Categories
ଆଜିର ଖବର ରାଜ୍ୟ ଖବର

ପିଲାଙ୍କ ଆବେଦନରେ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେଲା ନିୟମିତ ଶାରୀରିକ ଶିକ୍ଷା

ରେଢାଖୋଲ (କନ୍ଦର୍ପ ବେହେରା): ସମୟ ନିର୍ଘଣ୍ଟ ହେଉଛି ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଦର୍ପଣ। ସାଧାରଣତଃ ବିଦ୍ୟାଳୟର ସମୟ ନିର୍ଘଣ୍ଟରେ ଖେଳ ପିରିୟଡ ସ୍ଥାନିତ ହୋଇ ପିଲାଙ୍କୁ ଖେଳିବାର ସୁଯୋଗ ମିଳେ। କିନ୍ତୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଖେଳ ପିରିୟଡର ବ୍ୟବସ୍ଥା ନ ଥାଏ। ଏହି ପ୍ରସଙ୍ଗକୁ ଆଧାର କରି ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବର୍ତ୍ତମାନର ଅଧ୍ୟକ୍ଷ ଡଃ. ମନୋରଞ୍ଜନ ପ୍ରଧାନଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ପିଲାମାନଙ୍କ ଆବେଦନକୁ ନେଇ ଅନୁଷ୍ଠାନର ଷ୍ଟାପ୍ କାଉନସିଲରେ ଆଲୋଚନା କରାଯାଇ ସର୍ବ ସମ୍ମତିକ୍ରମେ ବିଦ୍ୟାଳୟର ଟାଇମ୍ ଟେବୁଲରେ ସକାଳ ୮ଟାରୁ ୯ଟା୩୦ ପର୍ଯ୍ୟନ୍ତ ନିୟମିତ ଶାରୀରିକ ଶିକ୍ଷା ସ୍ଥାନିତ କରାଯାଇଥିଲା।

ଆଜି ସୋମବାର ସକାଳ ୮ ଟାରେ ଅଧ୍ୟକ୍ଷଙ୍କ ଉପସ୍ଥିତରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜିତେନ୍ଦ୍ରୀୟ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଆରମ୍ଭ କରିଥିଲେ। ଏହି ନୂତନ ପଦକ୍ଷେପ ପାଇଁ ଏକାଡେମିକ୍ ଭାର୍ସାଲ୍ ଡଃ.ପ୍ରଶାନ୍ତ କୁମାର ଦାଶ ଓ ଅଧ୍ୟାପକ ସଂଜୀବ ଦାଶ ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କ୍ୟାମ୍ପସର ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ଖୁସିର ଲହର ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲରେ ହିନ୍ଦୀ, ସଂସ୍କୃତ, ଶାରୀରିକ ଶିକ୍ଷା ପ୍ରଶିକ୍ଷକଙ୍କ ଚାକିରୀ ପାଇଁ ଘୋଷଣା ହେଲା ପରୀକ୍ଷା ତାରିଖ

ଭୁବନେଶ୍ୱର : ରାଜ୍ୟର ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ଏହି ନିଷ୍ପତ୍ତି ନିଆଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଯୁକ୍ତି ସଂପର୍କିତ ଆଲୋଚନା ହୋଇଛି । ଗତ ଅଗଷ୍ଟ ୧୩ ତାରିଖରେ ଏହି ସଂକ୍ରାନ୍ତରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା । ବିଜ୍ଞାପନ ଅନୁସାରେ ଆସନ୍ତା ଅକେଫାବର ୪ ତାରିଖ ଦିନ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଏବଂ ୫ ତାରିଖରେ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ ।

ରାଜ୍ୟର ୨୪ ଗୋଟି ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନଙ୍କ ନିକଟକୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ପ୍ରବେଶ ପତ୍ର (ଆଡ୍‌ମିଟ୍‌ କାର୍ଡ) ପଠାଇବାକୁ ସ୍ଥିର କରାଯାଇଛି । ପରୀକ୍ଷା କେନ୍ଦ୍ରଗୁଡ଼ିକରେ କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ସହିତ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାରଙ୍କ ସମେତ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।