Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ସେନାରେ ଯୋଗ ଦେବେ ସୋଆ ଛାତ୍ର

ଭୁବନେଶ୍ୱର: ଭାରତୀୟ ସେନାରେ ଯୋଗ ଦେବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ର ଅଙ୍କିତ ରାଜ ବିଶ୍ୱାଳ। ନିକଟରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କମ୍ପ୍ୟୁଟର ସାଇନ୍‌ସ ବିଭାଗରୁ ଗ୍ରାଜୁଏସନ୍ କରିଥିବା ଛାତ୍ର ଅଙ୍କିତ ରାଜ ସର୍ଭିସେସ୍ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ନିଯୁକ୍ତି ପ୍ରକ୍ରିୟାରେ ସଫଳ ହୋଇ ଯୁବ ଅଫିସର ଭାବେ ଭାରତୀୟ ସେନାରେ ଯୋଗ ଦେବା ନିମନ୍ତେ ମନୋନୀତ ହୋଇଛନ୍ତି।

ଶ୍ରୀ ବିଶ୍ୱାଳ ଗତ ଏପ୍ରିଲ ମାସରେ ଭୋପାଳ ଠାରେ ଏସ୍‌ଏସ୍‌ବି ଆସେସ୍‌ମେଂଟ ପ୍ରକ୍ରିୟାରେ ମନୋନୀତ ହୋଇଥିବା ବେଳେ ସୋମବାର ତାଙ୍କର ଏହି ସଫଳତା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଶ୍ରୀ ବିଶ୍ୱାଳ ଆଇଟିଇଆର୍‌ର ଏନ୍‌ସିସି ୟୁନିଟରେ ସାମିଲ ଥିଲେ ଏବଂ ସିନିୟର ଅଣ୍ଡର ଅଫିସର ଭାବେ ଦାୟିତ୍ୱ ବହନ କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରଜପର୍ବ ଉପଲକ୍ଷେ ସୋଆ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ରଜ ପିଠା ପ୍ରତିଯୋଗିତା ସୋମବାର ଆୟୋଜିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମହିଳାମାନେ ବିଭିନ୍ନ ପିଠା ପ୍ରସ୍ତୁତ କରିବା ନିମନ୍ତେ ଏସ୍‌ଏଚ୍‌ଏମ୍‌ରେ ସୋମବାର ସକାଳେ ପହଂଚି ପିଠା ପ୍ରସ୍ତୁତ ଆରମ୍ଭ କରିଥିଲେ। ଅନ୍ୟ ପିଠା ପ୍ରତିଯୋଗିତା ଭଳି ଘରୁ ପ୍ରସ୍ତୁତ କରିଥିବା ପିଠା ନ ଆଣି ଏଠାରେ ହିଁ ନିଜର ରୋଷେଇ କଳା ଦେଖାଇଥିଲେ ମହିଳାମାନେ। ମୋଟ ୧୬ ଜଣ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୮ଟି ଗ୍ରୁପ୍ ମାଧ୍ୟମରେ ସେମାନେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରିଥିଲେ।

ବିଭିନ୍ନ ପ୍ରକାରର ପୋଡପିଠା ଯେପରିକି ଚାଉଳ ପୋଡପିଠା, ଖିର ପୋଡପିଠା, ବିରି ପୋଡପିଠା, ତ୍ରିରଙ୍ଗା ପୋଡ ପିଠା, ମହୁଲ ପୋଡ ପିଠା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା ପିଠା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା, ପାଳୁଅ ମଣ୍ଡା ପିଠା, ତ୍ରିରଙ୍ଗା ପୋଡ ପିଠା, ଭୋଗେଇ ଭଳି ୨୪ ପ୍ରକାର ପିଠା ମହିଳାମାନେ ପ୍ରସ୍ତୁତ କରିଥିଲେ।

ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ପୂର୍ବତନ ଅଧ୍ୟକ୍ଷା ଆର୍ଯ୍ୟା କୁମାରୀ ପାଣିଗ୍ରାହୀ, ସ୍ୱାମୀ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ପିତାମ୍ବର ବିଶ୍ୱାଳ ଓ ରୋଜିସ୍ କିଚେନ୍‌ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ ବିଚାରକ ଭାବେ ଯୋଗ ଦେଇ ଖାଦ୍ୟ ପରୀକ୍ଷା କରିଥିଲେ।

ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜ୍ୟୋସ୍ନା ମିଶ୍ର ଓ ମୀନା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନିହାରିକା ତ୍ରିପାଠୀ ଓ ମାନସୀ ବରାଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଶୁଭଶ୍ରୀ ପଟ୍ଟନାୟକ ଓ ମାନସୀ ଓଝା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।
ପ୍ରିତଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଚାରକମାନେ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ନିମନ୍ତେ ପ୍ରଶଂସା କରିଥିଲେ। ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ପିଠା ପ୍ରତିଯୋଗିତା ଭଳି ଆଗାମୀ ଦିନରେ ମିଠା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ପ୍ରଫେସର ସୁଶାନ୍ତ କୁମାର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ।

ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ବିକ୍ରୀ ହେବାର ଯୋଜନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ସେରିମୋନି ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୩୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ରବିବାର ଏକ ବିଶେଷ ଗ୍ରାଜୁଏସନ୍ ସେରିମୋନିରେ ସେମାନଙ୍କର ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

ସିରିଆ, ଉଗାଣ୍ଡ, ଭୁଟାନ ଓ ନେପାଳରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସୋଆରେ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ , ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଏବଂ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ ର ୪ବର୍ଷ ଅଧ୍ୟୟନ ସମାପ୍ତ କରିଛନ୍ତି।

ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୁଳାଧିପତି ପ୍ରଫେସର ଅମିତ ବାନାର୍ଜୀ ଏହି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କନ୍‌ଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏବଂ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନିଚକେତା କେ. ଶର୍ମା ଉପସ୍ଥିତ ଥିଲେ।

ଛାତ୍ରଛାତ୍ରୀମାନଙ୍କୁ ଉପଢୌକନ ଦେଇ ପ୍ରଫେସର ବାନାର୍ଜୀ ସେମାନେ ଅଧ୍ୟୟନ ନିମନ୍ତେ ସୋଆକୁ ମନୋନୀତ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସୋଆ ନିକଟରେ ଭାରତ ସରକାରଙ୍କ ର‌୍ୟାଙ୍କିଙ୍ଗ୍‌ରେ ଦେଶରେ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ୧୫ତମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କର ଶିକ୍ଷା ଗ୍ରହଣ ଉତମ ହୋଇଅଛି ବୋଲି ସେ କହିଥିଲେ।

କୁଳପତି ପ୍ରଫେସର ନନ୍ଦ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ସୋଆର ଅଂଶ ଭାବେ ରହିବା ସହିତ ସେମାନଙ୍କ ନିଜ ଦେଶରେ ବିଶ୍ୱବିଦ୍ୟାଳୟର ପରିଚୟ ହେବେ ବୋଲି କହିଥିଲେ। ଏହି ଛାତ୍ରଛାତ୍ରୀମାନେ ସେମାନଙ୍କର ଉତ୍ତରୋତର ଅଧ୍ୟୟନ ମଧ୍ୟ ସୋଆରେ କରିପାରିବେ ବୋଲି ପ୍ରଫେସର ନନ୍ଦ ଉଲ୍ଲେଖ କରିଥିଲେ।

ଏହାର ଉତରରେ ନେପାଳରୁ ଆସିଥିବା ଜଣେ ଛାତ୍ରୀ ଜଇନୀବ ମୁସିର ଇରାକୀ ସୋଆ ସେମାନଙ୍କ ଜୀବନ ଯାତ୍ରାରେ ଏକ ଅଭୁଲା ସ୍ୱୁତି ହୋଇ ରହିବ ବୋଲି କହିଥିଲେ। “ ଆମର ୪ ବର୍ଷ ର ଯାତ୍ରା ଆଜି ଶେଷ ହେଲେ ମଧ୍ୟ ସମାଜ ପ୍ରତି ଆମର ପ୍ରତିବଦ୍ଧତାର ଆରମ୍ଭ ହୋଇଛି। ଏହି ଅଧ୍ୟୟନ ସମୟରେ ଆମେ ବିଭିନ୍ନ ବିଷୟକୁ ଗ୍ରହଣ କରିବା, ସହିଷ୍ଣୁ ହେବା ଓ ଶିକ୍ଷାକୁ ଅଗ୍ରାଧିକାର ଦେବା ଶିକ୍ଷା କରିପାରିଛୁ” ବୋଲି ସେ କହିବା ସହିତ ଏହି ସୁଯୋଗ ନିମନ୍ତେ ଭାରତ ସରକାର ତଥା ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ସିରିଆରୁ ଆସିଥିବା ଛାତ୍ର ଅହମ୍ମଦ ଇସ୍‌କନ୍ଦର ମଧ୍ୟ ସେମାନଙ୍କୁ ମାର୍ଗଦର୍ଶନ କରାଇଥିବାର ସୋଆକୁ କୃତଜ୍ଞତା ଜଣାଇଥିଲେ। ଭାରତ ତଥା ଓଡ଼ିଶାବାସୀ ବିଦେଶୀ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରତି ଆତ୍ମିୟତା ପ୍ରଦର୍ଶନ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ।

ପ୍ରଫେସର ଶର୍ମା ଏହି ଛାତ୍ରଛାତ୍ରୀମାନେ ସେମାନଙ୍କ ନିଜ ଦେଶରେ ସୋଆର ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ। ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି

ଭୁବନେଶ୍ୱର: ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଏନ୍‌ଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ମଙ୍ଗଳବାର କୁହାଯାଇଛି।

ଏହି ଲଘୁଚାପ କ୍ଷେତ୍ରର ତୀବ୍ରତା ଓ ଗତିପଥକୁ ନେଇ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ନିର୍ଭର କରିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨ ତାରିଖ ରୁ ୯ତାରିଖ ମଧ୍ୟରେ ଦିନର ତାପମାତ୍ରାରେ ବୃଦ୍ଧି ହେବ ଓ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ଅନୁଭୂତ ହେଉଥିବା ପାଗ ଅନୁଯାୟୀ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ୍ ରୁ କମ୍ ଏବଂ ଉପକୂଳ ଅଂଚଳରେ ୪୦ ଡିଗ୍ରୀ ସେଲସିୟସରୁ କମ୍ ରହିବ। ଉତର ଆରବ ସାଗରରେ ଆଂଟିସାଇକ୍ଲୋନ୍ ଓ ବଙ୍ଗୋପ ସାଗରରୁ ପ୍ରବାହିତ ପବନ ହେତୁ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆକୁ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯାଇଛି। ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ପ୍ରଦାନ କରାଯାଇଥିବା ସମ୍ମାନ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସୋଆ ଓଡ଼ିଶାର ଏକ ନମ୍ବର ଏବଂ ଦେଶର ୧୪ ତମ ସ୍ଥାନରେ ସ୍ଥାନିତ ହୋଇଛି। ସେହିପରି ସୋଆକୁ ‘ଏଗ୍‌ଜେମ୍‌ପ୍ଲାରୀ ରିସର୍ଚ୍ଚର ଅଫ୍ ଦ ଇୟର୍‌’ (ଚଳିତ ବର୍ଷର ଉଦାହରାଣତ୍ମକ ଗବେଷକ) ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି। ଏହି କ୍ଷେତ୍ରରେ ସୋଆ ଓଡ଼ିଶାରେ ପ୍ରଥମ ଓ ଦେଶରେ ଚତୁର୍ଥ ସ୍ଥାନରେ ରହିଛି।

ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ପ୍ରୀତମ ନାୟକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଜୁକେସନ୍ ୱାର୍ଲ୍ଡର ପ୍ରକାଶକ ଓ ସମ୍ପାଦକ ଦିଲ୍ଲୀପ୍ ଠାକୋରଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

ଏହି ଅବସରରେ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍‌ର ଡେପୁଟି ଡାଇରେକ୍ଟର (ଇଭାଲୁଏସନ୍‌) କୁଲ୍‌ଦୀପ ଡଗର ଏବଂ ଆଫେୟାର୍ସ ଏଗ୍‌ଜିଭିସନ୍ ଆଣ୍ଡ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ସଞ୍ଜିବ ବୋଲିଆ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆକୁ ନୂଆଦିଲ୍ଲୀରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆୟୋଜିତ ଏଚ୍‌ଆର୍ ଇଣ୍ଡିଆ ନ୍ୟାସ୍‌ନାଲ୍ ଏଚ୍‌ଆର୍ କନ୍‌ଫରେନ୍ସରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଅଫିସର୍ ଅନ୍ ସ୍ପେଶାଲ ଡ୍ୟୁଟି ପ୍ରୀତମ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ।

ଶୈକ୍ଷିକ ଉତ୍କର୍ଷତା ଓ ଉଚ୍ଚ ଶିକ୍ଷାକୁ ନେଇ ଅଭିନବ କାର୍ଯ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଥିବା ମାନପତ୍ରରେ ଉଲ୍ଲେଖ କରାଯାଇଛି। ଗବେଷଣା ଏବଂ ସ୍କଲାରସିପ୍ ପ୍ରଦାନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅନେକ ସାହାଯ୍ୟ, ସହଯୋଗ ଓ ପ୍ର୍ରୋତ୍ସାହନ ଦେଇଆସୁଛି।

ଏହି ଏକ ଦିବସୀୟ କାର୍ଯ୍ୟକ୍ରମଟି ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଏହି ସମ୍ମିଳନୀରେ “ହାର୍ଟ ସେଂଟ୍ରିକ ଅର୍ଗାନାଇଜେସନ୍ ଆଣ୍ଡ ମାଇଣ୍ଡ ସେନ୍‌ଟ୍ରିକ୍ ପରଫର୍ମାନ୍ସ”, “ରୋଲ ଅଫ୍ ଏଚ୍‌ଆର୍ ଇନ୍ ଦ ଏଜ୍ ଅଫ୍ ଏଆଇ/ଡିଜିଟାଲାଇଜେସନ୍‌”, “ହାପିଫିକେସନ୍‌”, “ କମ୍ପାସନେଟ୍ ଲିଡରସିପ୍‌: ଏ ମିଥ୍ ଅର୍ ରିଆଲିଟି”, “ଲିଡରସିପ୍ ଲେସନ୍ସ ଫ୍ରମ୍ ମହାଭାରତ” ଏବଂ “ଅଣ୍ଡରଷ୍ଟାଣ୍ଡିଙ୍ଗ୍ ସ୍ପିରିଚୁଆଲ ଇଂଟେଲିଜେନ୍ସ” ଭଳି ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଷ୍ଠିତ କର୍ପୋରେଟ୍ ଓ ଶିଳ୍ପାନୁଷ୍ଠାନରୁ ପ୍ରାୟ ୨୦୦ ଏଚ୍‌ଆର୍ ନେତୃତ୍ୱ ଓ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ନୂଆଦିଲ୍ଲୀ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ମ୍ୟାନେଜମେଂଟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ର ଡିଜାଇନର ସୁଧାଂଶୁ ମଣି, ଚିନ୍ମୟ ମିଶନ୍‌ର ସ୍ୱାମୀ ଚିଦ୍ରୁପାନନ୍ଦ, ପ୍ରତିଷ୍ଠିତ ଶିଳ୍ପପତି ପ୍ରଦୀପ ମହାନ୍ତି, ସମାଜସେବୀ ଡକ୍ଟର ସୁନୀତା ପଚାରଙ୍କୁ ହାର୍ଟ ସେଂଟ୍ରିକ୍ସ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଅକ୍ୱିଲ୍ ବୁସରାଇ କନ୍‌ସଲ୍ଟିଙ୍ଗ୍‌ର ସିଇଓ ଡକ୍ଟର ଅକ୍ୱିଲ୍ ବୁସରାଇଙ୍କୁ ଆଇକନିକ୍ ଏଚ୍‌ଆର୍ ଲିଡର ଓ ମେଂଟର ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍‌ର ପୂର୍ବତନ ମାନବସମ୍ବଳ ନିର୍ଦ୍ଦେଶକ ରଞ୍ଜନ ମହାପାତ୍ର, ଏନ୍‌ଡିଆଇଏମ୍‌ର ଅଧ୍ୟକ୍ଷ ଭି.ଏମ୍‌. ବଂଶଲ୍‌, ଏଚ୍‌ଆର୍ ଇଣ୍ଡିଆ ଫୋରମ୍ ସଭାପତି ତଥା ଗ୍ଲୋବାଲ୍ ଏଚଆର୍ ଫୋରମ୍‌ର ଉପଦେଷ୍ଟା ସମର ମହାପାତ୍ର, ଚିତ୍ରକଳା ଓ କାରୁକାର୍ଯ୍ୟ ବିଶେଷଜ୍ଞ ପୁଷ୍ପା ସାହୁ ଏବଂ ଆଧ୍ୟାତ୍ମିକ ଶିକ୍ଷକ ଭି.ପି ସିଂହ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଂଲାଦେଶ ଉପରେ ମୋକାର ପଡ଼ିବ ପ୍ରଭାବ, ଓଡ଼ିଶାରେ ବଢ଼ିବ ତାତି

ଭୁବନେଶ୍ୱର: ଭୀଷଣ ବାତ୍ୟା ‘ମୋକା’ ଯାହାକି ଶନିବାର ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୯୦ କିମି ଦୂରରେ ରହିଥିଲା ତାହା ଉତର ପୂର୍ବ ଦିଗରେ ବାଂଲାଦେଶ ଆଡକୁ ମୁହାଁଇବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ଅପରାହ୍ଣରେ ଏହା ବାଂଲାଦେଶ ଉପକୂଳରେ ସ୍ଥଳଭାଗରେ ଛୁଇଁବାର ସମ୍ଭାବନା ଥିବା ବେଳେ ଏହି ସମୟରେ ପବନର ବେଗ ଘଂଟା ପ୍ରତି ୨୦୦ କିଲୋମିଟର ରହିବାର ସମ୍ଭାବନା ରହିଛି ବୋଲି ସିଇସି ବୁଲେଟିନ୍ ପ୍ରକାଶ କରିଛି।

ଏହି ବାତ୍ୟା ସମୁଦ୍ରର ଜଳୀୟ ବାଷ୍ପକୁ ସାଂଗରେ ଟାଣି ନେଇଯିବାର ସମ୍ଭାବନା ରହିଛି ଏବଂ ଉତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ମେ ୧୫ ତାରିଖରୁ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହୋଇପାରେ। ଏଭଳି ଅବସ୍ଥା ଏକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ।
ତେବେ ବାତ୍ୟାର ପ୍ରଭାବରେ ରବିବାର ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଂଟା ପ୍ରତି ୩୫ ରୁ ୪୦ କିମି ରହିବାର ସମ୍ଭାବନା ଥିବା ବେଳେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ବୁଲେଟିନ୍‌ରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ

ଭୁବନେଶ୍ୱର: ଗ୍ରୀଷ୍କକାଳୀନ ଛୁଟି ସମୟରେ ସ୍କୁ୍‌ଲ ଛାତ୍ରଛାତ୍ରୀମାନଙ୍କୁୁ କ୍ରୀଡ଼ା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ଆରମ୍ଭ ହୋଇଛି ଏକ ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର।

ସୋଆ କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପଲେକ୍ସରେ ଏହି ‘ସମର କ୍ୟାମ୍ପ’ର ଶୁଭାରମ୍ଭ ହୋଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏହାକୁ ଉଦ୍‌ଘାଟନ କରିଥିଲେ। ବିଭିନ୍ନ ସ୍କୁଲ୍‌ର ୫ ମରୁ ୧୦ମ ଶ୍ରେଣୀର ଅଧ୍ୟୟନ କରୁଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଛନ୍ତି।

ସୋଆର କ୍ୟାମ୍ପସ୍ -୨ ଏବଂ କ୍ୟାମ୍ପସ୍ -୫ ରେ ଏକକାଳୀନ ଭାବେ ଏହି କ୍ୟାମ୍ପର ଆୟୋଜନ କରାଯାଇଥିବା ବେଳେ ଭଲିବଲ୍‌, ବାସ୍କେଟବଲ୍‌, ଟେବୁଲ୍ ଟେନିସ୍‌, ଲନ୍ ଟେନିସ ଓ କ୍ରିକେଟ ଭଳି କ୍ରୀଡ଼ାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପ୍ରତ୍ୟେକ ଦିନ ଅପରାହ୍ଣ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବ।

ସୋଆ ପକ୍ଷରୁ ତୃତୀୟ ବର୍ଷ ପାଇଁ ଏହି କ୍ୟାମ୍ପର ଆୟୋଜନ କରାଯାଇଥିବା ବେଳେ ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ ମିଳିବ ବୋଲି ଏହି କ୍ୟାମ୍ପକୁ ଉଦ୍‌ଘାଟନ କରିବା ସମୟରେ ପ୍ରଫେସର ଦାସ କହିଛନ୍ତି। ଆମେ ପ୍ରାୟ ୧୦୦୦ରୁ ଅଧିକ ପିଲାମାନଙ୍କୁ ପ୍ରତ୍ୟେକ ବର୍ଷ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖିଛୁ ଏବଂ ଆବଶ୍ୟକ ହେଲେ ବାହାରୁ ପ୍ରଶିକ୍ଷକଙ୍କୁ ଅଣାଯାଇ ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୋଆର କ୍ରୀଡା ଅଫିସର ଶ୍ରୀମତି ସୁନୀତା ବର୍ମାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି କ୍ୟାମ୍ପରେ କୋଚ୍ ପ୍ରିୟମ ମଲ୍ଲ୍‌ିକ କ୍ରିକେଟ୍ ପ୍ରଶିକ୍ଷଣ ଦେଉଥିବାବେଳେ ସହିଦ ହୁସେନ୍ ଟେବୁଲ୍ ଟେନିସ୍‌, ଉର୍ବଶୀ ମଲ୍ଲିକ ବାସ୍କେଟବଲ , ବରେଶ ମିଶ୍ର ଭଲିବଲ୍ ଓ ସୁବ୍ରତ ନାୟକ ଲନ୍ ଟେନିସ୍‌ରେ ପ୍ରଶିକ୍ଷଣ ଦେଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କୁଳାଧିପତି ପ୍ରଫେସର ଡି.ପି. ରାୟଙ୍କ ପରଲୋକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା କୃଷି ବିଶେଷଜ୍ଞ ପ୍ରଫେସର ଡି.ପି. ରାୟଙ୍କର ଶନିବାର ସକାଳେ ପରଲୋକ ହୋଇଯାଇଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ପ୍ରଫେସର ରାୟଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ହୋଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଥିଲେ।

ଦୁଇ ଥର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ରାୟଙ୍କର ସୋଆ ସହିତ ଦୀର୍ଘ ସମୟର ସମ୍ପର୍କ ଥିଲା। ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କର ପ୍ରମୁ୍‌ଖ ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ମାର୍ଚ୍ଚ ୧, ୨୦୨୨ରେ ସେ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ତାଙ୍କର ମୃତ୍ୟୁ ଖବର ପାଇବା ମାତ୍ରେ ପ୍ରଫେସର ନାୟକ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଯାଇ ଶେଷ ଦର୍ଶନ କରିଥିଲେ ଏବଂ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ। ସେ ଏକ ମହାନ୍ ଆତ୍ମା ଥିଲେ ଏବଂ ସୋଆର ଉନ୍ନତି ନିମନ୍ତେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା ବୋଲି ନିଜ ଶୋକ ବାର୍ତାରେ ପ୍ରଫେସର ନାୟକ ପ୍ରକାଶ କରିଛନ୍ତି।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଫେସର ରାୟଙ୍କୁ ପିତୃତୁଲ୍ୟ ଓ ଜଣେ ମାର୍ଗଦର୍ଶକ ବୋଲି ଅଭିହିତ କରିବା ସହ ତାଙ୍କ ମୃତ୍ୟୁ ବିଶ୍ୱବିଦ୍ୟାଳୟ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

ସୋଆର କୃଷି ମହାବିଦ୍ୟାଳୟ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ) ପ୍ରତିଷ୍ଠା କରିବାରେ ପ୍ରଫେସର ରାୟ ମୁଖ୍ୟ ପୁରୋଧା ଥିଲେ। ପୂର୍ବ ଏବଂ ଉତର ପୂର୍ବ ଭାରତରେ ପ୍ରଥମ ଥର ଲାଗି ଏଭଳି ଘରୋଇ କୃଷି ମହାବିଦ୍ୟାଳୟ ଆରମ୍ଭ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା। ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରୀନାରୀ ସାଇନ୍‌ସେସ୍ ଏବଂ ଆନିମଲ୍ ହଜବାଣ୍ଡ୍ରୀ ଆରମ୍ଭ କରିବାରେ ମଧ୍ୟ ତାଙ୍କର ଅନେକ ସହଯୋଗ ଥିଲା।

୧୯୪୯ ମସିହା ଅଗଷ୍ଟ ୧୫ ତାରିଖରେ ଜନ୍ମିତ ପ୍ରଫେସର ରାୟ ୧୯୭୧ ମସିହାରେ ଓୟୁଏଟିରୁ ବିଏସ୍‌ସି (କୃଷି) ଶିକ୍ଷା ଗ୍ରହଣ କରିବା ପରେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍‌ଏସ୍‌ସି (କୃଷି) ଉପାଧି ଗ୍ରହଣ କରିଥିଲେ। ସେହି ବିଶ୍ୱବିଦ୍ୟାଳୟରୁ ୧୯୮୧ ମସିହାରେ ସେ ପିଏଚ୍‌ଡି ହାସଲ କରିଥିଲେ।

କଲିକତା ବିଶ୍ୱବିଦ୍ୟଳୟରୁ ଉଦ୍ୟାନ କୃଷି ବିଭାଗର ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରିବା ପରେ ସେ ଓୟୁଏଟିରେ ଆସୋସିଏଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ। ଏଠାରେ ସେ ଆସୋସିଏଟ୍ ଡାଇରେକ୍ଟର (ରିସର୍ଚ୍ଚ), ଉଦ୍ୟାନ କୃଷି ବିଭାଗର ପ୍ରଫେସର ଓ ମୁଖ୍ୟ, ଏକ୍‌ସଟେନ୍‌ସନ୍ ଏଜୁକେସନ୍ ଡିନ୍ ଏବଂ ରେଜିଷ୍ଟ୍ରାର୍ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ପରେ ୨୦୦୬ ମସିହାରେ ଓୟୁଏଟିର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୨ ପର୍ଯ୍ୟନ୍ତ ସେ ଓୟୁଏଟିର କୁଳପତି ପଦରେ ରହିଥିଲେ।

ପରିବା ଏବଂ ପ୍ଲାଂଟେସନ୍ ଫସଲ, ଅର୍ଚ୍ଚାଡ୍ ମ୍ୟାନେଜମେଂଟ, ଭେରାଇଟାଲ୍ ଓ ନ୍ୟୁଟ୍ରିସ୍‌ନାଲ୍ ଇମ୍ପ୍ରୁଭ୍‌ମେଂଟ, ୱାଟର ମ୍ୟାନେଜମେଂଟ, ପ୍ରୋପାଗେସନ୍ ଟେକ୍ନିକ୍ସ, ପୋଷ୍ଟ ହାର୍ଭେଷ୍ଟ ମ୍ୟାନେଜମେଂଟ ଅଫ୍ ଟ୍ରପିକାଲ ଆଣ୍ଡ ସବ୍‌- ଟ୍ରପିକାଲ୍ ଫ୍ରୁଟ୍ସ ଓ ପରିବା ଫସଲରେ ଉନ୍ନତି କ୍ଷେତ୍ରରେ ସେ ଅନେକ ଗବେଷଣା କରିଛନ୍ତି।

୫୦ ରୁ ଅଧିକ ପୋଷ୍ଟ ଗ୍ରାଜୁଏଟ୍ ଏବଂ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କର ସେ ଗାଇଡ୍ ଥିବା ବେଳେ ଜାତୀୟ ଏବଂ ଆନ୍ତର୍ଜାତୀକ ସ୍ତରର ଜର୍ନାଲ୍ ଗୁଡ଼ିକରେ ତାଙ୍କର ୨୦୦ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ସନ୍ଦର୍ଭ ପ୍ରକାଶିତ ହୋଇଛି।

ପ୍ରଫେସର ରାୟ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ରିସର୍ଚ୍ଚ (ଆଇସିଏଆର୍‌), ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲୋଜି(ଡିବିଟି), ଡିପାର୍ଟମେଂଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଡିଏସଟି) ଏବଂ ଭାରତ ସରକାରଙ୍କ ପ୍ଲାନିଂ କମିଶନ ଅଧିନରେ ଥିବା ବିଭିନ୍ନ୍ କମିଟିର ସେ ସଦସ୍ୟ ଓ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି।

ତାଙ୍କ ପ୍ରାର୍ଥୀବ ଶରୀରକୁ ସୋଆ ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଓ ସୋଆର ମୁଖ୍ୟ କାର୍ଯ୍ୟାଳୟକୁ ଶେଷ ଦର୍ଶନ ପାଇଁ ଅଣାଯାଇଥିଲା।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ କୁମାର ମହାପାତ୍ର, ଉପଦେଷ୍ଟା ପ୍ରଫେସର ଆର୍‌.ପି. ମହାନ୍ତି, ପ୍ରଫେସର ଜୟଦେବ ପତି, ଉପକୁଳପତି ତଥା ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, କଂଟ୍ରୋଲର୍ ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଜଏଂଟ ରେଜିଷ୍ଟ୍ରାର ଭିଷ୍ମ ଚରଣ ଦାସ, ପ୍ରଫେସର ମଧୁବ୍ରତା ମହାନ୍ତି, ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ସିଭିଓ ଯୁଗଳ ଦାସ ଓ ମାନବସମ୍ବଳ ଅଧିକାରୀ ସିଦ୍ଧବ୍ରତ ଦାଶ ଓ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଶେଷ ଦର୍ଶନ କରିଥିଲେ। ସମ୍ ହସ୍ପିଟାଲ୍‌ରେ ମଧ୍ୟ ଡାକ୍ତର ଓ ଅନ୍ୟାନ୍ୟ କର୍ମକର୍ତାମାନେ ତାଙ୍କର ଶେଷ ଦର୍ଶନ କରିଥିଲେ।

ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଏକ ଶୋକ ସଭା କରାଯିବା ସହ ତାଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ସୋଆର ପ୍ରତ୍ୟେକ ଅନୁଷ୍ଠାନରେ ଶୋକ ସଭା କରାଯାଇଥିବା ବେଳେ ସମ୍ପୃକ୍ତ ଅନୁଷ୍ଠାନର ଡିନ୍ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ।

ପୁରୀରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ

ଭୁବନେଶ୍ୱର: ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଉଚ୍ଚ ଶିକ୍ଷା ବିଭାଗର ସଚିବ କେ ସଞ୍ଜୟ ମୂର୍ତ୍ତି ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍‌କୁ ବୁଲି ଦେଖିବା ସହ ସୋଆରେ ଚାଲିଥିବା ଭାରତୀୟ ଜ୍ଞାନ ପରମ୍ପରା ପ୍ରକଳ୍ପମାନ ଦେଖିଥିଲେ।

ଜ୍ୟୋତିର୍ବିଜ୍ଞାନୀ ଓ ଗଣିତଜ୍ଞ ପଠାଣି ସାମନ୍ତ ବ୍ୟବହାର କରୁଥିବା ଜ୍ୟୋତିର୍ଯନ୍ତ୍ରର ଲଘୁରୁପର ପରିକଳ୍ପନାଠାରୁ ଆରମ୍ଭ କରି ମହାନ ଭାରତୀୟ ବିଦ୍ଵାନ ଏବଂ ଗଣିତଜ୍ଞ ରାମାନୁଜନ, ବ୍ରହ୍ମଗୁପ୍ତ, ଆଚାର୍ଯ୍ୟ ପିଙ୍ଗଳ , ଆର୍ଯ୍ୟଭଟ୍ଟ ଏବଂ ମାଧବ ଆଦିଙ୍କ କାର୍ଯ୍ୟକୁ ଇଣ୍ଟର୍ଣ୍ଣସିପରେ ଅଧୟନ କରିବା ଦେଖି ଖୁସି ହୋଇଥିଲେ। ଅନ୍ୟ ଏକ ପ୍ରକଳ୍ପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ ପ୍ରସ୍ତୁତ ଆଇକେଏସ ଆଧାରିତ ବିଜ୍ଞାନ ବହିରୁ ସ୍କୁଲ ପିଲାମାନେ ଶୀଘ୍ର ପ୍ରାଚୀନ ଭାରତୀୟ ଜ୍ଞାନର ଝଲକ ପାଇବେ ବୋଲି କହିଥିଲେ ପ୍ରକଳ୍ପର ପ୍ରମୁଖ ଅନୁସନ୍ଧାନକାରୀ ପ୍ରଫେସର ନଚିକେତା ଶର୍ମା। ଏହା ଏକ ଗୌରବର ବିଷୟ ଯେ ସୋଆରେ ସ୍ଥାପିତ ହେବାକୁ ଯାଉଛି ଆଇକେଏସ ଡିଭିଜନ ତରଫରୁ ଓଡ଼ିଆ ଭାଷା କେନ୍ଦ୍ର। ଏନ୍ଇପି ୨୦୨୦ର ଅଂଶ ରୁପେ ପରିଚାଳିତ ପ୍ରକଳ୍ପ ଦେଖି ଶ୍ରୀ ମୂର୍ତ୍ତି ଖୁସୀ ହୋଇଥିଲେ।

ସେ ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଷ୍ଟାର୍ଟ ଅପ୍‌ ସମ୍ବନ୍ଧୀୟ ତଥ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ବୁଝିବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଶ୍ରୀ ମୂର୍ତ୍ତି ସୋଆର ଅତିରିକ୍ତ ଡିନ୍ (ଷ୍ଟୁଡ଼େଣ୍ଟସ୍ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମାଙ୍କ ସହ ମଧ୍ୟ ଏ ସଂପର୍କରେ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି -୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା”ପ୍ରଦର୍ଶନୀରେ ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ପ୍ରଦର୍ଶିତ

ଭୁବନେଶ୍ୱର: ଆଇଏମଏମ୍‌ଟି ପରିସରରେ ରବିବାର ଜି-୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଛାତ୍ରଛାତ୍ରୀଙ୍କ ୪ ଟି ଷ୍ଟାର୍ଟ ଅପ୍ ପ୍ରଦର୍ଶିତ ହୋଇଛି।

ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ଅବସରରେ କେନ୍ଦ୍ରର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଆ ଛାତ୍ରଛାତ୍ରୀ ଙ୍କ ଷ୍ଟାର୍ଟଅପ୍ ଷ୍ଟଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟ ଅପ୍‌କୁ ଉଚ୍ଚ ପ୍ରଶଂସା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “ଭବିଷ୍ୟତ କାର୍ଯ୍ୟଶୈଳୀରେ ଗହନ ପ୍ରଯୁକ୍ତି ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ” କଥାବସ୍ତୁ ଉପରେ ସମ୍ମିଳନୀରେ ଉଦ୍‌ବୋଧନ ଦେଇଥିଲେ। ସେ କହିଥିଲେ ଯେ ବିଶ୍ୱ ଦ୍ରୁତ ଗତିରେ ପରିବର୍ତିତ ହେଉଛି ଏବଂ ବିଶ୍ୱର ପରିବର୍ତନ ସହ ତାଳ ଦେବାକୁ ଦକ୍ଷତା ବିକାଶ ନିତ୍ୟାନ୍ତ ଆବଶ୍ୟକ।

କେନ୍ଦ୍ରମନ୍ତ୍ରୀ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ଶିକ୍ଷା, ସ୍ୱାସ୍ଥ୍ୟ, ମୋବିଲିଟି, ମେଟାଭର୍ସ, ରିଭର୍ସ ଇଂଜିନିୟରିଂ, ଡ୍ରୋନ ଟେକ୍‌ନୋଲୋଜି ସହ ହସ୍ତତନ୍ତ, ଓଡିଆ ଭାସ୍କର୍ଯ୍ୟ, କଳା ଓ ସଂସ୍କୃତି, ଇତ୍ୟାଦିକୁ ନେଇ ପ୍ରଦର୍ଶିତ ବିଭିନ୍ନ ସାମଗ୍ରୀକୁ ବୁଲି ଦେଖିଥିଲେ।

ପ୍ରଦର୍ଶିତ ୪ଟି ଷ୍ଟାର୍ଟ ଅପ୍ ମଧ୍ୟରୁ ୱେଡମିଷ୍ଟ ଟେକ୍‌ନୋଲୋଜି ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ସହାୟତାରେ ହାଇପର ଲୋକାଲ ସର୍ଭିସ୍ ପ୍ରୋଭାଇଡର୍‌ଙ୍କ ଆବଶ୍ୟକତାକୁ ଆଖିରେ ରଖି ପ୍ରସ୍ତୁତ କରାଯାଇଥିବା ବେଳେ ଟ୍ୱିନ୍‌ଭର୍ସ ଟେକ୍‌ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପ୍ରତ୍ନତତ୍ୱ, ପର୍ଯ୍ୟଟନ ଓ ପ୍ରଡକ୍ଟ ଡିଜାଇନ୍ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ତଥା କର୍ମନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି।

ସହରାଂଚଳରେ ଗମନାଗମନ ନିମନ୍ତେ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କ୍ଷେତ୍ରରେ ନୂତନ କର୍ମନିଯୁକ୍ତି ନିମନ୍ତେ ଲେଟସ୍ ଡ୍ରାଇଭ୍ ନାମକ ଷ୍ଟାର୍ଟ ଅପ୍ କାର୍ଯ୍ୟ କରୁଥିବା ବେଳେ କର୍ମସଂସ୍ଥାନ ଲୋଡୁଥିôବା ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ ନିପୁଣତା ବୃଦ୍ଧି ନିମନ୍ତେ ଏକ୍ସଟ୍ରାଭା ଷ୍ଟଡି ଟୁର୍ସ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଏହି ଅବସରରେ ସୋଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର ପ୍ରଫେସର ରେଣୁ ଶର୍ମା, ଆସୋସିଏଟ ପ୍ରଫେସର ସତୀଶ ସାମଲ ଓ ସୋଆ ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ପ୍ରଦର୍ଶନୀର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ଦକ୍ଷତା ବିକାଶ ଉଦ୍ୟମିତା ତଥା ସୂଚନା ଓ ପ୍ରଯୁକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋଆର ଷ୍ଟଲ୍‌ଗୁଡ଼ିକ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟ ଅପ୍‌କୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଶ୍ରୀ ଚନ୍ଦ୍ରଶେଖର କହିଥିଲେ ଯେ ଭାରତ ଏବେ ନୂଆ ନୂଆ ବୈଷୟିକ ଉଦ୍‌ଭାବନକୁ ଗୁରୁତ୍ୱ ଦେବା ଆରମ୍ଭ କରିଛି। ନୂଆ ସୁଯୋଗ କ୍ଷେତ୍ରରେ ମଧ୍ୟ ପ୍ରଯୁକ୍ତି ବିଦ୍ୟାର ଅନେକ ଅବଦାନ ରହିବ ବୋଲି ସେ କହିଛନ୍ତି।

ଏହି ଅବସରରେ ସୋଆର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର ପ୍ରଫେସର ରେଣୁ ଶର୍ମା, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ୟୁନିଭର୍ସିଟି ଆଉଟ୍‌ରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ସୋଆ ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ ସିଏସ୍‌ଆର ମାନ୍ୟତା

ଭୁବନେଶ୍ୱର: ଦେଶର ଅଗ୍ରଣୀ କରେଂଟ ଆଫେୟାର୍ସ ଓ କ୍ୟାରିୟର ମାଗାଜିନ୍ କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ (ସିଏସ୍‌ଆର୍‌) ପକ୍ଷରୁ ୨୦୨୩ ବର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଦେଶର ଉକୃଷ୍ଟ ବିଶ୍ୱବିଦ୍ୟାଳୟ ଭାବେ ମନୋନୀତ କରାଯିବା ସହ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସମ୍ମାନିତ କରାଯାଇଛି। ରବିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି ସମ୍ମାନ ପ୍ରଦାନ ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସିଏସ୍‌ଆର୍ ପକ୍ଷରୁ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଭାବେ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଏବଂ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟକୁ ଶ୍ରେଷ୍ଠ ହୋଟେଲ୍ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି।

ସୋଆ ପକ୍ଷରୁ ଶ୍ରୀ ନିଗମାନନ୍ଦ ପୃଷ୍ଟି ଏହି ସମ୍ମାନ ଗ୍ରହଣ କରିଥିଲେ।

ସିଏସ୍‌ଆର ପତ୍ରିକାର ପ୍ରତିଷ୍ଠାତା ସଂପାଦକ ଏସ୍‌. କେ. ସଚଦେବା ଏହି ସମ୍ମାନ ପ୍ରଦାନ କରିବା ଅବସରରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ସୋଆର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ଶିକ୍ଷାର ଗୁଣବତା କ୍ଷେତ୍ରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକଙ୍କ ଅବିରତ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଆଇଆଇଟିଟିଏମ୍ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ଆଇଆଇଟିଟିଏମ୍‌ର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଦସ୍ୟ ଥିବା ପ୍ରଫେସର ମିଶ୍ର ସୋଆର ଉପକୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି।

ପୂର୍ବରୁ ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଥିବା ପ୍ରଫେସର ମିଶ୍ରଙ୍କୁ ସମ୍ମାନିତ କରିବା ପାଇଁ ସମସ୍ତ ଫ୍ୟାକଲ୍ଟି, କର୍ମକର୍ତା ଓ ଛାତ୍ରଛାତ୍ରୀଙ୍କ ସମେତ ନୋଡାଲ୍ ଅଫିସର ଡକ୍ଟର ଏସ୍‌. ହୁସେନ୍ ଏକତ୍ରିତ ହୋଇଥିଲେ।

ଏହି ଅବସରରେ ପୂର୍ବତନ ବ୍ୟାଙ୍କ ଅଧିକାରୀ ବିଷ୍ଣୁମୋହନ ପଣ୍ଡାଙ୍କ ଦ୍ୱାରା ଓଡ଼ିଶାର ବିଭିନ୍ନ ଦିଗକୁ ନେଇ ରଚିତ ଏକ ପୁସ୍ତକମାଳାକୁ ଶ୍ରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉନ୍ମୋଚନ କରିଥିଲେ।

ଏହି ଅବସରରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଚିଫ୍ ବ୍ୟାଙ୍କ ଅଫିସର ତପନ କୁମାର ନାଥ ମଧ୍ୟ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

ରାଜ୍ୟସ୍ତରୀୟ ଇକୋ ଟୁରିଷ୍ଟ ଗାଇଡ୍ ଟ୍ରେନିଂ ପ୍ରୋଗ୍ରାମ୍ ନିମନ୍ତେ ଆରମ୍ଭ ହୋଇଥିବା ୩ ମାସିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ପ୍ରଫେସର ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପାର୍କିନ୍‌ସନ୍ ରୋଗୀଙ୍କ କ୍ଷେତ୍ରରେ ସଚେତନତା ଆବଶ୍ୟକ: ପ୍ରଫେସର ମହାପାତ୍ର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ବିଶ୍ୱ ପାର୍କିର୍ନ୍‌ସନ୍ ଦିବସ ପାଳିତ ହୋଇଯାଇଛି। ଏହି ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ସମ୍ ହସ୍ପିଟାଲର ବ୍ଲଡ୍ ବ୍ୟାଙ୍କ ସମ୍ମୁଖରୁ ଏକ ୱାକାଥନ୍ ମଧ୍ୟ ଆୟୋଜିତ ହୋଇଥିଲା। ଏହି ପଦଯାତ୍ରାରେ ପ୍ରାୟ ୧୦୦ ଜଣ ଡାକ୍ତର, ନର୍ସ ଓ ମେଡିକାଲ୍ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ଏହି ୱାକାଥନକୁ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ତଥା ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ପ୍ରଫେସର (ଡାକ୍ତର) ସମୀର ସାହୁ, ପ୍ରଫେସର (ଡାକ୍ତର) ଲୁଲୁପ କୁମାର ସାହୁ ଓ ଆସୋସିଏଟ୍ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଫେସର ମହାପାତ୍ର ପାର୍କିନ୍‌ସନ୍ ବ୍ୟାଧିର ଇତିହାସ ଏବଂ ଏହି ରୋଗକୁ ନେଇ ସଚେତନତା ସମ୍ପର୍କରେ ମତ ଦେଇଥିଲେ।

ସେହିପରି ପାର୍କିନ୍‌ସନ୍ ସମସ୍ୟାରୁ ସୁସ୍ଥ ହେବା ନିମନ୍ତେ ବ୍ୟାୟାମ, ଯୋଗ ଏବଂ ଜୀବନଶୈଳୀରେ ପରିବର୍ତନ ସମ୍ପର୍କରେ ପ୍ରଫେସର ସାମନ୍ତସିଂହାର ମତ ଦେଇଥିଲେ।

ସେହିପରି ପ୍ରଫେସର ଲୁଲୁପ କୁମାର ସାହୁ ପାର୍କିନ୍‌ସନ୍ ବ୍ୟାଧିର ବିଭିନ୍ନ ଲକ୍ଷଣ ଯଥା ମୋଟର ସିମ୍‌ଟମ୍ ଯେପରିକି ଧୀରତା, ଟ୍ରେମର ଓ ନନ୍ ମୋଟର ସିମ୍‌ଟମ୍‌ସ ବିଶାଦ, ଡିମେନ୍‌ସିଆ, ନିଦ୍ରାରେ ବ୍ୟାଘାତ, କୋଷ୍ଟକାଠିନ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ପାର୍କିନ୍‌ସନ୍ ବ୍ୟାଧିକୁ ନେଇ ସେ ବିଭିନ୍ନ ଭ୍ରାନ୍ତ ଧାରଣା ସମ୍ପର୍କରେ ଆଲୋଚନା କରିଥିଲେ।

ଡାକ୍ତର ଶ୍ରୀମନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଶେଷରେ ପିଜି ଏବଂ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। କୁଇଜ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ପୁରସ୍କୃତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି୨୦ ଭାରତ-“ ଭବିଷ୍ୟତ କାର୍ଯ୍ୟଧାରା”କୁ ନେଇ ସୋଆ ପକ୍ଷରୁ ୱେବିନାର ଆୟୋଜିତ

ଭୁବନେଶ୍ୱର: ବର୍ତ୍ତମାନ ଟେକ୍ନୋଲୋଜି ଯୋଗୁଁ କାର୍ଯ୍ୟଧାରାରେ ଅନେକ ପରିବର୍ତନ ଆସିଛି। ଲୋକମାନେ ବିଶ୍ୱର ଗୋଟିଏ କୋଣରେ ବସି ଅନ୍ୟ ଏକ କୋଣର ଲୋକମାନଙ୍କ ନିମନ୍ତେ କାର୍ଯ୍ୟ କରିପାରୁଛନ୍ତି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ।

ଟେକ୍ନୋଲୋଜି ଆମ ପାଇଁ ଆବଶ୍ୟକ, ବୈଜ୍ଞାନିକ ମଧ୍ୟ ଆବଶ୍ୟକ, ବିଭିନ୍ନ ପ୍ରସଙ୍ଗରେ କାର୍ଯ୍ୟ କରିବା ନିମନ୍ତେ ଆମକୁ ଶୃଙ୍ଖଳିତ ବ୍ୟକ୍ତି ଆବଶ୍ୟକ ଏବଂ କାର୍ଯ୍ୟସ୍ଥଳୀରେ ବିଭିନ୍ନ ପ୍ରକାରର କାର୍ଯ୍ୟ ନିମନ୍ତେ ପରିବେଶ ମଧ୍ୟ ସୃଷ୍ଟି ହେବା ଉଚିତ୍ ବୋଲି ଭାରତର ଜି୨୦ ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ସୋମବାର ସୋଆରେ ଆୟୋଜିତ “ଫ୍ୟୁଚର୍ ଅଫ୍ ୱାର୍କ” (ଭବିଷ୍ୟତର କାର୍ଯ୍ୟଧାରା) ସମ୍ପର୍କିତ ୱେବିନାରରେ ଏହା କହିଛନ୍ତି ପ୍ରଫେସର ନନ୍ଦ।

ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ନେଇ ଯେଉଁ କାର୍ଯ୍ୟ ପ୍ରଣାଳୀକୁ ପ୍ରସ୍ତୁତ କରିବା ଜରୁରୀ ସେଥି ନିମନ୍ତେ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଥିଲେ।

ଭବିଷ୍ୟତରେ କାର୍ଯ୍ୟଧାରାକୁ ଆଖିରେ ରଖି ଜୀବନବ୍ୟାପୀ ଅଧ୍ୟୟନ କରିବା ନିମନ୍ତେ ସାମର୍ଥ୍ୟ ସୃଷ୍ଟି କରିବା ଉପରେ ପ୍ରଫେସର ନନ୍ଦ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ସୋଆର ଇନ୍‌ଟରନ୍ୟାସ୍‌ନାଲ୍ ରିଲେସନ୍ସ ଓ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଭାରତରେ ଜି ୨୦ ଅଧ୍ୟକ୍ଷତାକୁ ଗୁରୁତ୍ୱ ଦେବା ନିମନ୍ତେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆୟୋଜିତ ହେଉଥିବା ‘ଜନ ଭାଗୀଦାରୀ’ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସୋଆକୁ ଆଙ୍କର ଅନୁଷ୍ଠାନ ଭାବେ ବଲାଙ୍ଗୀର, ମୟୁରଭଞ୍ଜ ଏବଂ କେନ୍ଦୁଝର ଭଳି ତିନୋଟି ଜିଲ୍ଲାରେ ଏପ୍ରିଲ୍ ମାସରେ ଜନ ଭାଗୀଦାରୀ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ଦାୟିତ୍ୱ ଦିଆଯାଇଛି।

ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ଓ ସୋଆ ଇଡବ୍ଲ୍ୟୁଜିର ନୋଡାଲ୍ ଅଫିସର ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରସଙ୍ଗ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଜି-୨୦ ପ୍ରେସିଡେନ୍ସି ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଭାରତରେ ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସୋଆ କ୍ୟାମ୍ପସ ୫ରେ ରୋଟାରୀ କ୍ଲବ ଖାରବେଳ-କଳିଙ୍ଗନଗର ଓ ସୋଆ ପକ୍ଷରୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ରୋଟାରୀ କ୍ଲବ ଖାରବେଳ, କଳିଙ୍ଗନଗରର ସଭାପତି ରୋଟାରିଆନ୍ ଲେଫ୍‌ଟନାଂଟ କର୍ନେଲ ଏସ୍‌. ଜଗନ୍ନାଥ ରାଓ, ସମ୍ପାଦକ ରୋଟାରିଆନ୍ ଦିଲୀପ କୁମାର ଜେନା, ପିଡିଜି ଶିବବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତା ଏପ୍ରିଲ୍ ୨୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜି-୨୦ ଦେଶର ପ୍ରତିନିଧିମାନେ ଭୁବନେଶ୍ୱରରେ ଆୟୋଜତ ହେବାକୁ ଥିବା ତୃତୀୟ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୩୦ ଟି ଜିଲ୍ଲାରେ ଜନଭାଗୀଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥି ନିମନ୍ତେ ସୋଆକୁ ଆଙ୍କର ଅନୁଷ୍ଠାନ ଭାବେ ମନୋନୀତ କରାଯାଇଥିବା ବେଳେ ବଲାଙ୍ଗୀର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ସୋଆକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଶନିବାର ମଧ୍ୟ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କ ପାଇଁ ଆଇନ୍ ଶିକ୍ଷା ବିସ୍ତୃତ ଭାବେ ପରିବ୍ୟାପ୍ତ: ବରିଷ୍ଠ ଆଇନ୍‌ଜୀବି

ଭୁବନେଶ୍ୱର: ଆଇନ୍‌ର ଅନେକ ପରିଭାଷା ରହିଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିସ୍ତୃତ ଭାବେ ପରିବ୍ୟାପ୍ତ। ଆଇନ୍‌ଜୀବିଙ୍କ ବୃତିରେ ଅନେକ ପରିବର୍ତ୍ତନ ଆସିଲାଣି ତେଣୁ ନୂଆ କରି ଏହି ବୃତିରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନେ ସମୟର ସୁବିନିଯୋଗ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ଆଇନ୍‌ଜୀବି ତଥା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି ଗୋପାଳ କୃଷ୍ଣ ମହାନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ଲ (ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ)ର ସପ୍ତମ ବାର୍ଷିକ ଉତ୍ସବ “ଜଷ୍ଟିସିଆ-୨୦୨୩”ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାନ୍ତି ଏହା କହିଛନ୍ତି।

ସେହିପରି ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟର ଆଇନ୍‌ଜୀବି ଶାଶ୍ୱତ କୁମାର ଆଚାର୍ଯ୍ୟ ଆଇନ୍‌ଗତ ପେସାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।

ସେ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କ ନିକଟରେ ବର୍ତମାନ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଯୁବାବସ୍ଥା ଓ ସମୟ। ତେଣୁ ଯୁବାବସ୍ଥାରେ ନିଜର ସମସ୍ତ ଶକ୍ତି ଓ ହାତରେ ଥିବା ସମୟର ଉପଯୁକ୍ତ ବିନିଯୋଗ କରିବାର ଆବଶ୍ୟକତା ରହିଛି।

ସେହିପରି ମୁଟ୍ କୋର୍ଟ, ଇନ୍‌ଟର୍ଣ୍ଣସିପ୍‌, ମକ୍ ଟ୍ରାଏଲ୍‌ ଓ ପାର୍ଲାମେଂଟାରୀ ଡିବେଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

ବର୍ତ୍ତମାନ ସମୟରେ ଆଇନ୍ ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସେ ଅବଗତ କରାଇଥିଲେ।

ସେହିପରି ନିଜ କ୍ୟାରିୟର ଗଢ଼ିବା ପାଇଁ ଉପଯୁକ୍ତ ପ୍ରସ୍ତୁତି, କଠିନ ପରିଶ୍ରମ, ଜ୍ଞାନ ଆହରଣ ନିମନ୍ତେ ଇଚ୍ଛାଶକ୍ତି ଓ କୋର୍ଟରେ ବିଚାରପତି ଓ ଯେଉଁ ପକ୍ଷଙ୍କ ନିମନ୍ତେ ମାମଲା ଲଢ଼ୁଛନ୍ତି ସେମାନଙ୍କ ପ୍ରତି ଅନୁରକ୍ତି ରହିବା ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌. ଏ. କେ. ଆଜାଦ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଭୂମିକା ଓ ଭବିଷ୍ୟତ ସମ୍ପର୍କରେ ଉପଦେଶ ଦେବା ସହ ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ସେହିପରି ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସ୍ନିଲ୍‌ର ଉପଦେଷ୍ଟା ତଥା ସିନିୟର ପ୍ରଫେସର (ଡକ୍ଟର) ଜୟଦେବ ପତି, ସିନିୟର ପ୍ରଫେସର (ଡକ୍ଟର) ପ୍ରବୀର କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଜି-୨୦ ପ୍ରେସିଡେନ୍ସି ପାଳନ ନେଇ ସଭା ଆୟୋଜିତ

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥି ନିମନ୍ତେ ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଉତ୍କଳ ଦିବସ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି।

ଆସନ୍ତା ଏପ୍ରିଲ୍ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଜି-୨୦ ଦେଶର ପ୍ରତିନିଧି ମାନେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ତୃତୀୟ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ପରିପ୍ରେକ୍ଷୀରେ ‘ଜନ ଭାଗିଦାରୀ’ ଭାବେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଓଡ଼ିଶାର ୩୦ ଟି ଜିଲ୍ଲାରେ କୁଇଜ, ପ୍ରବନ୍ଧ, ବକ୍ତୃତା, ଆଲୋଚନା ଚକ୍ର ଓ ୱେବିନାର, ବିଭିନ୍ନ କ୍ରିଡା କାର୍ଯ୍ୟକ୍ରମ, ମକ୍ ଜି-୨୦, ସ୍ୱଚ୍ଛତା କାର୍ଯ୍ୟକ୍ରମ, ଖାଦ୍ୟ ଉତ୍ସବ ଓ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଇତ୍ୟାଦିର ଆୟୋଜନ କରାଯିବ। ସୋଆକୁ ଏଥି ନିମନ୍ତେ ଆଙ୍କର ଅନୁଷ୍ଠାନ ଭାବେ ମନୋନୀତ କରାଯାଇଛି। ବଲାଙ୍ଗୀର, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ସୋଆକୁ ଦାୟିତ୍ୱ ଦିଆଯାଇଛି।

ବିଭିନ୍ନ ସ୍କୁଲ୍‌, ଆଇଟିଆଇ, ପଲିଟେକ୍ନିକ୍‌, ଇଞ୍ଜିନିୟରିଂ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବଂ ଜନ ଶିକ୍ଷଣ ସଂସ୍ଥାନର ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଯୋଗ ଦେବେ।

ଏହି ଅବସରରେ ଆୟୋଜିତ ଏକ ବୈଠକରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜ ବକ୍ତବ୍ୟରେ ଏହି କାର୍ଯ୍ୟକ୍ରମ ନେଇ ଆନନ୍ଦ ପ୍ରକାଶ କରିବା ସହ ବିଶ୍ୱବିଦ୍ୟାଳୟ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଉତ୍କଳ ଦିବସ ଅବସରରେ ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟର ସମସ୍ତ ଫ୍ୟାକଲ୍ଟି ମେମ୍ବର, କର୍ମକର୍ତା ଓ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତମ ଶିକ୍ଷା ଓ ଅଭିନବ ଗବେଷଣାକୁ ନେଇ ପ୍ରତିଷ୍ଠିତ ସୋଆ ଜାତୀୟ ସ୍ତରରେ ଆହୁରି ସୁନାମ ଅର୍ଜନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତାକୁ ବଜାୟ ରଖିବା ସହ ଇନ୍‌ଟର ଡିସିପ୍ଲିନାରୀ ଓ କ୍ରସ୍ ଡିସିପ୍ଲିନାରୀ ଗବେଷଣାକୁ ଅଧିକ ପ୍ରାଧାନ୍ୟ ଦେବାକୁ ନୂତନ ଭାବେ ସୋଆର କୁଳପତି ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ନନ୍ଦ କହିଛନ୍ତି।

ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଜନ ଭାଗିଦାରୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସମ୍ ହସ୍ପିଟାଲ୍ ପକ୍ଷରୁ ସଚେତନତା ରାଲି

ଭୁବନେଶ୍ୱର: ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଶୁକ୍ରବାର ଏକ ସଚେତନତା ର‌୍ୟାଲି ଆୟୋଜିତ ହୋଇଯାଇଛି।

ଯକ୍ଷ୍ମାର କାରଣ, ନିରାକରଣ ଓ ଚିକିତ୍ସା ପଦ୍ଧତି ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ସମ୍ ହସ୍ପିଟାଲ୍ ପକ୍ଷରୁ ଏହି ର‌୍ୟାଲିର ଆୟୋଜନ କରାଯାଇଥିଲା। ବିଶ୍ୱରେ ଯକ୍ଷ୍ମା ରୋଗ କ୍ଷେତ୍ରରେ ଦେଶମାନଙ୍କ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାରୁ ଏହାର ନିରାକରଣ ନିତାନ୍ତ ଜରୁରୀ। ସେହିପରି ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଥିଲା “ୟେସ୍ ୱି କ୍ୟାନ୍ ଏଣ୍ଡ ଟିବି” (“ହଁ ଆମେ ଯକ୍ଷ୍ମାକୁ ସମାପ୍ତ କରିପାରିବା”)। ଏହି ସ୍ଲୋଗାନ୍ ନେଇ ସମ୍ ହସ୍ପିଟାଲ୍‌ର କର୍ତ୍ତୁପକ୍ଷ, ଡାକ୍ତର ଓ ଛାତ୍ରଛାତ୍ରୀମାନେ ସଚେତନତା ର‌୍ୟାଲିରେ ସାମିଲ ହୋଇଥିଲେ।

ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ନିକଟରୁ ଆରମ୍ଭ ହୋଇଥିବା ଏହି ର‌୍ୟାଲିରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଓ ପଲ୍‌ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା, ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ରଙ୍କ ସମେତ ବିଭାଗର ଅନ୍ୟ ଡାକ୍ତର ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଯକ୍ଷ୍ମା ନିରାକରଣ ସମ୍ପର୍କିତ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସ୍ପୋର୍ଟ୍ସ ଫେଷ୍ଟ ଉଦ୍‌ଯାପିତ: କ୍ରିକେଟ ଓ ଟେନିସ୍‌ରେ ସୋଆ ବିଜୟୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଚାଲିଥିବା ୪ ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଥିବା ବେଳେ କ୍ରିକେଟ ଏବଂ ଟେନିସ୍‌ରେ ସୋଆ ବିଶ୍ୱବିଦ୍ୟାଳୟ ବିଜୟୀ ହୋଇଛି। ସେହିପରି ଭଲିବଲ୍ ଏବଂ ବାସ୍କେଟବଲ୍‌ରେ ରନର ଅପ୍ ଟାଇଟଲ୍ ହାସଲ କରିଛି ସୋଆ।

କ୍ରିକେଟ ଫାଇନାଲ୍‌ରେ ସୋଆ ସହିତ ସି.ଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଖେଳ ହୋଇଥିବା ବେଳେ ଏହା ଏକ ଉତ୍କଣ୍ଠାମୂଳକ ସ୍ଥିତିରେ ଟାଏ ହୋଇଯାଇଥିଲା। ପ୍ରଥମେ ବ୍ୟାଟିଂ କରି ସୋଆ ୧୨ ଓଭରରେ ୮ ଟି ୱିକେଟ୍ ହରାଇ ୯୧ ରନ୍ ହାସଲ କରିଥିବା ବେଳେ ସି.ଭି ରମଣ ୫ ୱିକେଟ୍‌ରେ ୯୧ ରନ୍ ହାସଲ କରିଥିଲା। ତେବେ ଟାଏ ବ୍ରେକର୍‌ରେ ସୋଆ ବିଜୟୀ ହୋଇଥିଲା।

ଟେନିସ୍‌ରେ ସି. ଭି ରମଣକୁ ହରାଇ ସୋଆର ଖେଳାଳୀମାନେ ବିଜୟୀ ହୋଇଥିଲେ। ଅମିତୋଜ ସିଂହ ଏବଂ ଜୟଦୀଶ ଦୁଇଟି ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ମହିଳା ସିଙ୍ଗଲ୍‌ସରେ ନିଲାଞ୍ଜନା ଶାହା ବିଜୟୀ ହୋଇଥିଲେ। ଅମିତୋଜ ସେଂଚୁରିଆନ୍ ୟୁନିଭର୍ସିଟର ମହମ୍ମଦ ଅସିଫ ରାଜାଙ୍କୁ ୮-୦ରେ ହରାଇଥିବା ବେଳେ ଜୟଦୀଶ ୮-୪ରେ ପ୍ରୀତମଙ୍କୁ ହରାଇଥିଲେ। ସେହିପରି ଶାହା ୮-୧ରେ ସାଲୋନୀ କୁମାରୀଙ୍କୁ ହରାଇଥିବା ବେଳେ ଅମିତୋଜ ଏବଂ ଜୟଦୀଶ ଡବଲ୍‌ସ ଏନ୍‌କାଉଂଟରରେ ରାହୁଲ କୁମାର ଓ ଉପୁନିତ ଚୌଧୁରୀଙ୍କୁ ୮-୦ରେ ବିଜୟୀ ହୋଇଥିଲେ।

ବାସ୍କେଟବଲ୍ ପୁରୁଷ ଫାଇନାଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆୟୋଜକ ସୋଆକୁ ୫୪-୪୦ରେ ହରାଇ ବିଜୟୀ ହୋଇଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସୋଆକୁ ୩୧-୨୫ରେ ହରାଇ ମହିଳା ବର୍ଗରେ ବିଜୟୀ ହୋଇଥିଲା।

ସେହିପରି ଭଲିବଲ୍ ପୁରୁଷ ଫାଇନାଲ୍‌ରେ ସି.ଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସୋଆକୁ ୨୫-୧୭, ୨୬-୨୪ରେ ହରାଇ ବିଜୟୀ ହୋଇଥିଲା।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ସିଓଡିଏମ୍ ଏବଂ ଭାଲୋରାଂଟ ଭଳି ଇ-ସ୍ପୋର୍ଟ୍ସ ଖେଳରେ ବିଜୟୀ ହୋଇଛି। ଏସ୍‌ବିଏମ୍ ବିଶ୍ୱବିଦ୍ୟାଳୟ ସିଓଡିଏମ୍ ଖେଳରେ ରନରଅପ୍ ହୋଇଥିବା ବେଳେ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭାଲୋରାଂଟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି।

ସୋଆ ସମେତ ୧୬ଟି ବିଶ୍ୱବିଦ୍ୟାଳୟ ଏହି ସ୍ପୋର୍ଟ୍ସ ଫେଷ୍ଟରେ ଭାଗ ନେଇଥିଲେ।
ଫେଷ୍ଟର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଜେତା ଖେଳାଳୀମାନଙ୍କୁ ପୁରସ୍କାର ରାଶି, ସାର୍ଟିଫିକେଟ ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଏସ୍‌ପିଏସ୍ ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରପେସର ଜ୍ୟୋତି ରଞ୍ଜନ ଦାସ ଏବଂ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମା, ବିଭିନ୍ନ ଅନୁଷ୍ଠାନର ସ୍ପୋର୍ଟ୍ସ ଇନ୍‌ଚାର୍ଜ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଦୁଇ ଦିନ ଧରି ଚାଲିଥିବା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଉଦ୍‌ଯାପିତ

ଭୁବନେଶ୍ୱର: କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା)-ଆଇସିଡ୍ ଫାଉଣ୍ଡେସନ୍‌, ପେସ୍ ଫାଉଣ୍ଡେସନ୍ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଭାବେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ରବିବାର ଉଦ୍‌ଯାପିତ ହୋଇଛି।

କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ, ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତୀତରେ ଭାରତର ସମୃଦ୍ଧ ଅର୍ଥନୀତି ଉପରେ ବିସ୍ତୃତ ଭାବେ ସୂଚନା ଦେବା ସହ ଷ୍ଟାର୍ଟଅପ୍‌ଗୁଡ଼ିକ ଉପଯୁକ୍ତ ବ୍ୟବସାୟ ମଡେଲ୍ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ, ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌ରେ କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ଦେଶର ୬୦ ଟି ଷ୍ଟାର୍ଟଅପ୍ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ମଧ୍ୟ ୧୦ଟି ଷ୍ଟାର୍ଟଅପ୍ ସାମିଲ ହୋଇଥିଲେ। ଓଡ଼ିଶାର ୬୫ଟି ବ୍ଲକ୍‌ରୁ ୩୦୦ ଚାଷୀ ଏହି କନ୍‌କ୍ଲେଭ୍‌ରେ ଯୋଗ ଦେଇଥିଲେ। କନ୍‌କ୍ଲେଭର ବିଷୟବସ୍ତୁ ଥିଲା “ଚିନ୍ତାଧାରାରୁ ବ୍ୟବସାୟୀକରଣ”।