ବାଣପୁର ବ୍ଲକରେ ଲୋକକଳା ଦିବସ ପାଳିତ: ପୁରସ୍କୃତ ହେଲେ ୧୧ ପ୍ରତିଯୋଗୀ

Published: Jun 14, 2023, 6:22 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଲୋକକଳାକୁ ଉଜ୍ଜିବୀତ କରି ଲୋକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଲୋକକଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ ବାଣପୁର ପଞ୍ଚାୟତ ସମିତି ଓ ବ୍ଲକ କଳା ସଂସ୍କୃତି ସଙ୍ଘ ମିଳିତ ଆନୁକୂଲ୍ୟରେ ବ୍ଲକ ସଭା ଗୃହରେ ଏହି ଲୋକକଳା ଦିବସର ଆୟୋଜନ କରାଯାଇଥିଲା।

ଏଥିରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଡ଼ିଓ ସୀମାଦ୍ରୀ ପାତ୍ର, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ପଦ୍ମନାଭ ଭୋଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଗିରିବାଳା ନାୟକ, ବିପିଏମ ରଶ୍ମିତା ଇନ୍ଦ୍ରଜିତ, ଶିବ ପ୍ରସାଦ ଜାଲି ଯୋଗ ଦେଇଥିଲେ। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ନାନପ୍ରକାରର ପିଠା ତିଆରି କରାଯାଇ ପ୍ରତିଯୋଗିତାରେ ଭାଗ ନେଇଥିଲେ। ତତସହିତ ପୁଚି ଓ ଝୋଟି ପ୍ରତିଯୋଗିତାରେ ଅଞ୍ଚଳର ମହିଳା ମାନେ ଭାଗ ନେଇଥିଲେ।

କଳା ସଂସ୍କୃତି ସଙ୍ଘର ସଭାପତି ଦିଲ୍ଲୀପ କୁମାର ପଣ୍ଡା ଏବଂ ଅନ୍ୟମାନେ ପ୍ରତିଯୋଗୀମାନଙ୍କର ପିଠା ସମେତ ଅନ୍ୟ ପ୍ରଦର୍ଶିତ କରିଥିବା କଳାକୁ ପରଖିଥିଲେ। ଭଲ ପ୍ରଦର୍ଶନ କରିଥିବା ସଙ୍ଘ ଓ ମହିଳାମାନଙ୍କୁ ନମ୍ବର ମାଧ୍ୟମରେ ଚୟନ କରାଯାଇଥିଲା।  ଉପରୋକ୍ତ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ସମୁଦାୟ ୧୧ ଜଣ ପ୍ରତିଯୋଗୀମାନଙ୍କୁ ତହସିଲଦାର ଶ୍ରୀ ବଡ଼ଜେନା ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।

Related posts