Categories
ଆଜିର ଖବର ଜାତୀୟ ଖବର

ଷ୍ଟାର୍ଟଅପ୍ସ ଏବଂ ଏମଏସଏମଇଗୁଡ଼ିକୁ ୨୦୨୪ ଜାନୁଆରୀ ପର୍ଯ୍ୟନ୍ତ ମାଗଣାରେ ୫ ଜି ଟେଷ୍ଟ ବେଡ୍‌ ସୁବିଧା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ସ ଏବଂ ଏମଏସଏମଇଗୁଡ଼ିକ ପାଇଁ ଆସନ୍ତା ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ମାଗଣାରେ ୫ ଜି ଟେଷ୍ଟ ବେଡ୍‌ ସୁବିଧା ଯୋଗାଇ ଦେବା ଲାଗି ସଞ୍ଚାର ମନ୍ତ୍ରଣାଳୟ ଅଧୀନରେ ଦୂରସଞ୍ଚାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସେବା ପ୍ରଦାନକାରୀ, ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ସରକାରୀ ସଂସ୍ଥା, ବିଭିନ୍ନ ଉପକରଣ ନିର୍ମାତା ଆଦି ବିଭିନ୍ନ ୫ ଜି ଅଂଶୀଦାରମାନେ ଅତି ନାମମାତ୍ର ଦରରେ ଏହି ସୁବିଧାକୁ ଉପଯୋଗ କରିପାରିବେ। ଟେଷ୍ଟ ବେଡ୍‌ ସୁବିଧାର ଉପଯୋଗକୁ ପ୍ରୋତ୍ସାହିତ କରିବା ଏବଂ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଅନୁରୂପ ସ୍ବଦେଶୀ ଜ୍ଞାନକୌଶଳ/ଉତ୍ପାଦ ବିକାଶରେ ସହାୟତା କରିବା ଲାଗି ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ବିଭିନ୍ନ ଷ୍ଟାର୍ଟଅପ୍ସ ଓ କମ୍ପାନୀମାନେ ସେମାନଙ୍କର ଉତ୍ପାଦ ଓ ସେବାର ପରୀକ୍ଷଣ ନିମନ୍ତେ ପୂର୍ବରୁ ଟେଷ୍ଟ ବେଡ୍‌ ସୁବିଧାକୁ ଉପଯୋଗ କରି ଆସୁଛନ୍ତି।

ମାର୍ଚ୍ଚ ୨୦୧୮ରେ, ଭାରତର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ୫ ଜି ସେବା ନିୟୋଜନକୁ ଆଗକୁ ବଢ଼ାଇବା ଲାଗି, ଦୂରସଞ୍ଚାର ବିଭାଗ ପକ୍ଷରୁ ୨୨୪ କୋଟି ଟଙ୍କା ବ୍ୟୟବରାଦ ସହିତ ଭାରତରେ ‘ସ୍ବଦେଶୀ ୫ ଜି ଟେଷ୍ଟ ବେଡ’ ସୁବିଧା ଆରମ୍ଭ କରିବା ଲାଗି ବହୁମୁଖି ସଂସ୍ଥାନ ସହଭାଗୀ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଥିଲା। ଏହି ପ୍ରକଳ୍ପରେ ଆଠଟି ସହଭାଗୀ ପ୍ରତିଷ୍ଠାନ ଥିଲେ ଆଇଆଇଟି ମାଡ୍ରାସ, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି ବମ୍ବେ, ଆଇଆଇଟି କାନପୁର, ଆଇଆଇଏସସି ବାଙ୍ଗାଲୋର, ସୋସାଇଟୀ ଫର ଆପ୍ଲାଏଡ୍‌ ମାଇକ୍ରୋୱେଭ୍‌ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଏଣ୍ଡ ରିସର୍ଚ୍ଚ (ସମୀର) ଏବଂ ସେଣ୍ଟର ଅଫ ଏକ୍ସେଲେନ୍ସ ଇନ୍‌ ୱେରଲେସ ଟେକ୍ନୋଲୋଜି (ସିୱିଟ)।

୧୭ ମେ, ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଦେଶୀ ୫ ଜି ଟେଷ୍ଟ ବେଡକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଟେଷ୍ଟ ବେଡର ଆକ୍ସେସ ଏବଂ ବ୍ୟବହାର ପାଇଁ ଏକ ୱେବପୋର୍ଟାଲ  ଆଇଆଇଟି ମଧ୍ୟ ଡିଜାଇନ କରାଯାଇଛି।

୫ ଜି ଟେଷ୍ଟ ବେଡ ପାଞ୍ଚଟି ସ୍ଥାନ ଯଥା : ଆଇଆଇଟି ମାଡ୍ରାସ/ସିୱିଟ୍‌ ଠାରେ ଥିବା ଏକୀକୃତ ଟେଷ୍ଟ ବେଡ ଏବଂ ଆଇଆଇଟି ଦିଲ୍ଲୀ, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି କାନପୁର ଏବଂ ଆଇଆଇଏସସି ବାଙ୍ଗାଲୋର ଠାରେ ଉପଲବ୍ଧ ରହିଛି। ଆଇଆଇଟି ମାଡ୍ରାସ/ସିୱିଟ୍‌ ଠାରେ ଥିବା ଏକୀକୃତ ଟେଷ୍ଟ ବେଡରେ ଆରଏଏନ ଲେଭଲ, ପିଏଚୱାଇ ଲେଭଲ ଆଦି ବିଭିନ୍ନ ଏଣ୍ଡ ଟୁ ଏଣ୍ଡ ଟେଷ୍ଟ ବେଡ ସୁବିଧା ମିଳିଥାଏ। ଆଇଆଇଟି ହାଇଦ୍ରାବାଦ ଠାରେ ଜିଏନବି ଟେଷ୍ଟିଂ, ୟୁଇ ଟେଷ୍ଟିଂ ଏଣ୍ଡ ଟୁ ଏଣ୍ଡ ଇଣ୍ଟରଅପରେବଲିଟୀ ଟେଷ୍ଟିଂ ଏବଂ ଏନବି-ଆଇଓଟି ଟେଷ୍ଟିଂ ସୁବିଧା ଉପଲବ୍ଧ ରହିଛି। ଅନ୍ୟପଟେ ଆଇଆଇଏସସି ବାଙ୍ଗାଲୋର ଠାରେ ଭିଟୁଏକ୍ସ ଏବଂ ୫ ଜି ଓପନସୋର୍ଟ ଟେଷ୍ଟବେଡ୍‌ ସୁବିଧା ସୁବିଧା ଉପଲବ୍ଧ। ଆଇଆଇଟି କାନପୁରରେ ବେସ ବ୍ୟାଣ୍ଡ ଟେଷ୍ଟ ବେଡ୍‌ ଏବଂ ଆଇଆଇଟି ଦିଲ୍ଲୀରେ ଏନବି-ଆଇଓଟି ଏବଂ ଭିଏଲସି ଟେଷ୍ଟ ବେଡ୍‌ ସୁବିଧା ରହିଛି।

ଏଣ୍ଡ ଟୁ ଏଣ୍ଡ ଟେଷ୍ଟ ବେଡ୍‌ ବୈଶ୍ବିକ 3ଜିପିପି ମାନକ ଏବଂ ଓରାନ୍‌ ମାନକକୁ ଅନୁପାଳନ କରିଥାଏ। ସ୍ବଦେଶୀ ୫ ଜି ଟେଷ୍ଟ ବେଡ୍‌ ଏକ ଓପନ ୫ ଜି ଟେଷ୍ଟ ସୁବିଧା ଯୋଗାଇ ଦେଇଥାଏ ଯାହାକି ଭାରତୀୟ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନମାନଙ୍କର ଗବେଷଣା ଓ ବିକାଶ ଦଳକୁ ସେମାନଙ୍କର ଉତ୍ପାଦ, ପ୍ରୋଟୋଟାଇପ, ଆଲଗୋରିଦିମର ପ୍ରମାଣିକରଣ କରିବା ଏବଂ ବିଭିନ୍ନ ସେବାକୁ ପ୍ରଦର୍ଶିତ କରିବା ପାଇଁ ସକ୍ଷମ କରିଥାଏ। ଆହୁରି, ଏହା ଅଭିନବ ବିଚାର/ଉପାୟ ଉପରେ କାର୍ଯ୍ୟ କରିବା ଲାଗି ଗବେଷଣା ଦଳକୁ ସମ୍ପୂର୍ଣ୍ଣ ସୁବିଧା ଦେଇଥାଏ ଯେଉଁଥିରେ ଭାରତରେ ଏବଂ ବିଶ୍ବ ସ୍ତରରେ ମାନକୀକରଣର ସମ୍ଭାବନା ରହିଥାଏ। ଗ୍ରାମୀଣ ବ୍ରଡବ୍ୟାଣ୍ଡ, ସ୍ମାର୍ଟ ସିଟୀ ଏପ୍ଲିକେସନ ଏବଂ ଇଣ୍ଟେଲିଜେଣ୍ଟ ଟ୍ରାନ୍ସଫୋର୍ଟ ସିଷ୍ଟମ (ଆଇଟିଏସ) ଭଳି ଭାରତୀୟ ସମାଜ ପାଇଁ ଗୁରୁତ୍ବପୂର୍ଣ୍ଣ ବିଭିନ୍ନ ସୁବିଧାର ପ୍ରୟୋଗ/ବ୍ୟବହାର  ନିମନ୍ତେ ପରୀକ୍ଷଣ ଓ ପ୍ରଦର୍ଶନ ଲାଗି ଏହା ୫ଜି ନେଟୱର୍କ ସୁବିଧା ଯୋଗାଇ ଦେଇଥାଏ। ଏହା ଭାରତୀୟ ଅପରେଟରମାନଙ୍କୁ ୫ ଜି ପ୍ରଯୁକ୍ତି ଉପରେ କାମ କରିବାର ଉପାୟକୁ ବୁଝିବା ଏବଂ ସେମାନଙ୍କ ଭବିଷ୍ୟତ ନେଟୱର୍କକୁ ନେଇ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ।

ଏହି ସ୍ବଦେଶୀ ଟେଷ୍ଟ ବେଡ୍‌ର ବିକାଶ ଭାରତ ୫ଜି ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଏବଂ ଏବେ ୫ଜି ଆତ୍ମନିର୍ଭର ଭାରତ ଦିଗରେ ଅଗ୍ରସର ହେବା ଦିଗରେ ଏକ ପ୍ରମୁଖ ସଫଳ ପଦକ୍ଷେପ। ଏହି ଟେଷ୍ଟ ବେଡ୍ ଭାରତୀୟ ଷ୍ଟାର୍ଟଅପ୍ସ, ଏମଏସଏମଇ, ଆରଏଣ୍ଡଡି, ଶିକ୍ଷାନୁଷ୍ଠାନ ଓ ଶିଳ୍ପ ବ୍ୟବହାରକାରୀମାନଙ୍କ ଦ୍ବାରା ବିକଶିତ ଓ ନିର୍ମାଣ କରାଯାଉଥିବା ୫ ଜି ଉତ୍ପାଦର ପରୀକ୍ଷଣ ଏବଂ ପ୍ରାମାଣୀକରଣ ନିମନ୍ତେ ସ୍ବଦେଶୀ କ୍ଷମତା ଯୋଗାଇ ଦେଉଛି। ଫଳରେ ଖର୍ଚ୍ଚ କମିବା ସହିତ ଡିଜାଇନ ପାଇଁ ଲାଗୁଥିବା ସମୟ ହ୍ରାସ ପାଇଛି। ଏଥିଯୋଗୁ ଭାରତୀୟ ୫ ଜି ଉତ୍ପାଦଗୁଡ଼ିକର ବିଶ୍ବସ୍ତରରେ ଅଧିକ ବଜାର ପ୍ରତିଦ୍ବନ୍ଦ୍ବୀ ହୋଇପାରିବ ବୋଲି ଆଶା କରାଯାଉଛି।

ଏହି ଟେଷ୍ଟ ବେଡର ବିକାଶ ଫଳରେ ବିଭିନ୍ନ ୫ ଜି ପ୍ରଯୁକ୍ତି/ଆଇପିର ବିକାଶ ସମ୍ଭବ ହୋଇପାରିଛି ଯାହାକି ଏବେ ଶିଳ୍ପାନୁଷ୍ଠାନଗୁଡ଼ିକୁ ପ୍ରଯୁକ୍ତି ହସ୍ତାନ୍ତର ପାଇଁ ଉପଲବ୍ଧ ରହିଛି। ଏସବୁ ଏବେ ଶିଳ୍ପାନୁଷ୍ଠାନଗୁଡ଼ିକୁ ଭାରତରେ 5ଜିର ସୁଗମ ଏବଂ ଦ୍ରୁତ ନିୟୋଜନରେ ସହାୟକ ହୋଇପାରିବ।

Categories
ଜାତୀୟ ଖବର ବିଶେଷ ଖବର

ଶିଳ୍ପ, ଷ୍ଟାର୍ଟଅପ୍ସ ଏବଂ ମହାକାଶ କ୍ଷେତ୍ରରେ କାର୍ଯ୍ୟରତ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗତ ଜୁନ ମାସରେ ମହାକାଶ କ୍ଷେତ୍ର ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ମହାକାଶ କାର‌୍ୟ୍ୟକଳାପ କ୍ଷେତ୍ରରେ ଭାରତୀୟ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ସମ୍ପର୍କରେ ସେଥିରେ ନିଷ୍ପତ୍ତି ନିଆଯାଇଥିଲା । ଭାରତୀୟ ଜାତୀୟ ମହାକାଶ କାର‌୍ୟ୍ୟକଳାପ ବୃଦ୍ଧି ଓ ଏହାର ତତ୍ଵାବଧାନ କେନ୍ଦ୍ର (ଆଇଏନ-ଏସପିଏସିଇ)ର ସ୍ଥାପନା ସହ ଏହି ସଂସ୍ଥାର ଏକ୍ଷେତ୍ରରେ ଘରୋଇ ଓ ଷ୍ଟାର୍ଟଅପ୍ସ କମ୍ପାନୀମାନଙ୍କ ଭାଗିଦାରୀତା ପାଇଁ ପଥ ସୁଗମ କଲା । ଏହି ପରିପ୍ରେକ୍ଷୀରେ ଆଇଏନ-ଏସପିଏସିଇ ଲାଗି ଅନେକ ପ୍ରସ୍ତାବ ଦିଆଯାଇଥିଲା । ପ୍ରସ୍ତାବଗୁଡିକ ମଧ୍ୟରେ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ, ଗ୍ରାଉଣ୍ଡ ଷ୍ଟେସନ, ଇନ୍ଧନ ଉପଯୋଗ ପ୍ରକ୍ରିୟା ଇତ୍ୟାଦି ଅନ୍ତର୍ଭୁକ୍ତ ।

ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ

ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ବାଣ୍ଟି ଥିବାରୁ ଅଂଶଗ୍ରହଣକାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେ କହିଥିଲେ ଯେ, ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ ପ୍ରଦର୍ଶନର ରାସ୍ତା ଉନ୍ମୋଚିତ ହେବା ଫଳରେ ଏହା ଘରୋଇ ଭାଗିଦାରୀତାର ଏକ ନୂତନ ଦିଗନ୍ତକୁ ଉନ୍ମୋଚନ କରିଛି । ନୀତିଗତ ସ୍ଵଚ୍ଛତା ଓ ପେଷାଦାର ମନୋବୃତ୍ତି ସହ ସରକାରଙ୍କ ନିଷ୍ପତ୍ତି କମ୍ପାନୀଗୁଡ଼ିକୁ ମହାକାଶ କ୍ଷେତ୍ରରେ କାର‌୍ୟ୍ୟ ପାଇଁ ପ୍ରୋତ୍ସାହିତ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।

କମ୍ପାନୀମାନଙ୍କ ଦ୍ଵାରା ରକେଟ ଓ ଉପଗ୍ରହ ନିର୍ମାଣ ଯୋଜନା ଭାରତର ମହାକାଶ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଘରୋଇ କ୍ଷେତ୍ରର ପୁଞ୍ଜି ନିବେଶ ଯୋଗୁଁ କର୍ମନିଯୁକ୍ତି ସୃଷ୍ଟି ସହ ଆଇଆଇଟି, ଏନଆଇଟି ଓ ଅନ୍ୟାନ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ ପାଇଁ ଶିକ୍ଷା ଓ ଗବେଷଣାର ଅନେକ ସମ୍ଭାବନା ସୃଷ୍ଟି କରିବ । ଯେପରି ଭାରତୀୟ ଆଇଟି ବିଶେଷଜ୍ଞମାନେ ବିଶ୍ଵସ୍ତରରେ ପ୍ରତିଷ୍ଠା ଲାଭ କରିଛନ୍ତି, ସେମାନେ ମହାକାଶ କ୍ଷେତ୍ରରେ ମଧ୍ୟ ଅନୁରୂପ ପ୍ରଦର୍ଶନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟବସାୟରେ ସୁଗମତା ଠାରୁ ଆଗକୁ ବଢ଼ିବା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହାକାଶ କ୍ଷେତ୍ରରେ ସଂସ୍କାର ଯୋଗୁଁ କେବଳ ବ୍ୟବସାୟରେ ସୁଗମତା ଆସିବ ନାହିଁ ବରଂ ଏହା ପ୍ରତ୍ୟେକ କ୍ଷେତ୍ରରେ ଅଂଶୀଦାରମାନଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇଦେବ । ଏଥିରେ ଉତକ୍ଷେପଣସ୍ଥଳୀ ନିର୍ମାଣ ଏବଂ ମହାକାଶ ଯାନ ପରୀକ୍ଷା ନିରୀକ୍ଷା ଅନ୍ତର୍ଭୁକ୍ତ । ଏହି ସଂସ୍କାରଗୁଡିକ ଯୋଗୁଁ ଭାରତ କେବଳ ବିଶ୍ଵ ଉପଗ୍ରହ ପ୍ରତିଯୋଗିତାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ତା’ନୁହେଁ, ବରଂ ଏହି କାର‌୍ୟ୍ୟକ୍ରମର ସୁବିଧା ଗରିବ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀ ମାନଙ୍କୁ ସାହସିକତାର ସହିତ କାର‌୍ୟ୍ୟ କରି ସମାଜ ଓ ଦେଶର ହିତସାଧନ କରିବାକୁ ନିବେଦନ କରିଛନ୍ତି ।

ଦୂରାସଞ୍ଚାର ଓ ଦିଗନିର୍ଣ୍ଣୟ କ୍ଷେତ୍ରରେ ମହାକାଶ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଅଂଶଗ୍ରହଣକାରୀମାନେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସହ ସମନ୍ଵୟ ରକ୍ଷା କରି ଖୁବ ଶୀଘ୍ର ଦେଶରେ ମହାକାଶ ସମ୍ପଦର ବିକାଶ ସାଧନ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି ।

ଆତ୍ମନିର୍ଭର ଭାରତ ଅଭିଯାନରେ ସକ୍ରିୟ ଭୂମିକା

ମହାକାଶ ବିଭାଗ ସଚିବ ତଥା ଇସ୍ରୋର ଅଧ୍ୟକ୍ଷ ଡଃ କେ.ଶିବନ ଶିଳ୍ପ ପ୍ରତିଷ୍ଠାନଗୁଡିକ ପକ୍ଷରୁ କରାଯାଇଥିବା ବିଭିନ୍ନ ସମର୍ଥନ ଓ ଆଇଏନ-ଏସପିଏସିଇର ଅନୁମତି ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଏପର‌୍ୟ୍ୟନ୍ତ ୨୫ରୁ ଅଧିକ ଶିଳ୍ପ ପ୍ରତିଷ୍ଠାନ ମହାକାଶ କାର‌୍ୟ୍ୟକଳାପ ପାଇଁ ଇଚ୍ଛା ପ୍ରକଟ କରିଥିବା ସେ ସୂଚନା ଦେଇଥିଲେ ।

ମତ ବିନିମୟ କାଳରେ ଅଂଶଗ୍ରହଣକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ମହାକାଶ କ୍ଷେତ୍ରରେ ସଂସ୍କାର ନେଇ ବିଭିନ୍ନ ତଥ୍ୟ ଦେଇଥିଲେ । ଭାରତୀ ଏଣ୍ଟରପ୍ରାଇଜର ଶ୍ରୀ ସୁନୀଲ ଭାରତୀ ମିତ୍ତଲ, ଲାରସନ ଏଣ୍ଡ ଟର୍ବୋ ଲିମିଟେଡର ଶ୍ରୀ ଜୟନ୍ତ ପାଟିଲ, ଅଗ୍ନିକୁଲ କସମସ ପ୍ରାଇଭେଟ ଲିମିଟେଡର ଶ୍ରୀ ଶ୍ରୀନାଥ ରବିଚନ୍ଦ୍ରନ, ସ୍କାଇରୁଟ ଏରୋସ୍ପେସ ଲିମିଟେଡର ଶ୍ରୀ ପବନ କୁମାର ଚନ୍ଦନା, ଆଲ୍ଫା ଡିଜାଇନ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର କର୍ଣ୍ଣେଲ ଏଚ ଏସ ଶଙ୍କର, ମାପ୍ମି ଇଣ୍ଡିଆର ଶ୍ରୀ ରାକେଶ ବର୍ମା, ପିଆଇଏକ୍ସଏକ୍ସଇଏଲ ଇଣ୍ଡିଆର ଶ୍ରୀ ଆୱେସ ଅହମଦ ଏବଂ ସ୍ପେସ କିଡ୍ଜ ଇଣ୍ଡିଆର ଶ୍ରୀମତୀ କେସନ ଅଧିବେଶନରେ ସେମାନଙ୍କ ମତାମତ ରଖିଥିଲେ ।

ଘରୋଇ ଭାଗିଦାରୀତା ନେଇ ପଦକ୍ଷେପ ନେଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ଭାରତକୁ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ମହାଶକ୍ତି ଭାବେ ଗଢି ତୋଳିବ ବୋଲି ମତ ବ୍ୟକ୍ତ କରିଥିଲେ । ଆତ୍ମନିର୍ଭର ଭାରତ ଅଭିଯାନରେ ସେମାନେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବେ ବୋଲି ନିଜ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିଲେ । ଇସ୍ରୋ ଦ୍ଵାରା ସେମାନଙ୍କ ପ୍ରକଳ୍ପ ପାଇଁ ଦିଆଯାଉଥିବା ସାହାଯ୍ୟ ଓ ସହଯୋଗକୁ ସେମାନେ ପ୍ରଶଂସା କରିଥିଲେ ।

ଘରୋଇ ସଂସ୍ଥାଗୁଡ଼ିକ ସହ ଇସ୍ରୋର ଏଭଳି ସହଯୋଗ ଯୋଗୁଁ ଦେଶରେ ଅଧିକରୁ ଅଧିକ ରକେଟ ଉତକ୍ଷେପଣ ସହ ରକେଟ ଇଞ୍ଜିନ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏକ୍ଷେତ୍ରରେ ଶିଶୁମାନଙ୍କୁ ଆକୃଷ୍ଟ କରିବା ପାଇଁ ଇସ୍ରୋର ସାହାଯ୍ୟ କରିବାକୁ ସେମାନେ ପ୍ରସ୍ତାବ ମଧ୍ୟ ଦେଇଥିଲେ ।