Categories
ବିଶେଷ ଖବର ରାଜ୍ୟ ଖବର

ଆଦିବାସୀଙ୍କ ଜମି ବିକ୍ରି ପ୍ରସଂଗକୁ ନେଇ ଗୃହରେ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏ ମୁଲତବି

ଭୁବନେଶ୍ବର: ଆଜି ବିଧାନସଭାର ଦ୍ବୀତିୟ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ମୁଖ୍ୟତଃ ରାଜ୍ୟ ସରକାର ଆଦିବାସୀଙ୍କ ଜମି ସାଧାରଣ ଲୋକଙ୍କୁ ବିକ୍ରି କରିବା ପ୍ରସଂଗକୁ ନେଇ ବିରୋଧୀ ଏହି ହଟ୍ଟଗୋଳ କରିଛନ୍ତି। ଆଦିବାସୀଙ୍କ ଜମି ହଡପ କରିବାକୁ ସରକାରଙ୍କ ଏକ ଉଦ୍ୟମ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ରାଜ୍ୟ ସରକାର ଆଦିବାସୀ ଜମି ବିକ୍ରି ସଂଶୋଧନକୁ ଫେରାଇ ନିଅ ବୋଲି ଦାବୀ କରିଥିଲେ। ବାଚସ୍ପତି ଗୃହରେ ଶୃଙ୍ଖଳା ରଖିବା ପାଇଁ ଯେତେ ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟ ତାହା ଶୁଣି ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ।

ଏହାପରେ ଗୃହ ଆରମ୍ଭ ହେବା ପରେ ପରିସ୍ଥିତି ସେହିପରି ବଜାଇ ରହିଲା। ବିରୋଧୀ ସଦସ୍ୟ ସେହି ଆଦିବାସୀ ଜମି ବିକ୍ରି ପ୍ରସଂଗକୁ ନେଇ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ପୁଣି ୪୫ ମିନିଟ ପାଇଁ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ବାଚସ୍ପତି ଗୃହରେ ଶୃଙ୍ଖଳା ରଖିବା ପାଇଁ ସଦସ୍ୟଙ୍କୁ ଅନୁରୋଧ କରିଥିଲେ।

ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପରସ୍ଥିତିରେ କୌଣସି ସୁଧାର ଆସି ନ ଥିଲେ। ପୁଣିଥରେ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ପୁରା ଅପରାହ୍ନ ୪ଟା ମୁଲତବି ଘୋଷଣା କରିଥିଲେ। ତେବେ ସରକାର ଏହି ଆଇନିକୁ ସଂପୂର୍ଣ୍ଣ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଏପରି ବିରୋଧ ଜାରୀ ରହିବ ବୋଲି ବିରୋଧୀ କହିଛନ୍ତି।

ତେବେ ଏହି ଆଦିବାସୀଙ୍କ ଜମି ବିକ୍ରୀ ପ୍ରସଂଗକୁ ନେଇ ଉଭୟ ବିଜେଡି ବିଜେପି ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। ବିଜେପିର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, ସରକାର ଆଦିବାସୀଙ୍କ ଏହି ଜମି ବିକ୍ରୀ ଆଇନି ସଂଶୋଧନକୁ କ୍ୟାବିନେଟରେ ପାଶ କରିଛନ୍ତି। ଏହାପରେ ତାହାକୁ ସ୍ଥଗିତ ରଖିଛନ୍ତି। ହେଲେ ତାହାକୁ ପ୍ରତ୍ୟାହାର କରି ନାହାଁନ୍ତି। ଏହାପରେ ପୁଣି ସରକାର ଲାଗୁ କରିପାରନ୍ତି। ତେଣୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ଦରକାର ବୋଲି ମୋହନ ମାଝି କହିଛନ୍ତି।

ସେହିପରି ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି ଯେ, ବିଜେପି ପାଖରେ କୌଣସି ପ୍ରସଂଗ ନାହିଁ। ସେଥିପାଇଁ ଏହାକୁ ଏକ ପ୍ରସଂଗ କରି ବିଜେପି ରାଜନୀତି କରୁଛି ବୋଲି ଶ୍ରୀ ଦାସ କହିଛନ୍ତି। ତେବେ ବିରୋଧୀଙ୍କ ଏପରି ବିରୋଧ ମୁଡକୁ ଲକ୍ଷ କଲେ ଜଣାପଡୁଛି ଯେ, ଅପରାହ୍ନ ୪ଟା ପରେ ମଧ୍ୟ ଗୃହ କାର୍ଯ୍ୟ ସ୍ବାଭାବିକ ହେବାର ଜଣାପଡୁ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆରମ୍ଭ ହେଲା ବିଧାନସଭାର ଶୀତ ଅଧିବେସନ, ଶୋକ ପ୍ରସ୍ତାବ ପରେ ଗୃହ ମୁଲତବି

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ବିଧାନସଭା ଆରମ୍ଭ ପରେ ଆଗତ ହୋଇଥିଲା ଶୋକ ପ୍ରସ୍ତାବ। ଏଥିରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି , ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାଶ, ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର, ୬୨୦ ଇ.ଏମ. ଇ. ବାଟାଲିୟନ ସରୋଜ କୁମାର ଦାସ,ପୂର୍ବତନ କନେଷ୍ଟବଳ, ୨୦୬କୋବ୍ରା ବାଟାଲିୟନ, ବି. ଏସ. ଏଫ ପ୍ରକାଶ ଚନ୍ଦ୍ର ସିଆଲଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ମୁଖ୍ୟ ସଚେତ ମୋହନ ମାଝୀ ସମର୍ଥନ ଜଣାଇଥିଲେ। ଏହା ପରେ କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଶୋକ ପ୍ରସ୍ତାବକୁ ସମର୍ଥନ ଦେବା ସହ ସେ ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ୱର ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ।

ପରେ ସିପିଆଇ ନେତା ମଧ୍ୟ ଏହି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଏହା ପରେ ୧ ମିନିଟ ନିରବ ପ୍ରର୍ଥନା କରାଯାଇଥିଲା। ପରେ ଆସନ୍ତାକାଲି  ବାଚସ୍ପତି ପ୍ରମିଳା ମଲ୍ଲିକ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହ କାର୍ଯ୍ୟକୁ ଆସନ୍ତାକାଲି ଦିନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୧ ତାରିଖରୁ ବିଧାନସଭା, ଏହା କଣ ଶେଷ ଅଧିବେସନ ହେବ କି ?

ଭୁବନେଶ୍ବର: ଚଳିତ ନଭେମ୍ବର ୨୧ ତାରିଖରୁ ବସିବ ବିଧାନସଭାର ଶୀତ ଅଧିବେସନ। ଏ ନେଇ ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ରାଜ୍ୟପାଳ ରଘୁବର ଦାସ ସମନ ଜାରୀ କରିବା ପରେ ବିଧାନସଭା ତରଫରୁ ବିଜ୍ଞପ୍ତି ବାହାରିଛି।

ଏହି ଅଧିବେସନ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ସେଥିମଧ୍ୟରୁ ୨୪ଟି ସରକାରୀ କାର‌୍ୟ୍ୟ ଦିବସ ଥିବା ବେଳେ ୬ ଟି ବେସରକାରୀ ଦିବସ ରହିଛି।

ତେବେ ଆଗକୁ ନିର୍ବାଚନ ଥିବାରୁ ଏହି ଅଧିବେସନ ଶେଷ ଅଧିବେସନ ହେବ ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଗୃହ ଭିତରେ ଶୋକ ପ୍ରସ୍ତାବ, ବାହାରେ ହୋ ହାଲ୍ଲା, ଆଜିର ବିଧାନସଭାର ଶୀତ ଅଧିବେସନ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ତେବେ ଏହି ଅଧିବେସନ ଆରମ୍ଭରୁ କଂଗ୍ରେସ ବିଧାୟକ ଗେଟ ମୁହଁରେ ରହି ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦାବୀ କରିଥିଲେ। ଦିବ୍ୟଶଙ୍କରଙ୍କୁ ଗୃହ ଭିତରକୁ ନ ଛାଡିବା ପାଇଁ ସେମାନେ ସ୍ଲୋଗାନ ଦେବାରେ ଲାଗିଥିଲେ। ହାତରେ ପ୍ଲାକାର୍ଡ ଧରି ଗେଟ ମୁହଁରେ କଂଗ୍ରେସ ବିଧାୟକ ବସି ରହଥିଲେ। ପରେ ବିଧାନସଭା ଆରମ୍ଭ ହେବାପରେ ସେମାନେ ଗୃହ ଭିତରକୁ ଯାଇଥିଲେ।

ସେପଟେ ଦିନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଦିବଂଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା, ସହିଦ ସୀତାରାମ ମୁର୍ମୁ ଓ ପ୍ରାଣବଳୀ ଦେଇଥିବା କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରି ସ୍ମୃତିଚାରଣ କରିଥିଲେ।

ଏହାପରେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦିବଂଗତଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିବା ପରେ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ନୀରବ ପ୍ରାର୍ଥନା ପରେ ଦିବଂଗତଙ୍କ ସ୍ମୃତିରେ ବାଚସ୍ପତି ଅପରାହ୍ନ ୫ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜିଠାରୁ ଶୀତ ଅଧିବେସନ, ଗାଡି ଚଳାଚଳରେ ହେଲା ପରିବର୍ତ୍ତନ, ମୁତୟନ ହେବେ ସାର୍ପ ସୁଟର

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳିନ ଅଧିବେସନ। ଏହି ଅଧିବେସନର ଅବଧୀ ସ୍ବଳ୍ପ ହେଲେ ପ୍ରସଂଗ ରହିଛି ଅନେକ। ଏତେ ପ୍ରସଂଗକୁ ବିଧାନସଭାରେ ସମୟ ନାହିଁ। ମୁଖ୍ୟତଃ ଏଥର ମମିତା ମେହେର ହତ୍ୟାକାଣ୍ଡ ବିରୋଧୀଙ୍କ ମୁଖ୍ୟ ପ୍ରସଂଗ ହେବ। ଏ ନେଇ ଗୃହ ବେଶ ସରଗରମ ହେବ ବୋଲି ସ୍ପଷ୍ଟ ହୋଇଛି। ଏଥିସହିତ ମାହାଙ୍ଗା ଡବଲ ମର୍ଡର ଘଟଣା ମଧ୍ୟ ବିରୋଧୀ ପ୍ରସଂଗ କରିବେ।

ଏଥର ବିଧାନସଭା ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି। ଏଥିରେ ବାଚସ୍ପତି ବିଧାୟକମାନେ ଗୃହରେ ହୋହଲ୍ଲା କରିବାକୁ ବାରଣ କରିଛନ୍ତି। ତେବେ ଏହା କେତେଦୂର ପାଳନ ହେବ ତାହା ଜଣାପଡିବ।

ବିଧାନସଭା ପାଇଁ ସୁରକ୍ଷା ବ୍ୟବସ୍ଥା

ଏଥର ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କାରଣ ଅଣ୍ଡା ଫିଙ୍ଗିବା, ବିଧାନସଭା ଆଗରେ ଆତ୍ମହୁତି ଦେବ, ଆନ୍ଦୋଳନ ଆଦି କାର୍ଯ୍ୟର ସମ୍ଭାବନା ଅଛି। ସେଥିପାଇଁ ସୁରକ୍ଷା ଦାୟିତ୍ବରେ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚା​ଳିତ ହେବ। ୬ ଜଣ ଅତିରିକ୍ତ ଡିସିପି, ୧୧ଜଣ ଏସିପି, ୧୩ଇନ୍ସପେକ୍ଟର୍‌, ୬୨ଜଣ ଏସ୍ଆଇ ଓ ଏଏସ୍ଆଇ ନିୟୋଜିତ ରହିବେ। ଏସ୍ଓଜିର ଦୁଇ ୟୁନିଟ୍ ସ୍ବତନ୍ତ୍ର ତାଲିମପ୍ରାପ୍ତ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍ ମୁତୟନ ରହିବେ।

ସିସିଟିଭି କ୍ୟାମେରାରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ରବୀନ୍ଦ୍ର ମଣ୍ଡପ ଏବଂ ଗାନ୍ଧୀ ମାର୍ଗରେ ଦୁଇଟି କଣ୍ଟ୍ରୋଲ ରୁମ୍ ରହିବ । ଗାନ୍ଧୀମାର୍ଗରେ ଉଭୟ ଧାରଣାସ୍ଥଳ ଓ ବିଧାନସଭାର ଚାରିପାଖ ସିସିଟିଭି ଅନ୍ତର୍ଭୁକ୍ତ ରହିବ । ସେହିପରି ଟ୍ରାଫିକ୍‌ ପରିଚାଳନା ପାଇଁ ୧ ପ୍ଲାଟୁନ୍ ଫୋର୍ସ ନିୟୋଜିତ ରହିବେ। ଏହାବାଦ୍ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫ୍‌-ଟପ୍ ସିକ୍ୟୁରିଟି, ସାର୍ପ ସୁଟର୍‌ମାନଙ୍କ ମଧ୍ୟ ମୁତୟନ କରାଯିବ ।

ଭୁବନେଶ୍ବରର ଗାଡି ଚଳାଚଳରେ ହେବ ପରିବର୍ତ୍ତନ

ବିଧାନସଭା ଅଧିବେଶନ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଆସନ୍ତା ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ସଂଲଗ୍ନ ରାସ୍ତା ଗୁଡ଼ିକରେ ନିରାପତ୍ତାକୁ ଦୃଷ୍ଟିରେ ରଖି କାର୍ଯ୍ୟକ‌ାରୀ କରାଯିବ । ହାଉସିଂ ବୋର୍ଡ ଛକପଟୁ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ଟକିଜ୍‌ ଠାରୁ ଆଗକୁ ନଯାଇ ବାମପଟ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।
ସେହିପରି ଏଜି ଛକପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧି ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ମାଷ୍ଟରକ୍ୟାଣ୍ଟିନ ପଟୁ ପିଏମ୍‌ଜି ଆଡ଼କୁ ଆସୁଥୁବା ସମସ୍ତ ଗାଡ଼ି ଲୋୟର ପିଏମଜି ଛକରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ । କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ ।
୧୨୦ ବାଟାଲିୟନ ଛକ ପଟୁ ପିଏମଜି ଛକ ଆଡ଼କୁ ଆସୁଥୁବା ସମସ୍ତ ଗାଡ଼ି ପାୱାର ହାଉସ୍‌ ଛକ ଆଡ଼କୁ ଯିବେ । ରାଜଭବନ ଛକ ପଟୁ ଏମଏଲ୍‌ଏ କଲୋନି ଏବଂ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ସମସ୍ତ ଗାଡ଼ି ଶାସ୍ତ୍ରୀନଗର ଆଡ଼କୁ ଯିବେ । ଏହି କଟକଣା ବିଧାନସଭା, ଲୋକସେବା ଭବନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ ।
ଏହି ଅଧିବେସନ ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୩୧ଟି ଦିବସ ଥିବାବେଳେ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି । ସେଥି ମଧ୍ୟରୁ ୫ଟି ଛୁଟି ଦିବସ ରହିଛି । ଆଜି ରାଜ୍ୟର ଅତିରିକ୍ତ ବଜେଟ ଉପସ୍ଥାପନା କରାଯିବ। ସେହପରି ଦଶ ତାରିଖରେ ବ୍ୟୟମଂଜୁରୀ ବିଲ ପାଶ କରାଯିବ।