Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସମର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ବର୍ଷା ଦେଲା ଆର୍ଶିବାଦ

ପୁରୀ: ଶେଷରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହୋଇଛି। ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଏହି ପ୍ରକଳ୍ପକୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ତାଙ୍କ ସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବ, 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଶ୍ରୀସେତୁ ଦେଇ ପୁରୀରେ ପ୍ରବେଶ କରିଥିଲେ। ଏହାପରେ ସେ ଶ୍ରୀଦାଣ୍ଡ ଦେଇ ବ୍ୟାଟିର ଗାଡିରେ ମନ୍ଦିର ନିକଟକୁ ଆସିଥିଲେ। ସେଠାରେ ତାଙ୍କୁ ସ୍ବାଗତ କରାଯାଇ ମନ୍ଦିର ନିକଟକୁ ନିଆଯାଇଥିଲା। ସେଠାରେ ମନ୍ତ୍ରପାଠ ସହିତ ଉଦଘାଟିତ ହୋଇଥିଲା ପରିକ୍ରମା ପ୍ରକଳ୍ପ। ଏହାପରେ ସେଠାରେ ଚାଲିଥିଲା ପୂଜାପାଠ।

ଏହାପରେ ମୁଖ୍ୟମନ୍ତ୍ରୀ ତିନିଦିନ ଧରି ଚାଲିଥିବା ଯଜ୍ଞସ୍ଥଳରେ ଉପସ୍ଥିତ ହୋଇଥିଲେ। ସେଠାରେ ଗଜପତି ମହାରାଜ ମନ୍ତ୍ରପାଠରେ ଯଜ୍ଞରେ ପୁର୍ଣ୍ଣାହୁତି ପ୍ରଦାନ କରି ସମାପନ କରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ, ନବୀନ ଓଡିଶା ଅଧ୍ୟକ୍ଷ ଏବଂ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଯଜ୍ଞ ସମାପନ ଉତ୍ସବରେ ଯୋଗ ଦେଇଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ଏବଂ ଗଜପତି ଶ୍ରୀମନ୍ଦିର ପରିକ୍ରମା କରିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ଏହି ବିଶିଷ୍ଠ ବ୍ୟକ୍ତିମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଦେଖିଥିଲେ। ଏହି ସମୟରେ ତାଙ୍କ ସହିତ ଥିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏବଂ ବହୁ ବିଧାୟକ, ସାଂସଦ ଓ ମନ୍ତ୍ରୀ।

ଏହାପରେ  ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଏହି ପ୍ରକଳ୍ପ ପାଇଁ ଶ୍ରମଦାନ କରିଥିବା ବିଭିନ୍ନ ନିର୍ମାଣ ଶ୍ରମିକ, କାରୀଗର ତଥା ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଫଳକ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ତେବେ ଏହି ପ୍ରକଳ୍ପ ପାଇଁ ପୂଜାପାଠ ଚାଲିଥିବା ବେଳେ ଝିପିଝିପି ବର୍ଷା ଏକ ଶୁଭ ସଙ୍କେତ ପ୍ରଦାନ କରିଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସମସ୍ତଙ୍କ ଘରୁ ସଂଗ୍ରହ ହେବ ଗୁଆ ଚାଉଳ, ବୁଲିବ ଜଗନ୍ନାଥ ରଥ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ସେଥିପାଇଁ ପ୍ରଶାସନ ତରଫରୁ ଚାଲିଛି ବ୍ୟାପକ ବନ୍ଦୋବସ୍ତ। ଏହି ଉଦଘାଟନ ପର୍ବରେ ସାଧାରଣ ଲୋକଙ୍କୁ ସାମିଲ କରିବା ପାଇଁ ଓଡିଶାର ପ୍ରତିଟି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ।

ଜାନୁଆରି ୫ ତାରିଖରୁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଘରକୁ ଘର ଯାଇ ଏହି ଗୁଆ ଚାଉଳ ସଂଗ୍ରହ କରାଯିବ। ଏଥି ସହ ଗାଁ କୁ ଗାଁ ଜଗନ୍ନାଥ ରଥ ବୁଲିବ। ପ୍ରତ୍ୟେକ ପଞ୍ଚାୟତରୁ ଚାଉଳ ଓ ଗୁଆ ସଂଗୃହୀତ ହେଲା ପରେ ବ୍ଲକର ଏକ ମନ୍ଦିରରେ ରଖାଯିବ।ସେଠାରୁ ପରିକ୍ରମା ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ଗାଡିରେ ପୁରୀ ନିଆଯିବ।

ଏଥିସହିତ ପ୍ରତ୍ୟେକ ପଞ୍ଚାୟତରୁ ଲୋକେ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପରେ ସାମିଲ ହେବେ। ସେହିପରି ପ୍ରତି ପଞ୍ଚାୟତରେ ଏଲ୍‌ଇଡି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଟେଲିକାଷ୍ଟ କରାଯିବ। ଏଥିରେ ୧୫୬ କୋଟି ଟଙ୍କା ବ୍ୟୟ ହେବ। ଏହି ଅର୍ଥକୁ ଗତକାଲି କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି।

ଉଦଘାଟନୀ ଉତ୍ସବ ସରିବା ପରେ ଅର୍ଥାତ ୧୭ ତାରିଖ ପରେ ପ୍ରତ୍ୟେକ ବ୍ଲକରୁ ବଛାବଛା ଲୋକଙ୍କୁ ପୁରୀ ଆଣି ଜଗନ୍ନାଥ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ଦେଖାଯିବ। ଏଥିପାଇଁ ସରକାର ସ୍ତରରେ ସବୁ ପ୍ରକାରର ବନ୍ଦୋବସ୍ତ କରାଯିବ।

ଅନ୍ୟପଟେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ସଚେତନତା କରିବା ପାଇଁ କାର୍ଯ୍ୟକ୍ରମ ହେବ। ୬୭୯୪ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିବ।

ସେହିପରି ଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତି ଗାଁରେ ଏହାର ପ୍ରଚାର କରାଯିବ। ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ଦିଆଯିବ। ଏଥି ପାଇଁ ୨୦୪ କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ୍‌ ବୈଠକରେ ମଂଜୁରୀ ପ୍ରଦାନ କରାଯାଇଛି।

ଏଥିରେ ପ୍ରତି ପଞ୍ଚାୟତରେ ବୈଠକ ହେବ, ଏହି ବୈଠକରେ ସମସ୍ତ ଅଧିକାରୀ ଓ ଜନସାଧାରଣ ଯୋଗ ଦେବେ। ଅଞ୍ଚଳରେ ଭଲ କାମ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ। ପଞ୍ଚାୟତର ସାମଗ୍ରିକ ବିକାଶର ଫିଲ୍ମ ତିଆରି ହେବ। ଏହାଦ୍ବାରା ଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରସାର ହୋଇପାରିବ ବୋଲି ସରକାର ଚିନ୍ତା କରିଛନ୍ତି।