Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ପ୍ରଶାସନ ନିଷ୍କ୍ରିୟ, ଚୋରାମଦ ବିକ୍ରିକୁ ବିରୋଧ କରି ଘର ଭାଙ୍ଗିଲେ ଶତାଧିକ ମହିଳା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ତଥା ଚୋର ମଦ କାରବାର ଶୀର୍ଷରେ ପହଞ୍ଚିଥିବାବେଳେ ଏହାର କରୁଣ ପ୍ରଭାବ ଗାଁ ଗାଁ ରେ ଦେଖିବାକୁ ମିଳୁଛି। ବେଆଇନ ମଦ ବିକ୍ରି ରୋକିବାରେ ଅବକାରୀ ଓ ପୋଲିସ ଏକ ରକମର ଫେଲ ମାରିଥିବା ଚର୍ଚ୍ଚା ହେଉଥିବା ବେଳେ ଗତକାଲି ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚୋରାମଦ ବିକ୍ରିକୁ ବିରୋଧ କରି ଶତାଧିକ ମହିଳା ତୁମୁଳ କାଣ୍ଡ ଘଟାଇଥିବା ଜଣାପଡିଛି।

ପ୍ରାପ୍ତ ଖବର ମୁତାବକ ସରନଇ ଗ୍ରାମ ଛକର ଏକ ଘରେ ଦୈନନ୍ଦିନ ଅବାଧ ଚୋରା ମଦ ବିକ୍ରି କରାଯାଉଥିଲା। ଯାହାଫଳରେ ସେଠାରେ ମଦ୍ୟପ ଗୋଷ୍ଠୀ ମାତାଲ ହୋଇ ଅନେକ ସମୟରେ ନାନାଦିପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାର ଅଭିଯୋଗ ହୋଇଆସୁଛି। ସମ୍ପୃକ୍ତି ଅଞ୍ଚଳରେ ଦିନକୁଦିନ ମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢିବା ଫଳରେ ଗ୍ରାମରେ ଝିଅ ବୋହୁ ମାନେ ଦାଣ୍ଡକୁ ବାହାରିବା ଦୂରର କଥା ଦିନ ଦ୍ବିପ୍ରହରରେ ସେମାନଙ୍କ ଯାଆସ କରିବା ଅସହ୍ୟ ହୋଇପଡୁଛି। ଏପରିକି ଘରେ ଘରେ କଳି ଝଗଡା ଲାଗିରହୁଥିଲା। ଏନେଇ ଯିଏ ବି ବିରୋଧ କରୁଛି ସେ ଆକ୍ରୋଶର ଶିକାର ହେଉଥିବା ଗ୍ରାମବାସୀ କହିଛନ୍ତି।

ତେବେ ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ସୁଦ୍ଧା କିଛି ଫରକ ନପଡିବାରୁ ଗତକାଲି ସରନଇ ଓ ନିମିକ୍ଷେତା ଗ୍ରାମର ଶତାଧିକ ମହିଳା ସମ୍ପୃକ୍ତ ସ୍ଥାନରେ ଏକତ୍ରିତ ହୋଇ ଏହାର ଦୃଢ ପ୍ରତିବାଦ କରିବା ସହ ଗଚ୍ଛିତ ମଦକୁ ନଷ୍ଟ କରିଥିଲେ ଏବଂ ଉକ୍ତ ଘରକୁ ଭାଙ୍ଗି ଦେଇଥିଲେ। ବାରମ୍ବାର ଅବକାରୀ ଓ ପୋଲିସକୁ ଏନେଇ ଖବର ଦେଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ତେବେ ଏ ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବାଲୁଗାଁ ଥାନାଧିକାରୀ ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

ସେହିଭଳି ଏ ନେଇ ନନ୍ଦପୁର ପଞ୍ଚାୟତ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କୁ ପଚାରିବାରୁ ଉକ୍ତ ଗ୍ରାମରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଏବଂ ଏ ନେଇ ତାଙ୍କୁ ମହିଳା ମାନେ ଜଣାଇଥିବା କହିଛନ୍ତି। ତେବେ ପୋଲିସ ଓ ଅବକାରୀ ଉକ୍ତ ଗ୍ରାମକୁ ମଦମୁକ୍ତ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ସରପଞ୍ଚ ଶ୍ରୀ ଖୁଣ୍ଟିଆ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗ୍ରାମ ସଭାରେ ବୁଲିଲା ଫାର୍ଶା, ଜଣେ ଗୁରୁତର: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାଣପୁର ଥାନାରେ ଶତାଧିକ ମହିଳା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗୋଡିଝର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଯେଉଁଥିରେ ଫାର୍ଶା ଚୋଟ ଦ୍ୱାରା ତାଙ୍କ ବାମ ହାତ କ୍ଷତବିକ୍ଷତ ହୋଇଛି। ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଗତକାଲି ରାତିରେ ଗୋଡିଝର ଗ୍ରାମରେ ଠାକୁର ଘର ମରାମତି ପାଇଁ ଗ୍ରାମ କୋଠ ଘରେ ବୈଠକ ବସିଥିଲା। ସେହି ସମୟରେ ହଠାତ ୧୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଗ୍ରାମ ସଭା ନିକଟକୁ ଆସି ଗ୍ରାମବାସୀଙ୍କୁ ଗାଳି କରିବାକୁ ଲାଗିଥିଲେ। ଏହାକୁ ଗ୍ରାମର ବିଜୟ ବରାଳ ଏବଂ ଅନ୍ୟ ବ୍ୟକ୍ତିମାନେ ବିରୋଧ କରିବାରୁ ଉକ୍ତ ଦୁର୍ବୃତ୍ତ ମାନଙ୍କ ମଧ୍ୟରୁ ଜଣେ ଏକ ଫାର୍ଶା ଦ୍ଵାରା ବିଜୟଙ୍କୁ ଆକ୍ରମଣ କରିଥିଲେ।

ଫଳରେ ବିଜୟଙ୍କ ବାମ ହାତ କଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଙ୍ଗେ ସଙ୍ଗେ ବିଜୟଙ୍କୁ ଅନ୍ୟ ଗ୍ରାମବାସୀ ମାନେ ମେଡିକାଲ ନେଇଥିଲେ। ଏ ନେଇ ବିଜୟ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ବିଜୟଙ୍କ ସମେତ ଶତାଧିକ ଗ୍ରାମବାସୀ ଓ ମହିଳା ମାନେ ଆଜି ବାଣପୁର ଥାନାରେ ଏକତ୍ରିତ ହୋଇଥିବାର ଦେଖିବାକୁ ମିଳିଥିଲା।

ମହିଳା ମାନଙ୍କ ଅଭିଯୋଗ ଯେ, ଅଭିଯୁକ୍ତ ଜଣକ ଗ୍ରାମରେ ମଦ ବିକ୍ରି କରି ସଦାବେଳେ ପରିବେଶକୁ ଅଶାନ୍ତି କରୁଛନ୍ତି। ତେଣୁ ତାଙ୍କ ଗ୍ରାମକୁ ମଦମୁକ୍ତ କରିବା ପାଇଁ ମଧ୍ୟ ମହିଳା ମାନେ ପୋଲିସ ନିକଟରେ ଦାବି କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ବିଜେପିରେ ଯୋଗ ଦେଲେ ତୁମୁରାପୁଟ ପଞ୍ଚାୟତର ଶତାଧିକ ମହିଳା

ସୀତାରାମ ଅଗ୍ରୱାଲ

ବାଣପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ମାହୋଲ ସରଗରମ ହେବାରେ ଲାଗିଛି। ଗାଁ ଗଣ୍ଡା, ରାସ୍ତାଘାଟ ସବୁଠି ନିର୍ବାଚନୀ ଚର୍ଚ୍ଚା। ସେହିପରିଭାବେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳିରେ ମଧ୍ୟ ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି। ମୈଦାନରେ ଉଭୟ ଶାସକ ବିଜେଡି ଏବଂ ବିରୋଧୀ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବାବେଳେ ନିଜର ସ୍ଥିତିକୁ କଂଗ୍ରେସ ମଜବୁତ କରିବା ଲାଗି ପ୍ରୟାସ କରୁଛି।

ତେବେ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ ସେତେ ବଢ଼ି ବଢ଼ି ଯାଉଛି। ନିଜ ଦଳୀୟ ଏବଂ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦିନ ରାତି ଏକ କରିଦେଉଛନ୍ତି ନେତାମାନେ। ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତର ଶତାଧିକ ମହିଳା ମାନେ ବିଜେପିରେ ଯୋଗଦେଇଛନ୍ତି।

ଉକ୍ତ ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ଝିଣ୍ଟିକାପଲ୍ଲୀ ସ୍ଥିତ ମା’ ତାରିଣୀ ମନ୍ଦିର ପରିସରରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।

ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଏବଂ ମହିଳା ସଶକ୍ତିକରଣକୁ ଲକ୍ଷ୍ୟ ରଖି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ଉଦ୍ଦେଶ୍ୟରେ କାର୍ଯ୍ୟ ଆରମ୍ଭ କରିଦେଇଥିବାର ମହିଳାମାନେ କହିଛନ୍ତି। ସେହିପରି ଭାବେ ବିଜେପି ସଦାବେଳେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇଆସୁଛି ଏବଂ ଆଜି ଉକ୍ତ ମହିଳାଙ୍କ ଦଳରେ ମିଶିବା ଫଳରେ ତୁମୁରାପୁଟ ପଞ୍ଚାୟତରେ ବିଜେପିର ଶକ୍ତି ନିଶ୍ଚିତଭାବେ ବୃଦ୍ଧି ପାଇଛି ଓ ଆଗାମି ନିର୍ବାଚନରେ ତୁମୁରାପୁଟ ପଞ୍ଚାୟତରେ ଦଳୀୟ ଏବଂ ଦଳ ସମର୍ଥିତ ସମସ୍ତ ପ୍ରାର୍ଥୀମାନେ ନିଶ୍ଚୟ ବିଜୟଲାଭ କରିବେ ବୋଲି ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଉକ୍ତ ମିଶ୍ରଣ ପର୍ବରେ ପୂର୍ବତନ ବାଣପୁର ବ୍ଲକ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳେଇ, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଏବଂ ଅନ୍ୟ ବିଜେପି ନେତାମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ତହସିଲଦାରଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଜଣାଇଲେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ତହସିଲଦାରଙ୍କୁ ଭେଟି ସେମାନଙ୍କ ଆପତ୍ତି ଓ ଅଭିଯୋଗ ଜଣାଇଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ବାଣପୁର ଆସି ସେମାନେ ତହସିଲଦାରଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଜଣାଇଛନ୍ତି।

ଦୀର୍ଘଦିନ ହେବ ଦୁଇଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଆଦିବାସୀମାନେ ନିଜର ସାମ୍ବିଧାନିକ ଅଧିକାର ତଥା ଜୀବନଜୀବିକା ପାଇଁ ସଙ୍ଘର୍ଷ କରିଆସୁଛନ୍ତି। ସେମାନଙ୍କର ବାପା ଅଜା ଅମଳରୁ ଚାଷ ବାସ କରି ଚଳି ଆସୁଥିବା ଜଙ୍ଗଲ ଜମିକୁ ନିଜ ନାମରେ କରିବା ପାଇଁ ଆବେଦନ କରିଆସୁଥିଲେ ମଧ୍ୟ ଆଜିଯାଏଁ ହାତ ଗଣତି କିଛି ଆଦିବାସୀଙ୍କୁ ମିଳିଥିବାବେଳେ ଅନ୍ୟମାନଙ୍କୁ ଆଜି ପର୍ଯ୍ୟନ୍ତ ଜମି ପଟ୍ଟା ମିଳିପାରି ନାହିଁ।

ରାଜ୍ୟ ସରକାରଙ୍କ ୨୦୦୬ ଜଙ୍ଗଲ ଅଧିକାର ଆଇନ୍ ମୁତାବକ ନିଜ ଗ୍ରାମରେ ଗ୍ରାମସଭା ଜଙ୍ଗଲ କମିଟି ମାଧ୍ୟମରେ ପଟ୍ଟା ପାଇଁ ଆବେଦନ କରାଯାଇଛି। ଜଙ୍ଗଲରେ ଥିବା ଜମିକୁ ଉଭୟ ରାଜସ୍ବ ଓ ଜଙ୍ଗଲ ବିଭାଗ ପକ୍ଷରୁ ମାପ ଚିହ୍ନଟ କରି ପ୍ରତ୍ୟେକ ଆଦିବାସୀଙ୍କୁ ତାଙ୍କ ଦଖଲ ଜମିର ବ୍ୟକ୍ତିଗତ ଅଧିକାର ଓ ଭୋଗ କରୁଥିବା ଜଙ୍ଗଲକୁ ଗୋଷ୍ଠୀ ଅଧିକାର ରୁପେ ପ୍ରଦାନ କରାଯିବା କଥା। କିନ୍ତୁ ଆଇନ ହେବାର ଦୀର୍ଘ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ବାଣପୁରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉକ୍ତ ଆଇନ କାଯ୍ୟକାରିତାର କୌଣସି ସୁଫଳ ଦେଖିବାକୁ ମିଳିପାରିନାହିଁ।

ତେଣୁ ଆଜି ଉକ୍ତ ଅଞ୍ଚଳର ଯୁବସାଥି ନୀଳକଣ୍ଠ ଶବର, ପ୍ରଦୀପ ଶବର, ରୋହିତ ଶବର, ଲକ୍ଷ୍ମଣ ଶବର, ସଲମନ ଶବର, ହରମୋହନ ଜାନି, ସାବିତ୍ରୀ ଶବର ଓ ମାଣିକ ଶବରଙ୍କ ନେତୃତ୍ଵରେ ଆଦିବାସୀ ମାନେ ନିଜ ସମସ୍ୟା ସମ୍ପର୍କରେ ତହସିଲଦାରଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ନିଜ ଜମି ପଟ୍ଟାରେ ତ୍ରୁଟିପୂର୍ଣ୍ଣ ଜାତି ଲେଖାଯାଇଥିବା ପ୍ରାୟ ୫୦ରୁ ଉର୍ଦ୍ଧ ପଟ୍ଟାଗୁଡିକର ସଂଶୋଧନ ନିମନ୍ତେ ତହସିଲଦାରଙ୍କୁ ପଟ୍ଟା ସମ୍ବନ୍ଧୀୟ କାଗଜପତ୍ର ପ୍ରଦାନ କରିଛନ୍ତି।

ଉକ୍ତ କାର୍ଯ୍ୟକର୍ମରେ ଏକତା ପରିଷଦ ଟ୍ରଷ୍ଟ, ବାଣପୁରର ଅଧ୍ୟକ୍ଷା ସନ୍ଧ୍ୟାଦେବି ଏବଂ କର୍ମକର୍ତ୍ତା ମାନେ ଯଥା ତାରାପ୍ରସାଦ ବାରିକ୍, ଜିତେନ୍ଦ୍ର ବରାଳ, ଟୁନି ଦାସ ଇତ୍ୟାଦି ଉପସ୍ଥିତ ରହି ସେମାନଙ୍କୁ ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ସ୍ଥାୟୀ ପଞ୍ଚାୟତ ଗୃହ ନିର୍ମାଣ ଦାବିରେ ଶତାଧିକ ମହିଳାଙ୍କ ବାଣପୁର ବ୍ଲକ ଘେରାଉ

ସୀତାରାମ ଅଗ୍ରୱାଲ 

ବାଣପୁର: ସ୍ଥାୟୀ ପଞ୍ଚାୟତ ଅଫିସ ଗୃହ ନିର୍ମାଣ ସାଙ୍ଗକୁ ବର୍ତ୍ତମାନର ଅସ୍ଥାୟୀ ଅଫିସ ଗୃହକୁ ନିଜ ୱାର୍ଡରେ କରିବା ଦାବିନେଇ ଭବାନୀପୁର ଗ୍ରାମର ଶତାଧିକ ମହିଳାଙ୍କ ବ୍ଲକ ଅଫିସ ଘେରାଉ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ନୁତନ ଭାବେ ଗଠନ ହୋଇଥିବା ଭବାନିପୁର ପଞ୍ଚାୟତର ଅଫିସ ଗୃହ ନିର୍ମାଣରେ ଅସନ୍ତୋଷ ବ୍ୟକ୍ତ କରି ଭବାନିପୁର ଗ୍ରାମର ଶତାଧିକ ମହିଳା ବ୍ଲକ ଘେରାଉ କରିଥିଲେ।

ସେମାନଙ୍କର ଅଭିଯୋଗ, ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ପଞ୍ଚାୟତ କାର୍ଯ୍ଯାଳୟ ଭବାନିପୁର ୱାର୍ଡରେ କରାଯିବାର ଥିଲା। କିନ୍ତୁ ତାହା ନିକଟସ୍ଥ ଭୁସ୍କାପଡା ଗ୍ରାମକୁ ସ୍ଥାନାନ୍ତରିତ କରାଯାଉଛି। ତେବେ ଏହାକୁ ନେଇ ଆଜି ଗ୍ରାମର ଶତାଧିକ ମହିଳା ବିରୋଧ ପ୍ରଦର୍ଶନ କରିବା ସହ ବ୍ଲକ ଘେରାଉ କରିଥିଲେ। ଏହା ସହିତ ଗତ ଦୁଇଦିନ ତଳେ ଗ୍ରାମର ଶତାଧିକ ମହିଳା ପଞ୍ଚାୟତ ଅଫିସ ମଧ୍ୟ ଘେରାଉ କରିଥିଲେ।

ଏ ସମ୍ପର୍କରେ ଆମେ ବାଣପୁର ବି.ଡି.ଓ ଶୁଭଶ୍ରୀ ତ୍ରିପାଠୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଲେ ଭୁସ୍କାପଡାରେ ସ୍ଥାୟୀ ଅଫିସ ନିର୍ମାଣ କଥା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା ଏକ ଗୁଜବ। ଆଗକୁ ପଞ୍ଚାୟତର ସରପଞ୍ଚ ଏବଂ ସମିତିସଭ୍ୟଙ୍କ ନିଷ୍ପତିନାମା ଅନୁଯାୟୀ ଉକ୍ତ ପ୍ରକଳ୍ପ ନିର୍ମାଣ ହେବ ବୋଲି ବି.ଡ଼ି.ଓ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ବ୍ଲକ ଘେରାଉ କଲେ ସ୍ବୟଂସହାୟିକା ଗୋଷ୍ଠୀର ଶତାଧିକ ମହିଳା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତର ୭୬ଟି ମହିଳା ଏସ୍‌ଏଚ୍‌ଜି ଗ୍ରୁପର ପ୍ରାୟ ଶତାଧିକ ମହିଳା ସଦସ୍ୟା ବାଣପୁର ବ୍ଲକକୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି। ଧାରଣରତ ମହିଳାମାନେ ମହିଳା ମହାସଂଘର ଏମ୍‌ବିକେ, ସିଆରପି, ମହାସଂଘ ସଭାପତି ଓ ସମ୍ପାଦିକାଙ୍କ ବିରୋଧରେ ଅଭିଯୋଗ ଆଣିବା ସହିତ ସେମାନଙ୍କର ବହିଷ୍କାର ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ ମହିଳା ମହାସଂଘକୁ ଆସୁଥିବା ସରକାରୀ ଅନୁଦାନ ତଥା ଏହି ମହାସଂଘର ଆୟବ୍ୟୟର ହିସାବକୁ ଏହି ମହାସଂଘର ଏମ୍‌ବିକେ କଲ୍ୟାଣୀ ପରିଡା, ସାତ ଜଣ ସିଆରପି, ମହାସଂଘ ସଭାପତି ଗୀତାଞ୍ଜଳି ପରିଡା ଓ ସମ୍ପାଦିକା ଲିଲି ସାମନ୍ତରାୟ ମହିଳା ସଭ୍ୟ ତଥା ଇସି ମେମ୍ବରମାନଙ୍କୁ ଜଣାଉନାହାନ୍ତି। ଏ ସମ୍ପର୍କରେ ମହିଳାମାନେ ସମ୍ପାଦିକାଙ୍କୁ ଅଭିଯୋଗ କଲେ ସେ ସେମାନଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଗାଳି ଗୁଲଜ କରୁଛନ୍ତି।

ଅପରପକ୍ଷରେ ଏମ୍‌ବିକେ ଏବଂ ସିଆରପିମାନେ ଅନୁରୂପ ଭାବେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ କୌଣସି କାର୍ଯ୍ୟରେ ସହଯୋଗ କରୁନାହାନ୍ତି କି ଆୟବ୍ୟୟର ସୂଚନା ଦେଉନାହାନ୍ତି। ଏ ସମ୍ପର୍କରେ ଅକ୍ଟୋବର ୬ ତାରିଖରେ ଓଡଗାଁର ଏକ ମନ୍ଦିରଠାରେ ମହିଳାମାନେ ଏହି ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଡାକିଥିଲେ। ଯେଉଁଥିରେ ସିଆରପିମାନେ ଏମ୍‌ବିକେ ଯୋଗଦେଇନଥିବା ସ୍ଥଳେ ମହାସଂଘର ସମ୍ପାଦିକା ଲିଲି ସାମନ୍ତରାୟ ସେମାନଙ୍କୁ ଦୁର୍ବ୍ୟବହାର କରି ବୈଠକରୁ ଉଠି ପଳାଇଥିଲେ।

ଏହାପରେ ଗତ ଅକ୍ଟୋବର ୧୯ ତାରିଖରେ ସମସ୍ତ ମହିଳାମାନେ ବାଣପୁର ବିଡିଓଙ୍କ ଦ୍ବାରସ୍ଥ ହୋଇ ଏହି ସମସ୍ୟାର ସମାଧାନ ପାଇଁ ଦାବିପତ୍ର ଦେଇଥିଲେ। କିନ୍ତୁ ନଭେମ୍ବର ୨ ତାରିଖ ସୁଦ୍ଧା ବାଣପୁର ବ୍ଲକର ଓଏଲଏମ ବିଭାଗ କିମ୍ବା ବିଡିଓଙ୍କ ଦ୍ବାରା ପ୍ରତିଶୃତି ମୁତାବକ କୌଣସି ସମସ୍ୟାର ସମାଧାନ ନ କରାଯିବାରୁ ଆଜି ନ୍ୟାୟ ଦାବିରେ ଶତାଧିକ ମହିଳାମାନେ ବ୍ଲକ ଘେରାଉ କରି ଧାରଣାରେ ବସିଛନ୍ତି।

ଖବର ଲେଖା ହେବା ପର୍ଯ୍ୟନ୍ତ ଦିନ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବିଡିଓ ଆସିନଥିବାବେଳେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ନାହାନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କାରେ ବାଣପୁର ପୋଲିସ୍‌ ଉପସ୍ଥିତ ରହିଛନ୍ତି। ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ସହିତ ଗୋଟିଏ ପ୍ଲାଟୁନ୍‌ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।