Categories
ଆଜିର ଖବର ରାଜ୍ୟ ଖବର

ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳିତ

ରଣପୁର: ରାଜ୍ୟ ସରକାରଙ୍କ ସାମ୍ବାଦିକମାନଙ୍କ ପ୍ରତି ଅବହେଳା ମନୋଭାବ ସାମ୍ବାଦିକମାନଙ୍କୁ ମର୍ମାହତ କରିଛି। ଅନ୍ୟ ରାଜ୍ୟର ସାମ୍ବାଦିକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ମିଳୁଥିବା ବେଳେ ଓଡିଶାର ସାମ୍ବାଦିକମାନେ ସେସବୁ ସୁବିଧାରୁ ବଂଚିତ ହେଉଛନ୍ତି। ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଅବହେଳା ପ୍ରତିବାଦରେ ନୟାଗଡ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କରିଛନ୍ତି।

ଏହା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ନୟାଗଡ ଜିଲ୍ଲାପାଳଙ୍କୁ ଏକ ଚାରି ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଚାରି ଦଫା ଦାବିଗୁଡିକ ହେଉଛି ପ୍ରଚଳିତ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ ୧୫ ହଜାର ଟଙ୍କା ପେନାସନ ପ୍ରଦାନ କରିବା, ଦୀର୍ଘ ଦିନ ଧରି ଅଚଳ ଥିବା ସାମ୍ବାଦିକ ଅଧିସ୍ୱୀକୃତି କମିଟିର ପୁନଃ ଗଠନ କରିବା ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା।

ଏହି ପ୍ରତିବାଦ ଦିବସ ପାଳନରେ ନୟାଗଡ ଜିଲ୍ଲା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଗୋପାଳଚନ୍ଦ୍ର ବିଶ୍ୱାଳ, ଉପଦେଷ୍ଟା ସଞ୍ଜୟ କୁମାର ସ୍ୱାଇଁ, ଉପସଭାପତି ବିରଞ୍ଚି ନାୟକ, ସମ୍ପାଦକ ବ୍ରଜ ରଣସିଂହ, ଉମେଶ ଚନ୍ଦ୍ର ସାହୁ, ଶିବାନନ୍ଦ ଘଡେଇଙ୍କ ସହ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆନ୍ତର୍ଜାତିକ ଶ୍ରମ ଦିବସ ଉପଲକ୍ଷେ ଶ୍ରମିକଙ୍କ ପାଇଁ ଲୋକାର୍ପଣ ହେଲା ୧୫ ଗୋଟି ସେବା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ଆଜି ଆନ୍ତର୍ଜାତିକ ଶ୍ରମ ଦିବସ ସ୍ଥାନୀୟ ଜୟଦେବ ଭବନଠାରେ ପାଳନ କରାଯାଇଛି।
ଉକ୍ତ ସମାରୋହରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ ଆମ ରାଜ୍ୟ ତଥା ଦେଶର କ୍ରମାଗତ ପ୍ରଗତିରେ ଶ୍ରମିକମାନେ ନିରବଚ୍ଛିନ୍ନ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି।

ରାଜ୍ୟ ସରକାର ଶ୍ରମିକମାନଙ୍କର ସାମାଜିକ ତଥା ଅର୍ଥନୈତିକ ବିକାଶ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ କଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି। ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ, ମହିଳା ଶ୍ରମିକ, ଶିଳ୍ପସଂସ୍ଥା ତଥା ବାଣିଜ୍ୟ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।

ଆଜିର ଶ୍ରମ ଦିବସ ଅବସରରେ ଓଡ଼ିଶାର ଅଣ-ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ମାଧ୍ୟମରେ ଯୋଗ୍ୟ ଅଣ-ସଂଗଠିତ ଶ୍ରମିକମାନଙ୍କର ପଞ୍ଜିକରଣ ତଥା ସହାୟତା ପାଇଁ ଏକ ଅନ୍‌ଲାଇନ ପୋର୍ଟାଲ, ବିଭାଗର ପରିଶ୍ରମ ପୋର୍ଟାଲ ଅଧୀନରେ ୫୨ ଗୋଟି ଅନ୍‌ଲାଇନ ସେବା ସହିତ ନୂତନ ଭାବେ ଅତିରିକ୍ତ ୧୫ ଗୋଟି ସେବା ଏବଂ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ନିର୍ମାଣ ଶ୍ରମିକ ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ ସେସ୍‌ ଆଦାୟ ମଡୁ୍ୟଲର ଲୋକାର୍ପଣ କରାଯାଇଛି। ଫଳରେ ଶ୍ରମିକମାନଙ୍କ ନିମନ୍ତେ ବିଭିନ୍ନ ସହାୟତା ଓ ସେବା ସହଜରେ ଉପଲବ୍ଧ ହେବ।

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶେ୍ୱତାସ୍ନିUା ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ପଞ୍ଜିକୃତ ନିର୍ମାଣ ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି ଓ ଅଦ୍ୟାବଧି ୩୮ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ଉକ୍ତ ବୋର୍ଡ ଅଧୀନରେ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ କଲ୍ୟାଣ ପାଇଁ ୨୯୩୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହା ସେମାନଙ୍କ ଆର୍ଥିକ ଓ ସାମାଜିକ ମାନଦଣ୍ଡ ବୃଦ୍ଧିରେ ବହୁଳ ମାତ୍ରାରେ ସହାୟକ ହୋଇପାରିଛି।

ଏହି ଅବସରରେ ରାଜ୍ୟର ଶ୍ରମିକମାନଙ୍କ ବିକାଶରେ ଉଲ୍ଲେଖନୀୟ ଅବଦାନ କରିଥିବା ବିଭିନ୍ନ ଶ୍ରମିକ ସଂଗଠନର ୫ ଜଣ ନେତା ଯଥା- ଲକ୍ଷ୍ମୀଧର ସାହୁ (ଏଜ୍‌.ଏମ୍‌.ଏସ୍‌.), ସୌଭାଗ୍ୟ ପ୍ରଧାନ (ଆଇ.ଏନ୍‌.ଟି.ୟୁ.ସି.), ଗୌରାଙ୍ଗ ଚରଣ ପାଣିଗ୍ରାହୀ (ଏ.ଆଇ.ଟି.ୟୁ.ସି.), କୃଷ୍ଣ ଚନ୍ଦ୍ର ମିଶ୍ର (ବି.ଏମ୍‌.ଏସ୍‌.) ଓ ବୀରେନ୍ଦ୍ର ପ୍ରସାଦ ଦାସ (ଏଲ୍‌.ପି.ଏଫ୍‌.)ଙ୍କୁ ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଉତ୍ସବରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଶାସନ ସଚିବ ଶ୍ରୀ ଆର୍‌.ଏସ୍‌.ଗୋପାଳନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରମ କମିଶନର ଡ. ଏନ୍‌. ଥିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ବରିଷ୍ଠ ପଦାଧିକାରୀ, ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦ ତଥା ବହୁ ସଂଖ୍ୟାରେ ଶ୍ରମିକମାନେ ଯୋଗ ଦେଇଥିଲେ ।

Categories
ଆଞ୍ଚଳିକ

ସାମ୍ବାଦିକଙ୍କ ପାଇଁ ସାମାଜିକ ସୁରକ୍ଷା ଜରୁରୀ, ଶ୍ରମମନ୍ତ୍ରୀ

ଭୁବନେଶ୍ବର: ଓୟୁଜେର ଶ୍ରମିକ ଦିବସ ସମାରୋହରେ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର, ୨.୫ : ବୀମାରାଶି ବୃଦ୍ଧି ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ସମେତ ସାମ୍ବାଦିକମାନେ ଉଠାଇଥିବା ସମସ୍ତ ନ୍ୟାୟୋଚିତ ଦାବିର ଯଥାର୍ଥତା ରହିଛି । ଏସବୁକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଖୁବ୍ ଶୀଘ୍ର ଆଲୋଚନା କରିବେ ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିଶ୍ରୁତି ଦେଇଛନ୍ତି ।

ଶ୍ରମିକ ଦିବସ ଅବସରରେ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ରବିବାର ସନ୍ଧ୍ୟାରେ ଓୟୁଜେ ଭବନ ପରିସରରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂ କହିଥିଲେ ଯେ, ସାମ୍ବାଦିକ ଓ ସମ୍ବାଦପତ୍ର କର୍ମଚାରୀମାନଙ୍କ ଲାଗି ଇ.ଏସ୍‌.ଆଇ ଚିକିତ୍ସା ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା ସଂକ୍ରାନ୍ତରେ ଖୁବ୍ ଶୀଘ୍ର ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଆଲୋଚନା କରିବେ।

ସମ୍ପ୍ରତି ସମ୍ବାଦିକତା କ୍ଷେତ୍ରରେ ଘଟୁଥିବା ଅବମୂଲ୍ୟାୟନ ନେଇ ସେ ଉଦ୍‌ବେଗ ପ୍ରକାଶ କରିବା ସହ ଏ ଦିଗରେ ସାମ୍ବାଦିକ ସଂଘଗୁଡ଼ିକୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଓୟୁଜେ ସଭାପତି, ପ୍ରେସ୍ କାଉନସିଲ ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶଷର ସାଂସଦ ମୁଜିଉଲ୍ଲା ଖାନ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପରିବର୍ତ୍ତିତ ପରିସ୍ଥିତିରେ ସାମ୍ବାଦିକତାର ଗୁରୁଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ହାସଲ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓୟୁଜେର ଅଗ୍ରଣୀ ଭୂମିକାକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଖବରକାଗଜ ବିତରଣକୁ ବୃତ୍ତି କରି ଜୀବନ ସଂଗ୍ରାମରେ ଏକ ନୂଆ ନଜିର ସୃଷ୍ଟି କରିଥିବା ଶ୍ରୀମତୀ ଶୋଭାରାଣି ଦାସଙ୍କୁ ଓୟୁଜେ ପକ୍ଷରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସମାବେଶରେ ୟୁନିୟନ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମନ୍ତ୍ରୀ ଶ୍ରୀ ସିଂଙ୍କୁ ପ୍ରଦାନ କରାଯାଇଥିଲା। ବୀମାରାଶିକୁ ୨ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା ଓ ଅବସରପ୍ରାପ୍ତ ସାମ୍ବାଦିକଙ୍କ ଲାଗି ମାସିକ ୨୦ ହଜାର ଟଙ୍କା ପେନ୍‌ସନ ବ୍ୟବସ୍ଥା କରିବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି।

ଓୟୁଜେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ, ଉପସଭାପତି ରାକେଶ ପଟ୍ଟନାୟକ, କିଶାନ ରାଉତ, ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ସାହୁ, ସମ୍ପାଦକ ପ୍ରସନ୍ନ ପାଇକରାୟ, କୋଷାଧ୍ୟକ୍ଷ ଅମୂଲ୍ୟ ରଞ୍ଜନ ସ୍ୱାଇଁ, ଅବିନାଶ ମହାପାତ୍ର, ରାଜୀବ ମହାନ୍ତି, ଅଭୟ ପତି ପ୍ରମୁଖ ବକ୍ତବ୍ୟ ରଖି ସାମ୍ବାଦିକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୨ ସମାରୋହ, ଜାଣନ୍ତୁ କଣ କରିଛନ୍ତି ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମଇ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଯାଇଛି। ଏହି ସମାରୋହକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।
ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ନିରନ୍ତର ଭାବେ କାର୍ଯ୍ୟ କରୁଛି।

ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ଅଦ୍ୟାବଧି ୩୫ ଲକ୍ଷରୁ ଊର୍ଦ୍ଧ ନିର୍ମାଣ ଶ୍ରମିକଙ୍କୁ ଏହି ବୋର୍ଡ଼ ଅଧିନରେ ପଞ୍ଜିକୃତ କରାଯାଇ ମୋଟ ୨୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ପଞ୍ଜିକୃତ ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାରଙ୍କୁ ଶିକ୍ଷାବୃତ୍ତି, ବିବାହ, ପ୍ରସୂତି, ମୃତୁ୍ୟ, ଅନ୍ତ୍ୟେଷ୍ଟିକ୍ରିୟା ସକାଶେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଏହି କଲ୍ୟାଣ ବୋର୍ଡ଼ ମାଧ୍ୟମରେ ‘ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା’, ‘ନିର୍ମାଣ ଶ୍ରମିକ ପେନସନ୍‌ ଯୋଜନା’, ସରକାରୀ ଆଇ.ଟି.ଆଇ ଓ ଡିପ୍ଲୋମା ଅନୁଷ୍ଠାନରେ ଶିକ୍ଷା ନିମନ୍ତେ ‘ନିର୍ମାଣ କୁସୁମ ଯୋଜନା’ କାର୍ଯ୍ୟକାରୀ କରାଯାଉଛି । ସେହିପରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଗଠନ କରାଯାଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ।

ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ ରାଜ୍ୟର ୪ଟି ପ୍ରବାସୀ ଶ୍ରମିକପ୍ରବଣ ଜିଲ୍ଲା ଯଥା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୪୭୭ଟି ପଂଚାୟତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍‌ କାର୍ଯ୍ୟକାରୀ ହେଉଛି ।
ରାଜ୍ୟ ସରକାରଙ୍କ ୫-‘ଟି’ ଉପକ୍ରମରେ PAReSHRAM portal କାର୍ଯ୍ୟକାରୀ କରାଯାଇ ୫୨ଗୋଟି ବିଭିନ୍ନ ସେବା ଅନ୍‌ଲାଇନ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଛି, ଯାହା ରାଜ୍ୟରେ ବ୍ୟବସାୟ ସରଳୀକରଣ ଦିଗରେ ସହାୟକ ହେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ୱଚ୍ଛତାର ସହ ସେବା ଯୋଗାଇ ପାରିଛି । ଅଦ୍ୟାବଧି, ଏହି ପୋର୍ଟାଲ ମାଧ୍ୟମରେ ୧୬,୫୦୦ରୁ ଊଦ୍ଧ୍ୱର୍ ସେବା ପ୍ରଦାନ କରାଯାଇଛି ।

ଆଜିର ଏହି ସମାରୋହରେ ମନ୍ତ୍ରୀ ଶ୍ରୀ ସିଂହ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍‌ଲାଇନ୍‌ ପୋର୍ଟାଲ https:\\nirmanshramik.odisha.gov.in କୁ ଲୋକାର୍ପଣ କରି କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ୱାରା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ, ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଶ୍ରମିକ ଭାଇଭଉଣୀମାନେ ଘରେ ବସି ମଧ୍ୟ ଉପରୋକ୍ତ ସେବା ପାଇପାରିବେ । ଏହି ଅବସରରେ ମନ୍ତ୍ରୀ ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ (www.labourdirectorate.odisha.gov.in)ଏବଂ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ (www.dfb.odisha.gov.in) ର ଦୁଇଗୋଟି େୱବ୍‌ସାଇଟ୍‌କୁ ମଧ୍ୟ ଲୋକାର୍ପଣ କରିଥିଲେ । ତତ୍‌ସହିତ ‘ଶ୍ରମ କଲ୍ୟାଣ’ ନାମକ ଏକ ବୁଲେଟିନ୍‌ ମଧ୍ୟ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ଶ୍ରମିକ ଭାଇଭଉଣୀମାନଙ୍କୁ ବିଭାଗ ତରଫରୁ ମୁଖ୍ୟଅତିଥି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଉପସ୍ଥିତ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଶ୍ରମିକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ବହୁବିଧ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଆମ ରାଜ୍ୟ ଭାରତବର୍ଷରେ ଆଜି ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି ।

ଏହି ସମାରୋହରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ ଯେ ରାଜ୍ୟ ସରକାର ଶ୍ରମିକମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ ଅଙ୍ଗୀକାରବଦ୍ଧ ଓ ସର୍ବଦା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଶ୍ରମିକ ଭାଇଭଉଣୀମାନଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ ଅହରହ କାର୍ଯ୍ୟ କରୁଥିବା ପ୍ରମୁଖ ଶ୍ରମିକ ସଂଗଠନର ୪ଜଣ ଶ୍ରମିକ ନେତାଙ୍କୁ ଏହି କାର୍ଯ୍ୟକ୍ରମରେ ‘ବିଜୁ ଶ୍ରମିକ ବନ୍ଧୁ ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଥିଲା।

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍‌ ସ୍ୱାଗତ ଭାଷଣ ଦେଇଥିଲାବେଳେ ଶ୍ରମ ଆୟୁକ୍ତ ଡ. ଏନ୍‌. ଥିରୁମାଲା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ବରିଷ୍ଠ ପଦାଧିକାରୀ, ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ଏବଂ ବହୁ ଶ୍ରମିକ ଭାଇଭଉଣୀମାନେ ଯୋଗ ଦେଇଥିଲେ ।