ଗୃହ ଭିତରେ ଶୋକ ପ୍ରସ୍ତାବ, ବାହାରେ ହୋ ହାଲ୍ଲା, ଆଜିର ବିଧାନସଭାର ଶୀତ ଅଧିବେସନ

Published: Dec 1, 2021, 2:55 pm IST

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ତେବେ ଏହି ଅଧିବେସନ ଆରମ୍ଭରୁ କଂଗ୍ରେସ ବିଧାୟକ ଗେଟ ମୁହଁରେ ରହି ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦାବୀ କରିଥିଲେ। ଦିବ୍ୟଶଙ୍କରଙ୍କୁ ଗୃହ ଭିତରକୁ ନ ଛାଡିବା ପାଇଁ ସେମାନେ ସ୍ଲୋଗାନ ଦେବାରେ ଲାଗିଥିଲେ। ହାତରେ ପ୍ଲାକାର୍ଡ ଧରି ଗେଟ ମୁହଁରେ କଂଗ୍ରେସ ବିଧାୟକ ବସି ରହଥିଲେ। ପରେ ବିଧାନସଭା ଆରମ୍ଭ ହେବାପରେ ସେମାନେ ଗୃହ ଭିତରକୁ ଯାଇଥିଲେ।

ସେପଟେ ଦିନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଦିବଂଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା, ସହିଦ ସୀତାରାମ ମୁର୍ମୁ ଓ ପ୍ରାଣବଳୀ ଦେଇଥିବା କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରି ସ୍ମୃତିଚାରଣ କରିଥିଲେ।

ଏହାପରେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦିବଂଗତଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିବା ପରେ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ନୀରବ ପ୍ରାର୍ଥନା ପରେ ଦିବଂଗତଙ୍କ ସ୍ମୃତିରେ ବାଚସ୍ପତି ଅପରାହ୍ନ ୫ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।

Related posts