Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ହାତରୁ ପ୍ରମାଣପତ୍ର ଗ୍ରହଣ କରିଥିବା ଶ୍ରୀଜିଉଙ୍କର ଦୟଣାମାଳି ସେବକ

ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କର ଦୟଣାମାଳି ସେବକ ବସନ୍ତ କୁମାର ରଣା କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନାକୁ ନେଇ ବେଶ ଉତ୍ସାହ ପ୍ରକାଶ କରିବା ସହିତ ଏହା କୌଳିକ ବୃତ୍ତିଧାରୀ କାରିଗରମାନଙ୍କୁ ବିଶେଷ ଭାବେ ସହାୟକ ହେବ ବୋଲି କହିଛନ୍ତି। ଗତ ୧୭ ତାରିଖରେ ପିଏମ୍‌ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଶ୍ରୀ ରଣା ବିଶ୍ୱକର୍ମା ପ୍ରମାଣପତ୍ର ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଅନୁଭୂତି ସ୍ୱତନ୍ତ୍ର ଥିଲା ବୋଲି  ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଶ୍ରୀ ରଣା କହିଛନ୍ତି, ୯୦ ଦଶକରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରି ଆସୁଛନ୍ତି। ଶ୍ରୀଜିଉଙ୍କ ସବୁଠୁ ବିରଳ ବେଶ ନାଗାର୍ଜ୍ଜୁନ ବେଶ ସମୟରେ ସେ ଫୁଲମାଳ, ଟାହିଆ ଯୋଗାଇ ଦେଇଥିଲେ। ଶ୍ରୀଜିଉଙ୍କର ସ୍ନାନ ପୂର୍ଣ୍ଣିମା, ହାତୀ ବେଶ, ଗଜ ଉଦ୍ଧାରଣ ବେଶ, କୃଷ୍ଣ ବଳରାମ ବେଶ, ପଦ୍ମବେଶ, ଡାଳିକିଆ ବେଶ ମଧ୍ୟ ସେ ପ୍ରସ୍ତୁତ କରିଥାନ୍ତି। ତା’ଛଡ଼ା ସ୍ନାନପୂର୍ଣ୍ଣିମା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଟାହିଆ ମଧ୍ୟ ସେ ତିଆରି କରିଥାନ୍ତି।

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ବିଶ୍ୱକର୍ମା ପ୍ରମାଣପତ୍ର ଗ୍ରହଣ କରିବାର ଅନୁଭୂତିକୁ ନେଇ ପଚାରିବାରୁ ଶ୍ରୀ ରଣା ଭାବପ୍ରବଣ ହୋଇ ପଡ଼ିଛନ୍ତି। ସେ କହିଛନ୍ତି, ତାଙ୍କ ଭଳି ସାଧାରଣ କାରିଗରଙ୍କୁ ଦେଶର ରାଜଧାନୀର ମଞ୍ଚରେ ଛିଡ଼ା ହେବାର ସୁଯୋଗ ମିଳିବା ଶ୍ରୀଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାର ଅନୁଭୂତି ସ୍ୱତନ୍ତ୍ର ଥିଲା। ମହାପ୍ରଭୁ ଜଗନ୍ନାଥଙ୍କ କେଉଁ ସବୁ ସେବା କରିଥାନ୍ତି ସେ ସମ୍ପର୍କରେ ଶ୍ରୀ ମୋଦୀ ତାଙ୍କ ସହ କଥା ହୋଇଥିଲେ ବୋଲି ସେ କହିଛନ୍ତି।

ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ନେଇ ଶ୍ରୀ ରଣା କହିଛନ୍ତି, ପୁରୀ ସହରରେ ଥିବା ସବୁ ବିଶ୍ୱକର୍ମାମାନଙ୍କୁ ଚିହ୍ନଟ ଏବଂ ଏକତ୍ରିତ କରି ସେମାନଙ୍କ ପାଇଁ ତାଲିମ ବ୍ୟବସ୍ଥା କରାଯିବ। ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ କରାଯିବ। ରାଜ୍ୟର ପୁରୀ, ଭୁବନେଶ୍ୱର ଓ ସମ୍ବଲପୁର ଠାରେ କୌଳିକ ବୃତ୍ତିଧାରୀ କାରିଗରଙ୍କ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଦ୍ୱାରା, ରଜକ, ବାଉଁଶ ସାମଗ୍ରୀ ନିର୍ମାଣ କାରିଗର, ବଢ଼େଇ, ମାଳାକାର, ରାଜମିସ୍ତ୍ରୀ ଭଳି କୌଳିକ ବୃତ୍ତି ଧାରୀ ଅବହେଳିତ ବର୍ଗର ଲୋକମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ରଣା ଆଶାବ୍ୟକ୍ତ କରିଛନ୍ତି। ତାଙ୍କ ଭଳି କାରିଗରମାନଙ୍କୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଦରବାରରେ ସମ୍ମାନ ଦେଇଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି। କୌଳିକ ବୃତ୍ତିଧାରୀଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ହେଲେ ସବୁ କାରିଗରମାନେ ଉପକୃତ ହୋଇପାରିବେ। ପ୍ରଶିକ୍ଷଣ, ଆର୍ଥିକ ସହାୟତା, ଋଣ ବ୍ୟବସ୍ଥା ଦ୍ୱାରା ମାଳି, ରଜକ, ବଣିଆ ଭଳି ବୃତ୍ତିଧାରୀମାନେ ଉପକୃତ ହୋଇପାରିବେ। କେନ୍ଦ୍ର ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ ମିଳିଛି ବୋଲି ଶ୍ରୀ ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Categories
ଆଞ୍ଚଳିକ ଧର୍ମ ସଂସ୍କୃତି

ବାଣପୁରର ଆରାଧ୍ୟ ଶ୍ରୀଶ୍ରୀଶ୍ରୀ ରଙ୍କନାଥ ଦେବଙ୍କ ଋକ୍ମଣୀ ହରଣ ଏକାଦଶୀ ଏବଂ ଗୁଆଲି ଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀକ୍ଷେତ୍ର ପୁରୀ ଭଳି ଲୀଳା ଶ୍ରୀକ୍ଷେତ୍ର ବାଣପୁରର ଆରାଧ୍ୟ ଶ୍ରୀ ଶ୍ରୀ ଶ୍ରୀରଙ୍କନାଥ ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ଏକାଦଶୀ ଏବଂ ଗୁଆଲି ଯାତ୍ରା ପାଳନ ହୋଇଥାଏ। ତା- ୩୦ – o୫-୨୦୨୩ତାରିଖ ଦିନ ରୁକ୍ମିଣୀ ଦେବୀଙ୍କ ପତ୍ର ପାଇବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମଦନମୋହନ ପାଲିଙ୍କିରେ ବେଢା ପରିକ୍ରମା କରି ରାଜେନ୍ଦ୍ରାଭିଷେକ ହୋଇଥିଲେ। ୩୧.୦୫.୨୦୨୩ ତାରିଖ ଦିନ ଶ୍ରୀଦେବୀ ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ବିଜେ କରନ୍ତି।

ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ମା’ ବିମଳାଙ୍କ ମନ୍ଦିରକୁ ପୂଜା ଲାଗି ଯାଇଥାନ୍ତି। ମଦନମୋହନ ବିନା ଛତ୍ର କାହାଳୀରେ ଯାଇ ବିମଳା ମନ୍ଦିର ପାଖରେ ରହିଥାନ୍ତି। ଋକ୍ମିଣୀ ପୂଜା କରି ସାରି ଫେରିବା ସମୟରେ ମଦନ ମୋହନ ତାଙ୍କୁ ସେଠାରୁ ହରଣ କରି ଆଣିଥାନ୍ତି। ବାଟରେ ଶିଶୁପାଳ ଚରିତ୍ରରେ ଜଣେ ସେବକ ବାଟ ଓଗାଳିଥାଏ। ଆଉ ଜଣେ ସେବକ ମଦନମୋହନଙ୍କ ତରଫରୁ ଯୁଦ୍ଧ ହୋଇଥାଏ ଓ ସେଠାରେ ଶିଶୁପାଳ ହାରିଥାଏ।

ମହାପ୍ରଭୁ ତାକୁ ପାଲିଙ୍କିରେ ବାନ୍ଧି ଆଣିଥାନ୍ତି। ବଡ ଭାଇ ବଳଭଦ୍ର ଜାଣିବାପରେ ପାଲିଙ୍କିରେ ବିଜେ ହୋଇ ଯାଇ ମହାପ୍ରଭୁଙ୍କୁ ବୁଝାଇ ଶିଶୁପାଳକୁ ବନ୍ଧନ ମୁକ୍ତ କରିଥାନ୍ତି। ଏହାପରେ ସମସ୍ତ ଦେବାଦେବୀ ସମେତ ଦକ୍ଷେଶ୍ଵର, ମା ଭଗବତୀ, ରଘୁନାଥଙ୍କୁ ନିମନ୍ତ୍ରଣ କରାଯାଏ।  ସଂଧ୍ୟା ଧୂପ ବଢିବାପରେ ବିବାହ ଉତ୍ସବ ଅନୁଷ୍ଠିତ ହୁଏ।

ତାର ପରଦିନ ଉପରବେଳା ମହାପ୍ରଭୁରଙ୍କନାଥ ଦେବ ଗୁଆଲିଯାତ୍ରା ନିମନ୍ତେ ଦକ୍ଷେଶ୍ୱର ମନ୍ଦିରକୁ ବିଜେ କରନ୍ତି। ଏହାପରେ ନଗର ପରିକ୍ରମା କରି ସ୍ଵମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ରଙ୍କ ନାଥ ଦେବ ମନ୍ଦିର କମିଟି ଓ ହନୁମାନ ଚାଳିଶା କମିଟି ଓ ମହିଳାସଂଘ ମିଳିତ ସହଯୋଗ ରେ ସଂପାଦନ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପରାମର୍ଶ

ଭୁବନେଶ୍ୱର: ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ଲାଷ୍ଟିକ ସମସ୍ୟା ଏକ ବଡ ଆହ୍ୱାନ ତିଆରି କରେ। ତେଣୁ ଏହି ପ୍ଲାଷ୍ଟିକ୍ ସମସ୍ୟାର ନିରାକରଣ ପାଇଁ ଚଳିତ ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରି-ସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଏକ ଭିିଡିଓ ବାର୍ତା ମାଧ୍ୟମରେ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପୁରୀରେ ପ୍ଲାଷ୍ଟିକ ହ୍ରାସ କରିବା ପାଇଁ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭିଡ଼ିଓ ବାର୍ତାରେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ବିଧି ବିଧାନ ଆରମ୍ଭ ହୋଇସାରିଛି। ରଥଯାତ୍ରା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ବଡ ଦେଉଳର ରତ୍ନ ସିଂହାସନକୁ ଛାଡି ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେବେ।

ଏହି ଅନନ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାରେ ଯୋଡ଼ି ହେବା ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହେବ। ରଥ ଭିଡ଼ିବା ପାଇଁ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହେବ। ବିଶେଷ ଭାବରେ ରଥଯାତ୍ରା ସମୟରେ ଲୋକମାନଙ୍କ ଦ୍ୱାରା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ବଢ଼ିଥାଏ। ଲୋକମାନେ ବ୍ୟବହୃତ ଭୋଗ ଓ ଫୁଲ ପାଇଁ ପଲିଥିନ, ପାଣି ବୋତଲ, ପାଣି ଗ୍ଲାସ ତଥା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ନେବା ପାଇଁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ମାତ୍ରାଧିକ ବ୍ୟବହାର କରନ୍ତି। ଏହାର ନକରାତ୍ମକ ପ୍ରଭାବ ପରିବେଶ, ଜଳାଶୟ, ଜୀବଜନ୍ତୁଙ୍କ ଉପରେ ପଡେ।

ଆଜିର ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଏକ ବଡ଼ ସମସ୍ୟା ଭାବରେ ଆମ ସାମ୍ନାରେ ଠିଆ ହୋଇଛି। ଏବେ ଦେଶରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ନ ହେଲେ ବି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ସର୍ବସମ୍ମତି ପ୍ରକାଶ ପାଉଛି। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ଏହାର ରିୟୁଜ୍ ଏବଂ ରି-ସାଇକେଲ ପାଇଁ ପଦ୍ଧତି ତିଆରି କରିବାକୁ ପଡ଼ିବ। ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ଆମ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମହାପ୍ରଭୁଙ୍କ ପ୍ରତି ଆମ ମନରେ ଥିବା ସମର୍ପଣ, ଭକ୍ତି ଭାବ ଓ ନିଷ୍ଠାର ବ୍ୟବହାରିକ ରୂପ ହେବା ଦରକାର।

ଚଳିତ ରଥଯାତ୍ରା ସମୟରେ ଆମ ଭକ୍ତିଭାବ ଓ ନିଷ୍ଠାର ସହ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ଏକାଠୀ କରିବା ଏବଂ ପରେ ତାହାର ପୁନଃବ୍ୟବହାର କରିବା ପାଇଁ ସମସ୍ତେ ସଂକଳ୍ପ ନେବା ଦରକାର। ବିଶେଷ ଭାବରେ ଜନସଂଗଠନ ଓ ନାଗରିକମାନେ ଏଥିପାଇଁ ସ୍ୱତଃପ୍ରବୃତ ଭାବେ ଜନଆନ୍ଦୋଳନ ଆରମ୍ଭ କରିବା ଦରକାର। ଏହା ଦ୍ୱାରା ଆମ ପରିବେଶ ସୁରକ୍ଷିତ ହେବା ସହ ଯୁବପିଢିଙ୍କ ପାଇଁ ଭବିଷ୍ୟତକୁ ସୁରକ୍ଷିତ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଭିଡିଓ ବାର୍ତାରେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଠାରେ ଲୋକ ମେଳା ଓ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ସୋମବାର ସନ୍ଧ୍ୟାରେ ବିଂଶତମ ଲୋକମେଳା ଓ ୧୩ ତମ କୃଷି ମେଳା ୨୦୨୨ ଉଦଘାଟିତ ହୋଇଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏହି ଲୋକ ମେଳା ସମେତ ଜାତୀୟ ସ୍ତରର କୃଷି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ଏହି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳା ପରିସରରେ ବିଭିନ୍ନ ଲୋକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିସହିତ ଜନଜାତି ସମ୍ପ୍ରଦାୟ ଦ୍ବାରା ପ୍ରସ୍ତୁତ ବନ୍ୟଜାତ, କୃଷି ଓ ପାରମ୍ପରିକ ସାମଗ୍ରୀର ଷ୍ଟଲ୍ ମଧ୍ୟ ପଡ଼ିଛି। ଅଣଲାଭକାରୀ ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା (ଏସଏସଏସ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏସଏସଏସ ସଂଗଠନ ଲୋକ କଳା ଏବଂ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ କରିବା ସହିତ ସମାଜର ସାମାଜିକ-ସାଂସ୍କୃତିକ ଚରିତ୍ରକୁ ସୁରକ୍ଷା ଏବଂ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିଥାଏ।

ବିଂଶତମ ଲୋକମେଳାକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ, ଭାରତର ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ଦିଗରେ ଏପରି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ। ଦୀର୍ଘ ୨୦ ବର୍ଷ ଧରି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଖୁସିର ବିଷୟ। ବିଭିନ୍ନ ରାଜ୍ୟରୁ ଆସିଥିବା ଜନଜାତି ସାମଗ୍ରୀ, କୃଷି ଉତ୍ପାଦର ଷ୍ଟଲ୍‌ ପଡ଼ିଥିବାରୁ ଏସବୁ ସାମଗ୍ରୀ କିଣିବା ଲାଗି କେନ୍ଦ୍ର ମନ୍ତ୍ରୀ ଆହ୍ବାନ କରିଥିଲେ। କୃଷି କ୍ଷେତ୍ରରେ ଅଭିନବ ଉଦ୍ଭାବନ ଏବଂ ଜ୍ଞାନକୌଶଳ ବିଷୟରେ ଜ୍ଞାନ ଆହରଣ କରିବା ଲାଗି ପ୍ରଦର୍ଶନୀ ଏକ ସୁଯୋଗ ଆଣି ଦେଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଜନଜାତି, ଲୋକକଳା ସଂସ୍କୃତି ବିଷୟରେ ଜ୍ଞାନବୃଦ୍ଧି ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଏକ ସୁଅବସର ଆଣିଛି। ରାଜ୍ୟରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ, ଓଡ଼ିଶା ଏକ ଜନଜାତି ବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ୬୨ଟି ଜନଜାତି ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି। ଜନଜାତି ବର୍ଗଙ୍କ କଲ୍ୟାଣ ପାଇଁ ରାଜ୍ୟରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ବିଗତ କିଛି ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ମଧ୍ୟ ରାଜ୍ୟ ବିଶେଷ ପ୍ରଗତି ହାସଲ କରିଛି। ଜନଜାତି ସମୁଦାୟର ଜୀବନଶୈଳୀ, ଜୀବିକା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଦିଗରେ ଲୋକମେଳା ଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ ବୋଲି ଶ୍ରୀ ସ୍ବାଇଁ କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ।  ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉଦଘାଟନୀ ସନ୍ଧ୍ୟାରେ ଲୋକ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।