Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ବିଭିନ୍ନ ଭାଷାର ପୁସ୍ତକଗୁଡିକୁ ଡିଜିଟାଲ-ଫର୍ମକୁ ଆଣିବାପାଇଁ ଭରତୀୟ ଭାଷା ପୁସ୍ତକ ସ୍କିମ୍ ଘୋଷଣା

Budget 2025: ଆଜି ସଂସଦରେ ୨୦୨୫-୨୬ କେନ୍ଦ୍ର ବଜେଟ୍  ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ନବସୃଜନ କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ପାଇଁ ପ୍ରସ୍ତାବ ଦେଇଥିଲେ।

ଉତ୍ସାହ ଏବଂ ନବସୃଜନର ଆବେଗକୁ ବୃଦ୍ଧି କରିବା ଏବଂ ଯୁବକମାନଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ବଢାଇବା ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ ପଚାଶ ହଜାର ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଭାରତ ନେଟ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇବାକୁ କେନ୍ଦ୍ର ବଜେଟରେ ପ୍ରସ୍ତାବ ଦିଆଯାଇଛି।

ଉଚ୍ଚଶିକ୍ଷା ଉପରେ, କେନ୍ଦ୍ର ବଜେଟ୍ ୨୦୨୫-୨୬ରେ କୁହାଯାଇଛି ଯେ ଗତ ୧୦ ବର୍ଷ ମଧ୍ୟରେ ୨୩ଟି ଆଇଆଇଟିରେ ମୋଟ ଛାତ୍ର ସଂଖ୍ୟା ୬୫,୦୦୦ ରୁ ୧.୩୫ ଲକ୍ଷକୁ ବୃଦ୍ଧି ପାଇଛି।  ୬୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସୁଗମ କରିବା ପାଇଁ ୨୦୧୪ ପରେ ଆରମ୍ଭ ହୋଇଥିବା ୫ ଆଇଆଇଟିରେ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି ହେବ । ଆଇଆଇଟି, ପାଟନାରେ ହଷ୍ଟେଲ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷମତା ମଧ୍ୟ ବୃଦ୍ଧି କରାଯିବ ।

ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ବିଷୟଗୁଡ଼ିକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବା ଲକ୍ଷ୍ୟରେ, ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପାଇଁ ଡିଜିଟାଲ୍ ଫର୍ମରେ ଭାରତୀୟ ଭାଷା ପୁସ୍ତକ ଯୋଗାଇବା ସକାଶେ ଶ୍ରୀମତୀ ନିର୍ମଳା ସୀତାରମଣ ଭାରତୀୟ ଭାଷା ପୁସ୍ତକ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ମେକ୍‍ ଫର୍‍ ଇଣ୍ଡିଆ, ମେକ ଫର୍‍ ଓ୍ବାର୍ଲ୍ଡ ସାମଗ୍ରୀ ଉତ୍ପାଦନ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ଆର୍ନ୍ତଜାତିକ ବିଶେଷଜ୍ଞ ଏବଂ ସହଭାଗୀତାରେ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି।  ଏହି ସହଭାଗୀତା ପାଠ୍ୟକ୍ରମ ଡିଜାଇନ୍, ପ୍ରଶିକ୍ଷକଙ୍କ ତାଲିମ, ଏକ ଦକ୍ଷତା ପ୍ରମାଣୀକରଣ ଢାଞ୍ଚା ଏବଂ ନିୟମିତ ସମୀକ୍ଷାକୁ ଅନ୍ତର୍ଭୁକ୍ତ କରିବ ।

ମୋଟ ୫୦୦ କୋଟି ଟଙ୍କା ବ୍ୟୟ ବରାଦରେ ଶିକ୍ଷା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଛି ।

ବଜେଟ୍ ଉପସ୍ଥାପନ କରିବାବେଳେ, ଶ୍ରୀମତୀ ନିର୍ମଳା ସୀତାରମଣ ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ଗବେଷଣା, ବିକାଶ ଏବଂ ଅଭିନବ ପ୍ରୟୋଗ ପାଇଁ ୨୦,୦୦୦ କୋଟି ଟଙ୍କା ଆବଣ୍ଟନ କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ, ପିଏମ୍ ରିସର୍ଚ୍ଚ ଫେଲୋସିପ୍ ଯୋଜନା ଅଧୀନରେ, ଆଇଆଇଟି ଏବଂ ଆଇଆଇଏସସିରେ ବୈଷୟିକ ଅନୁସନ୍ଧାନ ପାଇଁ ଦଶ ହଜାର ଫେଲୋସିପ୍ ପ୍ରଦାନ କରିବାକୁ ମଧ୍ୟ ବଜେଟରେ ପ୍ରସ୍ତାବ ଅଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଶିକ୍ଷା ବଜେଟ ୨୦୨୩: ଏଥର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ହେବେ ୧୦୭୦ ଶିକ୍ଷକ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ପ୍ରସ୍ତାବିତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପରାମର୍ଶ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିବର୍ତ୍ତିତ ପରିସ୍ଥିତି ଅନୁସାରେ ଉଚିତ ସମୟରେ ଉଚିତ ପଦକ୍ଷେପ ନେବାକୁ ସର୍ବାଧିକ ଗୁରୁତ୍ୱ ଦେଉଛି।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶିକ୍ଷାର ବିକାଶକୁ ପ୍ରାଥମିକତା ଦେଇ ଓଡିଶାର ପିଲାମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କୁ ଏକାଠି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏହାର ସଫଳ ରୂପାୟନ ପାଇଁ ଆମ ବିଭାଗ ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଦୁଇଟି ମୁଖ୍ୟ କ୍ଷେତ୍ରକୁ ଧ୍ୟାନ ଦିଆଯାଇଛି। ପ୍ରଥମଟି ଶୈକ୍ଷିକ ବାତାବରଣ ଏବଂ ପ୍ରଶାସନିକ ବିକାଶ ଉପରେ ଆଧାରିତ ଗୁଣାତ୍ମକ ଶିକ୍ଷା, ଦ୍ୱିତୀୟରେ ନିରନ୍ତର ବିକାଶର ଧାରା।

ଏହି ଜନକଲ୍ୟାଣକାରୀ ବଜେଟରେ ଶିକ୍ଷା କ୍ଷେତ୍ରର ଅଭିବୃଦ୍ଧି, ବିକାଶ, ଭିତ୍ତିଭିୂମି ଉନ୍ନୟନ ଓ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ବଜେଟ ବିଗତ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୫% ଅଧିକ ଅଟେ। ଶିକ୍ଷାନୁଷ୍ଠାନଗୁଡ଼ିକର ସର୍ବାଙ୍ଗୀନ ବିକାଶ, ଛାତ୍ରଛାତ୍ରୀମାନଙ୍କ ବୈଦ୍ଧିକ, ମାନସିକ ଏବଂ ଶାରୀରିକ ବିକାଶ ସହ ଶିକ୍ଷାଦାନ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ମୋଟ ୨୨,୫୨,୭୮୦.୨୩ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ସେଥି ମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ପାଇଁ ୧୨,୮୬,୨୮୪.୨୩ ଲକ୍ଷ ଏବଂ କାର୍ଯ୍ୟକ୍ରମ ଖର୍ଚ୍ଚ ୯,୬୬,୪୯୬.୦୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

ଚଳିତ ଆର୍ଥିକ ବର୍ଷରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୫୦ ହଜାରରୁ ଉଦ୍ଧ୍ୱର୍ର୍ ନୂତନ ନିଯୁକ୍ତି ପ୍ରଦାନ କରାଯିବ। ଏହାସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଉ ୨୩୬ଟି ଛାତ୍ରନିବାସ ନୂତନ ଭାବରେ ନିର୍ମାଣ କରାଯିବ। ୨୦୨୨-୨୩ ଆର୍ଥିକ ବର୍ଷରେ ସ୍କୁଲ ୟୁନିଫର୍ମ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀ ପାଇଁ ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୬୦୦ଟଙ୍କା ପ୍ରଦାନ କରାଯାଉଥିବାବେଳେ ଏବେ ତାହାକୁ ବୃଦ୍ଧି କରାଯାଇ ୧୦୦୦ଟଙ୍କା କରିବାକୁ ପ୍ରସ୍ତାବ ରହିଛି। ଏହି ଯୋଜନା ନିମନ୍ତେ ୨୩୪୪୬ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ସରକାରୀ ଓ ପୂର୍ଣ୍ଣ ସହାୟତାପ୍ରାପ୍ତ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ନିମନ୍ତେ ନୋଟବୁକ୍ ର ବ୍ୟବସ୍ଥା କରାଯାଇଛି।

ଶିକ୍ଷା ଅନୁଷ୍ଠାନଗୁଡିକର ଭିତ୍ତିଭୂମିରେ ସର୍ବାଙ୍ଗୀନ ଉନ୍ନତି ପାଇଁ ୨୦୨୩-୨୪ ବଜେଟରେ ୨୭୭୮.୨୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ସ୍ମାର୍ଟ ଶ୍ରେଣୀଗୃହ, ଅତ୍ୟାଧୁନିକ ଇ-ଲାଇବ୍ରେରୀ, ସାଇନ୍ସ ଲାବୋରୋଟରୀ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ, ସ୍ୱଚ୍ଛ ପାନୀୟଜଳ ବ୍ୟବସ୍ଥା ଏବଂ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯାଉଛି।

ପ୍ରଥମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୧୭୦୦ ଲକ୍ଷ, ସୈନିକ ସ୍କୁଲ ନିର୍ମାଣ ନିମନ୍ତେ ୮୫୦ଲକ୍ଷ, ମାଧ୍ୟମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୨୬୫୦ ଲକ୍ଷ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୬୮୦୦ ଲକ୍ଷ ବ୍ୟୟବରାଦ କରାଯାଇଛି। ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ପାଇଁ ୧୦୦ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ୫-‘ଟି’ ବିଦ୍ୟାଳୟ ରୂପାନ୍ତରୀକରଣ, ମୋ ସ୍କୁଲ ଅଭିଯାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରି ଅଭିନବ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି।

ମୋ ସ୍କୁଲ ଅଭିଯାନ ଅଧୀନରେ ୮୦୫୧୪.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲା, ବ୍ଲକ୍‌, ବିଦ୍ୟାଳୟ, ପ୍ରଧାନଶିକ୍ଷକ, ଶିକ୍ଷକ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, SMC/SMDCs, CRCCs, ବ୍ଲକ୍‌ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ପୁରାତନ ଛାତ୍ର କମିଟି ଓ DIET ନିମନ୍ତେ ୧୩୮.୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧିନରେ ୫୧୫୩୫ଟି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୭୦ ଶିକ୍ଷକ ପଦବୀ ନିଯୁକ୍ତି ନିମନ୍ତେ ୧୦୪୫.୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସରକାରୀ ଅନୁଦାନ ପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ୍‌, ସଂସ୍କୃତ ଟୋଲ୍‌ ଓ ମାଦ୍ରାସାର ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ଯୋଗାଇଦେବା ପାଇଁ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା((GMSMY) ) ଅଧୀନରେ ୧୫, ୫୦୦.୦୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୧୯୧୮.୧୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାସହ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମିତ୍ତ ୬୦୬୨ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀମାନଙ୍କ ନିମନ୍ତେ New India Literacy Programme ରେ ୭୧୫.୬୨ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯିବା ସହ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂତନ ଭାବରେ ନିର୍ମାଣ କରାଯିବ । ୫-‘ଟି’ ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ୩୪୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୫-‘ଟି’ ଉଚ୍ଚ ବିଦ୍ୟାଳୟଗୁଡିକର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟମରେ ମାନବ ସମ୍ବଳ ନିୟୋଜିତ ପାଇଁ ୧୩୦ କୋଟି ପ୍ରଦାନ କରାଯାଇଛି।

ସିବିଏସ୍‌ଇ ପାଠ୍ୟକ୍ରମ ଅନୁଯାୟୀ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧୀନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୦୦୦.୧୪ କୋଟି ଟଙ୍କା ପ୍ରଦାନ କରାଯାଇଛି ।

୩୧୩ ବ୍ଲକରେ ୩୧୫ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ବର୍ତ୍ତମାନ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକର କୋଟିଆଠାରେ ଏକ ଅତିରିକ୍ତ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ଭୁବନେଶ୍ୱରର ଅନ୍ଧାରୁଆଠାରେ ଏକ ଆଇକନିକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷାବର୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧୀନରେ ୧,୦.୨୫୩ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିବାବେଳେ ସେଥିମଧ୍ୟରେ ୫୮,୩୪୩ ଛାତ୍ରୀ ଓ ୪୧,୯୧୦ ଛାତ୍ର ରହିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌ ନୂତନ ପଦକ୍ଷେପଗୁଡ଼ିକ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ସହଯୋଗରେ ୧୭ ବର୍ଷରୁ ଅଧିକ ବିଦ୍ୟାଳୟ ବାହାରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କାଉନସିଲିଂ ଅଧିବେଶନ ମଧ୍ୟ ଆରମ୍ଭ କରାଯିବ ।

ହାଇସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୦,୦୦୦ ରୁ ଅଧିକ ଶିକ୍ଷକ ନିଯୁକ୍ତି ମାଧ୍ୟମରେ ଖାଲିଥିବା ପଦବୀ ପୂରଣ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଏହିସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତ୍ୱରିତ ପଦକ୍ଷେପ ନେବା ପାଇଁ ସ୍ଥିର କରିଛି ବୋଲି ଶ୍ରୀମତୀ ଅଶ୍ୱଥୀ ଏସ୍‌ ସୂଚନା ଦେଇଥିଲେ ।