Categories
ଆଞ୍ଚଳିକ

ବାଲୁଗାଁ: ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ

ବାଲୁଗାଁ: ବାଲୁଗାଁ ସହରର ଗୋପବନ୍ଧୁ ନଗରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ସମାରୋହ ଅଧ୍ୟାପକ ରମାକାନ୍ତ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଅରବିନ୍ଦଙ୍କ ପ୍ରଦର୍ଶିତ ପୂର୍ଣ୍ଣାଙ୍ଗ ଶିକ୍ଷା କିପରି ଶିକ୍ଷାର୍ଥୀ ମାନଙ୍କର ମନ ପ୍ରାଣ ଶରୀରର ରୂପାନ୍ତର ଦିଗରେ ସହାୟକ ହେବl ସହ ଚେତନlଗତ ବିକାଶ ଓ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଥାଏ ତାହା ଉପସ୍ଥାପିତ କରିଥିଲେ।

ଉକ୍ତ ଉତ୍ସବରେ ବରିଷ୍ଠ ଶିକ୍ଷାବିତ ତଥା ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଅରବିନ୍ଦ ପାଠ ଚକ୍ର ସଂଗଠନର ସଂଯୋଜକ ସୁରେନ୍ଦ୍ର ନାଥ ଜେନା ଓ ପ୍ରକାଶ କୁମାର ମହାପାତ୍ର ଯୋଗ ଦେଇ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଭିନଵ ଶିକ୍ଷା ବ୍ୟବସ୍ଥା, ଶୈକ୍ଷିକ ବାତାବରଣ ଓ ଶିଶୁ ମନସ୍ତତ୍ଵ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ।

ଏହି ସଭାରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବା ବେଳେ ସମ୍ପାଦକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହାପରେ ଛାତ୍ର ଛାତ୍ରୀ ମାନେ ମାତୃ ସଂଗୀତ, ଲୋକ ସଂଗୀତ, ସାମାଜିକ ଉତ୍ତରଣ, ସଚେତନ ମୂଳଜ, ଦେଶାତ୍ମବୋଧକ ତଥା ଆଧ୍ୟାତ୍ମିକ ସଂଗୀତ ଆଧାରିତ ଚିତ୍ତାକର୍ଷକ ଦଳଗତ ନୃତ୍ୟ ପରିବେଷଣ କରିଥିଲେ।