Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ବିଭ୍ରାନ୍ତିକର ବୟାନ ଦେଉଛନ୍ତି ମନମୋହନ, ବିଜେପି ସଭାପତିଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର: ଆୟକର ବିଭାଗର ଚଢାଉ ନେଇ ବିଜେପି ରାଜ୍ୟ ସଭାପତିଙ୍କ ପାଖରେ ବୋଧହୁଏ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ କେନ୍ଦ୍ରୀୟମନ୍ତ୍ରୀଙ୍କ ତୁଳନାରେ ଅଧିକ ତଥ୍ୟ ରହିଛି।

ପ୍ରଧାନମନ୍ତ୍ରୀ ଡିସେମ୍ବର ୮ ଓ ଡିସେମ୍ବର ୧୨ରେ ଦୁଇଟି ଟ୍ୱିଟ୍ କରିଥିଲେ। ତାଙ୍କ ଟ୍ୱିଟରୁ ସ୍ପଷ୍ଟ ଭାବେ ଜଣାପଡିଥିଲା, ଜବତ ହୋଇଥିବା ଟଙ୍କା କଂଗ୍ରେସର ଜଣେ ରାଜ୍ୟସଭା ସାଂସଦଙ୍କର ଏବଂ ଏଥିପାଇଁ ସେ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ। ଆମେ ଅନୁରୋଧ କରୁଛୁ, ମନମୋହନ ବାବୁଙ୍କ ପାଖେ ଯଦି ତାଙ୍କ କେନ୍ଦ୍ରୀୟ ନେତୃତ୍ୱଙ୍କ ଅପେକ୍ଷା ଅଧିକ ତଥ୍ୟ ରହଛି, ତାହେଲେ ସେମାନଙ୍କ ନିକଟରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‍ ମହାନ୍ତି।

ଶଙ୍ଖ ଭବନ ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ଅତୀତରେ ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀଙ୍କ ଉପରେ ଚଢାଉରୁ ୫୦୦ କୋଟିର ଟଙ୍କା ଆଉ ସୁନା ମିଳିଥିଲା। ସେହିଭଳି କର୍ଣ୍ଣାଟକରେ ଯେତେବବେଳେ ବିଜେପି ସରକାର ଥିଲା ସେତେବେଳେ ଚଢାଉରୁ ସୁନା ଓ ଟଙ୍କା ମିଶାଇ ପାଖାପାଖି ୩୦୦ କୋଟି ଜବତ ହୋଇଥିଲା।

ମହାରାଷ୍ଟ୍ରରେ ନିୟମିତ ଭାବେ ଆୟକର ବିଭାଗ ଚଢାଉ କରୁଛି ଏବଂ ଶହ ଶହ କୋଟିର ନଗଦ ଟଙ୍କା ଆଉ ସୁନା ଜବତ କରୁଛି। ମନମୋହନ ବାବୁ କଣ କହିବାକୁ ଚାହୁଁଛନ୍ତି ଯେ ଯେଉଁ ବିଜେପି ଶାସିତ ରାଜ୍ୟରୁ ଟଙ୍କା ଆଉ ସୁନା ମିଳୁଛି ସେସବୁ ଉକ୍ତ ରାଜ୍ୟର ବିଜେପି ନେତାଙ୍କର ସମ୍ପତ୍ତି।

ମନମୋହନ ସାମଲଙ୍କ ଆଜିର ବୟାନ ଦେଖି ଲାଗୁଛି, ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ପ୍ରବଳ ଚାପ ପରେ ସେ ଏଭଳି ପ୍ରତିକ୍ରିୟା ରଖିଥିବା ଡକ୍ଟର ମହାନ୍ତି କହିଛନ୍ତି।

Categories
ବିଶେଷ ଖବର

ମିଶନ ଶକ୍ତି ମା’ମାନଙ୍କୁ ଅପମାନିତ କରିବାକୁ ପଛାଉ ନାହାନ୍ତି ବିଜେପି ନେତା: ବିଜେଡ଼ି

ଭୁବନେଶ୍ୱର: ଧର୍ମେନ୍ଦ୍ର ଭାଇ, ଆପଣ ମୋ ପାଇଁ ଜଣେ ବଡ଼ ଭାଇ ଏବଂ ମୁଁ କପିଳେଶ୍ୱର ମନ୍ଦିରର ଏଏସ୍‌ଆଇ ବିଜ୍ଞପ୍ତି ବିଷୟରେ ଆପଣଙ୍କର ଭୁଲ ଜଣାଇବା ପରେ ଆପଣ କ୍ରୋଧିତ ହୋଇଥିବାର ଦେଖିବାକୁ ମିଳୁଛି। ଆପଣ ନିଜର ଭୁଲକୁ ସ୍ୱୀକାର କରି ଆଗକୁ ଯାଇପାରିଥାନ୍ତେ ବୋଲି ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ଆଜି ଏଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଆପଣ ଆଜି ମହିଳାମାନଙ୍କୁ ସମ୍ମାନ ଦେବା ବିଷୟରେ କହିଥିଲେ। ତଥାପି, ଆପଣ ଏବଂ ଓଡିଶା ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବର୍ଷା ସିଂହ ବରିହା ଏବଂ ଦୀପାଲି ଦାସଙ୍କ ଭଳି ମହିଳାଙ୍କୁ ବଦନାମ ତଥା ଅପମାନିତ କରିଥିଲେ ଯେଉଁମାନେ ନିଜ ପିତାଙ୍କୁ ହରାଇଥିଲେ ଏବଂ ସାଧାରଣ ଜୀବନକୁ ଆସିବାକୁ ଚାହୁଁଥିଲେ।

ଆପଣ ପଦମପୁର ଉପନିର୍ବାଚନ ସମୟରେ ବର୍ଷା ସିଂହ ବରିହାଙ୍କ ସହିତ ଏଭଳି ବ୍ୟବହାର କରି ପରାଜୟର ସମ୍ମୁଖୀନ ହୋଇଥିଲେ। ଆପଣ ପୁନର୍ବାର ଝାରସୁଗୁଡା ଉପନିର୍ବାଚନରେ ସୁଶ୍ରୀ ଦୀପାଲି ଦାସଙ୍କ ସହିତ ଅନୁରୂପ ବ୍ୟବହାର କରିଛନ୍ତି ଏବଂ ଲୋକମାନେ ଆପଣଙ୍କୁ ଏକ ବୃହତ ବ୍ୟବଧାନରେ ପରାସ୍ତ କରିଛନ୍ତି। ଆପଣ କାହିଁକି ସର୍ବଦା ଓଡିଶାର ମିଶନ ଶକ୍ତି ମହିଳାମାନଙ୍କୁ ଅପମାନିତ ଏବଂ ବଦନାମ କରୁଛନ୍ତି ? ଆପଣ ସେମାନଙ୍କୁ ଅପରାଧୀଙ୍କ ପରି କାହିଁକି ବ୍ୟବହାର କରୁଛନ୍ତି ? ସେମାନେ ମଧ୍ୟ ମା’ ଏବଂ ଭଉଣୀ, ସମ୍ମାନ ଏବଂ ସଶକ୍ତିକରଣ ସହିତ ସେମାନେ ନିଜ ଗୋଡରେ ଛିଡା ହେବାକୁ ଚେଷ୍ଟା କରୁଛନ୍ତି। ଓଡିଶାର ମିଶନ ଶକ୍ତି ମହିଳାମାନଙ୍କୁ ଅପମାନିତ କରିବା ବନ୍ଦ କରନ୍ତୁ।

ଏସବୁ ସତ୍ତ୍ୱେ ଆପଣ ଏବଂ ଓଡିଶା ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଓଡିଆ ଝିଅମାନଙ୍କୁ ବଦନାମ କରିବା ଏବଂ ଅପମାନ କରିବା ବନ୍ଦ କରୁ ନାହାନ୍ତି, ଯେଉଁମାନେ ନିଜ ପିତାଙ୍କୁ ହରାଇଛନ୍ତି ଏବଂ ସାଧାରଣ ଜୀବନକୁ ଆସିବାକୁ ଚାହୁଁଛନ୍ତି। ଓଡିଶା ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ମହିଳା ବିରୋଧୀ ବିବୃତ୍ତି ଯୋଗୁଁ ଓଡିଶାର ମହିଳା ଏବଂ ଓଡିଶାର ଲୋକମାନେ କ୍ରୋଧିତ ହୋଇଥିଲେ ଏବଂ ୨୦୨୨ରେ ଓଡିଶା ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଆପଣଙ୍କର ବୃହତ ପରାଜୟ ନିଶ୍ଚିତ କରି ଉପଯୁକ୍ତ ଉତ୍ତର ଦେଇଥିଲେ। କିନ୍ତୁ ଆପଣ ଏପର୍ଯ୍ୟନ୍ତ ଏଥିରୁ କିଛି ଶିକ୍ଷାଲାଭ କଲେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂକ୍ରାନ୍ତରେ ଆଜି ବିଜେଡି ତରଫରୁ ଦିଆଗଲା ଏପରି ପ୍ରତିକ୍ରିୟା

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି। ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା। ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା ଅନୁମୋଦନ କରାଯାଇଥିଲା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ଲେନିନ୍‍ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଏହାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଓଡିଶା ସରକାରଙ୍କ ନିକଟକୁ ଆସିଥିଲା ଯାହାକୁ ସରକାର ଅନୁମୋଦନ କରିପାରିଥାନ୍ତେ। କିନ୍ତୁ ଏହା କରିବା ବଦଳରେ ପ୍ରକଳ୍ପକୁ ଓଡିଶା ବିଧାନସଭା ମାଧ୍ୟମରେ ଓଡିଶାର ଲୋକଙ୍କ ନିକଟକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ସେଠାରେ ଏହି ଯୋଜନାଟି ସମସ୍ତ ବିଧାୟକଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା।

ଯୋଜନା ଅନୁମୋଦନ ହେବା ପରେ ଏହାକୁ ଜାତୀୟ ଐତହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ)କୁ ପଠାଯାଇଥିଲା ଯିଏ କି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏନ୍‌ଏମ୍‌ଏର ଅନୁମୋଦନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା। ଏହି ସମାରୋହ ପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ କାମ ଆରମ୍ଭ ହେଲା।

ଏଏସ୍‍ଆଇ କିଛି ପରାମର୍ଶ ଦେଇଥିଲା ଯାହା ବିଧିବଦ୍ଧ ଭାବରେ ସାମିଲ କରାଯାଇଥିଲା ଏବଂ ସେହି ଅନୁଯାୟୀ ସଂଶୋଧନ କରାଯାଇଥିଲା। ସାଧାରଣ ଲୋକ ଏବଂ ବିଭିନ୍ନ ସଂଗଠନ ସହିତ ପରାମର୍ଶ କରିବା ପରେ, ଓଡ଼ିଶା ବିଧାନସଭା ଦ୍ୱାରା ଏହି ଯୋଜନାକୁ ସର୍ବସମ୍ମତି କ୍ରମେ ପାସ୍ କରିବା ଏବଂ ପରବର୍ତ୍ତୀ ସମୟରେ ଏନ୍‍ଏମ୍‌ଏ ଦ୍ୱାରା ଏହି ଯୋଜନା ଅନୁମୋଦନ ହେବାପରେ କାର୍ଯ୍ୟକାରୀ ହେଉଛି। ଆଗକୁ ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ଆଶା କରାଯାଉଛି ଯେ ସମସ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରିବା ଉଚିତ୍‍।

Categories
ଆଜିର ଖବର ରାଜ୍ୟ ଖବର

କୃଷକ ଆନ୍ଦୋଳନରୁ ନଜର ହଟାଇବାକୁ ବିଜେପିର କୁମ୍ଭୀର କାନ୍ଦଣା: ବିଜେଡି

ଭୁବନେଶ୍ୱର: ଦୀର୍ଘ ଏକବର୍ଷରୁ ଅଧିକ ସମୟ ଧରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ହରିଆନାରେ ସେମାନଙ୍କ ଦଳ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଓଡିଶା ବିଜେପି ଏବଂ ତାଙ୍କ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁଣିଥରେ କେତେକ ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇଛନ୍ତି। କୃଷକଙ୍କ ପାଇଁ ବିଜେପିର ଏହା କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପି ନେତାଙ୍କୁ ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ କେନ୍ଦ୍ରରେ ଶାସନ କରୁଥିବା ତାଙ୍କରି ଦଳ ବର୍ତ୍ତମାନ ସୁଦ୍ଧା ଧାନକିଣା ସବସିଡ୍‍ ଆକାରରେ ବାକିଥିବା ୬୬୨୦ କୋଟି ଟଙ୍କା ଓଡିଶାକୁ ଦେଉନଥିବା ପ୍ରସଙ୍ଗକୁ ଶ୍ରୀ ହରିଚନ୍ଦନ ଘୋଡାଇବାକୁ ଚେଷ୍ଟା କରୁଛନ୍ତି। ଏଥି ସହିତ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଓଡିଶାରୁ ୧୦ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ନଉଠାଇବା ଘଟଣାକୁ ମଧ୍ୟ ସେ ଲୁଚାଇବାକୁ ଅପଚେଷ୍ଟା କରୁଥିବା ଶ୍ରୀ ମହାନ୍ତି କହିଛନ୍ତି।

ବିଜେପି ନେତା ଏହା ମଧ୍ୟ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ଯେ ତାଙ୍କ ଦଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ୧.୫ ଗୁଣା ବୃଦ୍ଧି କରିନାହିଁ ଯାହାକି ଦଳୀୟ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା କିମ୍ବା ସେମାନେ ସ୍ୱାମୀନାଥନ କମିଶନ ରିପୋର୍ଟ ସୁପାରିଶକୁ ବି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରିନାହାନ୍ତି।

ରାଜନୈତିକ ଦୃଷ୍ଟିରୁ ଗଣମାଧ୍ୟମରେ ତିଷ୍ଠି ରହିବା ପାଇଁ ଏଭଳି ବିବୃତ୍ତି ଦେବା ରାଜ୍ୟ ବିଜେପି ନେତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ବିଜେପିର ଏଭଳି ବିବୃତ୍ତି କୃଷକମାନଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି।