Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲରେ ଜଟିଳ ଅସ୍ତ୍ରୋପଚାର: ଶିଶୁ ପେଟରୁ ବାହାରିଲା ସାଢେ ୭ କେଜି ଓଜନର ଟ୍ୟୁମର୍

ଭୁବନେଶ୍ୱର: ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲର ଶୈଲ୍ୟ ଚିକିତ୍ସା ବିଭାଗର ଚିକିତ୍ସକମାନେ ଏକ ୨୦ ମାସ ବୟସର ଶିଶୁ ପୁତ୍ର ପେଟରୁ ଏକ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ସାଢେ ୭ କିଲୋଗ୍ରାମ ଓଜନର ଏକ ଟ୍ୟୁମର ସଫଳତାର ସହ ବାହାର କରିପାରିଛନ୍ତି।

ଗଞ୍ଜାମ ଜିଲ୍ଲାରୁ ଆସିଥିବା ଏହି ଶିଶୁଟି ପ୍ରାୟ ଏକ ବର୍ଷ ଧରି ଅସମ୍ଭବ ଭାବେ ଫୁଲି ରହିଥିଲା। ଚିକିତ୍ସକ ମାନେ ଏହାକୁ ନ୍ୟୁରୋବ୍ଲାଷ୍ଟୋମା ସମସ୍ୟା ବୋଲି ପୂର୍ବରୁ କହିଥିଲେ ଯେଉଁଥିପାଇଁ ଅସ୍ତ୍ରୋପଚାର ଆବଶ୍ୟକ ଥିଲା।

ଶିଶୁଟିର ପରିବାର ଅନେକ ଗୁଡିଏ ଡାକ୍ତରଖାନାକୁ ଯାଇଥିଲେ ମଧ୍ୟ ସେଠାରେ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇ ନଥିଲା। ଶେଷରେ ସେମାନେ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗରେ ଶିଶୁକୁ ଦେଖାଇଥିଲେ।

ଯଦିଓ ଏହି ଚିକିତ୍ସା ଜଟିଳ ଓ ବିପଦପୂର୍ଣ୍ଣ ଥିଲା ତଥାପି ଏହି ଅସ୍ତ୍ରୋପଚାର କରିବା ନିମନ୍ତେ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡାଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ଗଠନ କରାଯାଇଥିଲା।

ଏହି ଡାକ୍ତରୀ ଦଳରେ ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ, ପେଡିଆଟ୍ରିକ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସରୋଜ ପଣ୍ଡା, ଆନେସ୍‌ଥେସିଓଲଜିଷ୍ଟ ଡାକ୍ତର ଡେଜି କରନ୍‌, ଡାକ୍ତର ସ୍ୱର୍ଣ୍ଣ ବାନାର୍ଜୀ, ଡାକ୍ତର ସୁଲୋଚନା ଦାଶ, ଡାକ୍ତର ସୌମ୍ୟା ସାମଲ, ଡାକ୍ତର ନୁପୁର ମୋଡା, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ରହିଥିଲେ। ଚାରି ଘଂଟା ଧରି ହୋଇଥିବା ଏହି ଅସ୍ତ୍ରୋପଚାର ପରେ ସାଢ଼େ ୭ କିଲୋଗ୍ରାମ୍‌ର ଟ୍ୟୁମରଟିକୁ ସଫଳତାର ସହ ବାହାର କରାଯାଇଥିଲା। ଏହା ଶରୀରର ଅନ୍ୟାନ୍ୟ ଶିରାପ୍ରଶିରା ଓ ଅଙ୍ଗ ସହିତ ଜଡିତ ହୋଇ ରହିଥିବାରୁ ଏହି ଅସ୍ତ୍ରୋପଚାର ଜଟିଳ ହୋଇପଡ଼ିଥିଲା।

ଅସ୍ତ୍ରୋପଚାର ପରେ ଶିଶୁଟିର ଅବସ୍ଥା ଆହ୍ୱାନପୂର୍ଣ୍ଣ ଥିଲେ ମଧ୍ୟ ସେ ଧୀରେ ଧୀରେ ସୁସ୍ଥତା ଲାଭ କରିଥିଲା। ୧୫ ଦିନ ପରେ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲା।

ଡାକ୍ତର ପଣ୍ଡା କହିଥିଲେ ଯେ, ଶିଶୁଟି ଏମ୍ବ୍ରିଓନାଲ୍ ରାବଡୋମାଇଓସାରକୋମା ସମସ୍ୟାରେ ଆକ୍ରାନ୍ତ ହୋଇଥିଲା। ଏହି ରୋଗ ଶୀଘ୍ର ଜଣା ପଡ଼ିଲେ କେମୋଥେରାପି ଓ ଅସ୍ତ୍ରୋପଚାର ଦ୍ୱାରା ଏହାର ସଫଳ ଉପଚାର କରାଯାଇପାରିବ। ମାତ୍ର ଏହି କ୍ଷେତ୍ରରେ ଏହି ରୋଗ ଆଗକୁ ବଢ଼ି ଯାଇଥିଲା ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରେଢାଖୋଲ ମେଡିକାଲରେ ଜନ୍ମ ହେଲା ଅଜବ ଶିଶୁ ପୁତ୍ର: ଚିକିତ୍ସା ପାଇଁ ପରିବାର ଲୋକ କଲେ ଗୁହାରୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ଏକ ଅଜବ ଶିଶୁ ପୁତ୍ର ଜନ୍ମନେଇଛି। ଏହି ଶିଶୁପୁତ୍ରଟି ହାତ ଗୋଡର ପାପୁଲି ଫାଡି ହୋଇ ଜନ୍ମ ହୋଇଛି। ଆଜି ରେଢାଖୋଲ ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଏହି ଅଜବ ଶିଶୁପୁତ୍ରଟି ଅସ୍ତ୍ରୋପ୍ରଚାର ହୋଇ ଜନ୍ମ ହୋଇଛି। ସେ ସମ୍ପୁର୍ଣ୍ଣ ସୁସ୍ଥ ରହିଥିବା ବେଳେ ଅନ୍ୟ ସବୁ ଅଙ୍ଗ ଠିକ୍ ଥିବା ଜଣା ପଡ଼ିଛି।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ, ଶିମିଳିପାଳ ପଞ୍ଚାୟତ, ଚରଡପଶି ଗାଁ ର ଭରତ ପୋଢ ଓ ଦିପ୍ତିମୟୀ ପୋଡଙ୍କ ପ୍ରଥମ ଗର୍ଭରୁ ଆଜି ରବିବାର ଦିନ ଜନ୍ମ ହୋଇଥିଲା ଏହିଶିଶୁ ପୁତ୍ରଟି। ଶିଶୁର ହାତ ଓ ପାଦର ପାପୁଲି ଗୁଡିକ ମଝିରୁ ଫାଡି ହୋଇ ରହିଥିବା ପ୍ରଥମେ ଡାକ୍ତର ଦେଖିଥିଲେ। ଯାହାକୁ ନେଇ ବାପା ମାଁ ଏବଂ ପରିବାର ଚିନ୍ତାରେ ରହିଛନ୍ତି।

ସରକାରୀ ସ୍ତରରେ କିଭଳି ଶିଶୁର ପ୍ଲାଷ୍ଟିକ ସର୍ଜରୀ କରାଯାଇ ଚିକିତ୍ସା କରାଯାଇପାରିବ ତାକୁ ନେଇ ଗୁହାରୀ କରିଛନ୍ତି ପରିବାର ଲୋକେ। ଏଭଳି ଶିଶୁ ଜନ୍ମ ନେବା ରେଢ଼ାଖୋଲରେ ପ୍ରଥମ ଘଟଣା। ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ମେଡ଼ିକାଲ୍ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ହୃଦ୍ ସମସ୍ୟା ଥିବା ୫ ମାସ ଶିଶୁର ସଫଳ ଅସ୍ତ୍ରୋପଚାର କଲେ ସମ୍ ହସ୍ପିଟାଲ୍‌ର ଡାକ୍ତର

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ହୃଦରୋଗ ବିଶେଷଜ୍ଞ ସଫଳ ଅସ୍ତ୍ରୋପଚାର କରିଛନ୍ତି। ପେଡିଆଟ୍ରିକ୍ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନ୍ସନ୍ ଦ୍ୱାରା ଶିଶୁଟି ସୁସ୍ଥ ହୋଇପାରିଛି।

ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଶିଶୁଟିକୁ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଆଣିବା ସମୟରେ ତା’ର ପାଟେଂଟ ଡକ୍ଟସ ଆର୍ଟେରିଓସସ୍ (ପିଡିଏ) ନାମକ ହୃଦ ସମସ୍ୟା ଥିବା ଜଣାପଡ଼ିଥିଲା। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହୃଦରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦିବ୍ୟରଞ୍ଜନ ବେହେରା ଶିଶୁଟିର ଚିକିତ୍ସା କରିଥିଲେ।

ଡାକ୍ତର ବେହେରାଙ୍କ କହିବା ଅନୁଯାୟୀ ପିଡିଏ ହେଉଛି ମହାଧମନୀ ଏବଂ ଫୁସ୍‌ଫୁସ୍‌ର ଧମନୀକୁ ଯୋଡୁଥିବା ଏକ ଟ୍ୟୁବ୍ ଯାହାକି ଶିଶୁର ଶରୀରରେ ମୁଖ୍ୟ ରକ୍ତ ସଂଚାଳନ ବ୍ୟବସ୍ଥା ଅଟେ। ଏହି ସମସ୍ୟା ଯୋଗୁଁ ରକ୍ତ ଅଧିକାଂଶ ସମୟରେ ମହାଧମନୀରୁ ଫୁସ୍‌ଫୁସ୍‌ର ଧମନୀକୁ ପ୍ରବାହିତ ହୋଇଥାଏ ଯାହା ଦ୍ୱାରା ଅଧିକ ରକ୍ତ ଫୁସ୍‌ଫୁସ୍‌କୁ ଯାଇଥାଏ। ଏହା ଦ୍ୱାରା ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ହୃଦକ୍ରିୟା ବନ୍ଦ ହୋଇଯିବାର ସମ୍ଭାବନା ରହିଥାଏ।

ଠିକ୍ ସମୟରେ ଚିକିତ୍ସା ନ କଲେ ଶ୍ୱାସଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଆଗୁଆ ଚିକିତ୍ସା ହିଁ ଏଭଳି ବିପଜ୍ଜନକ ପରିସ୍ଥିତିକୁ ମୁକାବିଲା କରିବାର ଏକ ମାତ୍ର ଉପାୟ ଏବଂ ପିଡିଏର ଆକାର ଏବଂ ଅନ୍ୟାନ୍ୟ ଦିଗକୁ ଦେଖି ଅପରେସନ୍ କିମ୍ବା କ୍ୟାଥେଟର୍ ଇନ୍‌ଭେନ୍ସନ କରାଯିବା ନେଇ ନିଷ୍ପତି ନିଆଯାଇଥାଏ ବୋଲି ସେ କହିଛନ୍ତି।

ଡାକ୍ତର ବେହେରା କହିଛନ୍ତି ଯେ, ଶିଶୁଟିର ପିଡିଏ ଡିଭାଇସ୍ କ୍ଲୋଜର୍ ପ୍ରକ୍ରିୟା ତାଙ୍କ ନେତୃତ୍ୱରେ କରାଯାଇଥିଲା। କାର୍ଡିଆକ୍ ଟିମ୍‌ ସମେତ କାର୍ଡିଆକ୍ ଆନେସ୍‌ଥେସିଷ୍ଟ ଡାକ୍ତର ଜେ. ପରିଡା ଏବଂ କନ୍‌ସଲଟାଂଟ ନିଓନାଟୋଲୋଜିଷ୍ଟ ଡାକ୍ତର ବିଚିତ୍ରାନନ୍ଦ ରାଉତ ଏଥିରେ ସହଯୋଗ କରିଥିଲେ। ଶିଶୁଟି ଏହି ପ୍ରକ୍ରିୟା ହେବାର ଦୁଇ ଦିନ ପରେ ଡିସ୍‌ଚାର୍ଜ ହୋଇଛି ଏବଂ ସେ ସୁସ୍ଥ ଅଛି ବୋଲି ଡାକ୍ତର ବେହେରା କହିଛନ୍ତି।