Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀରେ ଅଣଓଡିଆ ମହିଳା ଚେନ ଲୁଟେରାଙ୍କ ଆତଙ୍କ, ଚୋରୀ ବେଳେ ମାଡି ବସିଲେ ଭକ୍ତ

ପୁରୀ: ପୁରୀ ଶ୍ରୀଲୋକନାଥ ମନ୍ଦିରରେ ଜଣେ ମହିଳା ଲୁଟେରା ଜଣେ ଭକ୍ତଙ୍କ ବେକରୁ ସୁନା ଚେନ ଲୁଟିଥିବା ବେଳେ ଧରାପଡିଛନ୍ତି। ଲୁଟେରାକୁ ପୁରୀର ବାସେଳି ସାହି ଥାନା ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି। ଲୁଟେରାଠାରୁ ସେହି ଚେନ ସହିତ ଆଉ କିଛି ଟଙ୍କା ମଧ୍ୟ ଜବତ କରାଯାଇଛି। ଏହି ଲୁଟେରା ଜଣଙ୍କ ହେଉଛନ୍ତି ଜାମସେଦପୁରର ପଚାଶ ବର୍ଷ ବୟସର ଏ ସାଲଭୀ।

ଘଟଣାରୁ ଜଣାପଡିଛି ଯେ, ଗତକାଲି ଭୁବନେଶ୍ବର ନାଗେଶ୍ବରଟାଙ୍ଗୀରେ ରହୁଥିବା ଉର୍ମିବାଳା ପ୍ରଧାନ ଶ୍ରୀଲୋକନାଥ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ। ଲୋକନାଥ ମନ୍ଦିର ଗର୍ଭଗୃହରେ ସେ ମୁଣ୍ଡ ନୁଆଁଇ ମୁଣ୍ଡିଆ ମାରୁଥିବା ବେଳେ ଆଗରୁ ଟାର୍ଗେଟ କରିଥିବା ଏହି ମହିଳା ଲୁଟେରା ତାଙ୍କ ବେକରୁ ଚେନ କାଟି ଦେଇଥିଲା। ହେଲେ ଭାଗ୍ୟବସତଃ ସେ ଚେନଟି ଲୁଟେରା ନେବା ପୂର୍ବରୁ ଭକ୍ତଙ୍କ ହାତ ଉପରେ ଖସି ପଡିଥିଲା।

ଏକଥା ଜଣାପଡିବା ପରେ ଲୁଟେରାକୁ ସେହି ଗର୍ଭଗୃହରେ ଅନ୍ୟଭକ୍ତ ଏବଂ ସେବାୟତ ମାଡି ବସିଥିଲେ। ଏହାପରେ ଲୁଟେରାକୁ ମନ୍ଦିର ବାହାରକୁ ଆଣି ପୋଲିସକୁ ଖବର ଦେବା ପରେ ତାଙ୍କୁ ଥାନାକୁ ନେଇ ପଚାରାଉଚୁରା କରାଯାଇଥିଲା। ଏହାପରେ ସେ ଚେନ ଲୁଟିଥିବା ଘଟଣାକୁ ସ୍ବୀକାର କରିଥିଲା।

ବର୍ତ୍ତମାନ ପୁରୀରେ ଅଣଓଡିଆ ମହିଳା ଲୁଟେରାଙ୍କ ଆତଙ୍କରାଜ ଦିନକୁ ଦିନ ବଢିବାରେ ଲାଗିଛି। ରଥଯାତ୍ରା ପୂର୍ବରୁ ପୁରୀକୁ ଝାଡଖଣ୍ଡର ଏକ ମହିଳା ଲୁଟେରା ଗୋଷ୍ଠୀ ଆସି ଆତଙ୍କରାଜ ଚାଳାଇଥିବାର ଜଣାପଡିଛି। ସେମାନେ ବିଭିନ୍ନ ମନ୍ଦିରରେ ଭିଡ ଦିନକୁ ନଜରରେ ରଖି ଏହି ଚୋରୀ କରି ଖସି ପଳାଉଛନ୍ତି। ଗତକାଲି ଏହି ମହିଳା ଲୁଟେରା ଧରାପଡିବା ପରେ ପୁରୀ ପୋଲିସ ଅଧିକ ଅନୁସନ୍ଧାନ ଜାରୀ ରଖିଛି।