Categories
ଆଞ୍ଚଳିକ

ଶ୍ରୀରାମ ନବମୀରେ ଓଡ଼ଗାଁ ରଘୁନାଥଙ୍କ ଆଶୀର୍ବାଦ ନେଲେ ଡକ୍ଟର ସମ୍ବିତ ପାତ୍ର

ନୟାଗଡ: ପବିତ୍ର ଶ୍ରୀରାମ ନବମୀ ଅବସରରେ ନୟାଗଡ଼ ବିଧାନସଭା କ୍ଷେତ୍ରର ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଡକ୍ଟର ସମ୍ବିତ ପାତ୍ର। ସେ ଏହି ଅବସରରେ ଓଡ଼ଗାଁ ଦଳୀୟ କାର୍ଯ୍ୟାଳୟରୁ ପ୍ରଭୁ ରଘୁନାଥଙ୍କ ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ବାଇକ୍ ରାଲିରେ ସାମିଲ ହୋଇଥିଲେ। ତାଙ୍କ ସହିତ ନୟାଗଡ଼ ବିଧାନସଭାର ବିଜେପି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଡକ୍ଟର ସମ୍ବିତ ପାତ୍ର ଉପସ୍ଥିତ ଭକ୍ତଜନଙ୍କୁ ପ୍ରସାଦ ବିତରଣ ମଧ୍ୟ କରିଥିଲେ। ଡକ୍ଟର ସମ୍ବିତ ପାତ୍ର ଏହି ଅବସରରେ କହିଥିଲେ, ‘’ନୟାଗଡ଼ର ଜନସାଧାରଣଙ୍କ ଉତ୍ସାହ ଏବଂ ଉଦ୍ଦୀପନାରୁ ଏହା ସ୍ପଷ୍ଟ ଯେ ପୁରୀ ଲୋକସଭାରେ ଏଥର ପଦ୍ମ ଫୁଟିବା ସୁନିଶ୍ଚିତ।‘’ ନୟାଗଡ଼ ବିଧାନସଭାର ଜନତାଙ୍କ ଦ୍ୱାରା ମିଳିଥିବା ଅପାର ସ୍ନେହ, ପ୍ରେମ ଏବଂ ଆଶୀର୍ବାଦ ପାଇଁ ସେ ହୃଦୟରୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଇଥିଲେ।

ଏହା ସହିତ ନୟାଗଡ଼ ବିଧାନସଭା ସ୍ଥିତ ଖୁଟୁବନ୍ଧ ଗ୍ରାମପଞ୍ଚାୟତର ଜାମୁସାହି ଗ୍ରାମର ଗ୍ରାମଦେବୀ ମା ଭୈରବୀଙ୍କୁ ଦର୍ଶନ କରି ଆଶୀର୍ବାଦ ମଧ୍ୟ ନେଇଥିଲେ। ଦୁଃଖ ହାରିଣୀ ମା ଭୈରବୀଙ୍କ ଆଶୀର୍ବାଦରୁ ପୁରୀ ଲୋକସଭାର ସମସ୍ତ ଜନତାଙ୍କର ସର୍ବାଙ୍ଗୀନ ଉନ୍ନତି ହେଉ ବୋଲି କାମନା କରିଥିଲେ। ଏଥିସହିତ ଜାମୁସହିରେ ପ୍ରଭୁ ଶ୍ରୀ ରଘୁନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଖୁଣ୍ଟୁବନ୍ଧ ଗ୍ରାମପଞ୍ଚାୟତରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ବୈଠକରେ ସାମିଲ ହୋଇଥିଲେ।

ଏହାପରେ ଚିଲିକା ବିଧାନସଭା କ୍ଷେତ୍ରର ସୋରଣ ପଞ୍ଚାୟତର ହଂସରାଡ଼ି ଗାଁର ଅଗ୍ନିକାଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିଥିଲେ। ସୁରେଶ ରାଉତ ଏବଂ କୈଳାଶ ରାଉତଙ୍କ ଘର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବା ଖବର ପାଇ ତୁରନ୍ତ ଯାଇ ଉଭୟ ପରିବାରକୁ ସାକ୍ଷାତ କରିବା ସହିତ ଘରପୋଡି ଦ୍ଵାରା ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ସୋରଣ ପଞ୍ଚାୟତର ବରଡିହା ଗ୍ରାମରେ ବୁଣାକାରମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। ହଂସରାଡ଼ି ଗ୍ରାମରେ ଜନ ସଂପର୍କ ପଦଯାତ୍ରା ଅବସରରେ ସେ କହିଥିଲେ, ‘’ଏଠାରେ ମିଳିଥିବା ଅପାର ସ୍ନେହ ଶ୍ରଦ୍ଧା ମୋତେ ଏକ ନୂତନ ଶକ୍ତି ପ୍ରଦାନ କରିଛି ଏବଂ ମୁଁ ନିଶ୍ଚିତ ଯେ ଏଥର ପୁରୀ ଲୋକସଭାରେ ବିଜେପି ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ହେବ।‘’ ସୋରଣ ପଞ୍ଚାୟତର ବାରଡ଼ିହା ଗ୍ରାମରେ ପ୍ରଭୁ ରଘୁନାଥଙ୍କର ଏବଂ ଚଣ୍ଡେଶ୍ୱର ଗ୍ରାମରେ ପ୍ରଭୁ ସଙ୍କଟ ମୋଚନ ବୀର ହନୁମାନଙ୍କୁ ଦର୍ଶନ କରି ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଥିଲେ।

Categories
ଆଜିର ଖବର

ଖୋର୍ଦ୍ଧା: ପବିତ୍ର ଶ୍ରୀରାମ ନବମୀ ଅବସରରେ ବିଶାଳ ବାଇକ ଶୋଭାଯାତ୍ରା

ଖୋର୍ଦ୍ଧା: ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମ ନବମୀ ସମନ୍ବୟ ସମିତି ଆନୁକୂଲ୍ୟରେ ହିନ୍ଦୁ ଜାଗରଣ ମଞ୍ଚ ଖୋର୍ଦ୍ଧା ଶାଖା ସଂଯୋଜନାରେ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁରୁଜଙ୍ଗ ମେଲଣ ପଡିଆ ଠାରୁ ଜରିପୁଟ ଶ୍ରୀସଙ୍କଟମୋଚନ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶତାଧିକ ରାମଭକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଜୟ ଶ୍ରୀରାମ ମନ୍ତ୍ରଧ୍ବନୀରେ ଖୋର୍ଦ୍ଧା ସହର ରାମମୟ ହୋଇଛି।

ହିନ୍ଦୁ ଜାଗରଣ ମଞ୍ଚ, ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଆଶିଷ ବିଦୂରେନ୍ଦ୍ର ଛୋଟରାୟ ପରିଚାଳନା କରିଥିଲେ। ସହ ଜିଲା ସଂଯୋଜକ ଶୁଭମ୍ ରାମ, ନଗର ସଂଯୋଜକ ତୁଷାର କାନ୍ତ ବେହେରା, ଖୋର୍ଦ୍ଧା ଖଣ୍ଡ ସଂଯୋଜକ ରାଧାମୋହନ ପ୍ରଧାନ, ପ୍ରଚାର ପ୍ରସାର ପ୍ରମୁଖ ସଂଜିତ ମହାପାତ୍ର , ପ୍ରତାପ ପ୍ରଧାନ, ମନୋରଞ୍ଜନ ପାତ୍ର, ରାକେଶ ରାଉତ, ସୌମ୍ୟ ରଂଜନ ବେହେରା, ସୌଭାଗ୍ୟ ହାତୀ , ବିକାଶ ବେହେରା ସମେତ ହିନ୍ଦୁ ଜାଗରଣ ମଂଚର ପ୍ରମୁଖ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସ୍ଵଂସେବକ ସଂଘରୁ ବେଲେଶ୍ୱର ସାହୁ, ପ୍ରଶାନ୍ତ ବେହେରା ଏବଂ ଆଦିତ୍ୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଏବିଭିପିରୁ ସରୋଜ ପାଲଟାସିଂହ, ସତ୍ୟ ବିଶୋୟୀ, ବିଶ୍ଵ ହିନ୍ଦୁ ପରିଷଦର ଅଭିମନ୍ୟୁ ଘଟୁଆଳ, ହୃଷିକେଶ ବେହେରା, ସମରେନ୍ଦ୍ର ଶତପଥୀ, ଅଧିବକ୍ତା ପରିଷଦର ଅଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଶ୍ରୀରାମ ନବମୀ ଦିବସରେ ଶୁଭାରମ୍ଭ ହେବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୩୦ ମାର୍ଚ୍ଚ ୨୦୨୩ ଶ୍ରୀରାମ ନବମୀ ଦିବସରେ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ ଅବସରରେ କଟକ ରେଳ ଷ୍ଟେସନ ଠାରେ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ। ଶୁଭାରମ୍ଭ ଦିବସରେ ଏହି ଟ୍ରେନ୍ କଟକ ଷ୍ଟେସନରୁ ଛାଡିବ କିନ୍ତୁ ଏହି ଟ୍ରେନ ର ନିୟମିତ ସେବା ୩୧ ମାର୍ଚ୍ଚ ୨୦୨୩ରୁ ଉଭୟ ପାର୍ଶ୍ୱରୁ ପ୍ରାରମ୍ଭ କରାଯିବ।

ଏହି ଟ୍ରେନ ର ପ୍ରଚଳନ ଉଭୟ ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିପାରିବ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସମାରୋହରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ୍ ଚଳାଚଳ କରାଇବାକୁ ଘୋଷଣା କରିଥିଲେ। ଏହି ଅଞ୍ଚଳର ଯାତ୍ରୀମାନଙ୍କ ଆରାମ ତଥା ସୁବିଧା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ପ୍ରଚେଷ୍ଟାର ଏହା ହେଉଛି ଫଳାଫଳ। ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରେ ଟ୍ରେନ ବଦଳାଇବା ପରିବର୍ତ୍ତେ ଏହି ଟ୍ରେନ ସିଧା ସଳଖ ଭାବେ ଯାତ୍ରା ପାଇଁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ସୁବିଧା ଯୋଗାଇବ। ଏହି ନୂତନ ଟ୍ରେନ୍ ଏହାର ଶୁଭାରମ୍ଭ ଦିନରେ ଅର୍ଥାତ୍ ୩୦ ମାର୍ଚ୍ଚ ୨୦୨୩ ରେ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିବ।

୦୮୫୫୫/୦୮୫୫୬ ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ୍ ମେମୁ ଟ୍ରେନ ଭଦ୍ରକରୁ ସକାଳ ୦୫ଘ.୪୫ମି.ରେ ଛାଡି ପୂର୍ବାହ୍ନ ୧୧ଘ.୫୫ମି.ରେ ନୟାଗଡ଼ ଟାଉନରେ ପହଞ୍ଚିବ। ଫେରିବା ମାର୍ଗରେ ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୦୫ଘ.୦୫ମି.ରେ ଛାଡି ଭଦ୍ରକ ଠାରେ ରାତ୍ରି ୧୦ଘ.୪୫ମି.ରେ ପହଞ୍ଚିବ। ଏହି ଟ୍ରେନ୍ ଉଭୟ ଦିଗରୁ ଭଦ୍ରକ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଏବଂ ପାସେଞ୍ଜର ହଲ୍ଟ ମାନଙ୍କରେ ରହଣି କରିବ।