Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବଡଧରଣର ଡକାୟତି: ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଠାରୁ ୭ ଲକ୍ଷରୁ ଉର୍ଦ୍ଧ୍ଵ ଲୁଟ୍ ଅଭିଯୋଗ

ବାଣପୁର (ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆଡ୍ୟାମ ନିକଟରେ ଏକ ବଡଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ପାଞ୍ଚ ଜଣ କର୍ମଚାରୀ ଖୋର୍ଦ୍ଧା ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଦେଇଥିବା ଗ୍ରୁପ ଲୋନ ଟଙ୍କା ସଂଗ୍ରହ କରି ରାତି ୯ ଘଟିକା ସମୟରେ ଫେରୁଥିଲେ। କର୍ମଚାରୀ ମାନଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ଥିବାବେଳେ ସମସ୍ତେ ନିଜ ନିଜ ମୋଟର ସାଇକେଲ ଓ ସ୍କୁଟିରେ ଏକାଠି ହୋଇ ଫେରୁଥିଲେ।

ତେବେ ଫେରିବା ବାଟରେ ଶାଳିଆ ଡ୍ୟାମ ନିକଟରେ ହଠାତ ୧୦ରୁ ୧୨ ଜଣ ଦୁର୍ବୁର୍ତ୍ତ ମୁହଁରେ କଳାକନା ଘୋଡାଇ କର୍ମଚାରୀମାନଙ୍କୁ ରାସ୍ତାରେ ଡାଳ ପକାଇ ଅଟକାଇ ଥିଲେ।  ସେମାନଙ୍କ ମଧ୍ୟରୁ ଦୁଇଜଣ ଦ୍ରୁତ ଗତିରେ ଗାଡି ଚଲାଇ ପଳାଇ ଆସିଥିବା ବେଳେ ଅନ୍ୟମାନେ ସେମାନଙ୍କ ହାବୁଡ଼ରେ ପଡିଯାଇଥିଲେ। ଦୁର୍ବୁର୍ତ୍ତମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ପାଖରେ ବ୍ୟାଗରେ ଥିବା କଲେକ୍ସନ ଟଙ୍କା ଓ ସମସ୍ତ କାଗଜପତ୍ର ଛଡାଇ ଗଞ୍ଜାମ ଜିଲ୍ଲାକୁ ଥିବା ରାସ୍ତା ଦେଇ ପଳାଇଥିଲେ।

ତେବେ ତିନିଜଣଙ୍କ ନିକଟରୁ ସମୁଦାୟ ୭,୫୨,୨୫୦ ଟଙ୍କା ଦୁର୍ବୁର୍ତ୍ତ ମାନେ ଛଡାଇ ନେଇଯାଇଥିବାର ମହିଳା କର୍ମଚାରୀ ଦୀପାଞ୍ଜଳି ଛାଟୋଇ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ଅଭିଯୋଗ ପାଇ ଘଟଣା ସ୍ଥଳରେ ଛାନଭିନ କରୁଥିବା ବେଳେ ଦୁର୍ବୁର୍ତ୍ତମାନଙ୍କର ପତ୍ତା ମିଳିପାରିନାହିଁ। ତେବେ ଶାଳିଆଡ୍ୟାମ ଅଞ୍ଚଳ ଏକ ଘଞ୍ଚ ଜଙ୍ଗଲ ରାସ୍ତା ହୋଇଥିବା ବେଳେ ଉକ୍ତ ରାସ୍ତାରେ ରାତ୍ରି ସମୟରେ ଲୋକଙ୍କ ଯାତାୟତ ବହୁ କମଥାଏ। ଫାଇନାନ୍ସ କର୍ମଚାରୀ ମାନେ ଲକ୍ଷାଧିକ ଟଙ୍କା ଧରି ବେପରୁଆ ଭାବରେ ରାତିରେ ଉକ୍ତ ରାସ୍ତା ଦେଇ ଫେରିବାକୁ ସାଧାରଣ ଲୋକ ନାପସନ୍ଦ କରିବା ସହ ଉକ୍ତ ଘଟଣା ଉପରେ ସନ୍ଦେହ ପ୍ରକଟ କରିଛନ୍ତି।

ଫାଇନାନ୍ସ କର୍ମଚାରୀ ମାନଙ୍କର ଏହିଭଳି ବେପରୁଆ କାର୍ଯ୍ୟହେତୁ ସାଧାରଣ ଲୋକଙ୍କ ସହ ପୋଲିସ ମଧ୍ୟ ଅଡୁଆ ପରିସ୍ଥିତିରେ ପଡୁଛି। ତେବେ ଏହାର ତଦନ୍ତ ପରେ ପ୍ରକୃତ କଥା ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Categories
ଆଞ୍ଚଳିକ

ଦିନ ଦ୍ବିପହରରେ ବାଲୁଗାଁ ଅଞ୍ଚଳରୁ ଲୁଟ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଗୁଳୁଗୁଳିରେ ବଜାର ଘାଟ ଜନଶୁନ୍ୟ ହେଉଥିବାର ଫାଇଦା ନେଇ ସ୍ପଷ୍ଟ ଦିବାଲୋକରେ ବାଲୁଗାଁ ଗୋପୀନାଥପୁର ଛକ ନିକଟ ତୁଳସୀ ନଗରରେ ଏକ ବଡ଼ ଧରଣର ଡକାୟତି ହୋଇଥିବାର ଅଭିଯୋଗ ହୋଇଛି।

ଖବର ମୁତାବକ ଦିନ ଦ୍ୱିପ୍ରହରରେ କିଛି ଦୁର୍ବୃତ୍ତ ଏକ ନୀଳ ରଙ୍ଗର କାରରେ ଆସି ତୁଳସୀ ନଗର ସ୍ଥିତ ଅନିରୁଦ୍ଧ ପ୍ରାଣିଗ୍ରାହୀଙ୍କ ଘର ଗ୍ରିଲର ତାଲା ଏବଂ ମୁଖ୍ୟ କବାଟ ତାଲା ଭାଙ୍ଗି ହଜାର ହଜାର ଟଙ୍କା ସହ ଭରି ଭରି ସୁନା ଅଳଙ୍କାର ଚୋରି କରି ଚମ୍ପଟ ମାରିଥିବା ଅଭିଯୋଗ ହେଇଛି।ଘରେ କିଏ ନଥିବା ସୁଯୋଗ ନେଇ ଶୋଇବା ଘରେ ଥିବା ଦୁଇଟି ରୁମର ଦୁଇଟା ଆଲମିରା ଭାଙ୍ଗି ପ୍ରାୟ ୧୦ ଭରିରୁ ଉର୍ଦ୍ଧ ସୁନା ଅଳଙ୍କାର ସହିତ ନଗଦ ୫୦ହଜାର ଟଙ୍କା ଚୋରି କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି।ଅନିରୁଦ୍ଧ ପାଣିଗ୍ରାହୀ ଶ୍ରାଦ୍ଧ ଦେବାକୁ ବାହାରକୁ ଯାଇଥିବା ବେଳେ ସେହି ଘରେ ତାଙ୍କ ପୁଅ ଥିଲେ। କିନ୍ତୁ ଦ୍ୱିପ୍ରହର ସମୟରେ ଘର ଓ ଗ୍ରିଲ ଚାବି ପକାଇ ନିକଟସ୍ଥ ନିଜ ଗ୍ରାମ ଇଞ୍ଜନପୁରରୁ ଖାଇସାରି ଫେରିବା ବେଳକୁ ଗ୍ରୀଲ ଓ ମୁଖ୍ୟ କବାଟ ତାଲା ଭାଙ୍ଗି ଝୁଲୁଥିବା ଦେଖିଥିଲେ। ଏହା ଦେଖି ତୁରନ୍ତ ବାଲୁଗାଁ ଥାନାକୁ ଅବଗତ କରିଥିଲେ।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଟିକିନିଖି ତଦନ୍ତ ଜାରି ରହିଥିବାର ଆଇଆଇସି ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।