Categories
ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ନେତା ଶରତ କରଙ୍କ ପୁଅ ଆଇଆରଏସ ଚାକିରୀରୁ ଦେଲେ ଇସ୍ତଫା, କାରଣ କଣ ଜାଣନ୍ତି ?

ଭୁବନେଶ୍ବର, ଓଡିଶାର ବରିଷ୍ଠ ନେତା ତଥା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ପୁତ୍ର ଶୋଭନ କୁମାର କର ଚାକିରୀରୁ ସ୍ବଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ସେ ଭାରତୀୟ ରେଭିନ୍ୟୁ ସେବା ଅଧିକାରୀ ଭାବେ ଭାରତ ସରକାରଙ୍କ ଅଧିନରେ ଚାକିରୀ କରୁଥିଲେ। ତାଙ୍କର ଚାକିରୀକାଳ ଆହୁରି 12 ବର୍ଷ ବାକି ଥିବା ବେଳେ ସେ ସେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି।

ବିଶେଷ ସୁତ୍ରରୁ ଜଣାପଡିଛି ଯେ ଶୋଭନ କର କୁଆଡେ ରାଜନୀତି କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ତାଙ୍କ ବାପାଙ୍କ ପରି ସେ ରାଜନୈତିକ ମଇଦାନରେ ଲୋକଙ୍କ ସେବା କରିବା ପାଇଁ ଚାହାଁନ୍ତି। ସେଥିପାଇଁ ସେ ଏତେ ବଡ ଚାକିରୀରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅବସରକୁ କେନ୍ଦ୍ର ସରକାର ମଧ୍ୟ ଗ୍ରହଣ କରି ତାଙ୍କୁ ରିଲିଭ କରିବା ପାଇଁ କହିଛନ୍ତି।

ତେବେ ସେ କେଉଁ ଦଳରେ ଯୋଗ ଦେବେ ବୋଲି ଜଣାପଡି ନ ଥିଲେ ମଧ୍ୟ ବିଜେପିକୁ ଯିବେ ବୋଲି ଜଣାପଡିଛି। ତାଙ୍କର ବାପା ମାହାଙ୍ଗା ନିର୍ବାଚନ ମଣ୍ଡଳିର ବିଧାୟକ ଭାବେ ବେଶ୍ ଲୋକପ୍ରିୟ ଥିଲେ। ଶରତ କରଙ୍କ ଗତ ବର୍ଷ ଅକ୍ଟୋବର 12 ତାରିଖରେ ପରଲୋକ ଘଟିଛି। ତାଙ୍କର ଯେପରି ଲୋକ ସଂପର୍କ ରହିଛି ତାହାକୁ ପାଥେୟ କରି ଶୋଭନ ଆଗକୁ ବଢିବେ ବୋଲି ଜଣାପଡିଛି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେହିପରି ବରିଷ୍ଠ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ସ୍ବେଚ୍ଛାକୃତ ଅବସର ଗ୍ରହଣ କରି ବିଜେପିରେ ଯୋଗ ଦେଇଥିଲେ। ସେ ଯେତେବେଳେ ସ୍ବେଚ୍ଛାକୃତ ଅବସର ନେଲେ ସେତେବେଳେ ସେ ରାଜନୀତିରେ ଯୋଗ ଦେବେ ବୋଲି ସ୍ପଷ୍ଟ ହୋଇଥିଲା। ଠିକ୍ ସେହିପରି ଶୋଭନଙ୍କ କ୍ଷେତ୍ରରେ ମଧ୍ୟ ଘଟିବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ ମାହାଙ୍ଗାରେ ଯେପରି ରାଜନୈତିକ ଉଷ୍ମତା ଦେଖାଦେଇଛି ତାହା ସାରା ଓଡିଶାରେ ବେଶ୍ ଚର୍ଚ୍ଚା ଚାଲିଛି। ଏପରି ପରିସ୍ଥିତରେ ସେ ଚାକିରୀରୁ ଇସ୍ତାଫା ଦେବାକୁ ନେଇ ବିଭିନ୍ନ ମହଲରେ ଆଲେଚନା ଚାଲିଛି।