୍ଛାପୁରରେ ରାତ୍ର ୮ ଘଣ୍ଟାରେ ପହଞ୍ଚିଥିଲେ । ଅଟୋ ଡ଼୍ରାଇଭର ଅଭିଯୁକ୍ତ କବି ଗୌଡ଼ ଏବଂ ହେଲ୍‌ପର ବସନ୍ତ କୁମାର ବିଷୋୟୀ ଅଟୋ ଧରି ଆସି ତିନିଜଣଙ୍କୁ ଅଟୋ ବସାଇ ଡ଼ାକବିଜା ଗ୍ରାମ ଅଭିମୁଖେ ବାହାରିଥିଲେ । ସେମାନେ ଗିରିସୋଲା, ଦିଗପହଣ୍ଡି, ପାଟପୁର, ବନ୍ଧାଗୁଡ଼ା ଛକ ଦେଇ ଘରକୁ ଫେରିବାବେଳେ ରାତ୍ର ୧୨ଟା ସମୟରେ ୪ଟି ବାଇକ୍‌ରେ ୮ ଜଣ ଡ଼କାୟତି ତାଙ୍କୁ ଅଟାକାଇଥିଲେ । ପିସ୍ତଲ, ବୋମା ଏବଂ ଖଣ୍ଡା ଦେଖାଇ ଭୟଭୀତ କରି ସେମାନଙ୍କ ନିକଟରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ ।

ଏନେଇ ସକାଳୁ ବି. ବାୟା ପାତ୍ର ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଥାନା କେସ ନଂ ୮୩/୨୮.୫.୨୦୨୦, ୟୁ/ଏସ୍ ୩୯୫, ଆଇପିସି ଆର୍‌/ଡ଼ବ୍ଲୁ ୨୫/୨୭ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଥିଲେ । ଅନୁସନ୍ଧାନରେ ଏହି ଘଟଣାରେ ଅଟୋ ଡ୍ରଇଭର ଏବଂ ହେଲ୍‌ପରଙ୍କ ସଂପୃକ୍ତ ଥିବାରୁ ସେମାନଙ୍କୁ ଡ଼ାକି ପଚରା ଉଚରା କରିବା ପରେ ସେମାନେ ସେମାନଙ୍କ ଦୋଷ ସ୍ୱୀକାର କରିବା ସହ ସେମାନଙ୍କ ଅନ୍ୟ ୯ ଜଣ ସହଯୋଗୀଙ୍କ ନାମ ପ୍ରକାଶ କରିଥିଲେ । ପୋଲିସ୍ ସମସ୍ତ ଅଭିଯୁକ୍ତକୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ ଲକ୍ଷ ୫୯ହଜାର ୫୦୦ ଟଙ୍କା, ୪ଟି ମୋଟର ସାଇକେଲ୍‌, ୮ଟି ମୋବାଇଲ୍ ଫୋନ୍‌, ଗୋଟିଏ ମେଟାଲ ପଞ୍ଚ, ଗୋଟିଏ ଖେଳଣା ବନ୍ଧୁକ, ଅଭିଯୋଗକାରୀଙ୍କ ଦୁଇଟି ଜଳାଯାଇଥିବା ମୋବାଇଲ୍ ଫୋନ୍ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଗଂଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ସୂଚନା ଦେଇଛନ୍ତି ।