Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ଦୁଇ ଗବେଷକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ୨୦୨୩ ନିମନ୍ତେ ସେମାନଙ୍କ ନିଜ ଗବେଷଣା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ୧୦ ଜଣ ଗବେଷକଙ୍କ ମଧ୍ୟରେ ସ୍ଥାନ ମିଳିଛି।

ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ ଓ ପ୍ରଫେସର କୁଳମଣି ପରିଡାଙ୍କୁ ପ୍ରତିଷ୍ଠିତ ଗବେଷଣା ପୋର୍ଟାଲ ରିସର୍ଚ୍ଚ ଡଟ୍ କମ୍ ଦ୍ୱାରା ଏହି ସମ୍ମାନ ଦିଆଯାଇଛି। ପ୍ରଫେସର ଦାଶ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଗବେଷଣା କ୍ଷେତ୍ରରେ ଦେଶରେ ଷଷ୍ଠ ସ୍ଥାନରେ ଥିବା ବେଳେ ପ୍ରଫେସର ପରିଡ଼ା ରସାୟନ ବିଜ୍ଞାନ ଗବେଷଣାରେ ଦେଶରେ ସପ୍ତମ ସ୍ଥାନରେ ସ୍ଥାନୀତ ହୋଇଛନ୍ତି।

ପ୍ରଫେସର ଦାଶ ବର୍ତମାନ ସୋଆରେ ମଲ୍ଟି ଡିସିପ୍ଲିନାରି ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଫେସର ପରିଡ଼ା ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର୍ ନାନୋସାଇନ୍‌ସ ଆଣ୍ଡ ନାନୋଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
ଏହି ତାଲିକାରେ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ଦଶମ ସ୍ଥାନରେ ଥିବା ବେଳେ ରସାୟନ ବିଜ୍ଞାନ କ୍ଷେତ୍ରରେ ୩୪ ତମ ସ୍ଥାନ ଲାଭ କରିଛି।

ସୋଆର ପ୍ରଥମ କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ଦାଶ ଏନ୍‌ଆଇଟି ରାଉରକେଲାର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏବଂ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ସିଙ୍ଗାପୁରର ନ୍ୟାସ୍‌ନାଲ୍ ୟୁନିଭର୍ସିଟି, ମାଲେସିଆର ମଲ୍ଟିମିଡିଆ ୟୁନିଭର୍ସିଟି, ୟୁଏସ୍‌ଏ ର ୟୁନିଭର୍ସିଟି ଅଫ୍ ୱାଶିଂଟନ୍ ଏବଂ କାନାଡାର ୟୁନିଭର୍ସିଟି ଅଫ୍ ମାନିଟୋବା ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ବ୍ରୁନ୍‌ସ୍ୱିକ୍‌ରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।

ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ତାଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ ଏବଂ ଗବେଷଣା କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ସାମନ୍ତ ଚନ୍ଦ୍ରଶେଖର ସମ୍ମାନରେ ସମ୍ମାନିତ କରାଯାଇଛି।

ମାଟେରିଆଲ କେମିଷ୍ଟ୍ରି କ୍ଷେତ୍ରରେ ଗବେଷଣା ନିମନ୍ତେ ବେଶ ପରିଚିତ ଥିବା ପ୍ରଫେସର ପରିଡ଼ା ୧୬ଟି ଜାତୀୟ ଏବଂ ରାଜ୍ୟ ସ୍ତରୀୟ ବିଜ୍ଞାନ ଭିତିକ ସମ୍ମାନ ଗ୍ରହଣ କରିଥିବା ବେଳେ ୫୦୧ଟି ଗବେଷଣା ସମ୍ପର୍କିତ ନିବନ୍ଧ ଲେଖିଛନ୍ତି। ତାଙ୍କ ନିକଟରେ ୩୫ଟି ଜାତୀୟ ବୈଜ୍ଞାନିକ ପାଟେଂଟ ମଧ୍ୟ ରହିଛି। ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲୋଜିରେ ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପ୍ରଫେସର ପରିଡ଼ା ସେହି ଅନୁଷ୍ଠାନର ବିଭିନ୍ନ ବିଭାଗରେ ମାଟେରିଆଲ୍‌ସ କେମିଷ୍ଟ୍ରି ବୈଜ୍ଞାନିକ ଭାବେ କାର୍ଯ୍ୟ ତୁଲାଇଛନ୍ତି।

ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଉଭୟ ପ୍ରଫେସର ଦାଶ ଏବଂ ପ୍ରଫେସର ପରିଡ଼ାଙ୍କୁ ମଧ୍ୟ ସ୍ଥାନୀତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆର ଷ୍ଟାନ୍‌ଫୋର୍ଡ ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିଖ୍ୟାତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ପୃଥିବୀର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ୨୦୨୨ ମସିହା ତାଲିକାରେ ସ୍ଥାନୀତ ହୋଇଥିବା ସୋଆ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି।
ସୋଆର ୧୬ ଜଣ ଗବେଷକଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୨ ଜଣ ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗବେଷଣାରେ ସେମାନଙ୍କର ଉତ୍କର୍ଷ ଯୁବ ବୈଜ୍ଞାନିକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଥିଲେ।

ଏହି ଉତ୍ସବରେ ଯୋଗ ଦେଇଥିବା ଗବେଷକମାନେ ହେଲେ ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ବର୍ତମାନ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ନିହାରବାଳା ଦେବୀ, ପ୍ରଫେସର ଗୌତମ ରଥ, ପ୍ରଫେସର ରବୀନ୍ଦ୍ରନାଥ ପାଢ଼ୀ, ଡଃ ମନୋଜ କୁମାର ନାୟକ, ପ୍ରଫେସର ବିନୋଦ କୁମାର ସାହୁ, ଡଃ ସୁସଙ୍ଗିନୀ ନାୟକ, ଡଃ ଦିପ୍ତୀ ପ୍ରଭା ସାହୁ, ଡଃ ସତ୍ୟ ରଞ୍ଜନ ମିଶ୍ର ଏବଂ ଡଃ ମନୋହର ମିଶ୍ର।

ଏହି ଷ୍ଟାନ୍‌ଫୋର୍ଡ ତାଲିକାରେ ସ୍ଥାନୀତ ହୋଇଥିବା ପ୍ରଫେସର ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର ଆର୍‌.ଏନ୍‌.ପି. ଚୌଧୁରୀ, ପ୍ରଫେସର ରାଜଶ୍ରୀ ଦାସ ଓ ଡକ୍ଟର ସୁଲଗ୍ନା ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେଇ ପାରି ନଥିଲେ।

ପ୍ରଫେସର ରାୟ କହିଥିଲେ ଯେ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ଅନୁଯାୟୀ ୧୬ତମ ସ୍ଥାନ ଅଧିକାର କରିଥିବା ସୋଆରେ ଗବେଷଣା ନିମନ୍ତେ ଓ ବିଶେଷ ଭାବେ ଇଂଟର-ଡିସିପ୍ଲିନାରୀ ଗବେଷଣା ନିମନ୍ତେ ଅନେକ ସୁଯୋଗ ରହିଛି।

ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ବରିଷ୍ଠ କର୍ମକର୍ତା ଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆ ଗବେଷକ ପ୍ରଫେସର ଶୁକ୍ଳା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛି।

ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଷୟବସ୍ତୁ ଆଧାରରେ ବିଶ୍ଳେଷଣ କରାଯାଇ ପ୍ରକାଶ କରାଯାଇଥିବା ତାଲିକାରେ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଥିବା ପ୍ରଫେସର ଶୁକ୍ଲା ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବିଶ୍ୱରେ ୩୨୮ ତମ ସ୍ଥାନରେ ସ୍ଥାନୀତ ହାସଲ ହୋଇଛନ୍ତି।

ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନଙ୍କ ଦ୍ୱାରା ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍‌-ଇଣ୍ଡେକ୍ସ, କୋ-ଅଥରସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।

ନେଚର୍ ପବ୍ଲିସିଙ୍ଗ୍ ଗ୍ରୁପ୍ ଦ୍ୱାରା ପ୍ରକାଶ ପାଉଥିବା ସାଇନ୍‌ଟିଫିକ୍ ରିପୋର୍ଟ ନାମକ ଏକ ଜର୍ନାଲ୍‌ର ସେ ସଂପାଦକୀୟ ବୋର୍ଡର ସଦସ୍ୟ ଅଛନ୍ତି। ବାୟୋମିନେରାଲ୍ ପ୍ରୋସେସିଙ୍ଗ୍ ଏବଂ ହାଇଡ୍ରୋମେଟାଲର୍ଜି ସମ୍ପର୍କିତ ଗବେଷଣା କ୍ଷେତ୍ରରେ ତାଙ୍କର ୪୪ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ସେ ସିଏସ୍‌ଆଇଆର୍‌ର ଏମିରିଟସ୍ ସାନ୍‌ଟିଫିଷ୍ଟ ଏବଂ ନୂଆଦିଲ୍ଳୀସ୍ଥିତ ଏକାଡେମୀ ଅଫ୍ ସାଇନ୍‌ଟିଫିକ୍ ଆଣ୍ଡ ଇନୋଭେଟିଭ୍ ରିସର୍ଚ୍ଚ (ଏସିଏସ୍‌ଆଇଆର୍‌) ର ଏମିରଟ୍ସ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଛନ୍ତି।

ସେ ମଧ୍ୟ ଭୁବନେଶ୍ୱର ସ୍ଥିତ ସିଏସ୍‌ଆଇଆର୍ – ଆଇଏମ୍‌ଏମ୍‌ଟିର ମୁଖ୍ୟ ବୈଜ୍ଞାନିକ ଏବଂ ବାୟୋ-ରିସୋର୍ସେସ୍‌ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଫେସର ଶୁକ୍ଲାଙ୍କର ଆନ୍ତର୍ଜାତୀୟ ଓ ଜାତୀୟ ଜର୍ନାଲଗୁଡ଼ିକରେ ୨୨୬ଟି ପେପର୍ ପ୍ରକାଶିତ ହୋଇଥିବା ବେଳେ ତାଙ୍କ ନାମରେ ୧୦ଟି ପ୍ୟାଟେନ୍‌ଟ ରହିଛି। ସେ ୫ଟି ପୁସ୍ତକର ମଧ୍ୟ ରଚୟିତା।