ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସହର ସମଗ୍ର ଓଡ଼ିଶାରେ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି। ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମା’ ଭଗବତୀ ମନ୍ଦିର, ବରବରା ଠାରେ ଏସିଆ ମହାଦେଶର ବୃହତ୍ତମ ଶାଗୁଆନ ଜଙ୍ଗଲ, ଶାଳିଆ ଡ୍ୟାମ ଓ ଦକ୍ଷେଶ୍ୱର ମନ୍ଦିର ପରି ଏକାଧିକ ପର୍ଯ୍ୟଟନ ସ୍ଥଳ ଥିବା ବେଳେ ବେତ କାମ ଉକ୍ତ ସହରର ଖ୍ୟାତି ବୃଦ୍ଧି କରୁଛି।
ବଢୁଥିବା ଜନବସତି ଏବଂ ପର୍ଯ୍ୟଟନ ବିକାଶକୁ ନଜରରେ ରଖି ରାଜ୍ୟ ସରକାର ବାଣପୁରକୁ ୧୯୭୩ ମସିହାରେ ଏନ.ଏ.ସି ଘୋଷଣା କରିଥିଲେ। ଯାହାଦ୍ୱାରା ବାଣପୁର ଏକ ସହରର ମର୍ଯ୍ୟାଦା ପାଇଥିଲା ଏବଂ ଏଠାରେ ବସବାସ କରୁଥିବା ନାଗରିକ ମାନେ ସହରର ସମସ୍ତ ସୁବିଧା ସୁଯୋଗ ପାଇପାରିବେ। ତେବେ ୧୫ ଟି ୱାର୍ଡ ବିଶିଷ୍ଟ ଉକ୍ତ ସହରର ଜନସଂଖ୍ୟା ୨୦୦୧ ଜନଗଣନା ଅନୁଯାୟୀ ୧୭୨୭୮ ଥିବାବେଳେ ବର୍ତ୍ତମାନ ଏହା ପାଖାପାଖି ଦ୍ବିଗୁଣିତ ହୋଇଛି। ହେଲେ ଏଯାବତ ଏନ.ଏ.ସି ପ୍ରଶାସନ ତରଫରୁ ସହରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଶୌଚାଳୟର ବ୍ୟବସ୍ଥା ହୋଇପାରିନାହିଁ। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ।
ପର୍ଯ୍ୟଟକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ୨୦୧୨/୧୩ ଆର୍ଥିକ ବର୍ଷରେ ପାଖାପାଖି ସାଢେ ତିନି ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏନ.ଏ.ସି ତରଫରୁ ମା’ ଭଗବତୀ ମନ୍ଦିରର ପଛପାର୍ଶ୍ୱରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି। ଯାହା ସର୍ବଦା ବନ୍ଦ ରହୁଥିବା ବେଳେ ସର୍ବସାଧାରଣଙ୍କ ବ୍ୟବହାରରେ ଲାଗିପାରୁ ନାହିଁ। ସହରର ପ୍ରବେଶ ପଥ ଯଥା ବିଷାରପାଟଣରୁ ଭଗବତୀ ସାହି ଏବଂ ପଲଟନ ପଡିଆ ପର୍ଯ୍ୟନ୍ତ ଗୋଟାଏ ହେଲେ ଶୌଚାଳୟ ନାହିଁ। ଯାହା ଫଳରେ ସ୍ଥାନୀୟ ବ୍ୟବସାୟୀ ଏବଂ ସହରକୁ ବାହାରୁ ବ୍ୟବସାୟ ତଥା ପର୍ଯ୍ୟଟନ ଉଦ୍ଦେଶ୍ୟରେ ଆସୁଥିବା ଅନେକ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନ.ଏ.ସି ପ୍ରଶାସନକୁ ଏ ବିଷୟ ନେଇ ଜନସାଧାରଣମାନେ ଦାବି ଜଣାଇଲେ ସହରରେ ସରକାରୀ ସ୍ଥାନର ଅଭାବ ଥିବାରୁ ଏଯାବତ ଶୌଚାଳୟ ନିର୍ମାଣ ହେଇପାରୁନାହିଁ ବୋଲି ସ୍ପଷ୍ଟୀକରଣ ମିଳୁଛି।
ଏହି ପରିପ୍ରେକ୍ଷୀରେ ଏନ.ଏ.ସି ପ୍ରଶାସନ ଯଥାଶୀଘ୍ର ଏହାର ବିକଳ୍ପ ଖୋଜି ସହରର ମୁଖ୍ୟ ମୁଖ୍ୟ ସ୍ଥାନରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଶୌଚାଳୟ ନିର୍ମାଣ କରିବାଦିଗରେ ତତ୍ପର ହେଉ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ଏବଂ ଆଶା କରିଛନ୍ତି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସହରବାସୀଙ୍କ ଉକ୍ତ ଗୁରୁତର ସମସ୍ୟାକୁ ହୃଦୟଙ୍ଗମ କରି ଯଥାଶୀଘ୍ର ଶୌଚାଳୟ ନିର୍ମାଣ କରିବା ଦିଗରେ ଧ୍ୟାନ ଦେବେ।