Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ଦେଶର ବିଭିନ୍ନ ସ୍ଥାନରୁ ଚଳାଚଳ କରିବ ୮ଟି ଟ୍ରେନ , ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

ନୂଆଦିଲ୍ଲୀ, ଗୁଜରାଟର କେୱାଡିଆଠାରେ ଥିବା ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ସିଧାସଳଖ ଯାତ୍ରା ସୁଯୋଗ ଯୋଗାଇ ଦେବା ପାଇଁ ଚଳିତମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ଟି ଟ୍ରେନର ଶୁଭାରମ୍ଭ କରିବେ। ଦେଶର ବିଭିନ୍ନ ଅଞ୍ଚଳରୁ ଏହି ଟ୍ରେନ ଚଳାଚଳ କରିବ । ସେଦିନ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟ ସଂପନ୍ନ କରାଯିବ । ମୋଦୀ ମଧ୍ୟ ସେଦିନ ଗୁଜରାଟରେ ରେଳବାଇର ଅନ୍ୟାନ୍ୟ କେତେକ ପ୍ରକଳ୍ପକୁ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ରେଳବାଇ ମନ୍ତ୍ରୀ ଉପସ୍ଥିତ ରହିବେ ।

ପ୍ରଧାନମନ୍ତ୍ରୀ ଗୁଜରାଟରେ ସେଦିନ ଯେଉଁ ରେଳ ପ୍ରକଳ୍ପଗୁଡିକୁ ଉଦ୍‍ଘାଟନ କରିବେ ସେଗୁଡିକ ମଧ୍ୟରେ ରହିଛି ଗେଜ୍‍ ପରିବର୍ତ୍ତନ ହୋଇ ବ୍ରଡଗେଜ ହୋଇଥିବା ଚାନ୍ଦୋଡ-କେୱାଡିଆ ଲାଇନ, ନୂଆକରି ବିଦ୍ୟୁତ୍‍କରଣ ହୋଇଥିବା ପ୍ରତାପନଗର-କେୱାଡିଆ ସେକ୍ସନ ଏବଂ ଡାଭୋଇ, ଚାନ୍ଦୋଡ ଏବଂ କେୱାଡିଆର ନୂଆ ଷ୍ଟେସନ ବିଲ୍‍ଡିଂ । ଏହିସବୁ ନୂଆ ଷ୍ଟେସନ ବିଲ୍‍ଡିଂକୁ ଆଧୁନିକ ଡିଜାଇନରେ କମନୀୟ କରାଯାଇଛି ଏବଂ ଏଥିରେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ସୁଯୋଗ ରହିଛି ।

କେୱାଡିଆ ଷ୍ଟେସନ ଭାରତର ପ୍ରଥମ ରେଳଷ୍ଟେସନ; ଯାହା ଗ୍ରୀନ୍‍ ବିଲ୍ଡିଂ ସାର୍ଟିଫିକେସନ ଅନୁସାରେ ନିର୍ମିତ । ଏହିସବୁ ରେଳପ୍ରକଳ୍ପ ଦ୍ୱାରା କେୱାଡିଆ ଓ ଆଖପାଖର ଆଦିବାସୀ ଅଞ୍ଚଳଗୁଡିକର ବିକାଶ ସାଧିତ ହେବ । ଏହାଛଡା ନର୍ମଦା ନଦୀକୂଳରେ ଥିବା ଦୁଇଟି ପ୍ରାଚୀନ ତୀର୍ଥସ୍ଥଳୀକୁ ସବୁଦିନିଆ ସଂଯୋଗ ସ୍ଥାପନ ହୋଇପାରିବ । ଏହାଛଡା ଷ୍ଟାଚ୍ୟୁ ଅଫ୍‍ ୟୁନିଟ ଦେଖିବାକୁ ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କୁ ଉତ୍ତମ ରେଳ ସଂଯୋଗ ମିଳିବ । ଏହାଦ୍ୱାରା ଏହି ଅଞ୍ଚଳରେ ନିଯୁକ୍ତି ଓ ରୋଜଗାର ସୁବିଧା ବୃଦ୍ଧି ପାଇବ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆରମ୍ଭ ହେଲା ସି-ପ୍ଲେନ ଚଳାଚଳ, ଉଭୟ ଜଳ ଏବଂ ସ୍ଥଳ ପଥରେ ଉଡାଣ କରିବ ଏହି ସ୍ବତନ୍ତ୍ର ବିମାନ, ଜାଣନ୍ତୁ କିପରି

ଅହମଦାବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେୱାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟଠାରୁ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ସେହିପରି ସାବରମତୀ ରିଭରଫ୍ରଣ୍ଟରେ ଏକ ୱାଟର ଏରୋଡ୍ରମ ମଧ୍ୟ ଉଦ୍‌ଘାଟିତ ହୋଇଛି।ଏହା ଫଳରେ ସାବରମତୀରୁ କେୱାଡିଆ ମଧ୍ୟରେ ସି-ପ୍ଲେନ ଚଳାଚଳ ସେବା ଉଭୟ ପଟରୁ ଆରମ୍ଭ ହୋଇଛି। ଶେଷତମ ଲକ୍ଷ୍ୟସ୍ଥଳକୁ ସଂଯୋଗ କରିବା ପାଇଁ ସରକାର ଦେଶର ବିଭିନ୍ନ ଭାଗରେ ଏକାଧିକ ୱାଟର ଏରୋଡ୍ରମ ନିର୍ମାଣ କରିବାକୁ ଯେଉଁ ଯୋଜନା ରଖିଛନ୍ତି ଏହା ତାହାର ଅଂଶ ବିଶେଷ।

ସି-ପ୍ଲେନ ଉଭୟ ଜଳ ଓ ସ୍ଥଳ ଭାଗରୁ ଉପରକୁ ଉଠି ଉଡାଣ ଭରିବାରେ ସକ୍ଷମ। ଯେଉଁ ଅଞ୍ଚଳରେ ବିମାନ ଅବତରଣ କରିବା ପାଇଁ ଏୟାରଷ୍ଟ୍ରିପ ବା ରନ୍‌ୱେ ନାହିଁ ସେଠାରେ ଜଳଭାଗରେ ସି-ପ୍ଲେନ ସହଜରେ ଅବତରଣ କରିପାରିବ। ଅତଏବ ଭୌଗୋଳିକ ଦୃଷ୍ଟିରୁ ଯେଉଁସବୁ ଅଞ୍ଚଳରେ ଅସୁବିଧା ରହିଛି ତାହାକୁ ଅତିକ୍ରମ କରି ସି-ପ୍ଲେନ ସେଠାରେ ଯାତ୍ରୀ ସେବା ଯୋଗାଇବାକୁ ସକ୍ଷମ ହେବ।

ଏହା ଫଳରେ ଦେଶର ଦୂରଦୂରନ୍ତ ଏବଂ ଅଗମ୍ୟ ଅଞ୍ଚଳ, ଯେଉଁଗୁଡିକ ଭୌଗୋଳିକ ଦୃଷ୍ଟିରୁ ଦେଶର ମୁଖ୍ୟ ବିମାନ ନେଟୱାର୍କରେ ଅନ୍ତର୍ଭୁକ୍ତ ହୋଇପାରି ନାହିଁ ସେଗୁଡିକୁ ଏହାର ପରିସରଭୁକ୍ତ କରାଯାଇପାରିବ। ୱାଟର ଏରୋଡ୍ରମ ଓ ରନ୍‌ୱେମାନ ଅଳ୍ପ ଖର୍ଚ୍ଚରେ ନିର୍ମାଣ ହୋଇପାରିବ ଏବଂ ତାହାଦ୍ୱାରା ସେସବୁ ଅଞ୍ଚଳକୁ ବିମାନ ସେବା ସହଜରେ ସ୍ୱଳ୍ପ ମୂଲ୍ୟରେ ଯୋଗାଇହେବ। କ୍ଷୁଦ୍ର ଡେଣାଯୁକ୍ତ ଏହି ବିମାନ ହ୍ରଦ, ପାଟ, ଜଳଭଣ୍ଡାର, ବ୍ୟାକୱାଟର ଏବଂ ଗଣ୍ଡ ତଥା ଘାଷୁଆ ଅଞ୍ଚଳରେ ମଧ୍ୟ ସହଜରେ ଅବତରଣ କରିପାରିବ। ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ଏହାଦ୍ୱାରା ସହଜରେ ବିମାନସେବା ଯୋଗାଣ ସମ୍ଭବ ହୋଇପାରିବ।