Categories
ଆଞ୍ଚଳିକ

“ବିଦ୍ୟାଞ୍ଜଳୀ” ପୋର୍ଟାଲ ମାଧ୍ୟମରେ ଯୋଡ଼ି ହେବେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ସମ୍ପ୍ରଦାୟ

ରଣପୁର: ରବିବାର ଦିନ ପାଳିତ ହୋଇଛି “ଶିକ୍ଷା ସପ୍ତାହ”ର ଶେଷ କାର୍ଯ୍ୟକ୍ରମ- “ଗୋଷ୍ଠୀ ସମ୍ପୃକ୍ତି ଦିବସ”। “ବିଦ୍ୟାଞ୍ଜଳୀ” ପୋର୍ଟାଲ ମାଧ୍ୟମରେ ଯୋଡ଼ି ହେବେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ସମ୍ପ୍ରଦାୟ। “ସ୍ବେଚ୍ଛାସେବୀ ହୁଅନ୍ତୁ ଅଭିଯାନ” ଦ୍ବାରା ଗୋଷ୍ଠୀ ସହଭାଗିତାରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଉନ୍ନତିକରଣକୁ ବ୍ୟାପକ କରାଯିବ।

ଏହି କାର୍ଯ୍ୟକ୍ରମ ନୟାଗଡ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ଉପସଭାପତି ପୁଷ୍ପଲତା ପ୍ରଧାନ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନଙ୍କ ସହିତ ବହୁ ପୁରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍ଵେଚ୍ଛାସେବୀ ଭାବେ ବିଦ୍ୟାଞ୍ଜଳି ପୋର୍ଟାଲରେ ପଞ୍ଜିକରଣ କରିବା ପାଇଁ ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଓ ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ସପ୍ତାହର ଷଷ୍ଠ ଦିବସ: ବିଦ୍ୟାଳୟରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ରଣପୁର: ‘ଶିକ୍ଷା ସପ୍ତାହ’ର ଷଷ୍ଠ ଦିବସ ‘ମିଶନ ଲାଇଫ ପାଇଁ ଇକୋ କ୍ଲବ’, ‘ମା’ ପାଇଁ ଗଛଟିଏ’ ଭାବେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଭାବେ ଗୌରାଙ୍ଗପୁର କ୍ଲଷ୍ଟର ସାଧନ କେନ୍ଦ୍ର କର୍ମୀ ସୁଧାକର ମିଶ୍ର, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ଉପସଭାପତି ପୁଷ୍ପଲତା ପ୍ରଧାନ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, ସୀତା ପ୍ରଧାନ, ଚାରୁଲତା ରାଉତ୍ତରାୟ, ଶାନ୍ତିଲତା ସାହୁ, ସଂଯୁକ୍ତା ସାଦୁଳା ସିଂହ, ବିଳାସିନୀ ପ୍ରଧାନ, ସୁମିତ୍ରା ଜେନା, ସକୁନ୍ତଳା ଇନ୍ଦ୍ରଜିତ, ସଂଜିତା ମାଝୀ, ରୀନା ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇ ଏଥିରେ ଇକୋ କ୍ଲବର ଗଠନ, କାର୍ଯ୍ୟ ଓ ଏହାର ଭୂମିକା ଉପରେ ଆଲୋଚନା କରାଯାଇ ପରିବେଶ ସଚେତନତା ସୃଷ୍ଟି କରାଯାଇଥିଲା। “ମା ପାଇଁ ଗଛଟିଏ” ଶୀର୍ଷକ ଉପରେ କବିତା ପାଠ କରାଯାଇଥିଲା।

ଶେଷରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମା’ ମାନେ ବିଦ୍ୟାଳୟରେ ବିଭିନ୍ନ ଗଛ ଲଗାଇ ଥିଲେ। ଏହି ଗଛର ରକ୍ଷଣା ବେକ୍ଷଣା ଦାୟିତ୍ୱ ବିଦ୍ୟାଳୟରେ ପଢ଼ୁଥୁବା ମା’ ମାନଙ୍କ ପୁଅଝିଙ୍କୁ ଦିଆଯାଇଥିଲା। ସହକାରୀ ଶିକ୍ଷକ ଦିଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।  କାର୍ଯ୍ୟକ୍ରମ ପରିଚାଳନାରେ ପରିଚାଳନା କମିଟି ସଦସ୍ୟସଦସ୍ୟାଙ୍କ ସମେତ ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ମାଧବ ପ୍ରଧାନ, ପାଚିକା ଅହଲ୍ୟା ଦେଇ, ଯଦୁମଣି ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

ସେହିପରି ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ବିଭିନ୍ନ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ସହଯୋଗରେ ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସେହିପରି ସାମନ୍ତରାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ନିହାଲପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ନାଟିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ବ୍ରଜବଲଭପୁର ପ୍ରାଥମିକ ବିଦ୍ୟାଳୟ, ହଂସରା ପ୍ରାଥମିକ ବିଦ୍ୟାଳୟ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଦ୍ୟାଳୟରେ ୭୫ଟି ପାରମ୍ପରିକ କ୍ରୀଡ଼ାକୁ ବ୍ୟାପକ କରିବା ପାଇଁ ଆରମ୍ଭ ହେଲା ପ୍ରୟାସ

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି -୨୦୨୦ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଫଳତାର ସହ ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି। ଏହା ଆଧାରରେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ସମେତ ଶାରୀରିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବୁଧବାର ଦିନ ଶିକ୍ଷା ସପ୍ତାହର ତୃତୀୟ ଦିବସକୁ କ୍ରୀଡ଼ା ଦିବସ ରୁପେ ପାଳନ କରାଯାଇଛି।

କ୍ରୀଡ଼ାକୁ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ ବରଂ ମୁଖ୍ୟ ପାଠ୍ୟକ୍ରମ ଭାବରେ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । କ୍ରୀଡ଼ାର ଗୁରୁତ୍ୱକୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିକଟରେ ପହଞ୍ଚାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ।

ତେବେ ଭାରତର କୋଣ ଅନୁକୋଣରେ ଥିବା ପାରମ୍ପାରିକ ଖେଳକୁ ଶିକ୍ଷାନୀତି-୨୦୨୦ରେ ସାମିଲ କରାଯାଇଛି । ଶିକ୍ଷା ସପ୍ତାହର ଏହି ଦିବସଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଭାଗିତା, ଦଳଗତ କାର୍ଯ୍ୟ ମନୋଭାବ ବୃଦ୍ଧି, ଶୃଙ୍ଖଳିତ ଆଚରଣ ବୃଦ୍ଧି, ଖେଳୁଆଡ଼ ମନୋଭାବ ଓ ଆତ୍ମବିଶ୍ୱାସକୁ ବୃଦ୍ଧି କରିବାରେ ବେଶ୍‌ ସହାୟକ ହେବ।

ରାଜ୍ୟ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତିରେ ଥିବା ୭୫ ଟି ପାରମ୍ପାରିକ କ୍ରୀଡ଼ାକୁ ନେଇ ଏହି କ୍ରୀଡ଼ା ଦିବସ ପାଳନ କରାଯାଇଛି। ସ୍ଥାନୀୟ ଅଞ୍ଚଳର ହଜିଯାଉଥିବା କ୍ରୀଡ଼ା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଭାରତର ପ୍ରାଚୀନ ସଭ୍ୟତା ସହିତ ଅନେକ ପାରମ୍ପାରିକ କ୍ରୀଡ଼ା ଯୋଡ଼ି ହୋଇରହିଛି।

ଏହାର ଐତିହାସିକ ମହତ୍ବକୁ ଭବିଷ୍ୟତ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କ୍ରୀଡ଼ା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଖେଳ ଶିକ୍ଷକମାନେ ପାରମ୍ପାରିକ ଖେଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ବିଭିନ୍ନ ଆଉଟଡ଼ୋର୍‌ ଖେଳକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା।