Categories
ଆଞ୍ଚଳିକ

ବାଲୁଗାଁ: ‘ଶାଳିଆ ପ୍ରେସ କ୍ଲବ’ର ବାର୍ଷିକ ଆଲୋଚନା ଚକ୍ର

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ବାଲୁଗାଁ ସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ ର ବାର୍ଷିକ ଆଲୋଚନା ଚକ୍ର ଆଜି ବାଣପୁରସ୍ଥିତ ଶାଳିଆ ଡ୍ୟାମ ମା’ ଡୋମଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ, ବାଣପୁର ଓ ଚିଲିକା ଅଞ୍ଚଳର ସାମ୍ବାଦିକଙ୍କୁ ନେଇ ଗଠିତ ‘ଶାଳିଆ ପ୍ରେସ କ୍ଲବ’ର ସଭାପତି ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ସମ୍ପାଦକ ସୁଧୀର କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଘ ଦ୍ୱାରା ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଅଞ୍ଚଳର ଉନ୍ନତି ପାଇଁ ‘ଶାଳିଆ ପ୍ରେସ କ୍ଲବ’ ସର୍ବଦା ବଦ୍ଧପରିକର ବୋଲି ସଂଘ ସଭାପତି ଶ୍ରୀ ସାହୁ ମତ ରଖିଥିଲେ। ତତସହିତ ଅବହେଳିତ, ନିଷ୍ପେସିତ ଏବଂ ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ ସେ ଦିଗରେ ସଂଘ ଅହରହ ଚେଷ୍ଟିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା।

ପରିଶେଷରେ ଆଗାମୀ ବର୍ଷରେ କ୍ଲବ ପକ୍ଷରୁ ବାଣପୁର-ବାଲୁଗାଁରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ଅନୁଷ୍ଠିତ ସଭାକୁ ଉପସଭାପତି ସିତାରାମ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ସ୍ଥାନୀୟ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଶାଳିଆ ଡ୍ୟାମରେ ସଫେଇ କାର୍ଯ୍ୟକ୍ରମ: ୧୦ ବ୍ୟାଗ୍ କାଚ ବୋତଲ ସଂଗୃହିତ

ବେଗୁନିଆପଡା/ବାଣପୁର (ଟୁକୁନା ପ୍ରଧାନ): ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଶାଳିଆ ଡ୍ୟାମ ସରକାରୀ କଳର ଅବହେଳା ହେଉ କିମ୍ବା ପର୍ଯ୍ୟଟକଙ୍କ ବେଖିଆଲ ମନୋଭାବ କାରଣରୁ ଏବେ ଅଳିଆ ଆବର୍ଜନା ଅବସ୍ଥାରେ ପଡିଛି। ବଣଭୋଜି ପାଇଁ ଦୈନନ୍ଦିନ ଶତାଧିକ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଏହି ସ୍ଥାନରେ।

ସରକାରଙ୍କ ତରଫରୁ ନିର୍ମାଣ ହୋଇଥିବା ପିଣ୍ଡି ସ୍ଥାନୀୟ ଜନସାଧାରଣ ମାନେ ଭୋଜି କରି ଖାଇବା ସହ ସେହି ସ୍ଥାନକୁ ସଫା ନ କରି ଅଇଁଠା ପତ୍ର, ବୋତଲ ଆଦି ପକାଇ ଅପରିଷ୍କାର କରୁଛନ୍ତି। ଗମନାଗମନର ଅସୁବିଧା ସହିତ ପରିମଳ ବ୍ୟବସ୍ଥା କଥା ନ କହିବା ଆହୁରି ଭଲ।  ରାସ୍ତା ଉପରେ ବିଦ୍ୟୁତ ତାର ଝୁଲି ରହିଛି କେତେ ବେଳେ ଯେ ଅଘଟଣ ଘଟିବ କିଛି କହିହେବ ନାହିଁ। ଠୁଳ ଠୁଳ ମଦ କାଚ ଓ ପ୍ଲାଷ୍ଟିକ ବୋତଲ ପଡି ରହିଛି।

ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କିଛି ସ୍ଥାନୀୟ ବାସିନ୍ଦା ଆଜି ୱାଚ ଟାୱାର ଠାରେ ଏକ ସଫେଈ କାର୍ଯ୍ୟକ୍ରମ ମାଧ୍ୟମରେ ୧୦ରୁ ଉର୍ଦ୍ଧ୍ଵ ବ୍ୟାଗ କାଚ, ଟିଣ ଓ ପ୍ଲାଷ୍ଟିକ ବୋତଲ ଗୋଟେଇବା ସହ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆହୁରି ସଫା କରିବା ସହ ଡିସ୍ପୋଜ କରିବେ ବୋଲି କହିଛନ୍ତି।

ଏଥିରେ ଗୌତମ ସ୍ୱାଇଁ, ଅମୀୟ ପଣ୍ଡା, ପ୍ରିୟବ୍ରତ ଜେନା, ଅଜୟ ସ୍ୱାଇଁ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। ଏଥିସହିତ ଅନ୍ୟ ସ୍ଵେଚ୍ଛାସେବୀଙ୍କୁ ମଧ୍ୟ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ଶାଳିଆ ଡ୍ୟାମ୍ ଠାରେ ବିଜେଡ଼ି ର ବନ୍ଧୁ ମିଳନ: ବିଧାୟକ ଟିକେଟ୍ ପାଇଁ ହେଲା ଆଲୋଚନା

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଥିବା ଶାଳିଆ ଡ୍ୟାମ ଠାରେ ସୋମବାର ଦିନ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଜଣାଶୁଣା ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କ ନେତୃତ୍ଵରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତଥା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଥିବା ଏବଂ ବିଜେଡି ଦଳ ତଥା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଜଣାଶୁଣା ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କୁ ଭଲ ପାଉଥିବା ବିଜେଡି ର କର୍ମୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନମଣ୍ଡଳୀ ର ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ସହ ଜନସାଧାରଣ ସୁବିଧା ଅସୁବିଧା ସମୟରେ ସମସ୍ତେ ଏକାଠି ହୋଇ ଛିଡ଼ା ହେବା ସହ ସହଯୋଗ କରିବା ପାଇଁ ଆଲୋଚନା ହୋଇଥିଲା। ଏଥିସହିତ ଦଳୀୟ ସଂଗଠନକୁ ସୁଦୃଢ କରିବା ସହିତ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଆହୁରି ଟାଣ କରିବା ପାଇଁ ଆଲୋଚନା ହେବା ସହ ସିତାରାମ ପାଣିଗ୍ରାହୀଙ୍କୁ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ରେ ବିଧାୟକ ପ୍ରାର୍ଥୀଭାବେ ବିଜେଡ଼ି ଟିକେଟ୍ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିକଟରେ ନିବେଦନ କରିବା ପାଇଁ କର୍ମୀ ମାନେ ମତ ପ୍ରକାଶ କରିଥିଲେ।

ଏଥିରେ ୭ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଙ୍କ ପ୍ରତିନିଧି ପ୍ରଭାକର ପ୍ରଧାନ, ବରିଷ୍ଠ ବିଜେଡି ନେତା ସିମାଞ୍ଚଳ ନାୟକ, ରଘୁନାଥ ଆଚାର୍ଯ୍ଯ, ବୁଲୁ ପ୍ରଧାନ, ବାମଦେବ ବିଶୋୟୀ, ରାଜୁ ରେଡ୍ଡୀ, ସୁବାଷ ଚନ୍ଦ୍ର ସେଠୀ, ନରେନ୍ଦ୍ର ଗୌଡ, ସନ୍ତୋଷ କୁମାର ମହାନ୍ତି, ରାଜେନ୍ଦ୍ର ଭୂୟାଁ, ଛାୟାବତୀ ବେହେରା, ଛାତ୍ର ନେତା ଦିନେଶ କୁମାର ମହାରଣା, ରମେଶ ଭୂୟାଁ, ପିଙ୍କି ରାଉତ ସମେତ ଶତାଧିକ ବିଜେଡି କର୍ମୀ ଓ ନେତାମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମଧ୍ଯ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ମତ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁନଃ ଉଦ୍ଧାର ହୋଇପାରୁନି ଶାଳିଆ ଡ୍ୟାମ: ସଠିକ୍ ଭାବେ ଖର୍ଚ୍ଚ ହୋଇପାରୁନି କେନାଲ ସଫା ପାଇଁ ଆସିଥିବା ଅନୁଦାନ

ବେଗୁନିଆପଡା/ବାଣପୁର (ଟୁକୁନା ପ୍ରଧାନ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ ପରିଚିତ ଶାଳିଆ ଡ୍ୟାମ୍। ଶାଳିଆ ଡ୍ୟାମ ପ୍ରାକୃତିକ ସୈାନ୍ଦର୍ଯ୍ୟର ଗନ୍ତାଘର। ଖୋର୍ଦ୍ଧା ଜିଲ୍ଲାର ଆରମ୍ଭ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ରହିଛି ଶାଳିଆ ଡ୍ୟାମ୍ ଜଳ ପ୍ରକଳ୍ପ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଅଙ୍ଗାରଗାଁ ନିକଟ ଡାଇକ ଛକ ଓ କୁମାରୀପାରି ତଟ ଦେଶରୁ ଏହି ଡ୍ୟାମ୍ ଆରମ୍ଭ ହୋଇ ଖୋର୍ଦ୍ଧା ଜିଲ୍ଳାକୁ ମାଡିଛି। ଡ୍ୟାମ୍ ଉପରେ ଖୋର୍ଦ୍ଧା ଜିଲ୍ଲାର ପ୍ରତାପ- ମାଣିକପୁର ଠାରୁ ଆରମ୍ଭ କରି ୬୦% ଚିଲିକା ନିର୍ବାଚନ ମଣ୍ଡଳୀର ଚାଷୀ ଓ ବ୍ୟକ୍ତି ନିର୍ଭରଶୀଳ ହେଉଥିବା ବେଳେ ୪୦% ଚାଷୀ ଗଞ୍ଜାମ ଜିଲ୍ଲାର ଅଙ୍ଗାରଗାଁ ଠାରୁ ବରିଡା ଓ ବେଗୁନିଆପଡ଼ାର ଚାଷୀ ପାଣି ପାଇଁ ଡ୍ୟାମ୍ ଉପରେ ନିର୍ଭର କରିଥାନ୍ତି।

ଏହା ସହ ଆଇ.ଏନ୍.ଏସ୍ ଚିଲିକାକୁ ମଧ୍ୟ କେନାଲ ଯୋଗେ ପାଣି ଯୋଗାଣ ବର୍ଷ ସାରା ହୋଇଥାଏ। ୧୯୭୦ ମସିହା ଡିସେମ୍ବର ୨୭ ତାରିଖରେ ତତ୍କାଳୀନ ଜଳସେଚନ ବିଦ୍ୟୁତ ଓ ରାଜସ୍ଵ ବିଭାଗ ମନ୍ତ୍ରୀ ସୁରେନ୍ଦ୍ରନାଥ ପଟ୍ଟନାୟକଙ୍କ ଦ୍ଵାରା ଏହି ଡ୍ୟାମ୍ ଉଦଘାଟିତ ହୋଇଥିଲା। ୯୬ ବର୍ଗ ମାଇଲ ଅବବାହିକା ବିଶିଷ୍ଟ ଏହି ଡ୍ୟାମ୍ ରେ ବାର୍ଷିକ ହାରାହାରି ୪୦୮୪ ନିୟୁତ ଘନଫୁଟ ଜଳ ପ୍ରବାହ ହେଉଥିବା ବେଳେ ଏହାର ଉଚ୍ଚତା ରହିଅଛି ୩୨.୯୧ ମିଟର ଓ ବନ୍ଧର ଦୈର୍ଘ୍ୟ ପାଖାପାଖି ୬ କିମି ହେବ ବୋଲି ଅନୁମାନ।

ଗଞ୍ଜାମ ଜିଲ୍ଲାର ଡାଇକ ଛକ ଠାରୁ କୁମାରୀପାରି ପର୍ଯ୍ୟନ୍ତ ମାଟି ବନ୍ଧକୁ ମିଶାଇ ଡାଇକଛକ ଠାରୁ ମା’ଡୋମଣି ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ଓ ସେଠାରୁ ସ୍ପିଲ୍ ଓଭର୍ ପର୍ଯ୍ୟନ୍ତ ଏହି ବନ୍ଧ ପରିବ୍ୟାପ୍ତ। ଅପର ପଟରେ ପାହାଡ଼ର ପାଦ ଦେଶ ଡ୍ୟାମ୍ କୁ ସୁରକ୍ଷିତ କରି ରଖିଛି। ଉଭୟ ଜିଲ୍ଲାକୁ ଖରିଫ ଓ ରବି ଫସଲ ପାଇଁ ୧୩୦୦୦ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ କରୁଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ପଟକୁ ମୁଖ୍ୟ କେନାଲ ଓ ଗଞ୍ଜାମ ଜିଲ୍ଳା ପଟକୁ ଆଉ ଏକ ମୁଖ୍ୟ କେନାଲ ଯୋଗେ ଜଳ ଯୋଗାଣ ହେଉଛ।

ଖୋର୍ଦ୍ଧା ଜିଲ୍ଲାର ବାଣପୁର ଓ ବାଲୁଗାଁ ପାଇଁ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କର ହାଉସିଂ ଓ ଅର୍ବାନ୍ ଡେଭେଲପମେଣ୍ଟ ବିଭାଗ ପକ୍ଷରୁ ୨୦୧୩-୨୦୧୪ ମସିହାରେ ୪୦କୋଟି ଟଙ୍କା ବ୍ୟୟରେ ଏହି ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ଏବେ କାମ ସାରି ପାଣି ଯୋଗାଣ ଚାଲିଥିବା ଜଣାପଡିଛି। ବର୍ତ୍ତମାନ ଶାଳିଆ ଡ୍ୟାମରୁ ଖଲ୍ଲିକୋଟ ଅଞ୍ଚଳର ସମସ୍ତ ପଞ୍ଚାୟତକୁ ପିଇବା ପାଣି ଯୋଗାଇବା ପାଇଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହା ପରେ ବେଗୁନିଆପଡ଼ା ଅଞ୍ଚଳକୁ ମଧ୍ୟ ପିଇବା ପାଣି ଯୋଗାଇଦେବା ପାଈଁ ମେଗା ପ୍ରକଳ୍ପ କାର୍ଯ୍ୟ ଅପେକ୍ଷାରେ ରହିଛି।

ଖରାଦିନେ ବେଗୁନିଆପଡ଼ା ବ୍ଲକକୁ ଶାଳିଆ କେନାଲରେ ଆବଶ୍ୟକତା ଠାରୁ କମ ପାଣି ଚାଷ କାର୍ଯ୍ୟ ପାଇଁ ଆସୁଥିବା ବେଳେ ଏହି ପ୍ରକଳ୍ପ ଆରମ୍ଭ ହେବା ପରେ ନିଶ୍ଚିତ ଭାବେ ଖୋର୍ଦ୍ଧା ଓ ଗଞ୍ଜାମ ଚାଷୀ କିଛିଟା ପ୍ରଭାବିତ ହେବାର ଆଶଙ୍କା ରହିଛି। ସେପଟେ ବହୁ ପୁରାତନ ଏହି ଡ୍ୟାମ୍ ଦୀର୍ଘ ବର୍ଷ ହେଲା ପୁନଃ ଉଦ୍ଧାର ହୋଇ ପାରୁନି। ବର୍ଷା ଜଳ ଆସି ଆସି ମାଟି ଏହି ଡ୍ୟାମ୍ କୁ ପୋତି ଦେଇ ଜଳ ଧାରଣ କ୍ଷମତା ହ୍ରାସ କରିସାରିଲାଣି। ଯାହା ଫଳରେ ଅଧିକ ଜଳ ସଂରକ୍ଷିତ ହୋଇ ରହିପାରୁନି।

ପଟେ ଡ୍ୟାମ୍ ରୁ ବାହାରୁଥିବା କେନାଲର ଉପଯୁକ୍ତ ମରାମତି ତଥା ରକ୍ଷଣା ବେକ୍ଷଣ ମଧ୍ୟ ଠିକ ଭାବେ ହୋଇପାରୁନି ଓ କେନାଲ ସଫା ମଧ୍ୟ ଉପଯୁକ୍ତ ଭାବେ ନ ହୋଇପାରିବା ଯୋଗୁଁ ଚାଷୀ ଠିକ୍ ଭାବରେ ପାଣି ପାଇପାରୁନାହାନ୍ତି।

କେନାଲ ସଫା ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାକୁ ଅଳ୍ପ କାମ କରି ଚଳୁ କରି ଦିଆଯାଇଥିବା ଅଭିଯୋଗ ହୋଇଛି। ସେପଟେ ଶାଳିଆ ମଧ୍ୟମ ଜଳସେଚନ ବିଭାଗ ପକ୍ଷରୁ ସୁମଣ୍ଡଳ ଠାରେ ଥିବା କାର୍ଯ୍ୟଳୟରେ କନିଷ୍ଠ ଯନ୍ତ୍ରୀଙ୍କ ଦେଖା ନମିଳିବା ଯୋଗୁଁ ଚାଷୀ ନିରାଶ ହେଉଛନ୍ତି।

ସେହିପରି ଡ୍ୟାମ୍ ବନ୍ଧ ଉପରେ ଥିବା ଲତା ବୁଦା ସଫା ହୋଇପାରୁନି। ଏହି ଜଳାଶୟ ମଧ୍ୟରେ ଭାସମାନ ମାଛ ଚାଷ କୋଠରୀ ମଧ୍ୟରେ କରାଯାଇ ପ୍ରଚୁର ଜଳଙ୍ଗ ପ୍ରଜାତିର ମାଛ ଉତ୍ପାଦନ କରାଯାଇ ଏହି ଡ୍ୟାମ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଜଳ ଧାରଣ କ୍ଷମତା ଏହାକୁ ପ୍ରଭାବିତ କରୁଛି। ଶାଳିଆ ଡ୍ୟାମ ପ୍ରାକୃତିକ ସୈାନ୍ଦର୍ଯ୍ୟର ଗନ୍ତାଘର ହୋଇଥିବା ବେଳେ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟିବାରେ ଲାଗିଥିବା ବେଳେ ଶାଳିଆ ଡ୍ୟାମର ଉଭୟ ପଟରେ ରାସ୍ତା ଖରାପ ଯୋଗୁଁ ଲୋକ ଯିବା ଆସିବାରେ ବ୍ୟାପକ ଅସୁବିଧା ଭୋଗ କରୁଛନ୍ତି।

ଏହି ସ୍ଥାନରେ ଅପରାଧ ରୋକିବା ପାଈଁ ଉଭୟ ପଟର ପୋଲିସ ବିଭାଗ ପକ୍ଷରୁ କୌଣସି ପାଟ୍ରୋଲିଂ ବ୍ୟବସ୍ଥା କରାଯାଉନଥିବା ବେଳେ ଡ୍ୟାମ ପାର୍ଶ୍ୱ ରାସ୍ତାରେ ଗାର୍ଡ ୱ।ଲ ନଥିବା ଯୋଗୁଁ ରାସ୍ତା ଖାଇଖାଇ ଗଲାଣି। ଡ୍ୟାମର ମୁଖ୍ୟ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ଏହାର ସୁରକ୍ଷା ସହ ରାସ୍ତା ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଦାବୀ ହେ।ଇଛି। ଏହା ସହିତ ଚାଷୀଙ୍କ ସ୍ବାର୍ଥ ପାଇଁ ଏହାର ଜଳ ଧାରଣ କ୍ଷମତା ବୃଦ୍ଧି ପାଇଁ ସ୍ଵତନ୍ତ୍ର ଭାବେ ଏହାକୁ ଖୋଳି ଗଭୀର କରିବାର ଆବଶ୍ୟକତା କୁ ବିଭାଗ ଗୁରୁତର ଭାବେ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମାଛ ଧରିବାକୁ ଯାଇ ଶାଳିଆ ଡ୍ୟାମରେ ବୁଡି ବୃଦ୍ଧ ମୃତ

ବେଗୁନିଆପଡ଼ା (ଟୁକୁନା ପ୍ରଧାନ): ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର ଖଡ଼ିକା ଢେପ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବା ପାଇଁ ଶାଳିଆ ଡ୍ୟାମକୁ ଯାଇ ଖଡ଼ିକା ଢେପ ଗ୍ରାମର ଜନୈକ ବୃଦ୍ଧ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି।

ପ୍ରାପ୍ତ ସୁଚନା ଅନୁଯାୟୀ, ସୌରୀ ବେହେରା (୭୩)  ସବୁ ଦିନ ପରି ଆଜି ମାଛ ଧରିବାକୁ ଭେଳାରେ ଯାଇଥିଲେ। କିନ୍ତୁ ଭାରସାମ୍ୟ ହରାଇ ପାଣିରେ ବୁଡିଯାଇଥିଲେ। ନିକଟରେ ଥିବା ଲୋକେ ତାଙ୍କୁ ତୁରନ୍ତ ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବେଗୁନିଆପଡ଼ା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ସୌରୀଙ୍କ ଝିଅ ବିଶାଖାଙ୍କ ଏତଲାକୁ ଭିତ୍ତି କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରୁ ଡକାୟତି ମାମଲା: ବନ୍ଧା ହେଲା ଆଉ ଜଣେ ଅଭିଯୁକ୍ତ, ଗିରଫ ସଂଖ୍ୟା ୭କୁ ବୃଦ୍ଧି

ସୀତାରାମ ଅଗ୍ରୱାଲ

ଚିଲିକା: ନିକଟରେ ବାଣପୁର-ବାଲୁଗାଁ ପୋଲିସ ମିଳିତ ଭାବେ ଶାଳିଆ ଡ୍ୟାମ ଠାରେ ବଡ ଧରଣର ଡକାୟତି ଯୋଜନା ପଣ୍ଡ କରିଥିବା ବେଳେ ୬ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିଲା। ତେବେ ଉକ୍ତ ଗ୍ୟାଙ୍ଗର ଅନ୍ୟ ତିନି ଅଭିଯୁକ୍ତ ଫେରାର ହୋଇଯାଇଥିବା ଖୋର୍ଦ୍ଧା ଏସପି ପ୍ରେସ ମିଟ ଜରିଆରେ ସୂଚନା ଦେଇଥିଲେ।

ବାଣପୁର ପୋଲିସ ଉକ୍ତ ତିନି ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଗତକାଲି ରାତିରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣକ ନିରାକାରପୁର ଥାନା ଖଜୁରୀପଡା ଗ୍ରାମର ବବୁଲ ଖାନ ଓରଫ ଫିରୋଜ ଶାହ ବୋଲି ଜଣାପଡିଛି।

ବବୁଲଙ୍କୁ ବାଣପୁର ପୋଲିସ ବାଲୁଗାଁ ଷ୍ଟେସନ ପରିସରରୁ ଗିରଫ କରିଥିବା ଜଣାପଡିଛି।  ତେବେ ଖୁବଶୀଘ୍ର ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ ହେବେ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

‘ଏକତା ପରିଷଦ ଟ୍ରଷ୍ଟ ‘ ପକ୍ଷରୁ ବାଣପୁରରେ ବିଶ୍ଵ ମାନବାଧିକାର ଦିବସ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଶାଳିଆ ଡ୍ୟାମ ଠାରେ ବିଶ୍ଵ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଦିବାସୀ ମାଆମାନଙ୍କ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଆଦିବାସୀ ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ହିଂସାରୁ ସୁରକ୍ଷା ପାଇଁ ଆଲୋଚନା କରାଯାଇ ମହିଳା ଅଧିକାର ମାନାବାଧିକାର ଓ ଏହାର ସୁରକ୍ଷାପାଇଁ ସମ୍ବିଧାନକୁ କିପରି ଭାବେ ଘରେ ଘରେ ପହଞ୍ଚିବାର ବ୍ୟବସ୍ଥା କରାଯାଇପାରିବ, ସେ ସମ୍ପର୍କରେ ଚର୍ଚ୍ଚା କରାଯାଇ ଥିଲା।

ଗତ ନଭେମ୍ବର ମାସ ୨୫ ତାରିଖ ବିଶ୍ଵ ମହିଳା ହିଂସା ବିରୋଧୀ ଦିବସରୁ ଆରମ୍ଭ କରାଯାଇଥିବା ‘ମହିଳା ହିଂସା ବିରୋଧୀ ଜାଗରଣ’ ଅଭିଯାନ କୁ ଆଜି ମାନାବାଧିକାର ଦିବସରେ ସମାପନ କରାଗଲା, ଯାହା ମହିଳା ସୁରକ୍ଷା ଓ ମାନାବାଧିକାର ସୁରକ୍ଷା ଦିଗରେ ଆଦିବାସୀ ମାଆମାନଙ୍କ ଶକ୍ତି କୁ ମଜଭୁତ କରିବ।

ଏହି ସମ୍ମିଳନୀରେ ବରବରା ଅଞ୍ଚଳର ମହିଳା ସଭାପତି ସରସ୍ଵତୀ ପ୍ରଧାନ, ମଞ୍ଜୁଳା ପ୍ରଧାନ, ଗୀତମାୟୀ, ଟୁନି ଦାସ ମହିଳା ମାନଙ୍କ ସଂଗଠନ କୁ କିପରି ମଜବୁତ୍ କରିବା ସହ ମାନାବାଧିକାର ସୁରକ୍ଷା ଦିଗରେ ସଂଘର୍ଷ କରିବାକୁ ଆହ୍ବାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ‘ଏକତା ପରିଷଦ ଟ୍ରଷ୍ଟ’ ର ସନ୍ଧ୍ୟା ଦେବୀ ପରିଚାଳନା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ, ୩ ହଜାରରୁ ଊର୍ଦ୍ଧ୍ଵ ଲିଟରର ମଦ ପୋଚ ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଦାମିଆ ବରବରା ପଞ୍ଚାୟତ ଅଧିନସ୍ଥ ଶାଳିଆ ଡ୍ୟାମ ନିକଟସ୍ଥ ପ୍ରଧାନ ସାହି ଓ ନୂଆ ସାହି ଗ୍ରାମରେ ଆଜି ସକାଳ ୭ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା।

ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ ଏବଂ ବାଣପୁର ପୋଲିସ ଏସ ଆଇ ପ୍ରସନ୍ନ ଜେନାଙ୍କ ମିଳିତ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ମୋଟ ୩ ହଜାର ୫ ଶହ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଜବତ କରି ନଷ୍ଟ କରିଦିଆଯାଇଛି।

ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ସୁସ୍ମିତା ହୋତା ଏବଂ ଦୁଇ ସେକ୍ସନ ପୋଲିସ ଫୋର୍ସ ସାମିଲ ଥିଲେ। କିନ୍ତୁ ଦେଶୀ ମଦ ବେପାରୀ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ସେହିପରି ଭାବେ ଉଭୟ ବିଭାଗ ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମରୁ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୩୩ ଲିଟର ଦେଶୀ ମଦ ଜବତ କରିଛି l

Categories
ଆଞ୍ଚଳିକ

ହ୍ରଦର ଭ୍ରମ ସୃଷ୍ଟି କରୁଛି ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା: ପ୍ରଶାସନର ନିଦ ଭାଙ୍ଗିବ କେବେ?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ବୋଲାଉଥିବାବେଳେ ଜିଲ୍ଲାର ଶେଷସୀମାରେ ଅବସ୍ଥିତ ବାଣପୁର ସତେ ଯେମିତି ଜିଲ୍ଲାର ଗୁରୁତ୍ୱପୂର୍ଣ ଅଙ୍ଗ ରୂପେ ପରିଗଣିତ ନହେଲା ପରି ଲାଗୁଛି। ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏକାଧିକ ଗମ୍ଭୀର ସମସ୍ୟା ଲାଗିରହିଥିଲେ ସୁଦ୍ଧା ସତେ ଯେମିତି ପ୍ରଶାସନ ଏହାକୁ ଦେଖି ଆଖି ବୁଜିଦେଇଛି।

ବାଣପୁରରେ ଜିଲ୍ଲା ତଥା ରାଜ୍ୟର ବୃହତ ଡ୍ୟାମ ଶାଳିଆ ଡ୍ୟାମ ଅବସ୍ଥିତ ହୋଇଥିବାବେଳେ ଏଥି ନିମନ୍ତେ ଶାଳିଆ ଜଳସେଚନ ବିଭାଗ କାମ କରୁଛି। ବନ୍ୟା ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ କେନାଲ ନିର୍ମାଣ କରାଯାଇଥିବାବେଳେ ବର୍ତ୍ତମାନ ପୂର୍ତ୍ତବିଭାଗ ଅଧୀନରେ ଥିବା ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟିହୋଇଛି। ନନ୍ଦପୁର ଛକ ଠାରୁ ମେଘାମ୍ବରୀ ମନ୍ଦିର ନିକଟସ୍ଥ ଟୀକା କେନ୍ଦ୍ର ଯାଏଁ ମୁଖ୍ୟ ରାସ୍ତାରେ ଉକ୍ତ କେନାଲ ପାଣି ପ୍ରବାହିତ ହେବା ଯୋଗୁଁ ହଜାର ହଜାର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନା ମୁତାବକ ଦୀର୍ଘ ଚାରି ଦିନ ଲଗାଣ ବର୍ଷା ହେବା ଫଳରେ ଶାଳିଆ ନଦୀରୁ ଆସୁଥିବା ବନ୍ୟାଜଳ ନିଷ୍କାସନ ପାଇଁ କେନାଲ ମଧ୍ୟକୁ ପ୍ରବାହିତ ହୋଇ ବର୍ତ୍ତମାନ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରେ ଜମା ହେଉଛି। ତେବେ ଏ ସମସ୍ୟା ଆଜିର ନୁହଁ। ଦୀର୍ଘ ୧୫ ବର୍ଷ ହେଲା ଉକ୍ତ ରାସ୍ତାରେ ଏହିପରି ସମସ୍ୟା ଲାଗିରହିଛି। ପାଖାପାଖି ୩ ଫୁଟ ପାଣି ଉକ୍ତ ରାସ୍ତାରେ ଲହଡି ମାରୁଛି। ତଥାପି ସ୍ଥାନୀୟ ପ୍ରଶାସନ ଏବଂ ଜଳସେଚନ ବିଭାଗର ନିଷ୍କ୍ରିୟତା ଲାଗି ଏପରି ସମସ୍ୟା ପ୍ରତିବର୍ଷ ହେଉଥିବାର ଜନସାଧାରଣ ମାନେ ଅଭିଯୋଗ କରିଛନ୍ତି।

ଉକ୍ତ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଯାନବାହାନ ଓ ଜନସାଧାରଣ ମାନେ ବାଣପୁର ଏବଂ ବାଲୁଗାଁକୁ ଯାତାୟାତ କରିଥାନ୍ତି। ତେବେ ଜଳ ଜମିବା ଯୋଗୁଁ ଉକ୍ତ ରାସ୍ତାଟି ଏକ ହ୍ରଦର ଭ୍ରମ ସୃଷ୍ଟି କରୁଛି। ଯାହାଫଳରେ ଏକାଧିକ ଛୋଟ ମୋଟ ଦୁର୍ଘଟଣା ଘଟୁଛି। ଏପରିକି ମେଘାମ୍ବରୀ ମନ୍ଦିର ନିକଟରେ ଥିବା ଟୀକାକେନ୍ଦ୍ର ଭିତରେ ମଧ୍ୟ କେନାଲ ପାଣି ପଶିଯାଇଛି। ଯାହାଫଳରେ ଟୀକାଦାନ ବାଧାପ୍ରାପ୍ତ ହେଉଛି।

ତେବେ ଏ ନେଇ ଶାଳିଆ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇ. ଵାଲା ରାଜୁଙ୍କୁ ପଚାରିବାରୁ ଉକ୍ତ ସମସ୍ୟା ଦୀର୍ଘ ୧୩ ବର୍ଷ ହେଲା ଲାଗିରହିଥିବାର କହିଛନ୍ତି। ଏବଂ ସରକାରୀ ନାଳ ନର୍ଦମାଗୁଡିକୁ କିଛି ନ୍ୟସ୍ତସ୍ୱାର୍ଥ ଲୋକ ଜୋର ଜବରଦସ୍ତ ମାଡିବସିଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ ବୋଲି ସେ କହିଛନ୍ତି।

ଅନୁରୂପ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜଳ ନିଷ୍କାସନ ପାଇଁ ମେଘାମ୍ବରୀ ମନ୍ଦିର ନିକଟରେ ଏକ ଶଙ୍ଖ ନିର୍ମାଣ କରାଯାଇଥିବାବେଳେ ତାହାର ଉଚ୍ଚତା କମ ଥିବାରୁ ନଦୀ ଜଳ ରାସ୍ତା ଉପରକୁ ପ୍ରବାହିତ ହେଉଛି। ତେବେ ଯଦି ଆଉ ଦୁଇଟି ନୂତନ ବ୍ରିଜ ତିଆରି ହେବ ତେବେ ଏ ସମସ୍ୟା ସମାଧାନ ହୋଇପାରିବ ବୋଲି କହିଛନ୍ତି। ଅପରପକ୍ଷରେ ଜଳସେଚନ ବିଭାଗ ଦ୍ୱାରା ଜଳ ନିଷ୍କାସନ ପାଇଁ ସବୁପ୍ରକାର ଉଦ୍ୟମ କରାଯାଇଥିବାବେଳେ ତାହା ଏକରକମ ଫେଲ ମାରିଛି।

ତେବେ ଏ ନେଇ ଜଳସେଚନ ବିଭାଗ ଖୋର୍ଦ୍ଧା ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ସୁବ୍ରତ ଦାସଙ୍କୁ ଯୋଗାଯୋଗ କରାଯିବାରୁ ସେ ଉକ୍ତ ସମସ୍ୟା ବିଷୟରେ ଅବଗତ ଥିବାର କହିଛନ୍ତି ଏବଂ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି। ଅନୁରୂପ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ନାୟକଙ୍କୁ ପଚାରିବାରୁ ଆଗକୁ ଏଥିନିମନ୍ତେ ନୂତନ ବ୍ରିଜ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବାର ସୂଚନା ଦେଇଛନ୍ତି। ବାଣପୁର ତହସିଲଦାରଙ୍କୁ ଏ ନେଇ ପଚାରିବାରୁ ସେ ଏହାଉପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିବାର ସୂଚନା ଦେଇଛନ୍ତି।

ଏଠି ପ୍ରଶ୍ନ ଉଠୁଛି ଯଦି ଜଳସେଚନ ବିଭାଗ ଅବଗତ ଅଛି ଯେ, ସରକାରୀ ଜାଗା ସ୍ଥାନୀୟ ବାସିନ୍ଦାମାନେ ଜବରଦଖଲ କରିଛନ୍ତି, ତେବେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ କଣ ପାଇଁ ନିଆଯାଉନାହିଁ। କଣ ପାଇଁ ଏତେ ବର୍ଷ ହେଲା ଚୁପ ବସିଛି ଜଳସେଚନ ବିଭାଗ। ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସେଚନ ବିଭାଗ ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବାବେଳେ ଏଥିରେ ବଳି ପଡୁଛନ୍ତି ନିରୀହ ଜନସାଧାରଣ।

ଯଦି ତୁରନ୍ତ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରୁ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାନଯାଏ ତେବେ ଜନସାଧାରଣ ଆନ୍ଦୋଳନପାଇଁ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଭାବେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଆସନ୍ତାକାଲି ମେଘାମ୍ବରୀ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପରେ ଟୀକାକରଣ ବ୍ୟବସ୍ଥା କରାଯାଇଥିବାବେଳେ ଜଳବନ୍ଦୀ ଲାଗି ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାଞ୍ଚ ଆନ୍ତଜିଲ୍ଲା ଲୁଟେରାଙ୍କୁ ଗିରଫ କଲା ବାଣପୁର ପୋଲିସ: ଶାଳିଆ ଡ୍ୟାମ ସିରିଜ୍ ଡକାୟତିରେ ଥିଲେ ସମ୍ପୃକ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ଦୀର୍ଘଦିନ ପରେ ସଫଳତା ମିଳିଛି। ଏକ ବଡ଼ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ପୋଲିସ ସଫଳ ହୋଇଛି। ଖୋର୍ଦ୍ଧା ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ବାଣପୁର ଥାନା ଅଧିନସ୍ଥ ଶାଳିଆ ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲୁଟ ଘଟଣାର ଅଭିଯୋଗ ଥାନାକୁ ଆସୁଥିଲେ ମଧ୍ୟ ପୋଲିସ ଲୁଟେରାମାନଙ୍କୁ ଧରିବାରେ ସଫଳ ହୋଇପାରୁନଥିଲା। ପ୍ରତିଥର ସମାନ ଜାଗାରେ ସମାନ ଢଙ୍ଗରେ ଲୋକଙ୍କୁ ଦୁର୍ବୃତ୍ତମାନେ ଟାର୍ଗେଟ କରି ଲୁଟୁଥିଲେ। ତେବେ ସେହି ଦିନଠାରୁ ବାଣପୁର ପୋଲିସ ଲୁଟେରାମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ୫ ଜଣ ଡକାୟତଙ୍କୁ ଗିରଫ କରିଛି। ଏ ନେଇ ଆଜି ସଂନ୍ଧ୍ୟାରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ଏସଡ଼ିପିଓ ଙ୍କ ସୂଚନା ମୁତାବକ ଗତକାଲି ମଧ୍ୟରାତ୍ରରେ ଶାଳିଆ ଡ୍ୟାମ ନିକଟରେ କିଛି ଦୁର୍ବୁତ୍ତମାନେ ଡକାୟତି କରିବାପାଇଁ ଯୋଜନା କରୁଥିଲେ। କୌଣସି ଏକ ବିଶେଷ ସୂତ୍ରରୁ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଉକ୍ତ ସୂଚନା ପାଇଥିଲେ। ବିଳମ୍ବ ନକରି ସଙ୍ଗେସଙ୍ଗେ ଏ ନେଇ ଥାନାଧିକାରୀ ଏସଡ଼ିପିଓଙ୍କୁ ସୂଚନା ଦେଇଥିଲେ। ଏସଡ଼ିପିଓଙ୍କ ନିର୍ଦ୍ଦେଶକ୍ରମେ ଏବଂ ଆଇଆଇସିଙ୍କ ତତ୍ୱାବଧାନରେ ଏସଆଇ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥଳରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୫ ଜଣ ଡକାୟତଙ୍କୁ ପୋଲିସ କାବୁ କରିଥିବାବେଳେ ଅନ୍ୟ ୨ ଡକାୟତ ରାତ୍ରିର ସୁଯୋଗ ନେଇ ଫେରାର ହୋଇଯାଇଥିଲେ।

ତଦନ୍ତ ସମୟରେ ଉକ୍ତ ୫ ଡକାୟତ ପୂର୍ବରୁ ଶାଳିଆ ଡ୍ୟାମ ନିକଟରେ ହୋଇଥିବା ଦୁଇଟି ଡକାୟତି ଘଟଣାରେ ସମ୍ପୃକ୍ତ ଥିବାର ପୋଲିସ ଜାଣିବାକୁ ପାଇଛି। ସେମାନଙ୍କ ନାମରେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନାରେ ପୂର୍ବରୁ ଚାରି ଗୋଟି ଅପରାଧିକ ମାମଲା ରହିଛି।  ପୋଲିସ ସେମାନଙ୍କ ନିକଟରୁ ଗୋଟାଏ ଦେଶୀ ପିସ୍ତଲ, ୫ ମୋବାଇଲ ଫୋନ, ଗୋଟେ ଖଣ୍ଡା, ଗୋଟେ ଚାପଡ଼, ଗୋଟେ ଛୁରୀ, ଗୋଟେ ହାତୁଡି, ବ୍ଲେଡ, ଦିଆସିଲି ଡବା, ସିଗାରେଟ, ଦୁଇଟି ବିଦେଶୀ ମଦ ବୋତଲ ଓ ୩ ଟି ବାଇକ ଜବତ କରିଥିବାବେଳେ ଆଜି ବାଣପୁର ଆଇଆଇସି ବାଲୁଗାଁରୁ ଆଉ ଏକ ବାଇକ ଜବତ କରିଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣ ବାଲୁଗାଁର ହୋଇଥିବାବେଳେ ଅନ୍ୟ ୩ ଜଣ ଖଲ୍ଲିକୋଟ ଅଞ୍ଚଳର ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୬୩/୨୧ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଏହାର ତଦନ୍ତ ଖୋଦ ବାଣପୁର ଆଇଆଇସି କରୁଛନ୍ତି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶାରେ ଗିରଫ ଅଭିଯୁକ୍ତ ମାନଙ୍କ ପରିଚୟ ଗୋପନ ରଖିଛି ପୋଲିସ।

ତେବେ ଉକ୍ତ ଅନୁସନ୍ଧାନରେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ଏସଆଇ ରାଜକିଶୋର ବେହେରାଙ୍କ ଭୂମିକାକୁ ଏସଡ଼ିପିଓ ଉଚ୍ଚ ପ୍ରସଂଶିତ କରିଛନ୍ତି। ଉକ୍ତ ସମ୍ମିଳନୀରେ ଏସଡ଼ିପିଓଙ୍କ ସମେତ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ଏସଆଇ ରାଜକିଶୋର ବେହେରା, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ଏଏସଆଇ ଶ୍ରୀନିବାସ ପ୍ରଧାନ ଆଦି ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶାଳିଆ ଡ୍ୟାମ ରାସ୍ତାରେ ବଢୁଛି ଡକାୟତି: କ୍ରମାଗତ ୩ଟି ଲୁଟ୍ ଘଟଣା ପରେ ବି ଲୁଟେରାଙ୍କ ଟେର ପାଉନି ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ଶାଳିଆ ଡ୍ୟାମ ଉଭୟ ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଥିବାବେଳେ ଏଠାରେ ଦିନକୁ ଦିନ ରାହାଜାନି, ଲୁଟ ଆଦି ବଢ଼ୁଥୁବାରୁ ବର୍ତ୍ତମାନ ପର୍ଯ୍ୟଟକ ତଥା ବ୍ୟବସାୟୀ ଉକ୍ତ ରାସ୍ତା ଦେଇ ଯିବା ଆସିବାକୁ ସୁରକ୍ଷିତ ମଣୁନାହାନ୍ତି। ଗତ ଦୁଇ ମାସ ଭିତରେ ଏଠାରେ ଦୁଇ ଥର ଲୁଟ ହୋଇଥିବାବେଳେ ଗତ କାଲି ରାତିରେ ପୁଣି ଶାଳିଆ ଡ୍ୟାମ ଠାରୁ ମାତ୍ର ୩୦୦ ମିଟର ଦୂରରେ ଜଣେ ଦମ୍ପତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେବା ସହ ଦୁର୍ବୃତ୍ତମାନେ ମହିଳାଙ୍କୁ ଛୁରା ମାଡ଼ ମଧ୍ୟ କରିଛନ୍ତି। ଏନେଇ ଦମ୍ପତି ଜଣକ ଆଜି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବୁରୁଝୁରି ନୂଆଗାଁ ଅଞ୍ଚଳର କଲ୍ୟାଣ କୁମାର ଜେନା ଏବଂ ତାଙ୍କ ପତ୍ନୀ ପୂଜା ନାହାକ ଉଭୟ ଗତକାଲି ବାଇକ ଯୋଗେ ବାଣପୁର ଥାନା ଅନ୍ତର୍ଗତ ଅରଖଡିହ ଗ୍ରାମ ସ୍ଥିତ ନିଜ ବନ୍ଧୁ ଘରକୁ ଯାଇଥିଲେ। କାମସାରି ସଂଧ୍ୟାରେ ଉଭୟ ନିଜ ଗ୍ରାମକୁ ଫେରୁଥିବା ବେଳେ ପାଖାପାଖି ୭ ଘଟିକା ସମୟରେ ଶାଳିଆ ଡ୍ୟାମ ଠାରୁ ୩୦୦ ମିଟର ଆଗରେ ୩ଜଣ ଦୁର୍ବୁତ୍ତ ଏକ ଧଳା ରଙ୍ଗର ସ୍କୁଟିରେ ଆସି ଉଭୟଙ୍କୁ ପଛପଟୁ ଅଟକାଇଥିଲେ।

ପରବର୍ତ୍ତୀ ସମୟରେ ପୂଜାଙ୍କୁ ବନ୍ଧୁକ ଏବଂ ଛୁରୀ ଦେଖାଇ ତାଙ୍କ ନିକଟରୁ ପାଖାପାଖି ୧୦୦ ଗ୍ରାମ ସୁନା ଗହଣା ଲୁଟିନେଇଥିଲେ। ତେବେ ଉଭୟ ଜୋରରେ ପାଟି କରିବାରୁ ଦୁର୍ବୃତ୍ତମାନେ ଛୁରୀରେ ପୂଜାଙ୍କ ହାତକୁ ଆକ୍ରମଣ କରି ବାଣପୁର ଅଭିମୁଖେ ଫେରାର ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ପୂଜାଙ୍କ ଚିକିତ୍ସା ନିମନ୍ତେ ତାଙ୍କ ସ୍ୱାମି କଲ୍ୟାଣ ୧୦୮ ଆମ୍ବୁଲାନ୍ସ ଦ୍ୱାରା ପ୍ରଥମେ ତାଙ୍କୁ ସୁମଣ୍ଡଳ ଏବଂ ପରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଥିଲେ।

ଆଜି ଚିକିତ୍ସତ ହେବାପରେ ଦମ୍ପତି ଜଣକ ବାଣପୁର ଥାନାରେ ହାଜର ହୋଇ ଏ ନେଇ ଲିଖିତ ଅଭିଯୋଗ କରିବା ସହ ଯଥାଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ଅଳଙ୍କାର ଗୁଡିକୁ ଜବତ କରିବା ପାଇଁ ଥାନାଧିକାରୀଙ୍କୁ କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି।

ସୂଚନା ଥାଉ କି ଏହି ସ୍ଥାନରେ ୨ ମାସ ଆଗରୁ ନୂଆଗଡର ଜଣେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ଟଙ୍କା ଓ ମୋବାଇଲ ଲୁଟ କରିବା ସହ ମାତ୍ର ୧୫ ଦିନ ପୂର୍ବେ ଅଂଗରଗାଁର ଏକ ବ୍ୟବସାୟୀଙ୍କ ଠାରୁ ଗାଡି ଓ ଟଙ୍କା ଲୁଟ ହୋଇଥିଲା। ଆଜିର ଲୁଟ ସେହି ସ୍ଥାନରେ ୩ୟ ଘଟଣା। ହେଲେ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହିଛି।

ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଦୁର୍ଗମ ରାସ୍ତା ହୋଇଥିବାରୁ ଉଭୟ ଜିଲ୍ଲାର ଥାନା ପକ୍ଷରୁ ଏଠାରେ ପାଟ୍ରୋଲିଂ ମଧ୍ୟ ହେଉନାହିଁ। ଏହିପରି ଲୁଟ, ରାହାଜାନି ଏଠାରେ ବାରମ୍ବାର ଘଟୁଥିବା ବେଳେ ପୋଲିସ ଦୁର୍ବୃତ୍ତମାନଙ୍କ ଟେର ନପାଇବା ଆଶ୍ଚର୍ଯ୍ୟର କଥା। ଉକ୍ତ ଅଞ୍ଚଳରେ ନିହାତି ଏକ ପୋଲିସ ଆଉଟପୋଷ୍ଟ ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର ଶାଳିଆ ଡ୍ୟାମ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

 ସୀତାରାମ ଅଗ୍ରୱାଲ 

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରେ ଆଜି ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମର କେଳୁଚରଣ ଭୋଳଙ୍କ ପୁତ୍ର ହେମନ୍ତ ଭୋଳ(୩୨) ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ହେମନ୍ତ ଆଜି ସକାଳେ ପ୍ରାୟ ୧୦ ଘଟିକାରେ ଘରୁ ୫୦୦ ଟଙ୍କା ନେଇ ନିଜ ସ୍କୁଟି ଯୋଗେ ବାଣପୁର ଯାଇଥିଲେ।  କିନ୍ତୁ ଅପରାହ୍ନ ଯାଏଁ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ ଏବଂ ପରେ ଲୋକମାନଙ୍କଠୁ ଖବର ପାଇ ଶାଳିଆ ଡ୍ୟାମ ନିକଟରେ ହେମନ୍ତ ଙ୍କ ମୃତଦେହ ଦେଖିବାକୁ ପାଇଥିଲେ।  ପରବର୍ତ୍ତୀ ସମୟରେ ପରିବାର ଲୋକେ ହେମନ୍ତଙ୍କୁ ବାଣପୁର ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ସମ୍ପର୍କ ରେ ଖବର ପାଇ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।  ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେସ ନମ୍ବର ୧୯/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।