Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି। ମାନ୍ୟବର ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ କୁମାର ପଣ୍ତା ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଲୋକକଳାର ମହାନ ପରମ୍ପରା ଓ ଇତିହାସ ସଂପର୍କରେ ଆଲୋକପାତ କରିଥିଲେ।

ସମୟକ୍ରମେ ସମାଜର ରୁଚି ବଦଳିବା ସହ ମନୋରଞ୍ଜନର ମାଧ୍ୟମ ଭିନ୍ନ ରୂପ ନେଇଛି। ମାତ୍ର ଲୋକକଳା ଏହାର ମହାନ ପରମ୍ପରା ବଜାୟ ରଖି ଏବେ ମଧ୍ୟ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଏହାର ସୁରକ୍ଷା ନିମନ୍ତେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀ ପଣ୍ତା ମତବ୍ୟକ୍ତ କରିଥିଲେ। ସେହିଭଳି କୃଷିଭିତ୍ତିକ ଗଣପର୍ବ ରଜ ମଧ୍ୟ ପାରସ୍ପରିକ ସ୍ନେହ, ପ୍ରେମ ଓ ସୌହାର୍ଦ୍ଦ୍ୟ ରକ୍ଷା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭେଇଥିବା ସେ କହିଥିଲେ।

ଏହି ଅବସରରେ ଯୋଗଦେଇ ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଲୋକକଳାକୁ ଲୋକପ୍ରିୟ କରିବା ନିମନ୍ତେ ସମସ୍ତଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଓଡିଶାର ମହାନ ପରମ୍ପରା, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ବିଭିନ୍ନ ପର୍ବପର୍ବାଣି ପାଳନର ଭୂମିକା ଉପରେ ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, କର୍ପୋରେଟର ପ୍ରିତିନନ୍ଦା ରାଉତରାୟ, ଓଡିଶା ସଂଗୀତ ନାଟକ ଏକାଡେମୀ ଉପ ସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଲୋକକଳାର ସୁରକ୍ଷା ଓ ରଜ ପର୍ବ ପାଳନର ମହାନ ପରମ୍ପରା ସଂପର୍କରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉପଲକ୍ଷେ ବିଭାବରୀ ଫ୍ୟାଶନ ପକ୍ଷରୁ ଓଡିଆଣୀ ବେଶଭୂଷା ଉପରେ ସୁନ୍ଦର ପ୍ରଦର୍ଶନ କରାଯାଇଥିଲା।

ଲୁପ୍ତପ୍ରାୟ ଲୋକକଳାକୁ ପୁନଃ ଉଜ୍ବୀବିତ କରିବା ସହ ସଂପୃକ୍ତ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୧୯ ମସିହାରୁ ଆଜିର ଦିନକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି।

କାର୍ଯ୍ୟକ୍ରମ ଶେଷରେ ସୋନପୁରର ଶାଶ୍ବତ ତ୍ରିପାଠୀ ଓ ସାଥି ମାନଙ୍କ ଦ୍ବାରା ସମ୍ବଲପୁରୀ ଲୋକନୃତ୍ୟ ଓ ଦିଗପହଣ୍ତିର ଶ୍ରୀ ବୃନ୍ଦାବନ ଜେନା ଓ ସାଥି ମାନଙ୍କ ପକ୍ଷରୁ ପ୍ରହଲ୍ଲାଦ ନାଟକ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଭାଗୀୟ ବରିଷ୍ଠ ଅଧିକାରୀ, ପ୍ରମୁଖ ଅଧିକାରୀ, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ ସଂସ୍କୃତି

ବାଣପୁର ବ୍ଲକରେ ଲୋକକଳା ଦିବସ ପାଳିତ: ପୁରସ୍କୃତ ହେଲେ ୧୧ ପ୍ରତିଯୋଗୀ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଲୋକକଳାକୁ ଉଜ୍ଜିବୀତ କରି ଲୋକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଲୋକକଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ ବାଣପୁର ପଞ୍ଚାୟତ ସମିତି ଓ ବ୍ଲକ କଳା ସଂସ୍କୃତି ସଙ୍ଘ ମିଳିତ ଆନୁକୂଲ୍ୟରେ ବ୍ଲକ ସଭା ଗୃହରେ ଏହି ଲୋକକଳା ଦିବସର ଆୟୋଜନ କରାଯାଇଥିଲା।

ଏଥିରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଡ଼ିଓ ସୀମାଦ୍ରୀ ପାତ୍ର, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ପଦ୍ମନାଭ ଭୋଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଗିରିବାଳା ନାୟକ, ବିପିଏମ ରଶ୍ମିତା ଇନ୍ଦ୍ରଜିତ, ଶିବ ପ୍ରସାଦ ଜାଲି ଯୋଗ ଦେଇଥିଲେ। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ନାନପ୍ରକାରର ପିଠା ତିଆରି କରାଯାଇ ପ୍ରତିଯୋଗିତାରେ ଭାଗ ନେଇଥିଲେ। ତତସହିତ ପୁଚି ଓ ଝୋଟି ପ୍ରତିଯୋଗିତାରେ ଅଞ୍ଚଳର ମହିଳା ମାନେ ଭାଗ ନେଇଥିଲେ।

କଳା ସଂସ୍କୃତି ସଙ୍ଘର ସଭାପତି ଦିଲ୍ଲୀପ କୁମାର ପଣ୍ଡା ଏବଂ ଅନ୍ୟମାନେ ପ୍ରତିଯୋଗୀମାନଙ୍କର ପିଠା ସମେତ ଅନ୍ୟ ପ୍ରଦର୍ଶିତ କରିଥିବା କଳାକୁ ପରଖିଥିଲେ। ଭଲ ପ୍ରଦର୍ଶନ କରିଥିବା ସଙ୍ଘ ଓ ମହିଳାମାନଙ୍କୁ ନମ୍ବର ମାଧ୍ୟମରେ ଚୟନ କରାଯାଇଥିଲା।  ଉପରୋକ୍ତ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ସମୁଦାୟ ୧୧ ଜଣ ପ୍ରତିଯୋଗୀମାନଙ୍କୁ ତହସିଲଦାର ଶ୍ରୀ ବଡ଼ଜେନା ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୧୪ ରେ ତୃତୀୟ ଲୋକକଳା ଦିବସ: ଏଥର ଭର୍ଚୁଆଲ୍‌ରେ ଉତ୍ସବ, ଯୋଗଦେବେ ୧ ହଜାର କଳାକାର

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରେ ତୃତୀୟ ରାଜ୍ୟସ୍ତରୀୟ ଲୋକକଳା ଦିବସ-୨୦୨୧ ପାଳନ ହେବ। ଏଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ୟୁନିସେଫ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ମହାମାରୀ କରୋନା କଟକଣା ଯୋଗୁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ଥିଲା ବେଳେ ଏହି ଦିବସକୁ ଭର୍ଚୁଆଲ୍ ମାଧ୍ୟମରେ ପାଳନ କରାଯିବ। ଜୁମ୍ ମାଧ୍ୟମରେ ରାଜ୍ୟସ୍ତରୀୟ ଉତ୍ସବ ସାଙ୍ଗକୁ ବିଭିନ୍ନ ବ୍ଲକ୍ ଓ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ କରାଯିବ। ୧୪ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ରାଜ୍ୟସ୍ତରୀୟ ଉତ୍ସବର ଆୟୋଜନ ହେବ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ୟୁନିସେଫ୍ ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ଅତିଥି ଭାବେ ଯୋଗଦେବେ।

ଏଥିସହିତ ବ୍ଲକ୍ କଳା ସଂସ୍କୃତି ସଂଘ, ଜିଲ୍ଲା କଳା ସଂସ୍କୃତି ସଂଘ, ନଗର କଳା ସଂସ୍କୃତି ସଂଘ ଓ ରାଜ୍ୟ କଳା ସଂସ୍କୃତି ସଂଘ ଅଧୀନରେ ଥିବା ୧ ହଜାର କଳାକାର, ସଂଘର ଉପସଭାପତିମାନେ କାର୍ଯ୍ୟକ୍ରମ ସହ ଅନ୍‌ଲାଇନ୍‌ରେ ଯୋଡ଼ି ହେବେ। ଏହି ଅବସରରେ ଲୋକକଳା ସମ୍ପର୍କରେ ଆଲୋଚନା ହେବା ସହ ଓଡ଼ିଶାର ୩ଟି ପ୍ରାଚୀନ ଲୋକକଳା ଲାଇଭ୍ ପରିବେଷଣ କରାଯିବ। ଖୋର୍ଦ୍ଧାର ମା’ ବାସେଳୀ ଚୈତାଳୀ ଅନୁଷ୍ଠାନ ପକ୍ଷରୁ ଗୁରୁ ଗୋପାଳ ଚନ୍ଦ୍ର ବେହେରା ଓ ସାଥୀ ପରିବେଷଣ କରିବେ ଘୋଡ଼ାନାଚ। ପରେ ବଳାଙ୍ଗୀର କୃଷ୍ଣପ୍ରିୟା କଳା ପରିଷଦ ଗୁରୁ ପୂର୍ଣ୍ଣଚନ୍ଦ୍ର ଛତ୍ରିଆ ଓ ସାଥୀ ପରିବେଷଣ କରିବେ ଘୁଡ଼ୁକା ନାଚ ଏବଂ ଶେଷରେ କୋରାପୁଟର କୁଳମଣି ଜେନା ଓ ସାଥୀ ଢେମସା ନୃତ୍ୟ ପରିବେଷଣ କରିବେ। ଏ ସମସ୍ତ କାର୍ଯ୍ୟକ୍ରମର ଲାଇଭ୍ ବିଭାଗୀୟ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍ ଓ ୟୁଟ୍ୟୁବ୍‌ରେ ପ୍ରସାରଣ କରାଯିବ।

ଏଥିସହିତ ତିନିଦିନ ଧରି ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ବିଭାଗ ପକ୍ଷରୁ ଲୋକକଳାକୁ ନେଇ ୧ଘଣ୍ଟାର ଆଲୋଚନା ଓ ଲୋକକଳା ପରିବେଷଣ କାର୍ଯ୍ୟକ୍ରମ କରାଯିବ। ରାଜ୍ୟର ବିଭିନ୍ନ ଅଞ୍ଚଳର ବଛା ବଛା ଲୋକକଳାକୁ ଏହାରି ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଞ୍ଚାଯିବ। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବା ସୂଚନା ମିଳିଛି।