Categories
ଆଜିର ଖବର ରାଜ୍ୟ ଖବର

କାଙ୍କଣଶିଖରୀ ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ ଆନୁକୁଲ୍ୟରେ ୧୬ ତମ ଶ୍ରୀଜଗନ୍ନାଥ କଥାଲହରି

ଭୁବନେଶ୍ଵର: ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ କଥାଲହରୀର ୧୬ ତମ ଶ୍ରୀଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ, ଭୁବନେଶ୍ଵର ସ୍ଥିତ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭରେ ସ୍ଥପତି ଅରବିନ୍ଦ ଦାସ ଓ ସଂଗୀତା ଦାଶ ଭଜନ ପରିବେଷଣ କରିଥିଲେ। ସମୂହ ସ୍ତୁତିଗାନ ସହିତ, ସଭାପତି ଡ଼ଃ ରବିନାରାୟଣ ସାମନ୍ତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିଲେ।

ପ୍ରବଚକ ପଣ୍ଡିତ ସୂର୍ଯ୍ୟକାନ୍ତ ରଥଶର୍ମା “କବିତୁଣ୍ଡେ ଶ୍ରୀଜଗନ୍ନାଥ” ଶୀର୍ଷକ ଉପରେ ପ୍ରବଚନ ରଖି ଦର୍ଶାଇଥିଲେ ଯେ, ଶ୍ରୀଜଗନ୍ନାଥ ହେଉଛନ୍ତି ଶୂନ୍ୟ ବାଦର ପ୍ରତୀକ, ନିଜକୁ ଯେପର୍ଯ୍ୟନ୍ତ ଶୂନ ନକରିଛ ସେପର୍ଯ୍ୟନ୍ତ ମହାପ୍ରଭୁଙ୍କ କୃପା ପାଇବା ଅସମ୍ଭବ। କବି ସମ୍ରାଟ ଉପନ୍ଦ୍ର ଭଞ୍ଜଙ୍କ ରଚିତ “ପ୍ରାଣ ମିତଣି ଲୋ, ଯାହା ମୁଁ ଦେଖିଲି ଆଜ, କହିବା ଲୋକର ମନକୁ ନପାଏ ଶୁଣିବା ଲୋକକୁ ଲାଜ” ଭଳି ପଂକ୍ତି କିପରି ଭାବରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ କବିତା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି ତାହା ବର୍ଣ୍ଣନା କରିଥିଲେ।

ମୁଖ୍ୟ ଅତିଥି ଭାବରେ ଡ଼ଃ ଇତିରାଣୀ ସାମନ୍ତ ଯୋଗଦେଇ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ କଥାଲହରୀ ଅନୁଷ୍ଠାନର ଭୂମିକା ବିଷୟରେ ଦର୍ଶାଇଥିଲେ। ଡ଼ଃ ପୀତବାସ ରାଉତରାୟଙ୍କର ୨୩ ତମ ଗ୍ରନ୍ଥ ଅପରୂପ ଶ୍ରୀଜଗନ୍ନାଥ ଏବଂ ଡ଼ଃ ଅଭୟ କୁମାର ନାୟକଙ୍କ ୩୨ ତମ ସଂକଳନ ଆତ୍ମଦେବତା ଶ୍ରୀଜଗନ୍ନାଥ ଉନ୍ମୋଚନ ସମସ୍ତ ଅତିଥିମାନଙ୍କ ଗହଣରେ ଲୋକାର୍ପଣ କରଯାଇଥିଲା।

ସଂଯୋଜକ ପଣ୍ଡିତ ପାର୍ଥ ସାରଥୀ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ଏବଂ ଉପସଭାପତି ଶର୍ମିଷ୍ଠା ପ୍ରଭା ମହାନ୍ତି କଥାଲହରୀର ବିବରଣୀ ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ପଣ୍ଡିତ ଦେବନ୍ଦ୍ର ଦାଶ ପ୍ରଭୁଙ୍କର ଶୟନ ଆରତୀ କରାଇବା ପରେ, ଶ୍ରୀମନ୍ଦିର ଦେଉଳକରଣ ଦିଲୀପ ମହାନ୍ତି ପ୍ରଭୁଙ୍କୁ ସ୍ୱସ୍ଥାନ ବିଜେ କରାଇଥିଲେ। ଡା ସରୋଜ କାନ୍ତ ସାହୂ, ସୂର୍ଯ୍ୟ ନାରାୟଣ ମିଶ୍ର, ସୁଷମା ପାଣି ଓ ଡ଼ଃ ଗୋରେଖ ନାଥ ସାହୂଙ୍କ ସମେତ ସାହସ୍ରାଧିକ ସଭ୍ୟ ଏହି କଥାଲହରୀରେ ଯୋଗଦେଇଥିଲେ।