Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠୁ ଷ୍ଟିଅରିଂ ଛାଡ ଆନ୍ଦୋଳନ: ଡ୍ରାଇଭରଙ୍କ ଆନ୍ଦୋଳନକୁ ବସ ମାଲିକ ସଂଘର ବିରୋଧ

ଭୁବନେଶ୍ଵର: ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଡାକରା ଦିଆଯାଇଛି। ଯାହା ଆସନ୍ତାକାଲିଠାରୁ ଆରମ୍ଭ ହେବ। କିନ୍ତୁ ଏହି ଆନ୍ଦୋଳନକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ଆନ୍ଦୋଳନ ସମୟରେ ଓଡିଶା ଘରୋଇ ବସ ମାଲିକ ସଂଘଙ୍କ ଦ୍ଵାରା ବସ ଚଳାଚଳ ନିଷ୍ପତ୍ତି ପରେ ବିବାଦ ଉପୁଜିଛି। ଏହି ସମୟରେ କିପରି ବସ ଚାଲିବ ବୋଲି ପ୍ରଶ୍ନ କରାଯାଇଛି।

ସେପଟେ ଅଖିଳ ଓଡିଶା ଅଟୋ ମହାସଂଘ ମଧ୍ୟ ଏହି ଆନ୍ଦୋଳନକୁ ସହଯୋଗ କରୁନଥିବା ଜଣାପଡିଛି। ତେଣୁ ଏହି ସମୟରେ ଯେଭଳି କୌଣସି ଅପ୍ରତିକର ପରିସ୍ଥିତି ନସୃଷ୍ଟି ହେବ, ସେଥିପାଇଁ ଘରୋଇ ବସ ମାଲିକ ସଂଘ ଚିନ୍ତାରେ ପଡିଛି। ସେଥିପାଇଁ ସଂଘ ପକ୍ଷରୁ ପୋଲିସ ଡିଜି ଓ ଆଇନ ଶୃଙ୍ଖଳା ଏଡିଜିଙ୍କ ସହ ଆଲୋଚନା ହୋଇଛି।

ଏହାପରେ ରାଜ୍ୟର ସମସ୍ତ ରୁଟ ରେ ବସ ଚଳାଚଳ କରିବା ପାଇଁ ବସ ମାଲିକ ସଂଘ ସ୍ପଷ୍ଟ କରିଥିବା ବେଳେ ଡ୍ରାଇଭର ମହାସଂଘ ଏହାକୁ ବିରୋଧ କରିଛି। ହଳଦିଆ ନମ୍ବର ପ୍ଳେଟ ଥିବା ସମସ୍ତ ବସକୁ ଅଟକାଇବୁ ବୋଲି ଡ୍ରାଇଭର ସଂଘ କହିଛି। ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ଆନ୍ଦୋଳନ କରାଯିବ ବୋଲି ଡ୍ରାଇଭର ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।