ରଥଯାତ୍ରା ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପରାମର୍ଶ

Published: Jun 25, 2022, 5:37 pm IST

ଭୁବନେଶ୍ୱର: ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ଲାଷ୍ଟିକ ସମସ୍ୟା ଏକ ବଡ ଆହ୍ୱାନ ତିଆରି କରେ। ତେଣୁ ଏହି ପ୍ଲାଷ୍ଟିକ୍ ସମସ୍ୟାର ନିରାକରଣ ପାଇଁ ଚଳିତ ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରି-ସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଏକ ଭିିଡିଓ ବାର୍ତା ମାଧ୍ୟମରେ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପୁରୀରେ ପ୍ଲାଷ୍ଟିକ ହ୍ରାସ କରିବା ପାଇଁ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭିଡ଼ିଓ ବାର୍ତାରେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ବିଧି ବିଧାନ ଆରମ୍ଭ ହୋଇସାରିଛି। ରଥଯାତ୍ରା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ବଡ ଦେଉଳର ରତ୍ନ ସିଂହାସନକୁ ଛାଡି ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେବେ।

ଏହି ଅନନ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାରେ ଯୋଡ଼ି ହେବା ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହେବ। ରଥ ଭିଡ଼ିବା ପାଇଁ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହେବ। ବିଶେଷ ଭାବରେ ରଥଯାତ୍ରା ସମୟରେ ଲୋକମାନଙ୍କ ଦ୍ୱାରା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ବଢ଼ିଥାଏ। ଲୋକମାନେ ବ୍ୟବହୃତ ଭୋଗ ଓ ଫୁଲ ପାଇଁ ପଲିଥିନ, ପାଣି ବୋତଲ, ପାଣି ଗ୍ଲାସ ତଥା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ନେବା ପାଇଁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ମାତ୍ରାଧିକ ବ୍ୟବହାର କରନ୍ତି। ଏହାର ନକରାତ୍ମକ ପ୍ରଭାବ ପରିବେଶ, ଜଳାଶୟ, ଜୀବଜନ୍ତୁଙ୍କ ଉପରେ ପଡେ।

ଆଜିର ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଏକ ବଡ଼ ସମସ୍ୟା ଭାବରେ ଆମ ସାମ୍ନାରେ ଠିଆ ହୋଇଛି। ଏବେ ଦେଶରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ନ ହେଲେ ବି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ସର୍ବସମ୍ମତି ପ୍ରକାଶ ପାଉଛି। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ଏହାର ରିୟୁଜ୍ ଏବଂ ରି-ସାଇକେଲ ପାଇଁ ପଦ୍ଧତି ତିଆରି କରିବାକୁ ପଡ଼ିବ। ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ଆମ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମହାପ୍ରଭୁଙ୍କ ପ୍ରତି ଆମ ମନରେ ଥିବା ସମର୍ପଣ, ଭକ୍ତି ଭାବ ଓ ନିଷ୍ଠାର ବ୍ୟବହାରିକ ରୂପ ହେବା ଦରକାର।

ଚଳିତ ରଥଯାତ୍ରା ସମୟରେ ଆମ ଭକ୍ତିଭାବ ଓ ନିଷ୍ଠାର ସହ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ଏକାଠୀ କରିବା ଏବଂ ପରେ ତାହାର ପୁନଃବ୍ୟବହାର କରିବା ପାଇଁ ସମସ୍ତେ ସଂକଳ୍ପ ନେବା ଦରକାର। ବିଶେଷ ଭାବରେ ଜନସଂଗଠନ ଓ ନାଗରିକମାନେ ଏଥିପାଇଁ ସ୍ୱତଃପ୍ରବୃତ ଭାବେ ଜନଆନ୍ଦୋଳନ ଆରମ୍ଭ କରିବା ଦରକାର। ଏହା ଦ୍ୱାରା ଆମ ପରିବେଶ ସୁରକ୍ଷିତ ହେବା ସହ ଯୁବପିଢିଙ୍କ ପାଇଁ ଭବିଷ୍ୟତକୁ ସୁରକ୍ଷିତ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଭିଡିଓ ବାର୍ତାରେ କହିଛନ୍ତି।

Related posts