Categories
ଜାତୀୟ ଖବର ବିଶେଷ ଖବର

ନୂତନ ଶ୍ରେଣୀଭୁକ୍ତ ଶାସ୍ତ୍ରୀୟ ଭାଷାର ଭାଷାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ମଞ୍ଜୁର କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଏହି ସବୁ ଭାଷାର ଭାଷାବିତମାନଙ୍କୁ ଭେଟି ସାକ୍ଷାତ୍ ଆଲୋଚନା କରିଛନ୍ତି।

ଏହି ଭାରତୀୟ ଭାଷା ଗୁଡ଼ିକୁ ଶାସ୍ତ୍ରୀୟ ଭାଷା ତାଲିକାରେ ଅନ୍ତର୍ଭୁକ୍ତ କରିଥିବାରୁ ଭାଷାବିତମାନେ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସବୁ ଭାଷାକୁ ପ୍ରୋତ୍ସାହିତ ଓ ସୁସମୃଦ୍ଧ କରିବା ଦିଗରେ ସମସ୍ତେ ନିଜର ସମର୍ଥନ ଜଣାଇଛନ୍ତି। ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ଭାଷା ଗୁଡିକ ହେଉଛି ‘ଭାରତୀୟତା’ର ପ୍ରାଣ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ସବୁ ଭାରତୀୟ ଭାଷା ବା ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରୁଛନ୍ତି । ଜାତୀୟ ଶିକ୍ଷା ନୀତିର କଳ୍ପନା ଅନୁସାରେ ଆମର ଭାଷାଗତ ଐତିହ୍ୟକୁ ସମ୍ମାନ ଜଣାଇବା ସହ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି। ମାତୃଭାଷା ଶିକ୍ଷାକୁ ସୁଗମ କରିବା, ସମସ୍ତ ଭାରତୀୟ ଭାଷା ଉପରେ ସମାନ ଗୁରୁତ୍ୱ ଦେବା ସହିତ ବହୁଭାଷାଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ଭାରତ ସରକାର ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମlଲlୟାଲମ୍‌ ଓ ଓଡ଼ିଆ ଭାଷାଗୁଡିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇସାରିଛନ୍ତି । ଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସଂସ୍କୃତ ଭାଷାର ପ୍ରଚାର ପାଇଁ ସଂସଦର ଏକ ଅଧିନିୟମ ମାଧ୍ୟମରେ ୨୦୨୦ରେ ତିନୋଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି।

ପ୍ରାଚୀନ ତାମିଲ ଗ୍ରନ୍ଥଗୁଡିକର ଅନୁବାଦକୁ ସୁଗମ କରିବା ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ତାମିଲର ଭାଷା ଛାତ୍ରମାନଙ୍କ ପାଇଁ ପାଠ୍ୟକ୍ରମ ପ୍ରଦାନ କରିବାକୁ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନ ପ୍ରତିଷ୍ଠା କରାଯାଇଥିଲା। ଶାସ୍ତ୍ରୀୟ ଭାଷାର ଅଧ୍ୟୟନ ଏବଂ ସଂରକ୍ଷଣକୁ ଆହୁରି ବଢ଼ାଇବା ପାଇଁ ମହୀଶୁରରେ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍ ଅଧିନରେ ଶାସ୍ତ୍ରୀୟ କନ୍ନଡ, ତେଲୁଗୁ, ମାଲାୟାଲମ୍ ଏବଂ ଓଡିଆରେ ଅଧ୍ୟୟନ ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

ଏହି ପଦକ୍ଷେପଗୁଡିକ ସହିତ, ଶାସ୍ତ୍ରୀୟ ଭାଷା କ୍ଷେତ୍ରରେ ଉପଲବ୍ଧତାକୁ ମାନ୍ୟତା ଦେବା ସହ ପ୍ରୋତ୍ସାହିତ କରିବା ପାଇଁ ଅନେକ ଜାତୀୟ ଏବଂ ଅର୍ନ୍ତଜାତୀୟ ପୁରସ୍କାର ମଧ୍ୟ ଆରମ୍ଭ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶାସ୍ତ୍ରୀୟ ଭାଷା ଓଡ଼ିଆ ଆଜି ସରକାରୀ ଅବହେଳାର ଶିକାର: କେବେ ଚେତିବ ଶାସନ?

ହେମାଙ୍ଗ ପ୍ରସାଦ ରାଉଳ
ଭୁବନେଶର/ବ୍ରହ୍ମପୁର: ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବାର ଦିନଟି ଥିଲା ୨୦ ଫେବୃୟାରୀ ୨୦୧୪ ତାରିଖ। ଏଇ ଦିନ ଓଡ଼ିଶା କେତେ ଆଡ଼ମ୍ବର ସହ ବାଣଫୁଟାଇ ଢ଼ୋଲ ବଜାଇ ନାଚୁଥିଲା। ଆଲୋକମାଳା ଆତସବାଜିରେ ଝଲସି ଉଠୁଥିଲା ସରକାରୀ ବଡ଼ ବଡ଼ କୋଠା ଏବଂ ଲୋକସେବା ଭବନ। କିନ୍ତୁ ଆଜି ସତରେ ଓଡ଼ିଆ ଭାଷା ପ୍ରତି ସମ୍ମାନ, ଆଦର, ଶ୍ରଦ୍ଧା ଓ ସୌହାର୍ଦ୍ଧ୍ୟ କେତେ ? ତାହା ମଧ୍ୟ ଅନୁଶୀଳନୀୟ।

ରାଜ୍ୟ ସରକାରଙ୍କ ଅପାରଗତାର ଆଉ ଏକ ପ୍ରମାଣ ସରକାରୀ କାର୍ଯ୍ୟରେ ବ୍ୟବହୃତ ପତ୍ର ଚିଠି ଗୁଡ଼ିକରେ ଓଡ଼ିଆ ଭାଷାର ଦୈନ୍ୟତା। ପଶ୍ଚିମ ଇଂରାଜୀ ଭରଷା ପ୍ରେମରେ ଓଡ଼ିଶାର ଶାସନ। ଏଇ ପ୍ରେମର ମୋହ ଭାଙ୍ଗିବ କେବେ ବୋଲି ଭାଷାପ୍ରେମୀମାନଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ବହୁ ଦିନର ସଂଗ୍ରାମ, ତଥ୍ୟଭିତ୍ତିକ ତର୍କବିତର୍କ ପରେ ଓଡ଼ିଶାର ଓଡ଼ିଆ ଭାଷା ବିଶ୍ୱର ପ୍ରାଚୀନ ଭାଷା ମଧ୍ୟରୁ ଅନ୍ୟତମ। ଭାରତରେ ୭ମ ସ୍ଥାନ ଏବଂ ବିଶ୍ୱରେ ୩୭ତମ ସ୍ଥାନ ଦାଖଲ କରିଥିବା ପ୍ରାଚୀନ ଭାଷା ଓଡ଼ିଆକୁ ଉଚିତ ସମ୍ମାନ ଦେବା ପାଇଁ ଓଡ଼ିଶା ଶାସନକଳ ଦୁର୍ବଳ କାହିଁକି? ଘୋଷଣା କରାଯାଏ ଭାଷାର ବ୍ୟବହାର କରିବା ପାଇଁ କିନ୍ତୁ ତା’ର ବ୍ୟବସ୍ଥାକୁ ଏମାନେ ହିଁ ଭାଙ୍ଗିଦିଅନ୍ତି।

ଓଡ଼ିଶାର ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ଏକଦା ୮୪୫ ଦିନ ଧରି ସାରା ଓଡ଼ିଶାରେ ନୀରବ କଳାପତାକା ପଦଯାତ୍ରା ଚାଲିଥିଲା ଏବଂ ଓଡ଼ିଶା ସରକାର ଏହି ଆନ୍ଦୋଳନରେ ପ୍ରଭାବିତ ହୋଇ ଦାବି ମଧ୍ୟ ମାନିନେଲେ। ରାଜ୍ୟପାଳଙ୍କ ସ୍ୱୀକୃତି ପରେ ଓଡ଼ିଆ ଭାଷାରେ ଶାସନ ପାଇଁ ନିର୍ଦ୍ଦେଶନାମା ମଧ୍ୟ ସରକାର ଜାରି କଲେ। ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ସଂସ୍ଥା, ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ସମ୍ମାନ ଏବଂ ଯିଏ ଭାଷା ଆଇନକୁ ଖିଲାପ କରିବ ତା’ ପ୍ରତି ଦଣ୍ଡ ମଧ୍ୟ ବିଧାନ କରାଯିବ ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏସବୁ କେବଳ ଆଜି ପ୍ରହସନ ପରି ମନେହୁଏ।

ବ୍ରହ୍ମପୁର ସହରରେ ଓଡ଼ିଶାର ଭାଷା ଆନ୍ଦୋଳନ ଏକ ପ୍ରଭାବଶାଳୀ ଆନ୍ଦୋଳନ ଥିଲା। ଜଣେ ଡ଼ାକ୍ତର ଭାଷାପ୍ରେମର ନିଖୁଲ ସଂଦେଶ ଦେଇ ଓଡ଼ିଶା ଶାସନକୁ ଚେତାଇଥିଲେ। ନୀରବ କଳା ପତାକା ପଦଯାତ୍ରା ମାଧ୍ୟମରେ ଗଂଜାମ ଜିଲ୍ଲାରୁ ଡା. ସାଗର ରଂଜନ ତ୍ରିପାଠୀ ନିଜ କାନ୍ଧରେ ଭାଷା ଆନ୍ଦୋଳନର ଭାର ବହନ କରି ରାଜ୍ୟ ଶାସନ ସମ୍ମୁଖରେ ଏକ ପ୍ରଭାବଶାଳୀ ସଂଦେଶ ଦେଇଥିଲେ। ଯାହାକି ସାରା ଓଡ଼ିଶାର ଭାଷାପ୍ରେମୀଙ୍କ ପାଇଁ ଏକ ନୂଆଖବର ଥିଲା ଯେ ଜଣେ ଡ଼ାକ୍ତର ଭାଷାପ୍ରେମର ଜାଲରେ।

ଓଡ଼ିଶାର ଭୁବନେଶ୍ୱର, ଯାଜପୁର, ସମ୍ବଲପୁରରେ ଭାଷା ଆନ୍ଦୋଳନର ସ୍ୱର ଶାଣିତ ଥିଲା। ଏସବୁ ଭାଷା ଜନନୀର ସୁରକ୍ଷା। କିନ୍ତୁ ବଡ଼ ବିଡ଼ମ୍ବନା କାହିଁକି? ଭାଷା ଆଇନ ଓ ଦଣ୍ଡ ? ମାଳ ମାଳ ଇଂରାଜୀ ନାମଫଳକ ସରକାରୀ ଦପ୍ତରରେ ଏବଂ ବିଜ୍ଞାପନରେ ଦେଖୁଥିବା ଭାଷାପ୍ରେମୀଙ୍କୁ ସରକାର ଆଘାତ ଦେଇ ଚାଲିଛନ୍ତି। ଶାସ୍ତ୍ରୀୟ ଭାଷା ଓଡ଼ିଆ ହେଲା, ଭାଷା ଆଇନ ମାଧ୍ୟମରେ ଭାଷା ଖିଲାପ କଲେ ଦଣ୍ଡ ଓ ଭାଷାକୁ ଆଦର କଲେ ସମ୍ମାନ ଦେବା ପାଇଁ ସରକାରୀ ଘୋଷଣା ସବୁ ଧୂଆଁବାଣ। ସରକାରୀ ଆଇନ ହେବା ପରେ କାର୍ଯ୍ୟକାରିତା ହୁଏ ନାହିଁ କାହିଁକି, ଏସବୁ ଭାଷାପ୍ରେମୀଙ୍କ ପ୍ରତି ପ୍ରତାରଣା ନୁହଁକି ବୋଲି ଆଜି ପ୍ରଶ୍ନ ଉଠୁଛି।