ଗ୍ରାମ ସଭାରେ ବୁଲିଲା ଫାର୍ଶା, ଜଣେ ଗୁରୁତର: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାଣପୁର ଥାନାରେ ଶତାଧିକ ମହିଳା

Published: May 21, 2022, 8:01 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗୋଡିଝର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଯେଉଁଥିରେ ଫାର୍ଶା ଚୋଟ ଦ୍ୱାରା ତାଙ୍କ ବାମ ହାତ କ୍ଷତବିକ୍ଷତ ହୋଇଛି। ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଗତକାଲି ରାତିରେ ଗୋଡିଝର ଗ୍ରାମରେ ଠାକୁର ଘର ମରାମତି ପାଇଁ ଗ୍ରାମ କୋଠ ଘରେ ବୈଠକ ବସିଥିଲା। ସେହି ସମୟରେ ହଠାତ ୧୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଗ୍ରାମ ସଭା ନିକଟକୁ ଆସି ଗ୍ରାମବାସୀଙ୍କୁ ଗାଳି କରିବାକୁ ଲାଗିଥିଲେ। ଏହାକୁ ଗ୍ରାମର ବିଜୟ ବରାଳ ଏବଂ ଅନ୍ୟ ବ୍ୟକ୍ତିମାନେ ବିରୋଧ କରିବାରୁ ଉକ୍ତ ଦୁର୍ବୃତ୍ତ ମାନଙ୍କ ମଧ୍ୟରୁ ଜଣେ ଏକ ଫାର୍ଶା ଦ୍ଵାରା ବିଜୟଙ୍କୁ ଆକ୍ରମଣ କରିଥିଲେ।

ଫଳରେ ବିଜୟଙ୍କ ବାମ ହାତ କଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଙ୍ଗେ ସଙ୍ଗେ ବିଜୟଙ୍କୁ ଅନ୍ୟ ଗ୍ରାମବାସୀ ମାନେ ମେଡିକାଲ ନେଇଥିଲେ। ଏ ନେଇ ବିଜୟ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ବିଜୟଙ୍କ ସମେତ ଶତାଧିକ ଗ୍ରାମବାସୀ ଓ ମହିଳା ମାନେ ଆଜି ବାଣପୁର ଥାନାରେ ଏକତ୍ରିତ ହୋଇଥିବାର ଦେଖିବାକୁ ମିଳିଥିଲା।

ମହିଳା ମାନଙ୍କ ଅଭିଯୋଗ ଯେ, ଅଭିଯୁକ୍ତ ଜଣକ ଗ୍ରାମରେ ମଦ ବିକ୍ରି କରି ସଦାବେଳେ ପରିବେଶକୁ ଅଶାନ୍ତି କରୁଛନ୍ତି। ତେଣୁ ତାଙ୍କ ଗ୍ରାମକୁ ମଦମୁକ୍ତ କରିବା ପାଇଁ ମଧ୍ୟ ମହିଳା ମାନେ ପୋଲିସ ନିକଟରେ ଦାବି କରିଛନ୍ତି।

Related posts