Categories
ଆଜିର ଖବର ଜାତୀୟ ଖବର

ଆଜି ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୬ ତାରିଖ ଅପରାହ୍ଣ ପ୍ରାୟ ୩ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିବେ। ଉତ୍ତର-ପୂର୍ବ ଭାରତର ସାଂସ୍କୃତିକ ଜୀବନ୍ତତାକୁ ପ୍ରଦର୍ଶିତ କରିବାର ପ୍ରତିବଦ୍ଧତାକୁ ଏହି ମହୋତ୍ସବ ଦର୍ଶାଉଛି।

ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ ମହୋତ୍ସବ ଡିସେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ହେବ। ଏହି ମହୋତ୍ସବ ଉତ୍ତର-ପୂର୍ବ ଭାରତର ବିଶାଳ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବ, ଯେଉଁଥିରେ କି ପାରମ୍ପରିକ କଳା, ଶିଳ୍ପ ଏବଂ ସାଂସ୍କୃତିକ ପ୍ରଥାର ବିବିଧତାକୁ ଏକକାଳୀନ ଦେଖିବାକୁ ମିଳିବ।

ପାରମ୍ପରିକ ହସ୍ତକଳା, ହସ୍ତତନ୍ତ, କୃଷି ଉତ୍ପାଦ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଆର୍ଥିକ ସୁବିଧାକୁ ବଢ଼ାଇବା ପାଇଁ ଏହି ମହୋତ୍ସବରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହେବ। ଏହି ମହୋତ୍ସବରେ କାରିଗରୀ ପ୍ରଦର୍ଶନୀ, ଗ୍ରାମୀଣ ହାଟ, ରାଜ୍ୟୱାରି ମଣ୍ଡପ ରହିବ। ଉତ୍ତର-ପୂର୍ବର ବିକାଶ ପାଇଁ ବିଭିନ୍ନ ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରଯୁକ୍ତିଗତ ଅଧିବେଶନ ଅନୁଷ୍ଠିତ ହେବ। ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ନିବେଶକ ଓ କ୍ରେତା-ବିକ୍ରେତାଙ୍କୁ ରାଉଣ୍ଡଟେବଲ ବୈଠକ ରହିଛି। ଏଥିରେ ଏହି ଅଞ୍ଚଳର ନେଟୱର୍କ, ସହଭାଗିତା ଏବଂ ଆର୍ଥିକ ସୁଦୃଢ଼ୀକାରଣ ପାଇଁ ମିଳିତ ପଦକ୍ଷେପ ନେବା ପାଇଁ ସୁଯୋଗ ସୃଷ୍ଟି କରାଯିବ।

ଏହି ମହୋତ୍ସବରେ ଡିଜାଇନ କନକ୍ଲେଭ ଏବଂ ଫେସନ୍ ଶୋ ହେବ। ଏଥିରେ ଜାତୀୟ ସ୍ତରରେ ଉତ୍ତର-ପୂର୍ବ ଭାରତର ଉନ୍ନତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ପ୍ରଦର୍ଶିତ ହେବ। ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଗୁରୁତ୍ୱ ଦେଇ ମହୋତ୍ସବରେ ଜୀବନ୍ତ ସଙ୍ଗୀତ ପ୍ରଦର୍ଶନ ଏବଂ ଉତ୍ତର-ପୂର୍ବ ଭାରତର ଖାଦ୍ୟଦ୍ରବ୍ୟକୁ ମଧ୍ୟ ପ୍ରଦର୍ଶନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାକୁ ଆସିଲା ୨୪ ହଜାର ନିଯୁକ୍ତି, ୪୯୫୪ କୋଟି ଟଙ୍କାର ୩୧ଟି ପ୍ରକଳ୍ପକୁ ମିଳିଲା ଅନୁମୋଦନ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୧୩୧ତମ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ବା ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୪,୯୫୪.୨୬ କୋଟି ଟଙ୍କା ମୂଲ୍ୟର ୩୧ଟି ଅଭିନବ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।

ଏହା ଫଳରେ ଓଡ଼ିଶା ରାଜ୍ୟ ସରକାର ନିଯୁକ୍ତି ଓ ଅଭିବୃଦ୍ଧି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । ଏହା ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶର ବ୍ୟାପକତା ସାଙ୍ଗକୁ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବା ସହ ରାଜ୍ୟକୁ ଏକ ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳର ମାନ୍ୟତାକୁ ସୁଦୃଢ଼ କରିବ।

ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପ୍ରାୟ ୨୪,୧୬୨ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଯାହା ରାଜ୍ୟର ବିଭିନ୍ନ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ଏବଂ ନିଯୁକ୍ତି ଅଭିବୃଦ୍ଧିରେ ସହାୟକ ହେବ ।

ଏସଏଲଏସଡବ୍ଲ୍ୟୁସିଏରେ ଆଜି ମେକାନିକାଲ ଏବଂ ଇଲେକ୍ଟ୍ରିକାଲ କ୍ୟାପିଟାଲ ଗୁଡ୍ସ, ଫୁଡ୍ ପ୍ରୋସେସିଂ, ପ୍ୟାକେଜିଂ, ପୋଷାକ ଏବଂ ଟେକ୍ସଟାଇଲ, ଜୈବ ଇନ୍ଧନ, ସବୁଜ ଶକ୍ତି ଉପକରଣ, ଇଏସଡିଏମ, ଇସ୍ପାତ (ଆନୁଷଙ୍ଗିକ), ଅଣ ଧାତବ ଖଣିଜ ଉତ୍ପାଦ (ରିପ୍ରାକ୍ଟରୀ ପ୍ରଡକ୍ଟସ), ଇସ୍ପାତ (ଡାଉନଷ୍ଟ୍ରିମ), ପ୍ଲାଷ୍ଟିକ, ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ର, କୃଷି ପ୍ରକ୍ରିୟାକରଣ, ପର‌୍ୟ୍ୟଟନ, ଶକ୍ତି ଏବଂ ଅକ୍ଷୟ ଶକ୍ତି ଏବଂ ଫାର୍ମାସ୍ୟୁଟିକାଲ୍ ସମେତ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।

ଖୋର୍ଦ୍ଧା, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୋଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ୱର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଏହି ପ୍ରକଳ୍ପ କାର‌୍ୟ୍ୟକାରୀ ହେବ ।

ବିଭିନ୍ନ କମ୍ପାନୀମାନଙ୍କ ମଧ୍ୟରେ ପଲିମିରୟର ଇଣ୍ଡିଆ ପ୍ରା. ଲିଃ, ବିସଲେରୀ ଇଣ୍ଟରନ୍ୟାସନାଲ, ଶାଲିମାର ଗ୍ଲାସ୍ ୱାର୍କସ୍ ପ୍ରାଇଭେଟ୍ ଲିମିଟେଡ୍, ଏଫ୍ ଏମ୍ ଡେନିମ୍ ଆଣ୍ଡ ଟ୍ୱିଲ୍ସ ପ୍ରାଇଭେଟ୍ ଲିମିଟେଡ୍, ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍, ସୂର‌୍ୟ୍ୟ ଇଣ୍ଟରନ୍ୟାସନାଲ୍ ଏଣ୍ଟରପ୍ରାଇଜ୍ ପ୍ରାଇଭେଟ୍ ଲିମିଟେଡ୍, ମୋଗ୍ଲି ଲ୍ୟାବ୍ସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଅଛନ୍ତି।

ସେହିପରି କାଲଡେରିସ୍ ଇଣ୍ଡିଆ ରିଫ୍ରାକ୍ଟୋରିଜ୍ ଲିମିଟେଡ୍, ନେପ୍ଚୁନସ୍ ସିପ୍ ବିଲ୍ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍, ସନ୍ୟାମ ଟାଇ ଅପ୍ ପ୍ରାଇଭେଟ୍ ଲିମିଟେଡ୍, ମା’ ଛିନ୍ନମସ୍ତିକା ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍, ଏସ୍ ଏନ୍ ଏମ୍ ହୋଟେଲ୍ ଆଣ୍ଡ୍ ରିସୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଅମ୍ରିତାଶ ହେଲ୍ଥକେୟାର ପ୍ରାଇଭେଟ୍ ଲିମିଟେଡ୍, ବେନ୍ ଗ୍ଲୋବାଲ୍ ରିସୋର୍ସେସ ଏଲ୍ ଏଲ୍ ପି ଆଦି ରହିଛନ୍ତି, ଯେଉଁମାନେ କି ସାମଗ୍ରିକ ଭାବେ ଉପରୋକ୍ତ ମୋଟ ବିନିଯୋଗ ମୂଲ୍ୟରେ ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପ ସ୍ଥାପନା ନିମନ୍ତେ ପ୍ରତିଶ୍ରୁତିବଦ୍ଧ।

ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇବା ସହ ସମଗ୍ର ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବାରେ ଲାଗିଛି। ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଭାବଶାଳୀ ନେତୃତ୍ୱ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ସ୍ଥଳରେ ପରିଣତ କରିବା ପାଇଁ ପ୍ରତିବଦ୍ଧ ଏବଂ ନିରନ୍ତର ଓ ସାମଗ୍ରିକ ଅଭିବୃଦ୍ଧି ପାଇଁ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟ ଏବଂ ସମର୍ପଣ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକ ଉଲ୍ଲେଖନୀୟ ମାନଦଣ୍ଡ ସ୍ଥାପନ କରିଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟ ସରକାର ୧୪ଟି ପ୍ରକଳ୍ପକୁ ଦେଲେ ଅନୁମୋଦନ, ୧୭୧୩ କୋଟି ଟଙ୍କାର ପୁଂଜି ନିବେଶ

ଭୁବନେଶ୍ବର: ୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଗତକାଲି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଓଡିଶା ପାଇଁ ୧୭୧୩.୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଓଡ଼ିଶା ଏକ ରୂପାନ୍ତରିତ  ଅର୍ଥନୈତିକ ବିକାଶ ଦେଇ ଗତି କରୁଥିବା ଜଣାଯାଉଛି। ଏହି ବିବିଧ ପୁଞ୍ଜିନିବେଶ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟ୍ଟକୁ ନୂଆ ରୂପ ଦେବା ସହ ରାଜ୍ୟଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥଳ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି।

ଏକ ଐତିହାସିକ ନିଷ୍ପତ୍ତି ସ୍ୱରୂପ ଏସଏଲଏସଡବ୍ଲ୍ୟୁସିଏ ବୈଠକରେ ଧାତବ କ୍ଷେତ୍ର ଉପରେ ନିର୍ଭର କରୁଥିବା ଆନୁଷଙ୍ଗିକ ଶିଳ୍ପ (ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନସିଲାରିଜ୍), ଶକ୍ତି, ଔଷଧ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ସବୁଜ ସଙ୍ଗେତ ଦିଆଯାଇଛି। ସମୁଦାୟ ୫୧୩୪ ନିଯୁକ୍ତି ସୃଷ୍ଟି ସମ୍ଭାବନା ଥିବା ୭ଟି ଜିଲ୍ଲାରେ ସମୁଦାୟ ୧୭୧୩.୬୫ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ଏହି ଉଦ୍ୟୋଗଗୁଡ଼ିକ ରାଜ୍ୟର ଅର୍ଥନୈତିକ ବିକାଶରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି।

ଯାଜପୁରରେ ନିଓ ଇଣ୍ଡଷ୍ଟ୍ରିଜ୍ ମେଟାଲ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍ ର ୭୨.୦୦ କୋଟି ଟଙ୍କାର ପ୍ରକଳ୍ପ ସହିତ ରାଜ୍ୟରେ ଇସ୍ପାତ ଆନୁଷଙ୍ଗିକ ଉଦ୍ୟୋଗ କ୍ଷେତ୍ରରେ  ବୃଦ୍ଧି ଘଟିବାକୁ ଯାଉଛି। ଦୁଇଟି ପର୍ଯ୍ୟାୟରେ ୧୬ ହଜାର ୟୁନିଟ୍ କ୍ଷମତା ବିଶିଷ୍ଟ ଇସ୍ପାତ ୟୁନିଟ୍ ପାଇଁ କ୍ରୋମ ପ୍ଲେଟିଂ, ଗ୍ରାଇଣ୍ଡିଂ ଓ ଟେକ୍ଚରିଂ  କରାଯିବ।  ଏହା ୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଷ୍ଟେନଲେସ୍ ଷ୍ଟିଲ୍ ଆଣ୍ଡ ଫେରୋ ଆଲଏଜ୍ କ୍ଷେତ୍ରରେ ‘ଆନନ୍ଦ ଏକ୍ସପୋର୍ଟ, ଯାଜପୁର’ରେ ଏହାର ବ୍ୟାପକ ସମ୍ପ୍ରସାରଣ ପାଇଁ ପଦକ୍ଷେପ ନେଇଛି। ଏହି ପ୍ରକଳ୍ପରେ ୦.୦୩୮ ଏମଟିପିଏର ଫେରୋକ୍ରୋମ ୟୁନିଟ୍ କ୍ଷମତା ବୃଦ୍ଧି ଅନ୍ତର୍ଭୁକ୍ତ। ଏହା ଦ୍ୱାରା ୬୨୮.୦୦ କୋଟି ଟଙ୍କା ବିନିଯୋଗରେ ୨,୮୨୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଯାଜପୁରର କଳିଙ୍ଗ ନଗରରେ ଆସୋକା ସ୍କାଏ ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ମେଟାଲ୍ ଡାଉନଷ୍ଟ୍ରିମ୍ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି। ଏହି ଉଦ୍ୟୋଗରେ ୧୦୧.୦୦ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ବରାଦ କରାଯାଇଛି  ଏବଂ ଏହା ଫଳରେ ୧୦୫ ନିଯୁକ୍ତି ସମ୍ଭାବନା ରହିଛି, ଯାହା ଇସ୍ପାତ କ୍ଷେତ୍ରକୁ ଆହୁରି ଉନ୍ନତ କରିବ।

ମହିନ୍ଦ୍ରା ହୋଲିଡେଜ୍ ଆଣ୍ଡ ରିସୋର୍ଟ ପ୍ରକଳ୍ପକୁ ଗଂଜାମ ଜିଲ୍ଲାରେ ବାହୁଡ଼ା ନଦୀ ମୁହାଣ ନିକଟ ସୋନାପୁର ବେଳାଭୂମିରେ ୨୨୮.୪୫ କୋଟି ଟଙ୍କା ବିନିଯୋଗ କରି ଏକ ଆକର୍ଷଣୀୟ ବିଳାସପୂର୍ଣ୍ଣ ରିସୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ଅନୁମୋଦନ ମିଳିଛି। ଏହି ବିଳାସପୂର୍ଣ୍ଣ ରିସୋର୍ଟ ଓ ହୋଟେଲକୁ ଅନୁମୋଦନ ମିଳିବା ପରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିଛି ଏବଂଏହା ଚିକିଟି, ଗଞ୍ଜାମରେ ୧୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ଟିଏସ୍ ବିଚ୍ ରିସୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୧୩୨.୧୬ କୋଟି ଟଙ୍କା ବିନିଯୋଗରେ ପୁରୀରେ ଏକ କନଭେନ୍ସନ୍ ସେଣ୍ଟର ଏବଂ ୪ ଟି ଷ୍ଟାର୍ ହୋଟେଲ୍ ସହିତ ଆତିଥେୟତା ପ୍ରଦାନ କ୍ଷେତ୍ରରେ ନୂତନଆକର୍ଷଣୀୟ ପରିକଳ୍ପନା ସୃଷ୍ଟି କରିଛି। ପୁରୀର ସିପସରୁବାଲିରେ ସ୍ଥାପିତ ହେବାକୁ ଥିବାଏହି ପ୍ରକଳ୍ପ ୨୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ହୋଟେଲ ରଶ୍ମି ପ୍ଲାଜା ଓପିସି ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ାରେ ଏକ ୪ ତାରକା ହୋଟେଲ୍ ନିର୍ମାଣ କରି ଏହି କ୍ଷେତ୍ରରେ ଉନ୍ନତି ଆଣିଛି, ଯେଉଁଥିରେ ୭୦.୭୪ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ଏବଂ ୨୧୦  ନୂତନ ନିଯୁକ୍ତି ସୁଯୋଗ ରହିଛି।

ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଯାଜପୁରରେ ୨୩.୦୨ ମେଗାୱାଟ୍ କ୍ୟାପ୍ଟିଭ୍ ରୁଫ୍ ଟପ୍ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ କରି ଅକ୍ଷୟ ଶକ୍ତି କ୍ଷେତ୍ରରେ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛି। ୧୧୦.୨୪ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ  ୬୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏସିକେମ୍ ରେମେଡି ପ୍ରାଇଭେଟ୍ ଲିମିଟେଡ୍ ପୁରୀର କୁର୍କିଠାରେ ଟ୍ୟାବଲେଟ୍, କ୍ୟାପସୁଲ୍, ମଲମ ଏବଂ ଲିକୁଇଡ୍  ଓରାଲ୍ ଉତ୍ପାଦନ କରି ଔଷଧ କ୍ଷେତ୍ରରେ କାର୍ଯ୍ୟ କରୁଛି। ୫୩.୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରେ ୧୬୩ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆକଳନ କରାଯାଇଛି।

ବେଷ୍ଟ ପାୱାର ଇକ୍ୱିପମେଣ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧାରେ ୟୁପିଏସ ସିଷ୍ଟମ ଓ ବ୍ୟାଟେରୀ ଉତ୍ପାଦନ ପାଇଁ ଏକ ୟୁନିଟ୍ ସ୍ଥାପନ ପାଇଁ ଯୋଜନା କରାଯାଇଛି। ୫୨.୭୫ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ଏହି ପ୍ରକଳ୍ପ ୩୫୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି। ଆହୁରି ମଧ୍ୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓରିବାକେ ପ୍ରାଇଭେଟ୍ ଲିମିଟେଡ୍ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାରଠାରେ ବିସ୍କୁଟ୍ ଏବଂ ଅନ୍ୟାନ୍ୟ ବେକ୍ଡ  ଉତ୍ପାଦ ଉତ୍ପାଦନ ୟୁନିଟ୍ ସହିତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉନ୍ନତି ଆଣିବାକୁ ଯାଉଛି। ବାର୍ଷିକ ୬୦ ହଜାର  ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏହି ୫୧.୮୦ କୋଟି ଟଙ୍କାର ପ୍ରକଳ୍ପ ୨୮୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ।

ସନ ଆଗ୍ରୋ ଫୁଡସ୍  ଯାଜପୁରରେ ଏହାର ଆଧୁନିକ ରାଇସ୍ ମିଲ୍ ପ୍ରକଳ୍ପ ମାଧ୍ୟମରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଯୋଗଦାନ ଦେବ। ୫୦.୪୩ କୋଟି ଟଙ୍କାର ବ୍ୟୟ ଅଟକଳ ସହିତ ଏହି ପ୍ରକଳ୍ପ  ୯୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।ଏସଏମଭିଡି ପଲି ପ୍ୟାକ୍ ଲିମିଟେଡ୍ ଜଗତସିଂହପୁରରେ ପିପି/ ଏଚଡିପିଇ ବ୍ୟାଗ୍ ଏବଂ ବସ୍ତା(ଅଖା) ଉତ୍ପାଦନ ୟୁନିଟ୍ ସହିତ ପ୍ଲାଷ୍ଟିକ୍ କ୍ଷେତ୍ର ଉପରେ ଧ୍ୟାନ ଦେଉଛି।

ବାର୍ଷିକ ୧୦,୫୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏହି ୬୧.୩୦ କୋଟି ଟଙ୍କାର ପ୍ରକଳ୍ପରେ ୨୧୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଟେକ୍କନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ପ୍ଲାଷ୍ଟିକ୍ ଉତ୍ପାଦ ଉତ୍ପାଦନ ୟୁନିଟ୍ ସହିତ ପ୍ଲାଷ୍ଟିକ୍ କ୍ଷେତ୍ରରେ ଅଗ୍ରଗତି କରିବାକୁ ଲକ୍ଷ୍ୟ ରଖିଛି। ୫୧ କୋଟି ଟଙ୍କାର  ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ୩୦୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।  ମିଡିଆଇଡ୍ ମାର୍କେଟିଂ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ କଟକ ରାମଦାସପୁରରେ ଦୈନିକ ୭.୨ ଲକ୍ଷ ସଂଖ୍ୟକ ସିରିଞ୍ଜ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି। ୫୦.୭୮ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି  ପ୍ରକଳ୍ପ ଦ୍ୱାରା ୭୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଛି।

ସାମଗ୍ରିକ ଭାବରେ ଏହି ସମସ୍ତ ପ୍ରକଳ୍ପ ରୂପାନ୍ତରଣକାରୀ ପ୍ରକଳ୍ପ ଭାବେ ୫,୧୩୪ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ଏବଂ ଅର୍ଥନୈତିକ ସମୃଦ୍ଧି ପାଇଁ  ପଥ ପ୍ରଶସ୍ତ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱ  ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ସ୍ଥଳରେ ପରିଣତ କରୁଛି ଓ  ନିରନ୍ତର ଅଭିବୃଦ୍ଧି ପାଇଁ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟ ଓ ସମର୍ପଣ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକ ଉଲ୍ଲେଖନୀୟ ମାନଦଣ୍ଡ ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

Invest Odisha: ୧୯ ଟି ପ୍ରକଳ୍ପକୁ ମିଳିଲା ଅନୁମୋଦନ, ୪,୮୦୪ କୋଟି ଟଙ୍କା ପୁଂଜି ନିବେଶ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ୧୨୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୪,୮୦୪.୩୫ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି, ଯାହା ବିଭିନ୍ନ କ୍ଷେତ୍ରରେ ୧୭,୫୫୩ ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶ୍ରୁତି ଦେବା ସହ ପୁଞ୍ଜି ନିବେଶ ସ୍ଥଳ ଭାବେ ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ପୋଷାକ ଓ ବୟନଶିଳ୍ପ, ଇସ୍ପାତ ଡାଉନଷ୍ଟ୍ରିମ୍, ପେଣ୍ଟ୍ (ରାସାୟନିକ), ପ୍ଲାଷ୍ଟିକ୍, ପ୍ୟାକେଜିଂ ଓ ମେଟାଲ୍ ଡାଉନଷ୍ଟ୍ରିମ୍, ରସାୟନିକ, ଖାଦ୍ୟ, ପାନୀୟ ଓ ଆନୁଷଙ୍ଗିକ କ୍ଷେତ୍ର, ଇସ୍ପାତ (ଫେରୋଆଲୋୟସ୍), ଆଇଟି ଭିତ୍ତିଭୂମି, କୃଷି ପ୍ରକ୍ରିୟାକରଣ, ଅକ୍ଷୟ ଶକ୍ତି/ସର୍କୁଲାର ଅର୍ଥନୀତି ଏବଂ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରରେ ଏହି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ରହିଛି।

ଏହି ବିବିଧ ପୁଞ୍ଜିନିବେଶ କେବଳ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରୁ ନାହିଁ ବରଂ ସଂପୃକ୍ତ ଅଞ୍ଚଳର ସମୃଦ୍ଧ ଖଣିଜ ସମ୍ପଦ, ଧାତବ ବିଜ୍ଞାନ ଦକ୍ଷତା ଏବଂ ଆଇଟି କ୍ଷେତ୍ରରେ ବୈଷୟିକ ଉନ୍ନତି ପାଇଁ ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି। କୃଷି ଶିଳ୍ପରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି, ଯାହା ରାଜ୍ୟର କୃଷି ସମ୍ଭାବନାକୁ ଉପଯୋଗ କରିଛି। ୧୦ଟି ଜିଲ୍ଲାରେ ବିସ୍ତାରିତ ଏହି ରଣନୈତିକ ପୁଞ୍ଜିନିବେଶ ଓଡ଼ିଶା ପାଇଁ ବ୍ୟାପକ ଶିଳ୍ପ ବିକାଶ ରଣନୀତିକୁ ପ୍ରତିଫଳିତ କରୁଛି।

କେନ୍ଦ୍ରାପଡ଼ାରେ ଟେକ୍ସଟାଇଲ୍ ସୁବିଧା ପ୍ରତିଷ୍ଠା, ପୋଷାକ ଓ ବୟନ ଶିଳ୍ପ କ୍ଷେତ୍ରରେ ୨୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ବୃଦ୍ଧି ପାଇଁ ୱେଲସ୍ପନ୍ ଲିଭିଂ ଲିମିଟେଡ୍ ୨୦୦.୦୦ କୋଟି ଟଙ୍କା ବିନିଯୋଗ କରୁଛି।

ଟାଟା ଷ୍ଟିଲ୍ ଡାଉନଷ୍ଟ୍ରିମ୍ ପ୍ରଡକ୍ଟସ୍ ଲିମିଟେଡ୍ ପକ୍ଷରୁ ଯାଜପୁରର କଳିଙ୍ଗ ନଗରରେ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଇସ୍ପାତ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିଲେ ୭୩୫ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ଏହା ୩୩୫ ସମ୍ଭାବ୍ୟ ନିଯୁକ୍ତି ପ୍ରତିଶ୍ରୁତି ଦେଇଛି।

ଇସ୍ପାତ କ୍ଷେତ୍ରରେ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ ଯାଜପୁରରେ ୯୭୭.୪୩ କୋଟି ଟଙ୍କା ବିନିଯୋଗ କରି ୨ଲକ୍ଷ ୨୦ ହଜାର ମେଟ୍ରିକ୍ ଟନ୍ ଫେରୋ କ୍ରୋମ୍ ଏବଂ ୨୦ ମେଗାୱାଟ୍ ଡବ୍ଲ୍ୟୁଏଚ୍ଆରବି ପାୱାର ଉତ୍ପାଦନ କରି ୧୧୯୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ୧୫୦ କୋଟି ଟଙ୍କା ବିନିଯୋଗ ଏବଂ ଇସ୍ପାତ ଶିଳ୍ପରେ ୩୧୫ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖି ଯାଜପୁରର ଜେଏସ୍ଏଲ୍ ଷ୍ଟେନଲେସ୍ ଷ୍ଟିଲ୍ ପାର୍କରେ ଏକ ଷ୍ଟେନଲେସ୍-ଷ୍ଟିଲ୍ ସର୍ଭିସ୍ ସେଣ୍ଟର ୟୁନିଟ୍ ସ୍ଥାପନ କରୁଛି । କେନ୍ଦୁଝରର ବଡବିଲରେ ଆନୁଷଙ୍ଗିକ ସୁବିଧା ଥିବା ୫୨,୮୦୦ ମେଟ୍ରିକ୍ ଟନ୍ ଇସ୍ପାତ କାଷ୍ଟିଂ ମିଲ୍ ଓ ରୋଲିଂ ମିଲ୍ ପ୍ରତିଷ୍ଠା ପାଇଁ କ୍ରାକର୍ସ ଇଣ୍ଡିଆ ଆଲଏଜ୍ ଲିମିଟେଡ୍ ୧୦୧.୫୦ କୋଟି ଟଙ୍କା ବିନିଯୋଗ ପୂର୍ବକ ଇଷ୍ପାତ ଶିଳ୍ପ କ୍ଷେତ୍ରରେ ୨୪୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

ସୁନ୍ଦରଗଡ଼ରେ ଏନଭାଇରୋକେୟାରଇନଫ୍ରାସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ର ୧୦୦ କୋଟି ଟଙ୍କା ବିନିଯୋଗରେ ୨,୮୮,୦୦୦ ଟିପିଏ କ୍ଷମତା ବିଶିଷ୍ଟ ଏକ ମାଇଲ୍ଡ ଷ୍ଟିଲ୍ ଷ୍ଟ୍ରିପ୍ ଏବଂ ପାଇପ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରୁଛି, ଯାହା ଷ୍ଟିଲ୍ ଡାଉନଷ୍ଟ୍ରିମରେ ୨୯୫ ସମ୍ଭାବ୍ୟ ନିଯୁକ୍ତି ପ୍ରଦାନ କରୁଛି। ରୁଙ୍ଗଟା ପେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଢେଙ୍କାନାଳରେ ପେଣ୍ଟସ୍, ଆଲାଇଡ୍ ପ୍ରଡକ୍ଟସ୍ ଏବଂ ଇଣ୍ଟରମିଡିଏଟ୍ ର ଏକ ଉତ୍ପାଦନ ୟୁନିଟ୍ ସହିତ ନିଜର ଉପସ୍ଥିତି ବଢ଼ାଇଛି। ୯୯୧ କୋଟି ଟଙ୍କାର ନିବେଶ ପେଣ୍ଟ (କେମିକାଲ) ଶିଳ୍ପରେ ୭୦୦ ନିଯୁକ୍ତି ସୃଷ୍ଟି କରିବ।

ବାଲେଶ୍ୱରର ବାଲିଆପାଳ ଶିଳ୍ପାଞ୍ଚଳରେ ମୋଡୁଲୁସ୍ ଓଲିଓକେମ୍ ଆଣ୍ଡ ସର୍ଫେକ୍ଟଣ୍ଟାସ୍ ପ୍ରାଇଭେଟ୍ ଲିମିଟେଡ୍ ର ବ୍ୟାପକ ରାସାୟନିକ ଉତ୍ପାଦନ ୟୁନିଟ୍ ହେଉଛି ୩୧୩.୫୧ କୋଟି ଟଙ୍କାର ପୁଞ୍ଜିନିବେଶ, ଯାହା ରସାୟନିକ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ଏବଂ ୩୦୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବ।

ଟ୍ରାନ୍ସନୋଭା ଏକ୍ସପ୍ରେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାର ଏକ କେମିକାଲ୍ ହବ୍ ୧୨୦ .୩୯ କୋଟି ଟଙ୍କା ନିବେଶ କରି ବଲ୍କ ଇଣ୍ଡଷ୍ଟ୍ରିଆଲ୍ କେମିକାଲ ଷ୍ଟୋରେଜ୍, ରି-ପ୍ୟାକିଂ ଏବଂ ହ୍ୟାଣ୍ଡଲିଂ ସୁବିଧା ସ୍ଥାପନ କରି ୨୫୮ଟି ସମ୍ଭାବ୍ୟ ନିଯୁକ୍ତି ପ୍ରଦାନ କରୁଛି।

ଓଡ଼ିଶାରେ ପାଦ ଥାପିବା ପରେ ପେଣ୍ଟ ଜିଆଣ୍ଟ ବର୍ଗର ଏହାର ଦୁଇଟି ଆନୁଷଙ୍ଗିକ କମ୍ପାନି ମଧ୍ୟରୁ ପ୍ରଥମଟି ଗ୍ରୋ ମ୍ୟାକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଖୋର୍ଦ୍ଧାରେ ପ୍ଲାଷ୍ଟିକ୍ ରଙ୍ଗ ବାଲଟି, ଢାଙ୍କୁଣି, ବୋତଲ ଓ ଡ୍ରମ୍ ଉତ୍ପାଦନ ୟୁନିଟ୍ ରେ ୫୪.୫୫ କୋଟି ଟଙ୍କା ନିବେଶ କରି ପ୍ଲାଷ୍ଟିକ୍ କ୍ଷେତ୍ରରେ ୧୫୨ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି।

ଦ୍ୱିତୀୟଟି ହେଉଛି ଅନୁପମ ପ୍ରଡକ୍ଟସ୍ ଲିମିଟେଡ୍ ଯାହା ଖୋର୍ଦ୍ଧାରେ ଖାଲି ମେଟାଲ ଟିଣ କଣ୍ଟେନର ପାଇଁ ୫୧ କୋଟି ଟଙ୍କାର ଉତ୍ପାଦନ ୟୁନିଟ୍ ସ୍ଥାପନ କରି ପ୍ୟାକେଜିଂ ଏବଂ ମେଟାଲ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହ ୨୩୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ରାଜଶ୍ରୀ ପଲିପ୍ୟାକ୍ ଲିମିଟେଡ୍ ଏବଂ କେଶବ ପ୍ଲାଷ୍ଟଟେକ୍ (ପି) ଲିମିଟେଡ୍ ଯଥାକ୍ରମେ ଖୋର୍ଦ୍ଧା ଓ ରେଙ୍ଗାଲି ଶିଳ୍ପାଞ୍ଚଳ, ସମ୍ବଲପୁରରେ ଉତ୍ପାଦନ ୟୁନିଟ୍ ସହିତ ପ୍ଲାଷ୍ଟିକ୍ ଶିଳ୍ପରେ ଯୋଗଦାନ ରଖିଛନ୍ତି। ମିଳିତ ଭାବେ ୧୦୨.୨୫ କୋଟି ଟଙ୍କା ବିନିଯୋଗରେ ଏହି ଦୁଇଟି ପ୍ରକଳ୍ପ ଦ୍ବାରା ୫୫୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

୧୯୦ କୋଟି ଟଙ୍କା ବିନିଯୋଗ ଏବଂ ଭିତ୍ତିଭୂମି କ୍ଷେତ୍ରରେ ୧୬୦ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ଥିବା ସୁନ୍ଦରଗଡ଼ରେ ପିଏମ୍-ଗତି ଶକ୍ତି ମଲ୍ଟି ମୋଡାଲ ଟର୍ମିନାଲ ଯୋଜନା ଅଧୀନରେ ଢଂସର ଗ୍ରୁପ୍ ଏକ ଘରୋଇ ମାଲ ପରିବହନ ଟର୍ମିନାଲ (ପିଏଫଟି ) ଆରମ୍ଭ କରିଛି।

କୈବଲ୍ୟା ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଥିବା ଏକ ମଲ୍ଟି ମୋଡାଲ ଆଭ୍ୟନ୍ତରୀଣ କଣ୍ଟେନର ଡିପୋ (ଆଇସିଡି)ରେ ୧୧୦ କୋଟି ଟଙ୍କା ବିନିଯୋଗ କରି ୪୮୦ ଟି ସମ୍ଭାବ୍ୟ ନିଯୁକ୍ତି ସହିତ ଖାଦ୍ୟ ଉତ୍ପାଦ, ରପ୍ତାନି ପ୍ରକ୍ରିୟାକରଣ ଏବଂ ସୀମା ଶୁଳ୍କ କ୍ଲିୟରିଂ ସୁବିଧା ପାଇଁ ଭିତ୍ତିଭୂମି ପ୍ରଦାନ କରୁଛି।

ଆଶୀର୍ବାଦ ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍ ଯାଜପୁରରେ ୫୬.୩୫ କୋଟି ଟଙ୍କା ବିନିଯୋଗରେ ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଅଟା କଳ ସ୍ଥାପନ କରୁଛି, ଯାହା ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଯୋଗଦାନ ଦେଇ ୧୧୮ଟି ସମ୍ଭାବ୍ୟ ନିଯୁକ୍ତି ପ୍ରଦାନ କରୁଛି। ସୁମ୍ମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୨୨୬.୫୭ କୋଟି ଟଙ୍କା ବ୍ୟୟରେ ଏକ ଆଇଟି ଭିତ୍ତିଭୂମି କମ୍ପ୍ଲେକ୍ସ ର ଶୁଭାରମ୍ଭ କରିଛି, ଯେଉଁଥିରେ ୧୦ ହଜାର ଆଇଟି ପ୍ରଫେସନାଲ ନିଯୁକ୍ତି ସୁଯୋଗ ପାଇବେ।

ଭବାନୀ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ନୂଆପଡ଼ାରେ ଏକ ୫ ମେଗାୱାଟ୍ ର କୋ-ଜେନ୍ ପାୱାର ପ୍ଲାଣ୍ଟ ସହିତ ୨୦୦ କେଏଲପିଡି ଶସ୍ୟ ଭିତ୍ତିକ ଇଥାନଲ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି, ଯାହା କି ବିଜୁ ଅର୍ଥନୈତିକ କରିଡରରେ ୨୩୭.୮୦ କୋଟି ଟଙ୍କା ବିନିଯୋଗରେ କୃଷି ପ୍ରକ୍ରିୟାକରଣରେ ଉଲ୍ଲେଖନୀୟ ଯୋଗଦାନ ଦେବ ଏବଂ ୧୫୦ ନିଯୁକ୍ତି ସୃଷ୍ଟି କରିବ।

ସେହିପରି ଜିଏଆଇଏ ନିଓ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ୮୭.୦୦ କୋଟି ଟଙ୍କା ବିନିଯୋଗ କରି କଟକ ବାଙ୍କୀ-ଡମପଡ଼ାରେ କମ୍ପ୍ରେସଡ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରୁଛି। ବାର୍ଷିକ ୩,୬୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏହି ପଦକ୍ଷେପ ଅକ୍ଷୟ ଶକ୍ତି/ସର୍କୁଲାର ଅର୍ଥନୀତି କ୍ଷେତ୍ରରେ ୭୬ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପୋଷାକ ଏବଂ ବୟନ ଶିଳ୍ପଠାରୁ ଆରମ୍ଭ କରି ଭିତ୍ତିଭୂମି ପର‌୍ୟ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବିସ୍ତୃତ ଏହି ପ୍ରକଳ୍ପଗୁଡିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି ରଣନୀତି ଏବଂ ଶିଳ୍ପ ବିକାଶ ଦିଗରେ ପଦକ୍ଷେପକୁ ପ୍ରତିଫଳିତ କରୁଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସାରା ବିଶ୍ୱର ନିବେଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ନିରନ୍ତର ଏବଂ ଅନ୍ତର୍ଭୁକ୍ତି ଅଭିବୃଦ୍ଧି ପାଇଁ ନିବେଶକାରୀମାନଙ୍କ ପ୍ରତିବଦ୍ଧତା ରାଜ୍ୟର ବିକାଶ ପାଇଁ ଏକ ଉଚ୍ଚ ମାନଦଣ୍ଡ ସ୍ଥାପିତ କରୁଛି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାକୁ ଏକ ଶିଳ୍ପ ଶକ୍ତିରେ ପରିଣତ କରିବା ସହ ନିଯୁକ୍ତି ଓ ସମୃଦ୍ଧି ସୃଷ୍ଟି କରିବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ ଏଥର ବଜେଟରେ ହେଲା ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ବିଶ୍ୱସ୍ତରୀୟ ଲ୍ୟାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା, ଶିଳ୍ପ ଏବଂ ସମର୍ଥିତ ଭିତ୍ତିଭୂମି ଓ ପୁଞ୍ଜିନିବେଶ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ଶିଳ୍ପ ବିଭାଗକୁ ୭୧୦.୨୦ କୋଟି ଟଙ୍କାର ବଜେଟ ଦିଆଯାଇଛି। ଶିଳ୍ପ ପ୍ରସ୍ତୁତି ଭିତ୍ତିଭୂମିର ଉନ୍ନତି କଳ୍ପେ ୫୫୬ କୋଟି ଟଙ୍କାର ଅଧିକ ବ୍ୟୟବରାଦ କରାଯାଇଛି, ଯାହାକି ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ ତୁଳନାରେ ୨୫ ପ୍ରତିଶତ ଅଧିକ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ ତୁଳନାରେ ୨୪ ପ୍ରତିଶତ ଅଧିକ ଅଟେ ବୋଲି ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି।

ଗୀତ ଗୋବିନ୍ଦ ସମ୍ମିଳନୀ କକ୍ଷରେ ବଜେଟ ୨୦୨୩-୨୪ ସଂକ୍ରାନ୍ତୀୟ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ଉନ୍ନୟନ ଓ ଶିଳ୍ପ ପ୍ରତିଷ୍ଠା ସରକାରଙ୍କର ଏକ ମୁଖ୍ୟ କାର୍ଯ୍ୟସୂଚୀ ଅଟେ ଯେଉଁଥିରେ କି ଶିଳ୍ପ ଉନ୍ନୟନ ଭିତ୍ତିଭୂମି ନିଗମ(ଇଡ୍‌କେ) ବିଭିନ୍ନ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ଯେପରିକି ପାରାଦୀପରେ ପ୍ଲାଷ୍ଟିକ୍‌ ପାର୍କ, ଅନୁଗୁଳରେ ଆଲୁମିନିୟମ୍‌ ପାର୍କ, ଡେରାସରେ ସାମୁଦ୍ରିକ ଖାଦ୍ୟ ପାର୍କ ଏବଂ ଭୁବନେଶ୍ୱରରେ ଇଲେକ୍‌ଟ୍ରୋନିକ୍ସ ପାର୍କର ଭିତ୍ତିଭୂମି ପ୍ରତିଷ୍ଠା କରିସାରିଛି। ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।

ରାଜ୍ୟର ଭିତ୍ତିଭୂମି ବିକାଶର କଳା ଏବଂ ଆକର୍ଷଣୀୟ ଜମି ମୂଲ୍ୟ ସହିତ ଏହି ପ୍ରକଳ୍ପଗୁଡିକ ନିବେଶକମାନଙ୍କୁ ଓଡିଶାରେ ନିବେଶ କରିବାକୁ ଆକର୍ଷିତ କରୁଛନ୍ତି। ସାମୁଦ୍ରିକ ଖାଦ୍ୟ ପାର୍କ ଏବଂ ପ୍ଲାଷ୍ଟିକ୍‌ ପାର୍କରେ ୫୦ ପ୍ରତିଶତ ରୁ ଅଧିକ ଜମି ଲିଜ ସୂତ୍ରରେ ପ୍ରକଳ୍ପଗୁଡିକ ପାଇଁ ଆବଣ୍ଟିତ ହୋଇସାରିଛି । ଇଲେକ୍‌ଟ୍ରୋନିକ୍ସ ମାନୁଫାକଚରିଂ କ୍ଲଷ୍ଟର (ଇଏମ୍‌ସି) ପାର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ହାଇପର ଡାଟା ସେଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଏବଂ ଅନ୍ୟାନ୍ୟ ପ୍ରକଳ୍ପ ପାଇପଲାଇନରେ ଅଛି ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ।

ପ୍ଲଗ୍‌ ଆଣ୍ଡ ପ୍ଲେ ଇନଫ୍ରାଷ୍ଟ୍ରକଚର ପାଇଁ, ଇଡ୍‌କୋ ଆଧୁନିକ ଆଇଟି ଇନକ୍ୟାବେସନ ସେଣ୍ଟର ଓ-ହବ୍‌କୁ ୩.୫୭ ଏକର ଜମିରେ ବିସ୍ତାର କରିଛି ଏବଂ ସମୁଦାୟ ନିର୍ମାଣ କ୍ଷେତ୍ର ୪ ଲକ୍ଷ ବର୍ଗଫୁଟ ରହିଛି । ପ୍ଲଗ୍‌ ଆଣ୍ଡ ପ୍ଲେ ସୁବିଧା ସହିତ ଷ୍ଟାର୍ଟ ଅପ୍‌ କମ୍ପାନୀଗୁଡିକୁ ଆବଶ୍ୟକ ମାର୍ଗଦର୍ଶନ, ବୈଷୟିକ ସହାୟତା, ଭିତ୍ତିଭୂମି, ନିବେଶକଙ୍କ ପ୍ରବେଶ, ନେଟୱାର୍କିଂ ଏବଂ ଅନ୍ୟାନ୍ୟ ଉତ୍ସକୁ ସୁଗମ କରିବା ପାଇଁ ସାହାଯ୍ୟ କରିବାକୁ ଏବଂ ବଞ୍ଚିବା ଏବଂ ମାନ ନିର୍ଦ୍ଧାରଣ କରିବା ପାଇଁ ଆବଶ୍ୟକ ହେଉଥିବା ସୁବିଧା ଯୋଗାଇ ଦିଆଯାଉଛି।

ସେହିଭଳି, ଇଡ୍‌କୋ ଜାତୀୟ ରାଜପଥ ୫୫ ସନ୍ନିକଟ ଢେଙ୍କାନାଳର କୌଶଳଭିତ୍ତିକ ସ୍ଥାନରେ ୧.୫ ଲକ୍ଷ ବର୍ଗଫୁଟ ଓ ରାଜ୍ୟ ରାଜପଥ ୧୦ ବିଜୁ ଏକ୍ସପ୍ରେସ ୱେ ସନ୍ନିକଟ କୌଶଳଭିତ୍ତିକ ସ୍ଥାନରେ ୨.୫ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବାଣିଜ୍ୟିକ ସ୍ଥାନ ନିର୍ମାଣ କରିଛି।ମନ୍ତ୍ରୀ ଶ୍ରୀ ଦେବ ଶିଳ୍ପର ବିକାଶ ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ନୂତନ ପଦକ୍ଷେପ ବାବଦରେ ସୂଚନା ଦେଇ କହିଛନ୍ତି ଯେ ଆଗାମୀ ବର୍ଷଗୁଡିକରେ, ଶିଳ୍ପ ବିଭାଗ ୧୩ ଟି ବିଭିନ୍ନ ସ୍ଥାନରେ ୨୬୦୦୦ କ୍ଷମତା ବିଶିଷ୍ଟ ଶ୍ରମିକ ହଷ୍ଟେଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି।

ସରକାରୀ ବିକଶିତ ଶିଳ୍ପାଞ୍ଚଳ ମଧ୍ୟରେ ସେମାନଙ୍କ ଶିଳ୍ପ ସ୍ଥାପନ କରିବାକୁ ଆସୁଥିବା କ୍ଷୁଦ୍ର ଓ ମଧ୍ୟମ / ବୃହତ ଶିଳ୍ପ ପାଇଁ ଏକ ମୌଳିକ ଭିତ୍ତିଭୂମି ଭାବରେ ଶ୍ରମିକ ହଷ୍ଟେଲ ନିର୍ମାଣ ପ୍ରସ୍ତାବ ରହିଛି । ସେହିଭଳି ସରକାର ଲ୍ୟାଣ୍ଡବ୍ୟାଙ୍କ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ଯାହାକି ସରକାରୀ ଜମି ଓ ଘରୋଇ ଜମି କ୍ରୟ ପାଇଁ ଖର୍ଚ୍ଚ ହେବ ଏବଂ ଏହା ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ପ୍ରସ୍ତୁତ ହେବ ।

ସରକାର ବିଜୁ ଏକ୍ସପ୍ରେସ ୱେ ପାଶ୍ୱର୍ରେ ରାଉରକେଲା (ସୁନ୍ଦରଗଡ) ଠାରୁ ଆରମ୍ଭ କରି ମୋଟୁ (ମାଲକାନଗିରି) ପର୍ଯ୍ୟନ୍ତ ୧୦ ଟି ଜିଲ୍ଲାରେ ୨୫ ରୁ ଅଧିକ ଶିଳ୍ପପୁଞ୍ଜର ବିକାଶ ପାଇଁ ୫୦୦୦ ଏକରରୁ ଅଧିକ ଜମି ଚିହ୍ନଟ କରିଛନ୍ତି। ବିଜ୍ଞପିତ ଶିଳ୍ପାଞ୍ଚଳରେ ବିଜୁ ଏକ୍ସପ୍ରେସ େୱ ପାଶ୍ୱର୍ରେ ଶିଳ୍ପ ପ୍ରତିଷ୍ଠା ନିମିତ୍ତ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ସରକାରୀ ଉଦ୍ୟେଗ ଦ୍ୱାରା ସମର୍ପିତ ହୋଇଥିବା ଜମିରୁ ସରକାର ବୃହତ ଶିଳ୍ପାଞ୍ଚଳଗୁଡିକର ଉନ୍ନତି ମଧ୍ୟ ପଦକ୍ଷେପ ନେଇଛନ୍ତି। ସରକାର ଆରମ୍ଭରୁ ଶିଳ୍ପ ନିମିତ୍ତ ନୂତନ ସ୍ଥାନ ଚିହ୍ନଟ ପାଇଁ ପ୍ରୟାସ କରୁଛନ୍ତି। ଢେଙ୍କାନାଳର ନେଉଳପୋଇ, ଗଜମରା, କାମାକ୍ଷାନଗର ଓ କଟକର ନରାଜଠାରେ ଏହି ସୁବିଧା ଆସିବ।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ କହିଛନ୍ତି ଯେ ଆହୁରି ମଧ୍ୟ, ସରକାର ପ୍ରଥମ ପର୍ଯ୍ୟାୟରେ ୮ ଟି ସ୍ଥାନରେ (ଖୋର୍ଦ୍ଧା, ଅନୁଗୋଳ, ସମ୍ବଲପୁର, ଯାଜପୁର, ପାରାଦୀପ, ବାଲେଶ୍ୱର, ବ୍ରହ୍ମପୁର ଏବଂ ବଡବିଲ) ଏବଂ ଅନ୍ୟ ୩ଟି ସ୍ଥାନ (ରାଉରକେଲା, ଖୋର୍ଦ୍ଧା ଏବଂ କଳାହାଣ୍ଡି)ରେ ବାଣିଜ୍ୟିକ କ୍ଷେତ୍ର ନିର୍ମାଣ ପାଇଁ ଭିତ୍ତିଭୂମି ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାର ମିଳିତ କ୍ଷମତା ୫୦ ଲକ୍ଷ ବର୍ଗଫୁଟରୁ ଅଧିକ ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ଶିଳ୍ପ ବିକାଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇପାରିଛି । ଜିଲ୍ଲା ସ୍ତରରେ ସଂଯୁକ୍ତ ଭିତ୍ତିଭୂମି ସୁବିଧାଗୁଡ଼ିକର ଶୀଘ୍ର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦେଇ ରାଜ୍ୟରେ ଶୀଘ୍ର ପୁଞ୍ଜି ବିନିଯୋଗ ବୃଦ୍ଧିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ୧୫ ଟି ଜିଲ୍ଲାରେ ଜିଲ୍ଲା ଶିଳ୍ପ ଉନ୍ନୟନ ସଂସ୍ଥା ସ୍ଥାପନ କରିସାରିଛନ୍ତି, ଆଗାମୀ ଆର୍ଥିକ ବର୍ଷ ୨୦୨୩-୨୪ ରେ ବାକି ୧୫ ଟି ଜିଲ୍ଲାକୁ ସନ୍ତୁଳିତ କରିବା ପାଇଁ ଏହା ପର୍ଯ୍ୟାୟକ୍ରମେ ସମ୍ପ୍ରସାରିତ ହେବ। ଏହି ବଜେଟରୁ ଶିଳ୍ପ ବିଭାଗ ଗୁଣାତ୍ମକ ଭିତ୍ତିଭୂମି ଏବଂ ଶିଳ୍ପର ଉନ୍ନତି ପାଇଁ ବିଭାଗ ଲକ୍ଷ ରଖିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମଳନୀରେ ଇଡ୍‌କୋର ଅଧ୍ୟକ୍ଷ ଶ୍ରୀ ଭୂପିନ୍ଦର୍‌ ସିଂହ ପୁନିଆଙ୍କ ସମେତ ଶିଳ୍ପ ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ

ରାଜ୍ୟକୁ ଆସୁଥିବା ନୂଆ ଶିଳ୍ପ ପ୍ରତି ଅଧିକାରୀମାନେ କିପରି ମନୋଭାବ ରଖିବେ, କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓ-ହବ୍‌ଠାରେ ଆୟୋଜିତ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କ ସମ୍ମିଳନୀରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପ୍ରତି ବିଭାଗୀୟ ଅଧିକାରୀମାନେ ସକରାତ୍ମକ ମନୋଭାବ ପୋଷଣ ବର୍ତ୍ତମାନ ସମୟର ଆହ୍ୱାନ ବୋଲି କହିଛନ୍ତି।

ନିକଟରେ ରାଜ୍ୟ ସରକାର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଜରିଆରେ ଅନେକଗୁଡ଼ିଏ ସଂକଳ୍ପ ପାରିତ କରିଛନ୍ତି। ସେଗୁଡ଼ିକର ଯଥାଯଥ ଅନୁପାଳନ ସକାଶେ ଆମକୁ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିବାକୁ ହେବ। ଅଯଥା ନୀତିନିୟମର ଦ୍ୱାହି ଦେଇ କାର୍ଯ୍ୟରେ ବାଧା ଉପୁଜାଇବା ପରିବର୍ତ୍ତେ କାର୍ଯ୍ୟଟି ଅନାୟାସରେ କିପରି ହୋଇପାରିବ ସେଥି ନିମନ୍ତେ ଶିଳ୍ପ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ସହଯୋଗ ପ୍ରଦାନ କରିବା ଆବଶ୍ୟକ ବୋଲି କହିଥିଲେ।

କେତେକ କ୍ଷେତ୍ରରେ ଏକ ପ୍ରକାର ଦସ୍ତାବିଜ ବାରମ୍ବାର ମଗା ଯାଉଥିବା, ମଞ୍ଜୁରୀପ୍ରାପ୍ତ ଅର୍ଥ ପଇଠକୁ ବିଳମ୍ବ କରିବା, ନିର୍ଦ୍ଧାରିତ ଦିବସ ପରେ ପ୍ରାପ୍ତି ଦରଖାସ୍ତକୁ ନାକଚ କରିବା ଭଳି କେତେକ ପଦକ୍ଷେପ ଯୋଗୁଁ ଅନେକ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଇଚ୍ଛୁକ ବ୍ୟକ୍ତି ହତୋତ୍ସାହ ହେଉଥିବା ପରିଲକ୍ଷିତ ହେଉଛି। ତେଣୁ ଏଗୁଡ଼ିକ ପ୍ରତି ସହୃଦୟତାର ସହ ବିଚାର କରି କାର୍ଯ୍ୟକରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।

ଚଳିତ ବର୍ଷ ବାଣିଜ୍ୟ ମେଳା ହେବନାହିଁ, କିନ୍ତୁ ଆସନ୍ତା ମାର୍ଚ୍ଚ ୫ରୁ ୯ ତାରିଖ ମଧ୍ୟରେ ପ୍ରତି ଜିଲ୍ଲାସ୍ତରରେ ଉଦ୍ୟୋଗ ସପ୍ତାହ ପାଳନ କରାଯିବ। ଏହି ଉପଲକ୍ଷେ ଜିଲ୍ଲାସ୍ତରରେ ପ୍ରଦର୍ଶନୀ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ହେଉଥିବା ବିଶେଷ ଉତ୍ପାଦଗୁଡ଼ିକର ପ୍ରଦର୍ଶନ, ଏଗୁଡ଼ିକର ପ୍ରକ୍ରିୟାକରଣ ଏବଂ ଏ ଧରଣର ଉଦ୍ୟୋଗ ପାଇଁ ସରକାର ପ୍ରୋତ୍ସାହନଗୁଡ଼ିକ ସମ୍ବନ୍ଧରେ ଏହି ମେଳାରେ ଜନସାଧାରଣଙ୍କୁ ଅବଗତ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି।

ବିଶେଷ ଭାବେ ସ୍କୁଲ, କଲେଜ, ଆଇଟିଆଇ ପ୍ରଭୃତିର ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷମାନଙ୍କୁ ପତ୍ରାଳାପ କରି ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀ ବୁଲି ଦେଖିବା ପାଇଁ ବ୍ୟବସ୍ଥା କଲେ ଏହା ଯୁବପିଢ଼ିଙ୍କୁ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ଦିଗରେ ନୂତନ ଉତ୍ସାହ ଭରିଦେବ। ରାଜ୍ୟରଯୁବବର୍ଗ ଚାକିରି ପଛରେ ନଗୋଡ଼ାଇ କିପରି ଅନ୍ୟକୁ ନିଯୁକ୍ତି ଦେବେ, ସେଥିପ୍ରତି ଆଗ୍ରହ ପ୍ରକାଶ କରିବା ପାଇଁ ବାତାବରଣ ସୃଷ୍ଟି କରିବା କଥା ବୋଲି ମନ୍ତ୍ରୀ ଶ୍ରୀ ଦେବ ପ୍ରକାଶ କରିଥିଲେ।
ମନ୍ତ୍ରୀ ଶ୍ରୀ ଦେବ ବିଭାଗୀୟ ଅଧିକାରୀମାନେ ନିଜକୁ ବିଭାଗର ସମସ୍ତ ନୀତିନିୟମ ସହ ଅବଗତ କରାଇବା ଆବଶ୍ୟକ।

ଏଥି ସହିତ ଅନ୍ୟାନ୍ୟ ବିଭାଗ ଦ୍ୱାରା ଶିଳ୍ପ ପ୍ରତିଷ୍ଠା ନିମନ୍ତେ କରାଯାଇଥିବା ନିୟମ ସଂପର୍କରେ ଅବଗତ ହେବା ନିହାତି ଆବଶ୍ୟକ ବୋଲି କହିଥିଲେ। ଏଥି ପାଇଁ ପ୍ରତି ୪ ମାସରେ ଥରେ ଶିବିର ଆୟୋଜନ କରି ଏ ସଂପର୍କରେ ତାଲିମ ପ୍ରଦାନ କରିବାକୁ ସେ ଜୋର ଦେଇଥିଲେ। ସେ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସହାୟତା ଦେବା ଓ ଦର ଧାର୍ଯ୍ୟ ପ୍ରକ୍ରିୟାକୁ ଉନ୍ନତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟ ସରକାର ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଉଥିବାରୁ ଏଥି ପ୍ରତି ଯନିବାନ ରହିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲାପାଳମାନଙ୍କ ସହ ଜିଏମ୍‌, ଡିଆଇସିଙ୍କୁ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି କରାଗଲେ ଶିଳ୍ପ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି ସେ ମତ ଦେଇଥିଲେ।

ସେ ସ୍ଥାନୀୟ ଉତ୍ପାଦଗୁଡ଼ିକର ବିଦେଶ ରପ୍ତାନୀ ପ୍ରତି ଆମର ଲକ୍ଷ୍ୟ ରହିବା ଆବଶ୍ୟକ। ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ, ବିଶେଷ ଭାବେ ଗୋଟିଏ ସ୍ଥାନରେ ଏହି ଜମି ଚିହ୍ନଟ ହେଲେ ଏହାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସୁବିଧା ହେବ ବୋଲି ସେ ପ୍ରକାଶ କରିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଥିଲେ ଯେ ବିଭାଗର କେତେକ ନିୟମ କାର୍ଯ୍ୟ ସଂପାଦନରେଯଦି ଅସୁବିଧା ସୃଷ୍ଟି କରୁଥାଏ, ତେବେ ସେ କ୍ଷେତ୍ରରେ ନିୟମର ସଂଶୋଧନ ପାଇଁ କ୍ଷେତ୍ର ଅଧିକାରୀମାନେ ପରାମର୍ଶ ଦେଇପାରିବେ। ନିୟମର ଆଳ ଦେଖାଇ କୌଣସି କାର୍ଯ୍ୟକୁ ଅଯଥା ବିଳମ୍ବ କରିବା ଅବା ବାତିଲ କରିବା କେବେ ବି ଶୁଭଙ୍କର ନୁହେଁ। ତେଣୁ ସମସ୍ତେ ସକରାତ୍ମକ ଭାବନା ନେଇ କାର୍ଯ୍ୟକରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଜିଲ୍ଲା କାର୍ଯ୍ୟାଳୟ ନିଜପାଖରେ ଏକ ଡିଜିଟାଲ୍‌ ଡାଟାବେସ୍‌ ପ୍ରସ୍ତୁତ କରି ରଖିବା ଉଚିତ।

ଏହା ଆମକୁ ଜିଲ୍ଲାର ଶିଳ୍ପ ମାନଚିତ୍ରର ସାଂପ୍ରତିକ ସ୍ଥିତି ଆକଳନରେ ସାହାଯ୍ୟ କରିବ ବୋଲି ସେ କହିଥିଲେ। ସେହିପରି ବିଭାଗର ଶିଳ୍ପ ସଂସ୍ଥା ଉଦ୍ଦେଶ୍ୟରେ ଦିଆଯାଇଥିବା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନକୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସାରି ବିଭାଗକୁ ଜଣାଇବା ପାଇଁ କୁହାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଓ ଆଞ୍ଚଳିକ ସାଧାରଣ ପରିଚାଳକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଏମ୍‌ଏସ୍‌ଏମ୍‌ଇର ସ୍ୱତନ୍ତ୍ର ସଚିବ ଶ୍ରୀ ବିଭୂତି ଭୂଷଣ ଦାସ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ, ଡି.ଇ.ପି.ଏମ୍‌ ଶ୍ରୀ ଦିଲ୍ଲୀପ କୁମାର ସାହୁ, ଅତିରିକ୍ତ ସଚିବ ଶ୍ରୀମତୀ ରାଜଶ୍ରୀ ସିଂ, ଶ୍ରୀମତୀ ମାନସୀ ମାନ୍‌ଧାତା, ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଏସ୍‌.ଏନ୍‌. ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ

ଫରଚ୍ୟୁନ ଟାୱାରରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ପରିଦର୍ଶନ କଲେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଫରଚ୍ୟୁନ ଟାୱାର ସ୍ଥିତ ଓପିସିଏଲ୍‌, ଓପିଜିସି, ଇଡ୍‌କୋ ଓ ଟାଟା ଷ୍ଟିଲ୍‌ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ସେଠାରେ ଚାଲୁଥିବା ଏହି ସଂସ୍ଥାଗୁଡ଼ିକର ଦପ୍ତରକୁ ଯାଇ ସେ ବୁଲି ଦେଖିବା ସହ ଆନୁଷଙ୍ଗିକ ବ୍ୟବସ୍ଥା, ଭିତ୍ତିଭୂମି ବିଷୟରେ ପଚାରି ବୁଝିଥିଲେ ।

ଇଡ୍‌କୋଠାରେ ଥିବା ମନ୍ତ୍ରୀଙ୍କ ଦପ୍ତରକୁ ଯାଇ ସେଠାରେ ଅଫିସ୍‌ କାର୍ଯ୍ୟ କରିଥିଲେ । ଏଣିକି ବାହାରୁ ଆସୁଥିବା ପ୍ରତିନିଧି ଦଳମାନଙ୍କୁ ସେହି କାର୍ଯ୍ୟାଳୟଠାରେ ସେ ସାକ୍ଷାତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଟେକ୍ନୋଲୋଜିକୁ ଯଥାଯଥ ବ୍ୟବହାର କରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଉପରେ କର୍ମଚାରୀମାନଙ୍କୁ କହିଥିଲେ। ସମୟ ବଦଳୁଛି । ତେଣୁ ସେହି ପ୍ରକାରେ ଆମେ ନିଜକୁ ମଧ୍ୟ ବଦଳାଇବାକୁ ହେବ ସେ ଦିଗରେ ଆମକୁ ବୈଷୟିକ ଜ୍ଞାନ ବିଶେଷ ସାହାଯ୍ୟ କରିବ ବୋଲି ପ୍ରବର୍ତ୍ତାଇଥିଲେ ।

ତାଙ୍କ ଗସ୍ତ କାଳରେ ଓପିସିଏଲ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାରିପୁତ୍ତ ମିଶ୍ର ଓପିଜିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ମହାପାତ୍ର ଇଡ୍‌କୋର ପରିଚାଳକ ଶ୍ରୀ ରାଜକୁମାର ଦାସ ଏବଂ ଟାଟା ଷ୍ଟିଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜ ନିଜ କାର୍ଯ୍ୟାଳୟ ସଂପର୍କରେ ଅବଗତ କରିଥିଲେ ।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସକାଶେ ସରକାର ସୃଷ୍ଟି କରିବେ ଅନୁକୂଳ ବାତାବରଣ

ଭୁବନେଶ୍ୱର,  ନିକଟରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ବିଶେଷ ଭାବେ ହକିରେ ଆମ କ୍ରୀଡ଼ାବିତ୍‌ଙ୍କ ଚମତ୍କାର ପ୍ରଦର୍ଶନରେ ଉତ୍ସାହିତ ରାଜ୍ୟ ସରକାର ରାଜ୍ୟରେ କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଥିବା ବିଷୟରେ ଆସୋଚାମ୍‌ର ଏକ ଆଭାସୀ ସମ୍ମିଳନୀରେ ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି। ଏଥିପାଇଁ ଶିଳ୍ପ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରଣ କରାଯାଉଛି । ଏହା ହେଲେ ଦେଶର କ୍ରୀଡ଼ା ଚାହିଦା ପୂରଣ ହେବା ସହ ଏହା ଆନ୍ତର୍ଜାତିକ ବଜାରକୁ ମଧ୍ୟ କ୍ରୀଡ଼ା ଉପକରଣ ଯୋଗାଇପାରିବ ବୋଲି ସେ କହିଛନ୍ତି ।

ଆଜି ଆୟୋଜିତ ‘ବୈଶ୍ୱିକ ମୂଲ୍ୟ ଶୃଙ୍ଖଳ ପାଇଁ ଓଡ଼ିଶା ରାଜ୍ୟ ଦକ୍ଷତା ସୃଷ୍ଟି’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଓଡ଼ିଶା ନିବେଶକମାନଙ୍କ ନିମନ୍ତେ ଏକ ପ୍ରକୃଷ୍ଟ ରାଜ୍ୟ ବୋଲି କହିବା ସହ ରାଜ୍ୟରେ ଉତ୍ପାଦନର ୟୁନିଟ୍‌ ମୂଲ୍ୟ ଦେଶରେ ସବୁଠୁ କମ୍‌ ଥିବା ଦର୍ଶାଇ ଆମେ ଶିଳ୍ପକୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇବା ସହ ରିହାତି ପ୍ରଦାନ କରୁଛୁ ବୋଲି କହିଥିଲେ ।

ଏହି ଅବସରରେ ରାଜ୍ୟରେ ଥିବା ପର୍ଯ୍ୟଟନ ବିଭବର ବର୍ଣ୍ଣନା କରି ସେ ଲଣ୍ଡନ କିମ୍ବା ସୁଇଜରଲ୍ୟାଣ୍ଡ ଯିବା ପରିବର୍ତ୍ତେ ପର୍ଯ୍ୟଟକ ଥରେ କଳାହାଣ୍ଡି ବୁଲି ଆସି ଏଠାରେ ଥିବା ନୈସର୍ଗିକ ଶୋଭା ସମ୍ଭାର, ସ୍ଥାନୀୟ ଜନଜାତିଙ୍କ ନିଆରା ଜୀବନଶୈଳୀ ଏବଂ ସେମାନଙ୍କ ଜୀବନଧାରା ବିଷୟରେ ଅବଗତ ହେବାକୁ ଆହ୍ୱାନ ଜଣାଇଥିଲେ ।

ଏହି ଅବସରରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ପାରମ୍ପରିକ ଭାବେ ଓଡ଼ିଶା ଖଣିଖାଦାନ ଭରା ଏକ ରାଜ୍ୟ ଭାବେ ଜଣାଶୁଣା । ମାନବଜାତିର ବଞ୍ଚିବା ନିମନ୍ତେ ଆବଶ୍ୟକ ଥିବା ସମସ୍ତ ଉପକରଣର କଞ୍ଚାମାଲ ଏଠାରେ ଉପଲବ୍ଧ । ତା’ଛଡ଼ା ବିଶ୍ୱର ଯେକୌଣସି କାରଖାନା ପାଇଁ ଦରକାର ପଡ଼ୁଥିବା ଖଣିଜ ଓଡ଼ିଶାରେ ମିଳୁଥିବା ସେ ଦର୍ଶାଇଥିଲେ ।

ଓଡ଼ିଶାର ଅବସ୍ଥିତି, ବିଶେଷ ଭାବେ ୪୮୦ କିଲୋମିଟର ଦୈର୍ଘ୍ୟ ଉପକୂଳ ଏବଂ ବହୁସଂଖ୍ୟକ ବନ୍ଦର ବୈଶ୍ୱିକ ମୂଲ୍ୟ ଶୃଙ୍ଖଳକୁ ମଜବୁତ୍‌ କରିବାରେ ଉପଯୋଗୀ ମନେହୁଏ । ଏହା ବ୍ୟତୀତ ରାଜ୍ୟରେ ପର୍ଯ୍ୟାପ୍ତ କୁଶଳୀ ମାନବସମ୍ବଳ ରହିଛି, ଯାହା ଦେଶର ଶିଳ୍ପ କ୍ଷେତ୍ରକୁ ସମୃଦ୍ଧ କରିବାରେ ବିଶେଷ ଯୋଗଦାନ ଦେଇପାରିଛି । ରାଜ୍ୟ ସରକାରଙ୍କ ନିର୍ମଳ ଶିଳ୍ପନୀତି, ସିଙ୍ଗଲ ଓି୍ୱନ୍‌ଡୋ ସିଷ୍ଟମ୍‌, ବ୍ୟବସାୟ ନିମନ୍ତେ ସର୍ବନିମ୍ନ ମୂଲ୍ୟ ଆଦି ସୁବିଧା ଶିଳ୍ପଜଗତକୁ ଉତ୍ସାହିତ କରିପାରୁଥିବା ସେ କହିଥିଲେ ।

ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଆସୋଚାମ୍‌ର ଅଧ୍ୟକ୍ଷ ଶ୍ରୀ ସୋହମ୍‌ ମିଶ୍ର, ଆସୋଚାମ୍‌ର ସହ-ଅଧ୍ୟକ୍ଷ ଶ୍ରୀ ଦୀପକ ଗୁଲାଟି, ଟାଟା ପାୱାର କୋ., କଳିଙ୍ଗ ନଗର ପ୍ରକଳ୍ପ ମୁଖ୍ୟ ଶ୍ରୀ ଭକ୍ତି ରାଜ୍‌, ଜିନ୍ଦଲ ଷ୍ଟିଲ୍‌ର ନର୍ବାହୀ ଉପସଭାପତି(କର୍ପୋରେଟ୍‌ ବ୍ୟାପାର) ଶ୍ରୀ ବିଭୁ ପ୍ରସାଦ ମିଶ୍ର, ଫୋୟେନିକ୍ସ ଇଣ୍ଡିଆର ନିର୍ଦ୍ଦେଶକ ତଥା ଆସୋଚାମ୍‌ର ସଦସ୍ୟ ଶ୍ରୀ ଶ୍ରୀକାନ୍ତ ବାଡ଼ିଗା, ଆସୋଚାମ୍‌, ଜାତୀୟ କ୍ରୀଡ଼ା ଓ ଫିଟ୍‌ନେସ୍‌ ଶିଳ୍ପ ପରିଷଦର ଅଧ୍ୟକ୍ଷ ଶ୍ରୀ ରାଜେଶ ଖରବାନ୍ଦା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଶିଳ୍ପ, ଷ୍ଟାର୍ଟଅପ୍ସ ଏବଂ ମହାକାଶ କ୍ଷେତ୍ରରେ କାର୍ଯ୍ୟରତ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗତ ଜୁନ ମାସରେ ମହାକାଶ କ୍ଷେତ୍ର ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ମହାକାଶ କାର‌୍ୟ୍ୟକଳାପ କ୍ଷେତ୍ରରେ ଭାରତୀୟ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ସମ୍ପର୍କରେ ସେଥିରେ ନିଷ୍ପତ୍ତି ନିଆଯାଇଥିଲା । ଭାରତୀୟ ଜାତୀୟ ମହାକାଶ କାର‌୍ୟ୍ୟକଳାପ ବୃଦ୍ଧି ଓ ଏହାର ତତ୍ଵାବଧାନ କେନ୍ଦ୍ର (ଆଇଏନ-ଏସପିଏସିଇ)ର ସ୍ଥାପନା ସହ ଏହି ସଂସ୍ଥାର ଏକ୍ଷେତ୍ରରେ ଘରୋଇ ଓ ଷ୍ଟାର୍ଟଅପ୍ସ କମ୍ପାନୀମାନଙ୍କ ଭାଗିଦାରୀତା ପାଇଁ ପଥ ସୁଗମ କଲା । ଏହି ପରିପ୍ରେକ୍ଷୀରେ ଆଇଏନ-ଏସପିଏସିଇ ଲାଗି ଅନେକ ପ୍ରସ୍ତାବ ଦିଆଯାଇଥିଲା । ପ୍ରସ୍ତାବଗୁଡିକ ମଧ୍ୟରେ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ, ଗ୍ରାଉଣ୍ଡ ଷ୍ଟେସନ, ଇନ୍ଧନ ଉପଯୋଗ ପ୍ରକ୍ରିୟା ଇତ୍ୟାଦି ଅନ୍ତର୍ଭୁକ୍ତ ।

ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ

ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ବାଣ୍ଟି ଥିବାରୁ ଅଂଶଗ୍ରହଣକାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେ କହିଥିଲେ ଯେ, ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ ପ୍ରଦର୍ଶନର ରାସ୍ତା ଉନ୍ମୋଚିତ ହେବା ଫଳରେ ଏହା ଘରୋଇ ଭାଗିଦାରୀତାର ଏକ ନୂତନ ଦିଗନ୍ତକୁ ଉନ୍ମୋଚନ କରିଛି । ନୀତିଗତ ସ୍ଵଚ୍ଛତା ଓ ପେଷାଦାର ମନୋବୃତ୍ତି ସହ ସରକାରଙ୍କ ନିଷ୍ପତ୍ତି କମ୍ପାନୀଗୁଡ଼ିକୁ ମହାକାଶ କ୍ଷେତ୍ରରେ କାର‌୍ୟ୍ୟ ପାଇଁ ପ୍ରୋତ୍ସାହିତ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।

କମ୍ପାନୀମାନଙ୍କ ଦ୍ଵାରା ରକେଟ ଓ ଉପଗ୍ରହ ନିର୍ମାଣ ଯୋଜନା ଭାରତର ମହାକାଶ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଘରୋଇ କ୍ଷେତ୍ରର ପୁଞ୍ଜି ନିବେଶ ଯୋଗୁଁ କର୍ମନିଯୁକ୍ତି ସୃଷ୍ଟି ସହ ଆଇଆଇଟି, ଏନଆଇଟି ଓ ଅନ୍ୟାନ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ ପାଇଁ ଶିକ୍ଷା ଓ ଗବେଷଣାର ଅନେକ ସମ୍ଭାବନା ସୃଷ୍ଟି କରିବ । ଯେପରି ଭାରତୀୟ ଆଇଟି ବିଶେଷଜ୍ଞମାନେ ବିଶ୍ଵସ୍ତରରେ ପ୍ରତିଷ୍ଠା ଲାଭ କରିଛନ୍ତି, ସେମାନେ ମହାକାଶ କ୍ଷେତ୍ରରେ ମଧ୍ୟ ଅନୁରୂପ ପ୍ରଦର୍ଶନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟବସାୟରେ ସୁଗମତା ଠାରୁ ଆଗକୁ ବଢ଼ିବା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହାକାଶ କ୍ଷେତ୍ରରେ ସଂସ୍କାର ଯୋଗୁଁ କେବଳ ବ୍ୟବସାୟରେ ସୁଗମତା ଆସିବ ନାହିଁ ବରଂ ଏହା ପ୍ରତ୍ୟେକ କ୍ଷେତ୍ରରେ ଅଂଶୀଦାରମାନଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇଦେବ । ଏଥିରେ ଉତକ୍ଷେପଣସ୍ଥଳୀ ନିର୍ମାଣ ଏବଂ ମହାକାଶ ଯାନ ପରୀକ୍ଷା ନିରୀକ୍ଷା ଅନ୍ତର୍ଭୁକ୍ତ । ଏହି ସଂସ୍କାରଗୁଡିକ ଯୋଗୁଁ ଭାରତ କେବଳ ବିଶ୍ଵ ଉପଗ୍ରହ ପ୍ରତିଯୋଗିତାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ତା’ନୁହେଁ, ବରଂ ଏହି କାର‌୍ୟ୍ୟକ୍ରମର ସୁବିଧା ଗରିବ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀ ମାନଙ୍କୁ ସାହସିକତାର ସହିତ କାର‌୍ୟ୍ୟ କରି ସମାଜ ଓ ଦେଶର ହିତସାଧନ କରିବାକୁ ନିବେଦନ କରିଛନ୍ତି ।

ଦୂରାସଞ୍ଚାର ଓ ଦିଗନିର୍ଣ୍ଣୟ କ୍ଷେତ୍ରରେ ମହାକାଶ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଅଂଶଗ୍ରହଣକାରୀମାନେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସହ ସମନ୍ଵୟ ରକ୍ଷା କରି ଖୁବ ଶୀଘ୍ର ଦେଶରେ ମହାକାଶ ସମ୍ପଦର ବିକାଶ ସାଧନ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି ।

ଆତ୍ମନିର୍ଭର ଭାରତ ଅଭିଯାନରେ ସକ୍ରିୟ ଭୂମିକା

ମହାକାଶ ବିଭାଗ ସଚିବ ତଥା ଇସ୍ରୋର ଅଧ୍ୟକ୍ଷ ଡଃ କେ.ଶିବନ ଶିଳ୍ପ ପ୍ରତିଷ୍ଠାନଗୁଡିକ ପକ୍ଷରୁ କରାଯାଇଥିବା ବିଭିନ୍ନ ସମର୍ଥନ ଓ ଆଇଏନ-ଏସପିଏସିଇର ଅନୁମତି ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଏପର‌୍ୟ୍ୟନ୍ତ ୨୫ରୁ ଅଧିକ ଶିଳ୍ପ ପ୍ରତିଷ୍ଠାନ ମହାକାଶ କାର‌୍ୟ୍ୟକଳାପ ପାଇଁ ଇଚ୍ଛା ପ୍ରକଟ କରିଥିବା ସେ ସୂଚନା ଦେଇଥିଲେ ।

ମତ ବିନିମୟ କାଳରେ ଅଂଶଗ୍ରହଣକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ମହାକାଶ କ୍ଷେତ୍ରରେ ସଂସ୍କାର ନେଇ ବିଭିନ୍ନ ତଥ୍ୟ ଦେଇଥିଲେ । ଭାରତୀ ଏଣ୍ଟରପ୍ରାଇଜର ଶ୍ରୀ ସୁନୀଲ ଭାରତୀ ମିତ୍ତଲ, ଲାରସନ ଏଣ୍ଡ ଟର୍ବୋ ଲିମିଟେଡର ଶ୍ରୀ ଜୟନ୍ତ ପାଟିଲ, ଅଗ୍ନିକୁଲ କସମସ ପ୍ରାଇଭେଟ ଲିମିଟେଡର ଶ୍ରୀ ଶ୍ରୀନାଥ ରବିଚନ୍ଦ୍ରନ, ସ୍କାଇରୁଟ ଏରୋସ୍ପେସ ଲିମିଟେଡର ଶ୍ରୀ ପବନ କୁମାର ଚନ୍ଦନା, ଆଲ୍ଫା ଡିଜାଇନ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର କର୍ଣ୍ଣେଲ ଏଚ ଏସ ଶଙ୍କର, ମାପ୍ମି ଇଣ୍ଡିଆର ଶ୍ରୀ ରାକେଶ ବର୍ମା, ପିଆଇଏକ୍ସଏକ୍ସଇଏଲ ଇଣ୍ଡିଆର ଶ୍ରୀ ଆୱେସ ଅହମଦ ଏବଂ ସ୍ପେସ କିଡ୍ଜ ଇଣ୍ଡିଆର ଶ୍ରୀମତୀ କେସନ ଅଧିବେଶନରେ ସେମାନଙ୍କ ମତାମତ ରଖିଥିଲେ ।

ଘରୋଇ ଭାଗିଦାରୀତା ନେଇ ପଦକ୍ଷେପ ନେଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ଭାରତକୁ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ମହାଶକ୍ତି ଭାବେ ଗଢି ତୋଳିବ ବୋଲି ମତ ବ୍ୟକ୍ତ କରିଥିଲେ । ଆତ୍ମନିର୍ଭର ଭାରତ ଅଭିଯାନରେ ସେମାନେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବେ ବୋଲି ନିଜ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିଲେ । ଇସ୍ରୋ ଦ୍ଵାରା ସେମାନଙ୍କ ପ୍ରକଳ୍ପ ପାଇଁ ଦିଆଯାଉଥିବା ସାହାଯ୍ୟ ଓ ସହଯୋଗକୁ ସେମାନେ ପ୍ରଶଂସା କରିଥିଲେ ।

ଘରୋଇ ସଂସ୍ଥାଗୁଡ଼ିକ ସହ ଇସ୍ରୋର ଏଭଳି ସହଯୋଗ ଯୋଗୁଁ ଦେଶରେ ଅଧିକରୁ ଅଧିକ ରକେଟ ଉତକ୍ଷେପଣ ସହ ରକେଟ ଇଞ୍ଜିନ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏକ୍ଷେତ୍ରରେ ଶିଶୁମାନଙ୍କୁ ଆକୃଷ୍ଟ କରିବା ପାଇଁ ଇସ୍ରୋର ସାହାଯ୍ୟ କରିବାକୁ ସେମାନେ ପ୍ରସ୍ତାବ ମଧ୍ୟ ଦେଇଥିଲେ ।

Categories
ବିଶେଷ ଖବର

ପରିବର୍ତ୍ତନଶୀଳ ପରିବେଶ ସହ ହୋଟେଲ ଶିଳ୍ପ ଖାପ ଖୁଆଇବା ଜରୁରୀ

ଭୁବନେଶ୍ୱର : ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଏକ ଭର୍ଚୁଆଲ୍ ଲେକ୍‌ଚର ସିରିଜି୍‌ରେ ଆଲୋଚନା କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଏହି ଭର୍ଚୁଆଲ୍ ଲେକ୍‌ଚର ସିରିଜ୍ ଆୟୋଜିତ ହୋଇଯାଇଛି । କୋଭିଡ-୧୯ ମହାମାରୀ ସମୟରେ ବଂଚିବା ନିମନ୍ତେ ଜରୁରୀ ହୋଇପଡ଼ୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି “କନେକ୍ଟ ଟୁ ଲର୍ନ” ଶୀର୍ଷକ ଲେକ୍‌ଚର ସିରିଜ୍‌ ଅନୁଷ୍ଠିତ ହୋଇଥିଲା ।

ପ୍ରଥମ ଲେକ୍‌ଚରର ବିଷୟବସ୍ତୁ ଥିଲା “ କ୍ୟାରିୟର୍ ପ୍ରୋଗ୍ରେସନ୍ ଇନ୍ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀ” ଅର୍ଥାତ୍ ହୋଟେଲ୍‌ ଶିଳ୍ପରେ କ୍ୟାରିୟରରେ ଅଗ୍ରଗତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବର୍ତ୍ତମାନ ପରିସ୍ଥିତିରେ ହୋଟେଲ୍ ଶିଳ୍ପ ସହିତ ଛାତ୍ରଛାତ୍ରୀମାନଙ୍କୁ ଖାପଖୁଆଇବା । ଏହି ସିରିଜ୍‌ରେ ବକ୍ତା ଭାବେ ତାଜ୍ ହୋଟେଲ୍‌ସ ରିସୋର୍ଟସ୍ ଆଣ୍ଡପ୍ୟାଲେସେସ୍‌ର ଲର୍ନିଂ, ଡେଭଲପ୍‌ମେଂଟ ଆଣ୍ଡ ଏମ୍ପଲୟୀ ଏନ୍‌ଗେଜ୍‌ମେଂଟ ବିଭାଗର ସହ ଉପ-ସଭାପତି ଶ୍ରୀମତି ଶିରିଷା ଚନ୍ଦନା ଯୋଗ ଦେଇ ବର୍ତମାନ ପରିସ୍ଥିତିରେ କିଭଳି ହୋଟେଲ ଶିଳ୍ପ କ୍ଷେତ୍ରରେ ନିୟମିତ ଢ଼ଙ୍ଗରେ ଉନ୍ନତମାନର କାର୍ଯ୍ୟ କରାଯିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ । ସାମାଜିକ ଦୂରତା ବର୍ତ୍ତମାନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ତେଣୁ ଆମ ଗ୍ରୁପ୍ ଏ ଦିଗରେ ବେଶ ଯତ୍ନବାନ ଅଛି । ଲୋକଙ୍କ ସଂସ୍ପର୍ଶରେ କମ୍ ଆସି କିଭଳି କାର୍ଯ୍ୟ କରାଯାଇପାରିବ ତାହା ବର୍ତ୍ତମାନ ଜରୁରୀ । ଆମ ହୋଟେଲ୍ ଗୁଡ଼ିକରେ ଚେକ୍‌-ଇନ୍ ଏବଂ ଚେକ୍‌-ଆଉଟ୍ ପ୍ରକ୍ରିୟାଗୁଡ଼ିକ କିଭଳି ଡିଜିଟାଲ ମାଧ୍ୟମରେ କରାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି ।

ଲବି, ରେଷ୍ଟୁରାଂଟ ଏବଂ ବାଂକ୍ୱେ୍‌ଟ ହଲ୍‌ର ଡିଜାଇନ୍‌ଗୁଡ଼ିକୁ ପରିର୍ବତନ କରାଯାଇଥିବା ବେଳେ ଆମ ଅତିଥି ମାନେ ସେମାନଙ୍କ ପ୍ରିୟ ଖାଦ୍ୟଗୁଡ଼ିକ ଆଇକନିକ୍ ତାଜ୍ ରେଷ୍ଟୁରାଂଟ୍‌ସରୁ ଅର୍ଡର କରିପାରିବେ ସେହି ବ୍ୟବସ୍ଥା କରାଯାଇଛି ।

ଉଦୟପୁରସ୍ଥିତ ୱଣ୍ଡର୍ ସିମେଂଟ ଲିମିଟେଡ୍‌ର ଫୁଡ୍ ଆଣ୍ଡ ବେଭରେଜେସ୍‌ର ଜେନେରାଲ୍ ମ୍ୟାନେଜର ଶ୍ରୀ ସୀତାରମ ଚନ୍ଦ୍ର ମୂର୍ତି ଏବଂ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ, କ୍ୟାଟରିଂ, ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ୍ ନ୍ୟୁଟ୍ରିସନ୍‌ର ଅଧ୍ୟକ୍ଷ ପ୍ରଫେସର ଶାରଦା ଘୋଷ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ନିଜ ମତବ୍ୟକ୍ତ କରିଥିଲେ । ଏସ୍‌ଏଚ୍‌ଏମ୍‌ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଦ୍ୱିତୀୟ ଲେକ୍‌ଚର୍‌ର ଶୀର୍ଷକ ଥିଲା “ରି-ଇଞ୍ଜିନିୟରିଂ ସ୍କିଲ୍ସ ଫର୍ ହସ୍ପିଟାଲିଟି ଇଣ୍ଡଷ୍ଟ୍ରି ଇନ୍ ଦ ଚେଞ୍ଜିଙ୍ଗ୍ ସିନାରିଓ” ଅର୍ଥାତ୍ ହୋଟେଲ୍ ଶିଳ୍ପର କୌଶଳଗୁଡ଼ିକ ବର୍ତମାନ ପରିସ୍ଥିତିରେ ପରିବର୍ତ୍ତନ କରିବା ଜରୁରୀ । ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀସ୍ଥିତ ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି ସ୍କିଲ୍ କାଉନ୍‌ସିଲ୍‌ର ସ୍କିଲ୍ କମ୍ପିଟିସନ୍‌, ଆଣ୍ଡ ଇଣ୍ଡଷ୍ଟି କନେକ୍ଟର ମୁଖ୍ୟ ସେଫ୍ ବିବେକ୍ ସାଗର, ବେଙ୍ଗାଲୁରୁ ସ୍ଥିତ କଫି ଡେ ଗ୍ଲୋବାଲ୍ ଲିମିଟେଡ୍‌ର ସିନିୟର୍‌ ଜେନେରାଲ୍ ମ୍ୟାନେଜର ଶ୍ରୀ ସୁବ୍ରୋତୋ ଲାହିରି ଏବଂ ସାବିତ୍ରିବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଂଟ୍ ସାଇନ୍ସ ବିଭାଗର ଆସୋସିଏଟ୍ ପ୍ରଫେସର ଡଃ ଦୀପା ପ୍ରସାଦ ଭେଙ୍କଟରମଣ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ ।

ଏହି ଦୁଇଟି ଭର୍ଚୁଆଲ୍ ଲେକ୍‌ଚର ସିରିଜ୍‌ରେ ଏସ୍‌ଏଚ୍‌ଏମ୍‌ର ଆସୋସିଏଟ୍ ପ୍ରଫେସର ସସ୍ମିତା ମହାନ୍ତି ଏବଂ ଆସିଷ୍ଟାଂଟ ପ୍ରଫେସର ମୌଉ ରାୟ ସଂଚାଳନ କରିଥିବା ବେଳେ ଆସୋସିଏଟ୍ ପ୍ରଫେସର ଅଂଶୁମାନ୍ ସାମଲ୍‌ ଏବଂ ଆସିଷ୍ଟାଂଟ ପ୍ରଫେସର ସଂଘମିତ୍ରା ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ହୋଟେଲ୍ ଶିଳ୍ପ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏସ୍‌ଏଚ୍‌ଏମ୍ ପକ୍ଷରୁ ସାତୋଟି ୱେବିନାର୍ ଆୟୋଜିତ ହୋଇଯାଇଛି ।