Categories
ଆଜିର ଖବର ଜାତୀୟ ଖବର

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ରେଭନ୍ତ ରେଡ୍ଡୀ ଗାରୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ରେଭନ୍ତ ରେଡ୍ଡୀ ଗାରୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ରେଭନ୍ତ ରେଡ୍ଡୀ ଗାରୁଙ୍କୁ ଅଭିନନ୍ଦନ। ରାଜ୍ୟର ପ୍ରଗତି ତଥା ଏହାର ନାଗରିକଙ୍କ କଲ୍ୟାଣ ଲାଗି ମୁଁ ସମସ୍ତ ସମ୍ଭାବ୍ୟ ସମର୍ଥନ ସୁନିଶ୍ଚିତ କରୁଛି।’

Categories
ଆଜିର ଖବର ଜାତୀୟ ଖବର

୩୦ କୋଟି ମୂଲ୍ୟର ସମ୍ପତ୍ତି, ୮୯ ଟି ଅପରାଧିକ ମାମଲା: ଆଜି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବେ ରେଭନ୍ତ ରେଡ୍ଡୀ

ଭୁବନେଶ୍ଵର: କଂଗ୍ରେସ ନେତା ଅନୁମୁଲ ରେଭନ୍ତ ରେଡ୍ଡୀ ଆଜି ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତେଲେଙ୍ଗାନାର ୧୧୯ ଟି ସିଟ୍ ମଧ୍ୟରୁ ୬୪ ଟି ଜିତି କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି, କିନ୍ତୁ ଗତ ନିର୍ବାଚନରେ ​​୮୮ ଟି ସିଟ୍ ଜିତିଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏଥର ମାତ୍ର ୩୯ ଟି ଆସନକୁ ଖସି ଆସିଛି ଏବଂ କେ ଚନ୍ଦ୍ରଶେଖର ରାଓଙ୍କ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସ୍ଵପ୍ନ ଭାଙ୍ଗିଯାଇଛି।

କଂଗ୍ରେସ କାମରେଡି ଏବଂ କୋଡଙ୍ଗଲରୁ ଅନୁମୁଲ ରେଭନ୍ତ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଥିଲା। ପ୍ରକାଶ ଥାଉକି, କାମରେଡିରୁ ରେଭନ୍ତ ରେଡ୍ଡୀ ହାରିଥିବା ବେଳେ କୋଡଙ୍ଗଲ ଆସନ ଜିତିଥିଲେ। କେ ଚନ୍ଦ୍ରଶେଖର ରାଓ ମଧ୍ୟ କାମରେଡି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ଉଭୟ ନେତାଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ର କାଟିପାଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ ପରାସ୍ତ କରିଥିଲେ। ୨୦୧୭ ରେ କଂଗ୍ରେସରେ ଯୋଗ ଦେଇଥିବା ରେଭନ୍ତ ରେଡ୍ଡୀଙ୍କୁ ରାଜ୍ୟରେ ଦଳର ବିଜୟ ପାଇଁ ଶ୍ରେୟ ଦିଆଯାଉଛି। ତାଙ୍କର ୧୭ ବର୍ଷର ରାଜନୈତିକ କ୍ୟାରିଅରରେ ଜିଲ୍ଲା ପରିଷଦର ସଦସ୍ୟ, ବିଧାୟକ ତଥା ସାଂସଦ ହେବା ପରେ ରେଭନ୍ତ ରେଡ୍ଡୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କ ବିଶେଷ ଦିନରେ, ଆସନ୍ତୁ ଜାଣିବା ତାଙ୍କ ପାଖରେ କେତେ ସମ୍ପତ୍ତି ଅଛି ଏବଂ ତାଙ୍କ ବିରୋଧରେ କେତେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି।

କେତେ ସମ୍ପତ୍ତି:

ନାମାଙ୍କନ ପତ୍ର ସମୟରେ ରେଭନ୍ତ ରେଡ୍ଡୀ ଆଫିଡେଭିଟ୍‌ରେ ଦର୍ଶାଇଛନ୍ତି ଯେ, ତାଙ୍କ ପାଖରେ ୩୦ କୋଟି ଟଙ୍କା ମୂଲ୍ୟର ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କର ଆୟକର ରିଟର୍ଣ୍ଣ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ରେଭନ୍ତ ରେଡ୍ଡୀଙ୍କ ଆୟ ୧୩,୭୬,୭୦୦ ଟଙ୍କା ଥିଲା। ୨୦୨୧-୨୨ ରେ ତାଙ୍କର ମୋଟ ଆୟ ୧୪,୩୧,୫୮୦ ଟଙ୍କା ଥିଲା। ରେଭନ୍ତ ରେଡ୍ଡୀ ଏବଂ ତାଙ୍କ ପତ୍ନୀ ଗୀତାଙ୍କ ନାମରେ ଯାନ, ସେୟାର, ବଣ୍ଡ, ନଗଦ, ବ୍ୟାଙ୍କ ବାଲାନ୍ସ ଏବଂ ଅଳଙ୍କାର ସହିତ ଅନେକ ଚଳନ ସମ୍ପତ୍ତି ଅଛି। ରେଭନ୍ତ ରେଡ୍ଡୀଙ୍କ ୨,୧୮,୯୩,୩୪୩ ମୂଲ୍ୟର ଚଳନ ସମ୍ପତ୍ତି ଥିବାବେଳେ ଗୀତା ରେଡ୍ଡୀଙ୍କ ୨,୯୨,୬୮,୦୦୯ ଟଙ୍କା ମୂଲ୍ୟର ଚଳନ ସମ୍ପତ୍ତି ରହିଛି। ଅସ୍ଥାବର ସମ୍ପତ୍ତି ବିଷୟରେ କହିବାକୁ ଗଲେ ରେଭନ୍ତ ରେଡ୍ଡୀଙ୍କ ସମ୍ପତ୍ତି ୮,୬୨,୩୩,୫୬୭ ଟଙ୍କା ଥିବାବେଳେ ଗୀତା ରେଡ୍ଡୀଙ୍କ ୧୫,୦୨,୬୭,୨୨୫ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅଛି। ଅସ୍ଥାବର ସମ୍ପତ୍ତିରେ ଜମି, କୃଷି ଜମି ଏବଂ ଘର ଅନ୍ତର୍ଭୁକ୍ତ।

Categories
ଆଜିର ଖବର ରାଜ୍ୟ ଖବର

ଶପଥ ଗ୍ରହଣ କଲେ ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଆଜି ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ରଘୁବର ଦାସ। ତାଙ୍କୁ ଶପଥ କରାଇଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଦ୍ୟୁତ ରଂଜନ ଷଡଙ୍ଗୀ। ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ରଘୁବର।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବହୁ ମନ୍ତ୍ରୀ ବିଧାୟକ ଯୋଗଦେଇଥିଲେ। ସେହିପରି କେତେକ ବିଚାରପତିଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କରାଯାଇଥିଲା। ଏଥିସହିତ ମୁଖ୍ୟଶାସନ ସଚିବ, ପୋଲିସ ଡିଜି ପ୍ରମୁଖ ଯୋଗଦେଇଥିଲେ। ଶପଥ ପରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ଶପଥ ନେବା ପୂର୍ବରୁ ରାଜ୍ୟପାଳ ରଘୁବର ଦାସ ଲିଙ୍ଗରାଜ ମନ୍ଦିର ଯାଇ ସେଠାରେ ପ୍ରଭୃଙ୍କୁ ଦର୍ଶନ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁରର ନବମ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶଜ ଥର୍ମନ୍ ଶନମୁଗରତ୍ନମ୍, ଶପଥ ଗ୍ରହଣ ପରେ ନେଲେ ଦାୟିତ୍ଵ

ନୂଆଦିଲ୍ଲୀ: ଆଜି ସିଙ୍ଗାପୁରର ରାଷ୍ଟ୍ରପତି ଭାବରେ ଭାରତୀୟ ବଂଶଜ ଥର୍ମନ୍ ଶନମୁଗରତ୍ନମ୍ ଶପଥ ଗ୍ରହଣ କରିଛନ୍ତି। ସେ ସିଙ୍ଗାପୁରର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ହଲିମା ୟାକୁବଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୩ ତାରିଖରେ ଶେଷ ହୋଇଥିଲା। ଏଭଳି ପରିସ୍ଥିତିରେ ଥର୍ମନ୍ ଶନମୁଗରତ୍ନମ୍ ଆଜି ରାଷ୍ଟ୍ରପତି ଭାବରେ ତାଙ୍କର କାର୍ଯ୍ୟକାଳ ଗ୍ରହଣ କରିବେ ବୋଲି ବିଶ୍ୱାସ କରାଯାଉଥିଲା।

ଏହାପୂର୍ବରୁ, ୬୬ ବର୍ଷୀୟ ଶ୍ରୀ ଶନମୁଗରତ୍ନମ୍ ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନରେ ​​ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଥିଲେ। ସେ ଚୀନ୍‌ର କୋକ ସାଙ୍ଗ ଏବଂ ଟାନ୍ କିନ୍ ଲିଆନ୍ ଙ୍କୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲେ। କୋକ ୧୫.୨ ପ୍ରତିଶତ ଭୋଟ୍ ଏବଂ ଟାନ୍ ୧୩.୮୮ ପ୍ରତିଶତ ଭୋଟ୍ ପାଇଥିଲେ। ଏଥି ସହିତ, ଥର୍ମନ୍ ଶନମୁଗରତ୍ନମ୍ ୭୦.୪ ପ୍ରତିଶତ ଅର୍ଥାତ୍ ୧୭ ଲକ୍ଷ ୪୬ ହଜାର ୪୨୭ ଭୋଟ୍ ପାଇଥିଲେ। ପ୍ରକାଶ ଯେ ସେପ୍ଟେମ୍ବର ୧ ତାରିଖରେ ସିଙ୍ଗାପୁରରେ ରାଷ୍ଟ୍ରପତି ପଦ ପାଇଁ ଭୋଟ୍ ଅନୁଷ୍ଠିତ ହୋଇଥିଲା।

ଭାରତୀୟଙ୍କ ଆଧିପତ୍ୟ ବୃଦ୍ଧି ପାଉଛି:

ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କରି ଥର୍ମନ୍ ଶନମୁଗରତ୍ନମ୍ ମଧ୍ୟ ଭାରତୀୟ ତାଲିକାରେ ଯୋଗ ଦେଇଛନ୍ତି ଯେଉଁମାନେ ସାରା ବିଶ୍ୱରେ ଭାରତକୁ ଗର୍ବିତ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ରାଜନୀତିରେ ଭାରତୀୟମାନଙ୍କର ପ୍ରାଧାନ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆମେରିକା ଏବଂ ଇଂଲଣ୍ଡ ସମେତ ୧୫ ଟି ଦେଶରେ ନେତୃତ୍ୱ ଶ୍ରେଣୀରେ ୨୦୦ ରୁ ଅଧିକ ଲୋକ ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ୬୦ଟି କ୍ୟାବିନେଟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପଦବୀରେ ଅଛନ୍ତି।

ଏହାପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍, ଆମେରିକାର ସାଂସଦ ରାଜା କୃଷ୍ଣମୂର୍ତ୍ତି, ରୋ ଖାନ୍ନା, ପ୍ରମିଲା ଜୟପାଲ, ଶ୍ରୀ ଥାନେଦାରଙ୍କ ଭଳି ଅନେକ ନାମ ରହିଛି, ଯେଉଁମାନେ ଭାରତୀୟଙ୍କ ପ୍ରଭାବ ବଢାଇବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଥର୍ମନ୍ ଶନମୁଗରତ୍ନମ୍ ଙ୍କ ନାମ ମଧ୍ୟ ଯୋଡା ଯାଇଛି। ତାଙ୍କ ଜେଜେବାପା ଊନବିଂଶ ଶତାବ୍ଦୀରେ ତାମିଲନାଡୁରୁ ସିଙ୍ଗାପୁରରେ ଅବସ୍ଥାନ କରିଥିଲେ, ଯେଉଁଠାରେ ତାମିଲ ଜନସଂଖ୍ୟା ପ୍ରାୟ ନଅ ପ୍ରତିଶତ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କ ଶପଥ ଗ୍ରହଣ

ଭୁବନେଶ୍ଵର: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଦିବଙ୍ଗତ ବିଜେଡ଼ି ନେତା ନବ ଦାସଙ୍କ ଝିଅଦୀପାଳି ଦାସ ଆଜିଠୁ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଆଜି ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି। ଦୀପାଳିଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂ ଶପଥପାଠ କରାଇଛନ୍ତି।

ଶପଥ ନେବା ପରେ ଦୀପାଳି କହିଛନ୍ତି ଯେ, “ଝାରସୁଗୁଡାବାସୀଙ୍କ ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ଦେଇଛନ୍ତି। ଦଳ ପ୍ରତି ଆନୁଗତ୍ୟ ରଖି କାମ କରିବି ବୋଲି ସେ ଆଜି ଶପଥ ନେଇଥିବା କହିଛନ୍ତି। ବାପାଙ୍କ ନୀତି ଓ ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ କାମ କରବି। ଝାରସୁଗୁଡାର ବିକାଶ ପାଇଁ ତାଙ୍କ ବାପାଙ୍କର ଯେଉଁ ସ୍ୱପ୍ନ ଥିଲା ତାହାକୁ ପୂରଣ କରିବି।”

ଉଲ୍ଲେଖ ଥାଉ କି ଶପଥ ନେବା ପାଇଁ ଦୀପାଳି ଦିନ ୧୦ଟା ୩୦ରେ ବିଧାନସଭାରେ ପହଂଚିଥିଲେ। ତାଙ୍କ ସାଥିରେ ଭାଇ, ଭାଉଜ ଓ ମା’ ମଧ୍ୟ ବିଧାନସଭାରେ ପହଞ୍ଚିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟ: ଆଜି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଭୁପେନ୍ଦ୍ର ପଟେଲ

ଅହମ୍ମଦାବାଦ: ଭାରତୀୟ ଜନତା ପାର୍ଟି (ବିଜେପି) ର ରେକର୍ଡ ବିଜୟ ପରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଲଗାତାର ଦ୍ୱିତୀୟ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ପଟେଲ ଶପଥ ଗ୍ରହଣ କରିବେ। ଆଜି ଅପରାହ୍ନ ୨ ଟାରେ ଗାନ୍ଧିନଗରର ହେଲିପ୍ୟାଡ ପଡିଆରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବହୁ କେନ୍ଦ୍ର ମନ୍ତ୍ରୀ ଯୋଗଦେବେ।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ଗ୍ରହଣ ଅନୁଷ୍ଠିତ

ଖୋର୍ଦ୍ଧା: ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ତା.୩୧.୧୦.୨୦୨୨ ଠାରୁ ତା.୦୬.୧୧.୨୦୨୨ ପର୍ଯ୍ୟନ୍ତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସତ୍ୟନିଷ୍ଠାର ଶପଥପାଠ କରାଇଛନ୍ତି। ଏହି ମର୍ମରେ ଜିଲ୍ଲା କାର୍ଯ୍ୟାଳୟ ଓ ବିଭିନ୍ନ ବ୍ଲକସ୍ଥିତ ଓସୱାନ ହଲରେ ଅଧିକାରୀ ଓ କର୍ମଚାରୀ ମନେ ସତ୍ୟନିଷ୍ଠର ଶପଥ ନେଇଛନ୍ତି।

ଜଟଣୀ ବ୍ଲକରେ ଆଜି ଜନଶୁଣାଣି ଶିବିର ଥିବାରୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ସଂପୃକ୍ତ ବିଡିଓ ଓ ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ବ୍ଲକ ଓସୱାନ ହଲରେ ଯୋଗଦେଇ ଶପଥ ନେଇଥିଲେ।

ସେହିଭଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ କକ୍ଷରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଆପଦ କାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଶପଥପାଠରେ ସାମିଲ ହୋଇଥିଲେ।

ଅନୁରୂପ ଭାବେ ବିଭିନ୍ନ ବ୍ଲକରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ, ଆଶା ଓ ଅଙ୍ଗନୱାଡି କର୍ମୀ, ବୁଦ୍ଧିଜୀବୀ, ସାଧାରଣ ନାଗରିକ ମଧ୍ୟ ଯୋଗଦେଇଥିଲେ।

Categories
ବିଶେଷ ଖବର

ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଆଜି (୧୧-ଠ୮-୨ଠ୨୨) ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି। ଜଣେ ସ୍ୱନାମଧନ୍ୟ ଆଇନଜ୍ଞ ଓ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଶ୍ରୀ ଧନଖଡ଼ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଶପଥ ପାଠ କରାଇଥିଲେ।

ଶପଥ ଗ୍ରହଣ କରିବା ପୂର୍ବରୁ ଶ୍ରୀ ଧନଖଡ଼ ଆଜି ସକାଳେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। “ପୂଜ୍ୟ ବାପୁଙ୍କୁ ସମ୍ମାନ ପ୍ରଦର୍ଶନ କରି ନିଜକୁ ଅନୁପ୍ରାଣିତ ଓ ଉତ୍ସାହୀ ହୋଇ ରାଜଘାଟର ପୂଣ୍ୟ ପରିବେଶରେ ଭାରତର ସେବା ପାଇଁ ବ୍ରତୀ ହେବେ” ବୋଲି ଟ୍ୱିଟ୍ କରିଛନ୍ତି।

ଜଗଦୀପ ଧନଖଡ଼ଙ୍କ ସମ୍ପର୍କରେ ସମ୍ୟକ ସୂଚନା ନିମ୍ନରେ ପ୍ରଦତ୍ତ ହୋଇଛି

ଶ୍ରୀ ଧନଖଡ଼ ତାଙ୍କର ପ୍ରାଥମିକ ଶିକ୍ଷା କିଥନା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଲାଭ କରିଥିଲେ। ତା’ପରେ ସେ ଗର୍ଧନାର ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଚିତ୍ତୋରଗଡ଼ର ସୈନିକ ସ୍କୁଲରୁ ଶିକ୍ଷା ଲାଭ କରିଥିଲେ। ମହାବିଦ୍ୟାଳୟ ଶିକ୍ଷା ପାଇଁ ଶ୍ରୀ ଧନଖଡ଼ ମହାରାଜା କଲେଜରେ ଯୋଗଦେଇ ପଦାର୍ଥ ବିଜ୍ଞାନ ସମ୍ମାନ ସହ ବିଏସସି ଉତ୍ତୀର୍ଣ୍ଣ ହେଲେ। ତା’ପରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ହେଲେ।

ଜଗଦୀପ ଧନଖଡ଼ ଜଣେ ଆଇନଜୀବୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ତାଙ୍କ ବଂଶର ପ୍ରଥମ ବୃତ୍ତିଧାରୀ ହେବା ସତ୍ତ୍ୱେ ସେ ଦେଶର ଜଣେ ବିଶିଷ୍ଟ ଆଇନ ବିଶାରଦ ଭାବେ ଖ୍ୟାତି ଅର୍ଜନ କରିଥିଲେ। ୧୯୯ଠ ମସିହାରେ ସେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବରିଷ୍ଠ ଆଡଭୋକେଟ ମାନ୍ୟତା ପାଇଥିଲେ। ତା’ ପରଠାରୁ ଜଗଦୀପ ଧନଖଡ଼ ସୁପ୍ରିମକୋର୍ଟରେ ପ୍ରାଥମିକ ଆଇନ ବ୍ୟବସାୟ କରୁଥିଲେ। ଇସ୍ପାତ, କୋଇଲା, ଖଣିଜ ଓ ଅନ୍ତର୍ଜାତୀୟ ବାଣିଜ୍ୟିକ ମଧ୍ୟସ୍ଥତା ଇତ୍ୟାଦି ତାଙ୍କର ପ୍ରମୁଖ କ୍ଷେତ୍ର ଥିଲା। ସେ ଦେଶର ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ନ୍ୟାୟିକ ସେବା କରିବା ସହ ଜୁଲାଇ ୩ଠ, ୨ଠ୧୯ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ରାଜ୍ୟର ବରିଷ୍ଠତମ ଆଡଭୋକେଟ ଭାବେ କାର୍ଯ୍ୟ କରିଥିଲେ। ଆଇନ ବୃତ୍ତି କାଳରେ ଶ୍ରୀ ଧନଖଡ଼ ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନ ଜୟପୁରର ସର୍ବକନିଷ୍ଠ ସଭାପତି ଭାବେ ୧୯୮୭ ମସିହାରେ ନିର୍ବାଚିତ ହୋଇଥିଲେ। ବର୍ଷକ ପରେ ସେ ୧୯୮୮ରେ ରାଜସ୍ଥାନ ବାର କାଉନସିଲର ଜଣେ ସଦସ୍ୟ ମଧ୍ୟ ହୋଇ ପାରିଥିଲେ।

ସଂସଦ ସାଧାରଣ ଜୀବନ

ଜଗଦୀପ ଧନଖଡ଼ ୧୯୮୯ରେ ଝୁନଝୁନ ସଂସଦୀୟ କ୍ଷେତ୍ରରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ପରେ ସେ ୧୯୯ଠ ମସିହାରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ। ୧୯୯୩ ମସିହାରେ ସେ ଆଜମେର ଜିଲ୍ଲା କିଶନଗଡ଼ ନିର୍ବାଚନ ମଣ୍ଡଳୀରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଧାୟକ ଭାବେ ଶ୍ରୀ ଧନଖଡ଼ ଲୋକସଭା ଓ ରାଜସ୍ଥାନ ବିଧାନସଭାର ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। କେନ୍ଦ୍ରମନ୍ତ୍ରୀ ଭାବେ ସେ ସଂସଦୀୟ ପ୍ରତିନିଧି ଦଳର ଉପନେତା ଭାବେ ୟୁରୋପୀୟ ସଂସଦକୁ ଯାଇଥିଲେ। ଜୁଲାଇ ୨ଠ୧୯ରେ ଶ୍ରୀ ଧନଖଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ।

ବ୍ୟକ୍ତିଗତ ବୃତ୍ତାନ୍ତ

ନାମ: ଜଗଦୀପ ଧନଖଡ଼

ପିତାଙ୍କ ନାମ: ସ୍ୱର୍ଗତଃ ଗୋଲଖ ଚାନ୍ଦ

ମାତାଙ୍କ ନାମ: ସ୍ୱର୍ଗତଃ କେଶରୀ ଦେବୀ

ଜନ୍ମ ତାରିଖ: ମେ’ ୧୮, ୧୯୫୧

ଜନ୍ମ ସ୍ଥାନ: ଗ୍ରାମ- କିଥନା, ଜିଲ୍ଲା ଝୁନଝୁନ, ରାଜସ୍ଥାନ

ବୈବାହିକ ସ୍ଥିତି: ବିବାହିତ (୧୯୭୯ ମସିହା)

ପତ୍ନୀଙ୍କ ନାମ: ଡକ୍ଟର ସୁଦେଶ ଧନଖଡ଼

ସନ୍ତାନ: ଏକମାତ୍ର କନ୍ୟା (ଶ୍ରୀମତୀ କାମନା)

ପୁସ୍ତକ ପଠନ ପ୍ରବୀଣ ଶ୍ରୀ ଧନଖଡ଼ ମଧ୍ୟ ଜଣେ କ୍ରୀଡ଼ାପ୍ରେମୀ। ସେ ରାଜସ୍ଥାନ ଅଲିମ୍ପିକ ସଂଘ ଓ ରାଜସ୍ଥାନ ଟେନିସ୍ ସଂଘର ସଭାପତି ଥିଲେ। ସଂଗୀତ ଓ ଭ୍ରମଣରେ ତାଙ୍କର ଅନ୍ୟତମ ରୁଚି ରହିଛି। ସେ ଯୁକ୍ତରାଷ୍ଟ, କାନାଡ଼ା, ୟୁକେ, ଇଟାଲୀ, ସ୍ୱିଜରଲାଣ୍ଡ, ଜର୍ମାନୀ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଚୀନ, ହଂକଂ ଓ ସିଙ୍ଗାପୁର ଇତ୍ୟାଦି ଦେଶ ସମେତ ଅନେକ ରାଷ୍ଟ୍ର ଗସ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ଶପଥ ଗ୍ରହଣ: ସାତୋଟି ଦଳର ନେତୃତ୍ଵ ନେବେ ନୀତୀଶ କୁମାର

ପାଟନା: ଜେଡିୟୁ ନେତା ନୀତୀଶ କୁମାର ଆଜି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆରଜେଡି ନେତା ତେଜସ୍ୱୀ ଯାଦବ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। ଅପରାହ୍ନ ୨ ଟାରେ ରାଜ ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପରେ ଦୁଇ ସଦସ୍ୟ ବିଶିଷ୍ଟ କ୍ୟାବିନେଟରେ ଅଧିକ ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସୂତ୍ରରୁ ପ୍ରକାଶ। ବିଜେପି ନେତୃତ୍ୱାଧୀନ ଏନଡିଏ ଛାଡି କୁମାର ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ସାତୋଟି ଦଳର ଏକ ମିଳିତ ମେଣ୍ଟର ନେତୃତ୍ୱ ନେବେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ନୂଆଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାରଣ କଣ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରିଦିନିଆ ନୂଆଦିଲ୍ଲୀ ଗସ୍ତ କରିବେ। ଏହି ଗସ୍ତକାଳରେ ସେ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ଏଥିସହିତ ସେ ଦିଲ୍ଲୀରେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ଗତକାଲି ଫୋନ ଯୋଗେ ଦ୍ରୌପଦୀ ମୁର୍ମୁଙ୍କ ସହିତ କଥା ହୋଇଥିଲେ। ସେ ଏହି ଶପଥ ସମାରୋହରେ ଯୋଗଦେବେ ବୋଲି ତାଙ୍କୁ ଜଣାଇଥିଲେ। ସେ ଆସନ୍ତା ମଙ୍ଗଳବାର ଦିନ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର

ଶେଷ ହେଲା ମହାରାଷ୍ଟ୍ରର ମହାନାଟକ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ: ଶେଷ ହେଲା ମହାରାଷ୍ଟ୍ରର ମହାନାଟକ। ପ୍ରାୟ ଏକ ସପ୍ତାହ ଧରି ଚାଲିଥିବା ରାଜନୈତିକ ଅଶାନ୍ତିର ଅନ୍ତ ଘଟିଛି। ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିପରି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍  ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶାରି ଶପଥ ପାଠ କରାଇଥିଲେ।

ମହାରାଷ୍ଟ୍ରର ରାଜନୈତିକ ଅସ୍ତିରତା ଚରମ ସୀମାରେ ପହଞ୍ଚିଥିଲା। ଉଦ୍ଦବ ଠାକରେ ତାଙ୍କର ପଦବୀ ସୁରକ୍ଷିତ ରଖିବା ସହଜ ହୋଇନଥିଲା। ଏପରିକି ରାଜ୍ୟରେ ଶାସନ ଭାର କିଏ ଗ୍ରହଣ କରିବ ସେ ନେଇ ସମସ୍ତେ ସନ୍ଦେହରେ ଥିଲେ।

ହେଲେ ଏକ ଅପ୍ରତ୍ୟାଶିତ ଘଟଣାରେ ଫଡନାଭିସ୍ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଏକନାଥ ସିନ୍ଦେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ। ସିନ୍ଦେ ଏବଂ ଫଡନାଭିସ୍ ରାଜଭବନରେ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ଭେଟିବାକୁ ଯାଇ କିଛି ସମୟ ପରେ ଏହି ଘୋଷଣା କରାଯାଇଥିଲା।

ଏହାପରେ ସମସ୍ତେ ନିଶ୍ଚିତ ହେଲେ ଯେ, ବିଜେପି ସମର୍ଥନରେ ସିନ୍ଦେ ଶାସନ କରିବେ। ଏହାପରେ ଅମିତ ସାହା ଟୁଇଟ କରି ଜଣାଇ ଦେଲେ ଯେ, ଫଡନାଭିସ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ। ଫଳରେ ଉଭୟ ସିନ୍ଦେ ଏବଂ ଫଡନାଭିସ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ସନ୍ଧ୍ୟା ୭ ଟାରେ ଶପଥ ଗ୍ରହଣ କରିବେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଦେ

ମୁମ୍ବାଇ: ଆଜି ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଉପ-ମୁକୟାମନ୍ତ୍ରୀ ଭାବରେ ଏକନାଥ ସିନ୍ଦେ ଶପଥ ଗ୍ରହଣ କରିବେ। ସୂତ୍ରରୁ ପ୍ରକାଶ ଯେ ସନ୍ଧ୍ୟା ୭ ଟାରେ ରାଜ ଭବନରେ ଏକ କାର୍ଯ୍ୟକ୍ରମରେ ଏହି ସମାରୋହ ଆୟୋଜିତ ହେବ। ଯେଉଁଠାରେ ଉଭୟ ନେତାଙ୍କୁ ରାଜ୍ୟପାଳ ଭାଗବତ ସିଂ କୋଶାୟାରିଙ୍କ ଶପଥ ଗ୍ରହଣ କରାଇବେ।

ଏହାପୂର୍ବରୁ ଗୋଆରୁ ଏକନାଥ ସିନ୍ଦେ ମୁମ୍ବାଇରେ ପହଞ୍ଚି ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ। ଏହି ସମୟରେ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏହି ସାକ୍ଷାତ ପରେ ଫଡନାଭିସ୍ ଏବଂ ସିନ୍ଦେ ସିଧାସଳଖ ରାଜ ଭବନରେ ପହଞ୍ଚିଛନ୍ତି। ଏଠାରେ ରାଜ୍ୟପାଳ ଭାଗବତ ସିଂ କୋଶାୟାରିଙ୍କୁ ଭେଟିବେ ଏବଂ ସରକାର ଗଠନ ପାଇଁ ଦାବି କରିବେ।

ଦେବେନ୍ଦ୍ର ଫଡନାଭିସ୍ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶିବସେନା ସହିତ ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ମହା ବିକାଶ ଆଗାଡି (MVA) ସରକାର ସଂଖ୍ୟାଲଘୁ ହ୍ରାସ କରିଥିଲା। ଏଭଳି ପରିସ୍ଥିତିରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏବେ ବିଜେପି ଶିବସେନା ବିଦ୍ରୋହୀଙ୍କ ସହ ସରକାର ଗଠନ କରିବାକୁ ଯାଉଛି।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଓଡିଶାର ନିରଂଜନ ବିଶି

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ନିରଞ୍ଜନ ବିଶି। ଆଜି ରାଜ୍ୟସଭାରେ ତାଙ୍କୁ ସଭାପତି ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଶପଥ କରାଇଥିଲେ। ଆଜି ଦେଶର ବିଭିନ୍ନ ରାଜ୍ୟରୁ ରାଜ୍ୟସଭା ଉପନିର୍ବାଚନରେ ଜିତି ଥିବା ସାଂସଦଙ୍କୁ ଶପଥ ପାଠ କରାଯାଇଥିଲା।

ଓଡିଶାରେ ରାଜ୍ୟସଭାର ଗୋଟିଏ ଆସନ ପାଇଁ ଉପନିର୍ବାଚନରେ ହୋଇଥିଲେ। ଏଥିରେ ବିଜେଡିର ନିରଞ୍ଜନ ବିଶି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଫଳରେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ। ସେହିପରି ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ରାଜ୍ୟସଭା ନିର୍ବାଚନରେ ବିଜୟ ହୋଇଛନ୍ତି। ସେମାନଙ୍କ ଶପଥପାଠ ଆସନ୍ତା ମାସ 5 ତାରିଖରେ ହେବାର ସମ୍ଭାବନା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶପଥ ନେଇଥିବା ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଉପରେ ଜାଣନ୍ତୁ ଏହି ୧୦ଟି ରୋଚକ କଥା

ଭୁବନେଶ୍ବର: ଆଜି ଲୋକସେବା ଭବନର କନଭେନସନ ହଲରେ ନବୀନ ପଟ୍ଟନାୟକଙ୍କ ନୂଆ ଟିମ ଶପଥ ଗ୍ରହଣ କରିଛନ୍ତି। ଏଥିରେ ନବୀନ ୧୩ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇଛନ୍ତି। ତେବେ ଏଥିସହିତ ଏହି ମନ୍ତ୍ରୀ ମଣ୍ଡଳ ଉପରେ କିଛି ରୋଚକ କଥା ଅଛି, ଯାହା ଆପଣ ଜାଣିବା ନିହାତି ଆବଶ୍ୟକ। ସେଗୁଡିକ ହେଲା

୧- ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ୧୩ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

୨-ନୂଆ ମନ୍ତ୍ରୀ ମଣ୍ଡଳରେ ନଅ ଜଣ ମନ୍ତ୍ରୀ ପୁଣି ଥରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ ହୋଇଛନ୍ତି। ଏମାନଙ୍କୁ ନବୀନଙ୍କ ନବରତ୍ନ ବୋଲି କୁହାଯିବ।

୩-ଏଥର ନବୀନ ପାଞ୍ଚ ଜଣ ମହିଳାଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରିଛନ୍ତି। ମହିଳା ସଂରକ୍ଷଣ କହୁଥିବା ନବୀନ ତାହା ନିଜେ କରି ଦେଖାଇଛନ୍ତି।

୪-ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ୬ ଜଣ ସ୍ନାତକୋତ୍ତର ଶିକ୍ଷାଗତ ଯୋଗ୍ୟତା ରହିଛି।

୫- ନବୀନଙ୍କ ନୂଆ ଟିମରେ ୩ ଜଣ ମନ୍ତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଇଂଜିନିୟରିଂ

୬-  ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀଙ୍କ ମଧ୍ୟରେ ୧୦ ଜଣ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏସନ

୭- ନବୀନ ଯୁବ ଗୋଷ୍ଠୀକୁ ପ୍ରାଧାନ୍ୟ ଦେଉଥିବାରୁ ବର୍ତ୍ତମାନ ୯ ଜଣ ଏମିତି ମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କର ବୟସ ୫୦ କିମ୍ବା ତାହାଠାରୁ କମ।

୮- ପ୍ରଥମ ଥର ପାଇଁ ନବୀନ ୬ ଜଣ ନୂଆ ମୁହଁଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରିଛନ୍ତି। ସେମାନେ ହେଲେ ରାଜେନ୍ଦ୍ର ଢୋଲକିଆ, ପ୍ରୀତିରଂଜନ ଘଡାଇ, ରୋହିତ ପୂଜାରୀ, ରୀତା ସାହୁ, ବାସନ୍ତି ହେମ୍ବ୍ରମ, ଶ୍ରୀକାନ୍ତ ସାହୁ।

୯- ଜଗନ୍ନାଥ ନାମିତ ଜଣେ ମନ୍ତ୍ରୀଙ୍କୁ ନବୀନ ନୂଆ ମନ୍ତ୍ରୀ ମଣ୍ଡଳର ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେବା ପାଇଁ ନିଷ୍ପତି କରିଥିଲେ। ସେହି ଅନୁସାରେ ଜଗନ୍ନାଥ ସାରକା ଶପଥ ନେଇଥିଲେ।

୧୦- ପ୍ରଥମ ଥର ପାଇଁ ଶପଥ ଗ୍ରହଣ ଉତ୍ସବ ରାଜଭବନ ପରିବର୍ତ୍ତେ ଲୋକସେବା ଭବନରେ କରାଯାଇଥିଲା।  ୨୦୧୯ ରେ ମଧ୍ୟ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପ୍ରଦର୍ଶନୀ ପଡିଆରେ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶପଥ ନେଲେ ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ, ଜଗନ୍ନାଥଙ୍କ ନାମରୁ ଆରମ୍ଭ ହେଲା ଶପଥ ଗ୍ରହଣ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଅନୁଷ୍ଠିତ ହୋଇଛି। ଭୁବନେଶ୍ବରର ଲୋକସେବା ଭବନରେ ଥିବା କନଭେନସନ ହଲରେ ଏହି ଉତ୍ସବ ଆୟୋଜିତ ହୋଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।

ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ନବୀନ 13 ଜଣ କ୍ୟାବିନେଟ ଏବଂ 8 ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇଛନ୍ତି। ଏଥିରେ ପ୍ରଥମ ଥର ପାଇଁ 7 ଜଣ ପୁରା ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ତେବେ ଏହି ଶପଥ ଗ୍ରହଣ ଜଗନ୍ନାଥଙ୍କ ନାମରୁ ଆରମ୍ଭ ହୋଇଛି। ପ୍ରଥମ ମନ୍ତ୍ରୀଭାବେ ଶପଥ ନେଇଛନ୍ତି ଜଗନ୍ନାଥ ସାରକା। ଯେଉଁ ମନ୍ତ୍ରୀମାନେ ଶପଥ ନେଲେ ସେମାନେ ହେଲେ..

କ୍ୟାବିନେଟ ମନ୍ତ୍ରୀ

1-ଜଗନ୍ନାଥ ସାରକା, ବିଷମ କଟକ ବିଧାୟକ

2-ନିରଞ୍ଜନ ପୂଜାରୀ, ସୋନପୁର ବିଧାୟକ

3-ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଆଠଗଡ କଟକ

4-ପ୍ରମିଳା ମଲ୍ଲିକ, ଯାଜପୁର ବିଂଝାରପୁର

5-ଉଷା ଦେବୀ, ଚିକିଟି ବିଧାୟିକା

6-ପ୍ରଫୁଲ କୁମାର ମଲ୍ଲିକ, ଢେଙ୍କାନାଳ କାମାକ୍ଷାନଗର

7-ପ୍ରତାପ ଦେବ, ଆଳି ବିଧାୟକ, କେନ୍ଦ୍ରାପଡା

8-ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ମହାକାଳପଡା

9-ପ୍ରଦୀପ କୁମାର ଅମାତ, ବୌଦ୍ଧ 5 ଥର ବିଧାୟକ

10- ନବ କିଶୋର ଦାସ, ଝାରସୁଗୁଡା ବିଧାୟକ, ଝାରସୁଗୁଡା

11- ଅଶୋକ ଚନ୍ଦ୍ର ପଣ୍ଡା, ଏକାମ୍ର ଭୁବନେଶ୍ବର ବିଧାୟକ, ଖୋର୍ଦ୍ଧା

12- ଟୁକୁନି ସାହୁ ଟିଟିଲାଗଡ ବିଧାୟିକା, ବଲାଙ୍ଗୀର

13- ରାଜେନ୍ଦ୍ର ଢୋଲକିଆ, ନୂଆପଡା ବିଧାୟକ

ରାଷ୍ଟ୍ରମନ୍ତ୍ରୀ

1-ସମୀର ରଂଜନ ଦାସ , ନିମାପଡା ବିଧାୟକ, ପୁରୀ

2-ଅଶ୍ବିନୀ କୁମାର ପାତ୍ର, ଜଳେଶ୍ବର, ବାଲେସ୍ବର

3- ପ୍ରୀତିରଂଜନ ଘଡାଇ, ସୁକିନ୍ଦା ଯାଜପୁର

4-ଶ୍ରୀକାନ୍ତ ସାହୁ, ପୋଲସରା ବିଧାୟକ ଗଂଜାମ

5-ତୁଷାରକାନ୍ତି ବେହେରା, କାକଟପୁର ବିଧାୟକ

6-ରୋହିତ ପୂଜାରୀ , ରେଢାଖୋଲ ବିଧାୟକ

7- ରିତା ସାହୁ, ବିଜେପୁର ବିଧାୟିକା

8-ବାସନ୍ତୀ ହେମ୍ବ୍ରମ , କରଂଜିଆ ମୟୁର ଭଂଜ

Categories
ଆଜିର ଖବର ରାଜ୍ୟ ଖବର

ଆଜି ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ,ଏଥର ଏକ ନୂଆ ସ୍ଥାନରେ ହେବ ଉତ୍ସବ

ଭୁବନେଶ୍ବର : ଆଜି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ। ପୂର୍ବାହ୍ନ ପ୍ରାୟ ୧୧.୪୫ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ଶପଥପାଠ କରାଇବେ। ତେବେ ପୂର୍ବପରି ରାଜଭଭନରେ ଏହି ଉତ୍ସବ ହେବ ନାହିଁ। ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳ ଶପଥ ଉତ୍ସବ ଲୋକସେବା ଭବନ କନଭେନସନ ସେଣ୍ଚରରେ ଆୟୋଜିତ ହେବ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ବାଚସ୍ପତିଙ୍କ ସମେତ ରାଜ୍ୟର ସମସ୍ତ ୨୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ଅନେକ ବିଧାୟକଙ୍କୁ ଯାଇଛି ଫୋନ୍ କଲ। ସେମାନେ ହେଲେ ନବ କିଶୋର ଦାସ, ସମୀର ରଞ୍ଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ପ୍ରତାପ ଦେବ, ଅତନୁ ସବ୍ୟସାଚି ନାୟକ ଏବଂ ରୋହିତ ପୂଜାରୀ।

ସେହିପରି ରାଜେନ୍ଦ୍ର ଢୋଲକିଆ, ପ୍ରମିଳା ମଲ୍ଲିକ, ଶ୍ରୀକାନ୍ତ ସାହୁ, ଅଶ୍ବିନୀ କୁମାର ପାତ୍ର,  ରୀତା ସାହୁ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଦୀପ ଅମାତ, ପ୍ରୀତିରଞ୍ଜନ ଘଡେଇ ଓ  ନିରଞ୍ଜନ ପୂଜାରୀ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି।

Categories
ଆଜିର ଖବର

ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର୍ସ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର: ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର୍ସ ସଂଘର ୨୦୨୨-୨୩ ବର୍ଷ ନିମନ୍ତେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କର ଶପଥପାଠ ଉତ୍ସବ ଓ ଦାୟିତ୍ୱ ଗ୍ରହଣ ୨୦ ତାରିଖ ଦିନ ବିଜେବି ନଗରସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସାଧାରଣ ସମ୍ପାଦକ ତଥା ସଂଘର ବୟୋଜ୍ୟେଷ୍ଠ ସଦସ୍ୟ ଇଂ ବାମଦେବ ତ୍ରିପାଠୀ, ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥପାଠ କରାଇ ସଂଘର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।

ଚଳିତ ୨୦୨୨-୨୩ ବର୍ଷ ପାଇଁ ଉପଦେଷ୍ଟା ଇଂ ଦର୍ପନାରାୟଣ ଦାସ, ସଭାପତି ଇଂ ବିପିନ ବିହାରୀ ନାୟକ, ଉପସଭାପତି ଇଂ ଶିବପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ଇଂ ଡ଼ମ୍ବରୁଧର କବି, ଅର୍ଥ ସମ୍ପାଦକ ଇଂ ଶ୍ରୀକାନ୍ତ ମହାନ୍ତି, ସଂଗଠନ ସମ୍ପାଦକ ଇଂ ପ୍ରମୋଦ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଇଂ ଗାନ୍ଧି ଗଉଡ଼, ସମୀକ୍ଷକ ଇଂ ବ୍ରହ୍ମାନନ୍ଦ ବସ୍ତିଆ ଏବଂ କାର୍ଯ୍ୟକାରୀ ସଦସ୍ୟ ଇଂ ବୈକୁଣ୍ଠ ନାଥ ଜେନା, ସୁରେଶ ଚନ୍ଦ୍ର ମହାପାତ୍ର, ସୂର୍ଯ୍ୟମଣି ମାହାନା, ଇଂ ସୁଶାନ୍ତ ପୃଷ୍ଟି, ଇଂ ଦେବରାଜ ବିଶ୍ୱାଳ, ଇଂ ମଳୟରାଜ ବିଶ୍ୱାଳ, ଇଂ ପ୍ରଭାକର ନାୟକ ପ୍ରମୁଖ କାର୍ଯ୍ୟଭାର ଗ୍ରହଣ କରିଥିଲେ।

ନବ ନିର୍ବାଚିତ ସାଧାରଣ ସମ୍ପାଦକ ଇଂ ଡ଼ମ୍ବରୁଧର କବି ସଂଗଠନରେ ସଭ୍ୟଙ୍କର ବହୁଳ ସମ୍ପୃକ୍ତି ଓ ସାଂଗଠନିକ ଅଭିବୃଦ୍ଧି ସମ୍ପର୍କରେ ଆହ୍ୱାନ ଦେବା ସହ ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର ମାନଙ୍କର ଅବହେଳିତ ଦାବୀ ପୂରଣ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସଂଘର ସଭାପତି ଇଂ ବିପିନ ବିହାରୀ ନାୟକ ସଭା ପରିଚାଳନା କରିଥିଲେ। ଶେଷରେ ସଂଘର ଉପସଭାପତି ଇଂ ଶିବପ୍ରସାଦ ମିଶ୍ର ସମସ୍ତଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ଆଦିତ୍ୟନାଥ ସରକାରର ଶପଥ ଗ୍ରହଣ, ମାର୍ଚ୍ଚ ୨୫ ତାରିଖ ଅପରାହ୍ନ ୪ ଟାରେ ଅନୁଷ୍ଠିତ ହେବ ସମାରୋହ

ଲକ୍ଷ୍ନୌ: ୟୁପିରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମାର୍ଚ୍ଚ ୨୫ ତାରିଖ ଅପରାହ୍ନ ୪ ଟାରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମାର୍ଚ୍ଚ ୨୪ ତାରିଖରେ ହେବ ବୋଲି କୁହାଯାଉଥିଲା, କିନ୍ତୁ ବର୍ତ୍ତମାନ ଗୃହ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୫ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଇକାନା ଷ୍ଟାଡିୟମରେ ପ୍ରସ୍ତୁତି ଚାଲିଛି। ତେବେ ଯୋଗୀ କ୍ୟାବିନେଟର ରୂପରେଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ସମାରୋହର ତାରିଖ ବୃଦ୍ଧି କରିବାର ଏହା ଏକ କାରଣ ବୋଲି ବିଶ୍ୱାସ କରାଯାଏ।

ଦିଲ୍ଲୀରେ ଅନେକ ଥର ବୈଠକ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ଯୋଗୀ କ୍ୟାବିନେଟର ରୂପରେଖ ସ୍ଥିର ହୋଇନାହିଁ। ଡେପୁଟି ସିଏମ୍ ବିଷୟରେ ସବୁଠୁ ଅଧିକ ସସପେନ୍ସ ରହିଛି। ନିର୍ବାଚନରେ ​​ହାରିଥିବା କେଶବ ପ୍ରସାଦ ମଔର୍ଯ୍ୟଙ୍କୁ ଡେପୁଟି ସିଏମ କରାଯିବ କି? ଏଭଳି ପରିସ୍ଥିତିରେ ଆଉ କେତେ ଜଣଙ୍କୁ ଡେପୁଟି ସିଏମ୍ କରାଯିବ। ଜଣେ ଦଳିତ ଏବଂ ଜଣେ ବ୍ରାହ୍ମଣ ନେତାଙ୍କୁ ଡେପୁଟି ସିଏମ୍ କରିବା ବିଷୟରେ ଆଲୋଚନା ହେଉଛି। କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଡେପୁଟି ସିଏମ କରାଯାଇପାରିବ ବୋଲି ସୂଚନା ରହିଛି। ତାଙ୍କୁ ପଛୁଆ ଶ୍ରେଣୀର ଜଣେ ବଡ ନେତା ଭାବରେ ବିବେଚନା କରାଯାଏ। ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପିର ଚିନ୍ତା।

ହୋଲି ଅବସରରେ କେଶବ ଲକ୍ଷ୍ନୌର ଲୋକଙ୍କ ସହ ହୋଲି ପାଳନ କରିଥିଲେ। ଯଦି କେଶବଙ୍କୁ ଡେପୁଟି ସିଏମ୍ କରାଯାଏ, ତେବେ ଏହା ଦଳର ଏକ ବଡ ନିଷ୍ପତ୍ତି ହେବ। ନିର୍ବାଚନରେ ​​ହାରିଯିବା ପରେ ମଧ୍ୟ ଏତେ ବଡ ଦାୟିତ୍ଵର ଅନେକ ଅର୍ଥ ବାହାର କରାଯିବ। ହେଲେ କେଶବଙ୍କୁ ଡେପୁଟି ସିଏମ୍ କରିବା ବିଷୟରେ ବର୍ତ୍ତମାନ କେହି ଆନୁଷ୍ଠାନିକ ଭାବେ ଆଲୋଚନା କରିନାହାଁନ୍ତି।

ପୂର୍ବ ସରକାରରେ ଯୋଗୀ ଆଦିତ୍ୟନାଥଙ୍କ ସହ ଦୁଇଜଣ ଡେପୁଟି ସିଏମ୍ ନିଯୁକ୍ତ ହୋଇଥିଲେ। କେଶବ ପ୍ରସାଦ ମୌଙ୍କ ସହ ଦୀନେଶ ଶର୍ମାଙ୍କୁ ବ୍ରାହ୍ମଣ କୋଟାରୁ ଦ୍ୱିତୀୟ ଡେପୁଟି ସିଏମ କରାଯାଇଥିଲା। ଜଣେ ବ୍ରାହ୍ମଣ ନେତାଙ୍କୁ ଏଥର ମଧ୍ୟ ଏହି ଦାୟିତ୍ଵ ଦିଆଯାଇପାରିବ କି? ଯଦି ଏହା ଘଟେ ତେବେ ଏହା ଦୀନେଶ ଶର୍ମା କିମ୍ବା ଅନ୍ୟ କେହି ହେବ। ଅନେକ ନାମ ଆଲୋଚନାରେ ଅଛି ଏବଂ କିଛି ଚୂଡାନ୍ତ ହୋଇନାହିଁ। ଦିଲ୍ଲୀରେ ଅନେକ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନାଡା, ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ, ବି.ଏଲ୍ ସାନ୍ତୋଷ ଉପସ୍ଥିତ ଥିଲେ। ୟୁପି ପକ୍ଷରୁ ଯୋଗୀ ଆଦିତ୍ୟନାଥ, ଉଭୟ ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଦୀନେଶ ଶର୍ମା, ଦଳର ୟୁପି ସଭାପତି ସ୍ଵତନ୍ତ୍ର ଦେବ ସିଂ ଏବଂ ସଂଗଠନ ମନ୍ତ୍ରୀ ସୁନୀଲ ବଂଶଲ ମଧ୍ୟ ଉପସ୍ଥିତ ଥିଲେ। ହୋଲି ପରେ ପୁଣିଥରେ ବୈଠକ ହେବ।

ଦଳର ସଭାପତି ଜେପି ନାଡା ବିଜେପିର ସହଯୋଗୀମାନଙ୍କ ସହ ଏକ ବୈଠକ କରିଛନ୍ତି। ପ୍ରଥମେ ସେ ଅନୁପ୍ରିଆ ପଟେଲ ଏବଂ ଅପନା ଦଳର ଆଶିଷ ପଟେଲଙ୍କୁ ଭେଟିଥିଲେ। ଏହି ନିର୍ବାଚନରେ ​​ଆପ୍ନା ଦଳର ୧୨ ଜଣ ବିଧାୟକ ୧୭ ଟି ଆସନରେ ଲଢିବା ପରେ ନିର୍ବାଚିତ ହୋଇଛନ୍ତି। ପୂର୍ବ ବିଜେପି ସରକାରରେ ଜଣେ ଅପନା ଦଳର କୋଟାରୁ ମନ୍ତ୍ରୀ ହୋଇଥିଲେ। ଏଥର ଦଳ କ୍ୟାବିନେଟ ଏବଂ ରାଜ୍ୟ ମନ୍ତ୍ରୀ ଦାବି କରୁଛି।

ଅନୁପ୍ରିୟା ମୋଦୀ ସରକାରରେ ଜଣେ ମନ୍ତ୍ରୀ। ଅନ୍ୟ ଏକ ସହଯୋଗୀ ନିଶାଦ ପାର୍ଟି ମଧ୍ୟ ସମାନ ମନୋଭାବରେ ଅଛନ୍ତି। ଦଳର କିଛି ଲୋକ ବିଜେପିର ଚିହ୍ନ ଉପରେ ଏବଂ କିଛି ଲୋକ ସେମାନଙ୍କ ନିର୍ବାଚନ ଚିହ୍ନ ଉପରେ ଲଢିଥିଲେ। ବିଜେପିର ଚିହ୍ନରେ ୫ ଜଣ ଏବଂ ନିଶାଦ ପାର୍ଟିର ଚିହ୍ନରେ ୬ ଜଣ ବିଧାୟକ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ନିଶାଦ ପାର୍ଟି ସଭାପତି ସଞ୍ଜୟ ନିଶାଦ, ତାଙ୍କ ସାଂସଦ ପୁଅ ପ୍ରବୀଣ ନିଶାଦ ଏବଂ ବିଧାୟକ ଶ୍ରାବଣ ନିଶାଦ ଦିଲ୍ଲୀରେ ଜେପି ନାଡାଙ୍କୁ ଭେଟିଛନ୍ତି। ସଞ୍ଜୟ ନିଶାଦ ଚାହୁଁଛନ୍ତି ଯେ, ତାଙ୍କୁ ଜଣେ ଶକ୍ତିଶାଳୀ କ୍ୟାବିନେଟ ମନ୍ତ୍ରୀ କରାଯାଉ। ସେ କହିଛନ୍ତି ଯେ ପ୍ରାୟ ୧୫୦ ଟି ଆସନରେ ତାଙ୍କ ଭୋଟରଙ୍କ ପ୍ରଭାବ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ, ଦୁଃଖ ଭରା ଆଖିରେ ତାଙ୍କୁ କୋଳେଇ ନେଲେ ବାଚସ୍ପତି

ଭୁବନେଶ୍ବର: ଆଜି ପିପିଲିର ବିଧାୟକ ଭାବେ ରୁଦ୍ରପ୍ରତାପ ମହାରଥୀ ଶପଥ ଗ୍ରହଣ କରିଛନ୍ତି। ସେ ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଏହି ଶପଥ କରିଛନ୍ତି। ତାଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶପଥ କରାଇଥିଲେ। ଶପଥ କରାଇବା ପରେ ତାଙ୍କୁ ବାଚସ୍ପତି ଦୁଃଖଭରା ଆଖିରେ କୋଳେଇ ନେଇଥିଲେ। କାରଣ ତାଙ୍କ ବାପା ପ୍ରଦୀପ ମହାରାଥୀ ଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଘନିଷ୍ଠ ବନ୍ଧୁ।

ଏକ ଟୁଇଟ କରି ବାଚସ୍ପତି କହିଛନ୍ତି ଯେ, ‘ଆଜି ଵିଧି ବଦ୍ଧ ଭାବରେ ବିଧାନସଭାରେ ମୋ ଉପସ୍ଥିତିରେ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ ନେଲେ ଶ୍ରୀ ରୁଦ୍ରପ୍ରତାପ ମହାରଥୀ । ଶପଥ ପାଠ କରି ପିପିଲିର ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ପ୍ରତିଶୃତି ନେଲେ। ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ରୁଦ୍ରପ୍ରତାପ ମହାରଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।’

Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ଭୁପେନ୍ଦ୍ର ପଟେଲ

ଗାନ୍ଧିନଗର: ଭୁପେନ୍ଦ୍ର ପଟେଲ ଆସନ୍ତାକାଲି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସି ଆର ପାଟିଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଏହା ପରେ ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ କିଛି ଦିନ ପରେ ନୂତନ କ୍ୟାବିନେଟ୍ ଗଠନ ହେବ ବୋଲି ସେ କହିଛନ୍ତି। ପାଟିଲ ଏହା ମଧ୍ୟ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀଙ୍କ ପଦ ପାଇଁ ବିଧାୟକ ବୈଠକରେ କୌଣସି ଆଲୋଚନା ହୋଇନାହିଁ।

ଏହି ସଭାରେ ପଟେଲ ମଧ୍ୟ ଉପସ୍ଥିତ ଥିଲେ। ସେ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ସେ କୃତଜ୍ଞ। ଗୁଜରାଟର ନେତୃତ୍ୱ ତାଙ୍କ ଉପରେ ଯେଉଁ ବିଶ୍ଵାସ କରିଛି, ସେଥିପାଇଁ ସମସ୍ତଙ୍କୁ ପଟେଲ କୃତଜ୍ଞତା ଜଣାଇଛନ୍ତି।

ପଟେଲ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି। ସରକାର ବହୁତ ଭଲ କାମ କରିଥିଲା, ଯାହା ଦ୍ଵାରା ବିକାଶ ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିପାରିଛି। ଆମେ ପୁନର୍ବାର ନୂଆ ଶୈଳୀରେ ଯୋଜନା କରିବୁ ଏବଂ ସଂଗଠନରେ ଆଲୋଚନା କରିବୁ। ଯାହା ଦ୍ଵାରା ବିକାଶ କାର୍ଯ୍ୟକୁ ଆଗକୁ ନିଆଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ହିଂସା: ଶପଥ ନେବା ପରେ ଛୋଟ ଭଉଣୀ କହି ମୁଖ୍ୟମନ୍ତ୍ରୀ ମମତାଙ୍କୁ ଏଭଳି କହିଲେ ରାଜ୍ୟପାଳ

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିପୁଳ ବିଜୟ ହୋଇଛି। ଦଳର ସୁପ୍ରିମୋ ମମତା ବାନାର୍ଜୀ ଆଜି ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ପାଇଁ ଶପଥ ଗ୍ରହଣ କରିଛନ୍ତି।

ତେବେ ଶପଥ ଗ୍ରହଣ ପରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ମୁଖ୍ୟମନ୍ତ୍ରୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ନିର୍ବାଚନ ଫଳାଫଳ ପରେ ଘଟିଥିବା ହିଂସାକୁ ନେଇ ରାଜ୍ୟପାଳ ଚିନ୍ତା ପ୍ରକଟ କରିଛନ୍ତି। ଆଇନ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ କହିଛନ୍ତି। ଆଶା କରାଯାଉଛି, ବର୍ତ୍ତମାନ ପରିସ୍ଥିତିକୁ ଭଲଭାବରେ ଅନୁଧ୍ୟାନ କରି ମୋ ଛୋଟ ଭଉଣୀ ମମତା ନିରପେକ୍ଷତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରାଜ୍ୟପାଳ କହିଛନ୍ତି।

ଅପରପକ୍ଷେ ରାଜ୍ୟରେ କରୋନାକୁ ପ୍ରତିହିତ କରିବା ପାଇଁ ପ୍ରଥମ ପ୍ରୟାସ ରହିବ ବୋଲି ମମତା କହିଛନ୍ତି। ସେହିଭଳି ଆଇନ ବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ନୂତନ ଅଧିକାରୀଙ୍କୁ ନିଯୁକ୍ତି କରାଯିବ ବୋଲି ସେ କହିଛନ୍ତି। ଶପଥ ଗ୍ରହଣ ପରେ ରାଜ୍ୟର ସମସ୍ତ ରାଜନୈତିକ ଦଳକୁ ଶାନ୍ତି ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ଅପିଲ କରିଛନ୍ତି।