Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ କାର୍ଯ୍ୟକଳାପ, ଅଭିଜ୍ଞତା ଏବଂ ଶିକ୍ଷା ସୁଯୋଗ ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବ: ଦିବ୍ୟା ଶର୍ମା

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ପକ୍ଷରୁ ପରିଚାଳିତ ଫୁଲୱାରୀ ବିଦ୍ୟାଳୟରେ ଶିଶୁଦିବସ ପାଳିତ ହୋଇଯାଇ ଅଛି। ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ସଭାପତି ଦିବ୍ୟା ଶର୍ମା କହିଛନ୍ତି ଯେ, ପ୍ରତ୍ୟେକ ଶିଶୁ ଅନନ୍ୟ _ ବିଭିନ୍ନ କାର୍ଯ୍ୟକଳାପ, ଅଭିଜ୍ଞତା ଏବଂ ଶିକ୍ଷଣ ସୁଯୋଗ ମାଧ୍ୟମରେ ସେମାନଙ୍କୁ ଜଡିତ କରି ସେମାନଙ୍କର ଅନ୍ତର୍ନିହିତ ଗୁଣ ପରିପ୍ରକାଶ କରିବା ଆବଶ୍ୟକ। ଏହା ସେମାନଙ୍କୁ ଆତ୍ମ ସମ୍ମାନ, ଆତ୍ମବିଶ୍ୱାସ ଏବଂ ସୃଜନଶୀଳତା ବ୍ୟତୀତ ସେମାନଙ୍କର ସାମର୍ଥ୍ୟକୁ ଦୃଢ କରିବାରେ ସାହାଯ୍ୟ କରିବ।

ଶ୍ରୀମତୀ ଶର୍ମା ସଂଗଠନର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ପିଲାମାନଙ୍କୁ ଉପହାର ମଧ୍ୟ ବଣ୍ଟନ କରିଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପିଲାମାନେ ପରିବେଷଣ କରିଥିଲେ।

Categories
ଆଜିର ଖବର

ଓଟିଡିସି ପକ୍ଷରୁ ୟଙ୍ଗ ମାଇଣ୍ଡସ୍‌ ଦ୍ୱାରା ଉତ୍ସାହପ୍ରଦ ଅଡିଟ ସହ ଶିଶୁ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଛି। ଓଟିଡିସି ମୁଖ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ଼ଃ ଲେନିନ ମହାନ୍ତି ଅଧ୍ୟକ୍ଷତା କରିଥିଲେ।

ଉକ୍ତ ଉତ୍ସବରେ ଆଇନା ଫାଉଣ୍ଡେସନର ପିଲାମାନେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଡିଟ୍‌ କରି ନିଜର ତୀକ୍ଷ୍ମ ଅନ୍ତର୍ଦୃଷ୍ଟି ଓ ବିଶ୍ଳେଷଣାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ। ଦୁଇଟି ଦଳରେ ବିଭକ୍ତ ଏହି ଯୁବ ଅଡିଟରମାନେ ଓଟିଡିସିକୁ ବିଭିନ୍ନ ବର୍ଗରେ ମୂଲ୍ୟାଙ୍କନ କରିଥିଲେ, ଯେଉଁଥିରେ ସୁଲଭତା, କାର୍ଯ୍ୟକଳାପ, ଉପଲବ୍ଧ ସୁବିଧା ଏବଂ ସାମଗ୍ରିକ ଭିତ୍ତିଭୂମି ଆଦି ଅନ୍ତର୍ଭୁକ୍ତ ଥିଲା। ଆଇନା ଫାଉଣ୍ଡେସନର କିଶୋରୀମାନେ ୧୦ ପ୍ରତିଶତରୁ ୯ ପ୍ରତିଶତ ନମ୍ବର ଦେଇ ଓଟିଡିସିକୁ ପୁରସ୍କୃତ କରିଥିଲେ।

ଅଡିଟ୍‌ ଫଳାଫଳ ଉପରେ ଆଲୋଚନା ପାଇଁ ଅନୁଷ୍ଠିତ ବୈଠକରେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ୍‌ ମହାନ୍ତି ଏବଂ ସମସ୍ତ ବିଭାଗୀୟ ପରିଚାଳକ ଉପସ୍ଥିତ ଥିଲେ। ଡଃ ମହାନ୍ତି ଉଦ୍‌ବୋଧନ ଦେଇ ଆଇନା ଫାଉଣ୍ଡେସନର ଛାତ୍ରଛାତ୍ରୀମାନଙ୍କର ସୁଚିନ୍ତିତ ଅଡିଟ୍‌ ଓ ଅନୁଧ୍ୟାନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସେମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିବା ସହ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଆଇନା ଫାଉଣ୍ଡେସନର କିଶୋରମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟବାନ ମତାମତ ଆଧାରରେ ଓଟିଡିସିର ଉପଲବ୍ଧତା ଏବଂ ସାମଗ୍ରିକ ପର୍ଯ୍ୟଟକ ଅନୁଭବକୁ ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅଡିଟ୍‌ କାର୍ଯ୍ୟର ପୁଙ୍ଖାନୁପୁଙ୍ଖତାକୁ ଡଃ ମହାନ୍ତି ପ୍ରଶଂସା କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ସମସ୍ୟାର ସମାଧାନ ସହ ସେବାରେ ଉନ୍ନତି ଆଣିବାକୁ ପଦକ୍ଷେପ ନେବେ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପିସିସି ପକ୍ଷରୁ ଜବାହାରଲାଲ ନେହେରୁଙ୍କ ଜୟନ୍ତି ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ସ୍ୱାଧୀନ ଭାରତରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପବିତ୍ର ଜୟନ୍ତି ଉତ୍ସବ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟଙ୍କ ନେତୃତ୍ୱରେ କଂଗ୍ରେସ ନେତୃବର୍ଗ ମାଷ୍ଟର କ୍ୟାଂଟିନ ସ୍ଥିତ ନେହେରୁ ପାର୍କରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ପରିସରରେ ନେହେରୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।

ଏହି ଅବସରରେ ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଓ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଓଡ଼ିଶା ପ୍ରତି ନେହେରୁଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅମୀୟ କୁମାର ପଟ୍ଟନାୟକ, ମନୋରଞ୍ଜନ ଦାସ, ରଜନୀ ମହାନ୍ତି, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରାଉତରାୟ, ଜ୍ୟୋତିଷ ସାହୁ,ମିହିର ଆଚାର୍ଯ୍ୟ, ଭାସ୍କର ସେଠୀ, ସୁଶାନ୍ତ ତ୍ରିପାଠୀ, ସଙ୍କୁନା କହଁର, ସୁଧାଂଶୁ ମହାନ୍ତି, ସଂଜୟ ମିଶ୍ର, ଅନୀମା ମିଞ୍ଜ୍‌, ସୁବାସ ପ୍ରଧାନ, ତାପସ ସେଠୀ, ନିରଞ୍ଜନ ନାୟକ, ଖଗେଶ୍ୱର ମଲ୍ଲିକ, ପ୍ରଶାନ୍ତ କୁମାର ଚମ୍ପତି, ସୌମେନ୍ଦ୍ର ମହାନ୍ତି ଓ ଗୁଣମଣି ସା ପ୍ରମୁଖ ବହୁ କଂଗ୍ରେସ ନେତୃବର୍ଗ ଓ କର୍ମୀ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶିଶୁ ଦିବସରେ ଆରମ୍ଭ ହେଲା “ଆମ କୁନିପିଲା” ଯୋଜନା, ଜାଣନ୍ତୁ ଏହା କଣ

ଭୁବନେଶ୍ୱର: ପ୍ରତ୍ୟେକ ଶିଶୁ ର ପ୍ରଥମ ହଜାର ଦିନ ହେଉଛି  ଗଭୀର ସମ୍ବେଦନଶୀଳ ସମୟ। ଏହି ପ୍ରଥମ ହଜାର ଦିନରେ ଶିଶୁଙ୍କ ମସ୍ତିଷ୍କର ବିକାଶ ଓ ଶାରୀରିକ ବିକାଶ ଆରମ୍ଭ ହୋଇଥାଏ ଓ ଜୀବନବ୍ୟାପୀ ସ୍ଵାସ୍ଥ୍ୟର ମୂଳଦୁଆ ପଡିଥାଏ। ଏହି ସମୟ ମଧ୍ୟରେ ଉଭୟ ମା ଓ ଶିଶୁର ଯତ୍ନ ଓ ପୁଷ୍ଟିକର ପୋଷଣ ଉପରେ ଶିଶୁ ର ବୃଦ୍ଧି ନିର୍ଭର କରିଥାଏ।

ଏହି ଶିଶୁ ଦିବସରେ ଓଡ଼ିଶାରମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ ଓଡ଼ିଶାର ଶିଶୁମାନଙ୍କୁ ଶୁଭେଚ୍ଛା ଦେଇ କହିଛନ୍ତି ଯେ ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର। ଶୈଶବ କାଳରୁ ଶିଶୁମାନଙ୍କୁ ଉଚିତ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ପରିବେଶ ପ୍ରଦାନ କରାଗଲେ ସେମାନେ ଜଣେ ଜଣେ ସୁନାଗରିକ ହୋଇପାରିବେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଦିଗଦର୍ଶନକୁ ଅନୁସରଣ କରି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ପବିତ୍ର ଶିଶୁ ଦିବସରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି “ଆମ କୁନିପିଲା” କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ନିଜ ପରିବାରରେ ଶିଶୁର ଯତ୍ନ,  ତିନି ବର୍ଷରୁ କମ ପିଲାମାନଙ୍କ ପାଳନରେ ଉଭୟ ପିତାମାତା ଦ୍ଵାୟିତ୍ଵ ସହ ସେମାନଙ୍କ ଶିଶୁ ଯତ୍ନ ଭିତ୍ତିକ ଦକ୍ଷତା ବୃଦ୍ଧି ଓ କମ୍ ମୂଲ୍ୟ ରେ ତିଆରି ଖେଳଣା ମାଧ୍ୟମରେ ଶିଶୁମାନଙ୍କ ମସ୍ତିଷ୍କ ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି।

ପିତାମାତା ଓ ପରିବାରର ଅନ୍ୟ ଯତ୍ନ ପ୍ରଦାନକାରୀଙ୍କୁ ଶିଶୁର ପ୍ରାରମ୍ଭିକ ବର୍ଷ ପ୍ରତି ସମ୍ବେଦନଶୀଳ କରେଇବା, ପରିବାରର ପୁରୁଷ ମାନଙ୍କୁ ଶିଶୁ ଯତ୍ନରେ ସମ୍ପୃକ୍ତି କରିବା, ପିତାମାତା ଓ ପରିବାର ଅନ୍ୟ ଯତ୍ନ ପ୍ରଦାନକାରୀଙ୍କ ଦ୍ବାରା କମ୍ ମୂଲ୍ୟର ପରିବେଶ ଅନୁକୁଳ ସାମଗ୍ରୀ ଓ ଖେଳଣା ସହିତ ଶିଶୁ ମାନଙ୍କୁ ନିଯୋଜିତ କରିବା, ଅଙ୍ଗନବାଡିକର୍ମୀଙ୍କ ଦ୍ବାରା ଖେଳଣା, ଗପ ଏବଂ ସ୍ନେହଭରା କଥା,ଭଲ ପାଇବା, ସ୍ପର୍ଶ ଓ  ଖେଳ ଦ୍ବାରା ଶିଶୁମାନଙ୍କୁ ଏକ ସକରାତ୍ମକ ପରିବେଶ ଦେବା ସହ ସେମାନଙ୍କୁ ସକ୍ରିୟ କରେଇବା ଆଦି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ଏହି ଅଭିଯାନରେ ସାମାଜିକ ଆଚରଣ ଯୋଗାଯୋଗ ସାମଗ୍ରୀ (ଏସବିସିସି) ଦ୍ବାରା ପିତାମାତା,ପରିବାରର ଅନ୍ୟ ଯତ୍ନ ପ୍ରଦାନକାରୀ ତଥା ଅଙ୍ଗନବାଡିକର୍ମୀଙ୍କ କାର୍ଯ୍ୟକାରିତାକୁ ଆହୁରି  ପ୍ରଭାବଶାଳୀ କରାଯାଇପାରିବ। ଏକ ଉତ୍ସାହଜନକ ପରିବେଶ ସୃଷ୍ଟି କରି ପିତାମାତାଙ୍କ ନେତୃତ୍ୱାଧୀନରେ ଘରେ ହିଁ ଆନନ୍ଦଦାୟକ ଶିଶୁ ବନ୍ଧୁତ୍ୱପୂର୍ଣ୍ଣ ଶିକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ “ଆମ କୁନି ପିଲା” କାର୍ଯ୍ୟକଳାପ ଧାର୍ଯ୍ୟ କରାଯାଇଛି।

ଏହି କାର୍ଯ୍ୟକ୍ରମ କୁ ସୁଦୃଢ କରିବା ପାଇଁ ବିଭିନ୍ନ ସୂଚନାତ୍ମକ ସାମଗ୍ରୀ ଯଥା ମୋ ବିକାଶ ପତ୍ର, କୁନି କାଲେଣ୍ଡର, ଆମ କୁନି ପିଲା ଫିଲ୍ପ  ବୁକ୍, ସୁଖଦ ଲାଳନ ପାଳନ ହାଣ୍ଡ ବୁକ୍ ଓ ଆମ କୁନି ପିଲା ଟଏ କିଟ୍ ଆଦି କୁ ମଧ୍ୟ  ପ୍ରସ୍ତୁତ କରାଯାଇଛି।

Categories
ବିଶେଷ ଖବର

ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ଭାରତ ଇତିହାସ ଏହି ସବୁ କାରଣରୁ ଶହ ଶହ ବର୍ଷ ଧରି ମନେ ରଖିବ

କେଦାର ମିଶ୍ର

ଆଧୁନିକ ଭାରତୀୟ ରାଜନୀତିରେ ନିୟାମକ ଓ ନିର୍ଣ୍ଣାୟକ ଭାବରେ ନିର୍ବିାବାଦରେ ତିନୋଟି ନାଁ ନିଆ ଯାଇପାରେ – ଗାନ୍ଧି, ଆମ୍ବେଦକର ଓ ନେହେରୁ। ଗାନ୍ଧିଜୀ ଆଧୁନିକ ଭାରତୀୟ ରାଜନୀତିକୁ ଏକ ବୃହତ୍ତର ମାନବୀୟ ମୂଲ୍ୟବୋଧ ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆମ୍ବେଦକର
ସାମାଜିକ ଆନ୍ଦୋଳନ ଓ ସାମାଜିକ ନ୍ୟାୟକୁ ରାଜନୀତିର କେନ୍ଦ୍ରଭୂମିରେ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଉପସ୍ଥାପନ କରିଛନ୍ତି। ସେହିପରି ପଣ୍ଡିତ ନେହେରୁ ରାଷ୍ଟ୍ର ନିର୍ମାଣରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ପ୍ରୟୋଗ ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଭାରତୀୟ ଜୀବନରେ ଚିରସ୍ଥାୟୀ ପ୍ରତିଷ୍ଠା ଦେଇଛନ୍ତି। ଗାନ୍ଧି ଏବଂ
ଆମ୍ବେଦକରଙ୍କ ପ୍ରସଙ୍ଗକୁ ବାଦ୍ ଦେଇ ଆଜି କେବଳ ନେହେରୁଙ୍କ ପ୍ରସଙ୍ଗରେ ଆଲୋଚନା କରାଯାଉ। ଆଜିର ତାରିଖରେ ନେହେରୁଙ୍କର ରାଜନୀତି, ଅର୍ଥନୀତି, ବିଦେଶ ନୀତି ଓ ତାଙ୍କର ଦୃଷ୍ଟିଭଙ୍ଗୀକୁ ନେଇ ସମାଲୋଚନା ଖୁବ୍ ତୀବ୍ର। ନେହେରୁଙ୍କ ଜୀବନକାଳ ଭିତରେ ଯେଉଁମାନେ ତାଙ୍କର ପ୍ରଚଣ୍ଡ ବିରୋଧୀ ଥିଲେ ଆଜି ସେମାନଙ୍କର ଶିଷ୍ୟ ପ୍ରଶିଷ୍ୟମାନେ ଭାରତର ସର୍ବୋଚ୍ଚ କ୍ଷମତା ଦଖଲ କରିଛନ୍ତି। ସ୍ୱାଭାବିକ ଭାବରେ ସେମାନେ ନେହେରୁଙ୍କ ନିନ୍ଦିତ କରୁଛନ୍ତି ଓ କରିବେ। ନେହେରୁଙ୍କୁ ସମାଲୋଚନା କରିବା ପାଇଁ ତାଙ୍କ ସମୟରେ ତାଙ୍କର ବିରୋଧୀମାନେ ରହିଥିଲେ, ଆଜି ମଧ୍ୟ ଅଛନ୍ତି। ନେହେରୁଙ୍କ ବ୍ୟକ୍ତିତ୍ୱର ଆକଳନ ପାଇଁ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକାକୁ କେବଳ ଏକ ପୃଷ୍ଠଭୂମି ଭାବରେ ନିଆଯାଇପାରେ। ସ୍ୱାଧୀନତା ଆନ୍ଦୋଳନରେ ସେ ଥିଲେ ଗାନ୍ଧିଙ୍କର ଶ୍ରେଷ୍ଠତମ ରାଜନୈତିକ ସହଯୋଗୀ। ଆଦର୍ଶଗତ ଓ ଦାର୍ଶନିକ ଦୃଷ୍ଟିରେ ଯଦିଓ ସେ ଥିଲେ ଗାନ୍ଧିଙ୍କର ବିପରୀତ, ତେବେ ଗାନ୍ଧିଙ୍କର ରାଜନୈତିକ ମାନସ ସନ୍ତାନ ବୋଲି ତାଙ୍କୁ କୁହାଯାଇ ପାରେ। ଭାରତୀୟ ରାଜନୀତି ପାଇଁ ନେହେରୁଙ୍କ ଅବଦାନକୁ କ୍ରମାନ୍ୱୟରେ ଆମେ ନିମ୍ନମତେ ଉଲ୍ଲେଖ କରିପାରିବା। ଏହି ସବୁ କାରଣ ଲାଗି ପଣ୍ଡିତ ନେହେରୁ ଶହ ଶହ ବର୍ଷ ଧରି ଆମର ମନେ ରହିବେ-

୧- ଏକ ବିଶାଳ ଗରିବ ଦେଶର ନେତୃତ୍ୱ ନେଇ ଗଣତନ୍ତ୍ରକୁ ରାଜନୀତିର ଶକ୍ତି ଭାବରେ ପ୍ରତିଷ୍ଠା ଦେବା। ଆଜି ଆମର ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ନିରନ୍ତର ଓ ନିରବଚ୍ଛିନ୍ନ ଭାବରେ ଯଦି ବଞ୍ଚି ରହିପାରିଛି ତା’ର ସବୁ ଶ୍ରେୟ ପଣ୍ଡିତ ନେହେରୁଙ୍କର। ଏହି ସମୟରେ ସ୍ୱାଧୀନତା ପାଇଥିବା ଓ ନୂଆ ରାଷ୍ଟ୍ର ଭାବରେ ଗଠିତ ହୋଇଥିବା ଅନେକ ଦେଶ ସାମରିକ ଶାସନର ବଶବର୍ତ୍ତୀ ହୋଇଥିବାବେଳେ ପଣ୍ଡିତ ନେହେରୁଙ୍କ ନେତୃତ୍ୱ ଯୋଗୁଁ ଆମେ ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ ଆଧାର ପାଇଛୁ।

୨- ପ୍ରବଳ ଜନମତର ସମର୍ଥନ ସତ୍ତ୍ୱେ ବିରୋଧୀ ରାଜନୀତିକୁ ସମ୍ମାନ ଦେବା। ପଣ୍ଡିତ ନେହେରୁ ତାଙ୍କ ସମୟର ଅପ୍ରତିଦ୍ୱନ୍ଦ୍ୱୀ ଜନନେତା। ପଣ୍ଡିତଜୀଙ୍କ ନେତୃତ୍ୱରେ ୧୯୫୨ ନିର୍ବାଚନରେ କଂଗ୍ରେସ ଦଳ ୩୬୪, ୧୯୫୭ ନିର୍ବାଚନରେ ୩୭୧ ଓ ୧୯୬୨ ନିର୍ବାଚନରେ ୩୬୧ଟି ଲୋକସଭା ଆସନ ଜିତିଥିଲା। ତିନୋଟି ଯାକ ନିର୍ବାଚନରେ କଂଗ୍ରେସ ଦଳର ଭୋଟହାର ଥିଲା ଯଥାକ୍ରମେ ୪୫%, ୪୭.୮% ଓ ୪୪.୭% । ଯାହାକି ଭାରତୀୟ ରାଜନୀତିରେ ଏକ ଅନତିକ୍ରମ୍ୟ ରେକର୍ଡ। ମୋଟାମୋଟି ନେହେରୁଙ୍କ ସମୟରେ ବିରୋଧୀ ଦଳର କୌଣସି ସଂସଦୀୟ ଅସ୍ତିତ୍ୱ ନଥିଲା। ତଥାପି ପଣ୍ଡିତ ନେହେରୁ ସଂସଦରେ ଓ ସଂସଦ ବାହାରେ ବିରୋଧୀ ସ୍ୱରକୁ ଶୁଣିବା ପାଇଁ ପ୍ରସ୍ତୁତ ଥିଲେ। ତାଙ୍କର ସବୁଠାରୁ ବଡ଼ ସମାଲୋଚକ ସାମ୍ୟବାଦୀ ଓ ସମାଜବାଦୀମାନେ ବ୍ୟକ୍ତିଗତ ଭାବରେ ତାଙ୍କୁ କମ୍ ପ୍ରଶଂସା କରି ନାହାନ୍ତି। ପଣ୍ଡିତ ନେହେରୁ ହେଉଛନ୍ତି ଭାରତର ଏକମାତ୍ର ରାଜନେତା ଯିଏ ତାଙ୍କର ତୀବ୍ରତମ ବିରୋଧୀ ଦକ୍ଷିଣପନ୍ଥୀ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ।

୩- ଆଧୁନିକ ଭାରତର ନବନିର୍ମାଣ। ପଣ୍ଡିତଜୀଙ୍କ ନେତୃତ୍ୱରେ କମ୍ ହାରରେ ଅଭିବୃଦ୍ଧି ହାସଲ କରୁଥିବା ଗୋଟିଏ ଦେଶର ଅଭିବୃଦ୍ଧିକୁ ୬୦ ଦଶକରେ ତିନି ପ୍ରତିଶତରୁ ଅଧିକ ବଢାଯାଇଥିଲା। କୃଷି, ଶିଳ୍ପ, ଶିକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ପଣ୍ଡିତ ନେହେରୁଙ୍କର ନୀତି ଆଜି ମଧ୍ୟ ଆମ ବିକାଶର ଆଧାର ହୋଇ ରହିଛି। ଯୋଜନା ଓ ତା’ର ରୂପାୟନ ପାଇଁ ପଣ୍ଡିତଜୀଙ୍କର ଦୃଷ୍ଟିଭଙ୍ଗୀ ପ୍ରାୟ ୬୦ ବର୍ଷ ଧଣି ଆମର ମାର୍ଗଦର୍ଶନ କରିଛି। ପଞ୍ଜାବ ଏବଂ ହରିୟାଣାର କୃଷି ବିପ୍ଳବ, ବୃହତ୍ତର ଜଳସେଚନ ଓ ବିଦ୍ୟୁତ ପ୍ରକଳ୍ପ, ରାଜପଥର ବିକାଶ, ନୂତନ ଶିଳ୍ପାଞ୍ଚଳ ଓ ଶିଳ୍ପ ନଗରୀର ନିର୍ମାଣ, ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ପ୍ରଚେଷ୍ଟା, ସ୍ୱାୟତ୍ତ ଶାସନ ଓ ପଞ୍ଚାୟତିରାଜ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ତାଙ୍କୁ ଭାରତ ସବୁଦିନ ମନେ ରଖିବ।

୪- ବୈଜ୍ଞାନିକ ଗବେଷଣା ଓ ଭିତ୍ତିଭୂମି ନିର୍ମାଣରେ ସର୍ବଶ୍ରେଷ୍ଠ ନେତୃତ୍ୱ। ନୂଆ କରି ଜନ୍ମ ନେଇଥିବା ଗୋଟିଏ ଦେଶର ନେତୃତ୍ୱ ନେଲାବେଳେ ପଣ୍ଡିତ ନେହେରୁ ଜାଣିଥିଲେ ଯେ ଜ୍ଞାନ ଓ ବିଜ୍ଞାନର ଶକ୍ତି ବିନା ବିକାଶ ଅସମ୍ଭବ। ତେଣୁ ଆଜି ଦେଶରେ ଯେତେସବୁ ବୈଜ୍ଞାନିକ ଅନୁଷ୍ଠାନ, ଗବେଷଣାଗାର ଓ
ପ୍ରୟୋଗଶାଳା ଆମେ ଦେଖୁଛୁ ସେ ସବୁ ପଣ୍ଡିତ ନେହେରୁଙ୍କ ଅମଳରେ ହିଁ ପ୍ରତିଷ୍ଠା କରାଯାଇଥିଲା। ଆଣବିକ ଗବେଷଣା, ମହାକାଶ ଗବେଷଣା, ପଦାର୍ଥ ବିଜ୍ଞାନ ଓ ଭୂତତ୍ତ୍ୱ ବିଜ୍ଞାନରେ ଉଚ୍ଚତର ଗବେଷଣା ପାଇଁ ସାରା ଦେଶରେ ବହୁ ଅନୁଷ୍ଠାନ ସେତେବେଳେ ପ୍ରତିଷ୍ଠା କରାଯାଇଥିଲା । ଯାହାର ସୁଫଳ ଆମେ
ଆଜି ପାଉଛୁ । ପ୍ରଗତିର ନୂଆ ମନ୍ତ୍ର ପଢୁଥିବା ନୂଆ ଭାରତର ରାଜନେତାମାନେ ଆଜି ମଧ୍ୟ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ଭଳି ଏକ ସଂସ୍ଥା ଗଠନ ପାଇଁ ଚିନ୍ତା ମଧ୍ୟ କରିପାରିବେ ନାହିଁ। ବୈଜ୍ଞାନିକ ଗବେଷଣା ଓ ବୈଜ୍ଞାନିକ ଚିନ୍ତନ କ୍ଷେତ୍ରରେ ପଣ୍ଡିତଜୀଙ୍କ ନେତୃତ୍ୱ ସର୍ବଶ୍ରେଷ୍ଠ।

୫- ଉଚ୍ଚତର ଶିକ୍ଷା ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଆଇ ଆଇଟି ଓ ଏମ୍ସ ଭଳି ଅନୁଷ୍ଠାନର ପରିକଳ୍ପନା ପଣ୍ଡିତ ନେହେରୁଙ୍କ ସ୍ରଷ୍ଟାପଣକୁ ଦେଖାଇଥାଏ। ସାରା ଦେଶରେ ଆଜି ଗବେଷଣାର ଉତ୍କର୍ଷ ପାଇଁ ପରିଚିତ ପ୍ରାୟ ସବୁ ଅନୁଷ୍ଠାନ ନେହେରୁଙ୍କ ସମୟରେ ହିଁ ପ୍ରତିଷ୍ଠିତ ହୋଇଥିଲା।

୬- ପ୍ରତିରକ୍ଷା ଓ ବିଦେଶ ନୀତିର ଶ୍ରେଷ୍ଠତମ ମାର୍ଗଦର୍ଶକ। ନେହେରୁଙ୍କ ସମୟରେ ଭାରତ ତିନୋଟି ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇଛି। ଚୀନ୍ ଓ ପାକିସ୍ତାନ ସହ ସାମରିକ ସଂଘର୍ଷରେ ଆମର ଅର୍ଥନୀତି କିଛିଟା ପ୍ରଭାବିତ ମଧ୍ୟ ହେଇଛି। ଚୀନ୍ ସହ ଯୁଦ୍ଧରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି । ତେବେ ଜୟ ପରାଜୟର ଏହି ଧାରା ମଧ୍ୟରୁ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାର ପ୍ରେରଣା ମିଳିଥିଲା। ପ୍ରତିରକ୍ଷା ଗବେଷଣା ପାଇଁ ଏକ ସୁଦକ୍ଷ ଭିତ୍ତିଭୂମି ନେହେରୁଙ୍କ ନେତୃତ୍ୱରେ ପ୍ରତିଷ୍ଠା ହୋଇଥିଲା। ସେହିପରି ବିଦେଶ ନୀତି କ୍ଷେତ୍ରରେ ଆଜି ମଧ୍ୟ ନେହେରୁଙ୍କର ମାର୍ଗଦର୍ଶନ ହେଉଛି ପ୍ରତ୍ୟେକ କୂଟନୀତିଜ୍ଞ ପାଇଁ ବାଇବେଲ୍। ଭାରତକୁ ଏକ ଗୋଷ୍ଠୀ ନିରପେକ୍ଷ ଶକ୍ତି ଭାବରେ ଆମେରିକା ତଥା ଋଷର ପ୍ରଭାବରୁ ଅଲଗା ରଖିବାରେ ପଣ୍ଡିତଜୀଙ୍କ ନେତୃତ୍ୱର ପଟ୍ଟାନ୍ତର ନାହିଁ।

୭- ସମାଜବାଦ, ଧର୍ମ ନିରପେକ୍ଷତା ଓ ଗଣତନ୍ତ୍ରର ପ୍ରତିଷ୍ଠା। ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ ଭାରତ ସମ୍ବିଧାନର ମୌଳିକ ନୀତି ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେବା ଆରମ୍ଭ କରିଥିଲା। ରାଷ୍ଟ୍ରୀୟ ସମ୍ବଳର ସମବଣ୍ଟନ, ସମାଜର ଉପେକ୍ଷିତ ବର୍ଗଙ୍କୁ ଆର୍ଥିକ ପ୍ରଗତିର ସ୍ରୋତରେ ସାମିଲ୍ କରିବା ଓ ରାଜୀନତିରେ ସବୁମତକୁ ସମ୍ମାନ ଦେବାର ପ୍ରକ୍ରିୟା ତାଙ୍କରି ନେତୃତ୍ୱରେ ଆରମ୍ଭ ହୋଇଥିଲା। ସଂଖ୍ୟାଲଘୁ, ମହିଳା, ଆଦିବାସୀ ଓ ଦଳିତଙ୍କ ସମସ୍ୟାକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ଦେଶର ନୀତି ଓ ଅର୍ଥନୀତିକୁ ସଙ୍ଗଠିତ କରାଯାଇଥିଲା।

୮ – ସମ୍ବିଧାନ ଓ ଆଇନର ଶାସନ। ପ୍ରବଳ ଜନମତ ଓ ଜନ ସମର୍ଥନ ସତ୍ତ୍ୱେ ପଣ୍ଡିତ ନେହେରୁ ଗଣତନ୍ତ୍ରରେ ନିଜର ଅହଙ୍କାର ବା ଏକଛତ୍ରବାଦକୁ ପ୍ରତିଷ୍ଠା କରିନଥିଲେ। ଦୁର୍ଭାଗ୍ୟ ହେଉଛି ତାଙ୍କରି ନେତୃତ୍ୱରେ ଦେଶର ଜୀବନ ରେଖା ପାଲଟିଥିବା କଂଗ୍ରେସ ପରବର୍ତ୍ତୀ ସମୟରେ ତାଙ୍କରି ଆଦର୍ଶକୁ ଜଳାଞ୍ଜଳି ଦେଇଥିଲା।