Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ କଂଗ୍ରେସ କରିବ ତୁଳସୀ ଯାତ୍ରା, ବସିଲା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରର ଗଣତି, ମଣତି ଓ ମରାମତି, ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିକୃତ ଅମୃତମଣୋହୀ ଜମି ଏବଂ ଚାଷୀଙ୍କ ଜମିକୁ ଫେରସ୍ତ କରିବା ସମେତ ୬ ଗୋଟି ଦାବିକୁ ନେଇ ରାଜ୍ୟ କଂଗ୍ରେସ କରିବ ତୁଳସୀ ଯାତ୍ରା। ଏ ନେଇ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମଳିନୀରେ କହିଛନ୍ତି ସଭାପତି ଶରତ ପଟ୍ଟନାୟକ।

ଚଳିତ ମାସ ଶେଷସୁଦ୍ଧା “ତୁଳସୀ ଯାତ୍ରା”ରେ ଶ୍ରୀକ୍ଷେତ୍ର ଯାଇ ପ୍ରତିବାଦ ସ୍ୱରୂପ ମହାପ୍ରଭୁଙ୍କୁ ଅର୍ପଣ କରାଯିବ। ରାଜ୍ୟର ସମସ୍ତ ପୁରପଲ୍ଲୀରୁ ବ୍ଲକ ପର୍ଯ୍ୟନ୍ତ ଏବଂ ସହର ବଜାରର ସାଧାରଣ ଜନତାଙ୍କ ସହଯୋଗରେ ତୁଳସୀ ସଂଗ୍ରହ କରାଯାଇ ରାଜ୍ୟ କଂଗ୍ରେସ ପକ୍ଷରୁ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟର ସମସ୍ତ ବ୍ଲକ ଓ ନଗରର ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଯୁବକ ଯୁବତୀ, ଛାତ୍ର ଛାତ୍ରୀ, ହବିଷ୍ୟାଳି, ଭକ୍ତ, ମଉସା ମାଉସୀ, ଭାଇ ଭଉଣୀ ଙ୍କ ଠାରୁ ତୁଳସୀ ସଂଗ୍ରହ କରାଯିବ। ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ୱାବଧାନରେ ନଗର ଏବଂ ବ୍ଲକ ସଭାପତିମାନେ ବୁଥ, ୱାର୍ଡ ଓ ପଂଚାୟତ ସଭାପତିଙ୍କ ଜରିଆରେ ତୁଳସୀ ସଂଗ୍ରହ କରିବେ।

ପ୍ରତି ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ଲେଖାଏଁ ଗାଡ଼ିରେ ସଂଗୃହୀତ ତୁଳସୀକୁ ଭୁବନେଶ୍ୱର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯିବ। ସାରା ରାଜ୍ୟରୁ ସଂଗୃହୀତ ତୁଳସୀ ସହ ସଜ ତୁଳସୀ ନେଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ନେତୃତ୍ୱରେ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରାଯିବ।

ପୂର୍ବରୁ କଂଗ୍ରେସ ଏହି ଦାବୀ ନେଇ ଦୁଇଥର ଆନ୍ଦୋଳନ କରିସାରିଛି। ପ୍ରଥମେ ପୁରୀରେ ବିଶାଳ ଶୋଭାଯାତ୍ରାରେ ଯାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଉକ୍ତ ଦାବି ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ପରବର୍ତୀ ସମୟରେ ସମସ୍ତ ବ୍ଲକ, ସଦର ମହକୁମାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସାଧାରଣ ଜନତା ଓ କଂଗ୍ରେସ ନେତୃବୃନ୍ଦମାନେ “ସଂକୀର୍ତନ ସତ୍ୟାଗ୍ରହ” କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ପ୍ରତିବାଦ ଜଣାଇଥିଲେ। ତଥାପି ରାଜ୍ୟ ସରକାର ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାପାଇଁ କୌଣସି ନିଷ୍ପତି ନେଉନାହାନ୍ତି।

ଏହି ବୈଠକରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସମେତ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାସ ସେଠୀ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ପଂଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ପଂଚାନନ ଦାସ, ଲଲାଟେନ୍ଦୁ ମହାପାତ୍ର, ଯଜ୍ଞେଶ୍ୱର ବାବୁ ଯୋଗ ଦେଇଥିଲେ।

ସେହିପରି ଶିବାନନ୍ଦ ରାୟ, ବିଭୁତି ଭୂଷଣ ମିଶ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ବିଶ୍ୱଜିତ ଦାଶ, ସୁରେଶ ମହାପାତ୍ର, ରବିନ୍ଦ୍ର କୁମାର ମଲ୍ଲିକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଉଦ୍ଧବ କର, ଅମିୟ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ଚିନ୍ମୟ ସୁନ୍ଦର ଦାସ, ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ଏହି ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ପିସିସି ମୁଖପାତ୍ର ଶ୍ରୀ ପ୍ରଶାନ୍ତ ଶତପଥି ଜଣାଇଛନ୍ତି।

Categories
ଆଞ୍ଚଳିକ

ଚିଲିକା: ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ବିଭିନ୍ନ ଦାବିକୁ ନେଇ କଂଗ୍ରେସ ପକ୍ଷରୁ “ସଂକୀର୍ତ୍ତନ ସତ୍ୟାଗ୍ରହ”

ଚିଲିକା (ସୀତାରାମ ଅଗ୍ରୱାଲ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ବିଭିନ୍ନ ଦାବିକୁ ନେଇ ପ୍ରଦେଶ କଂଗ୍ରେସର ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ଆଜି କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରାଯାଇଛି।  “ସଂକୀର୍ତ୍ତନ ସତ୍ୟାଗ୍ରହ” ନାମରେ କଂଗ୍ରେସ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏହି ପ୍ରରିପ୍ରେକ୍ଷୀରେ ଚିଲିକା କଂଗ୍ରେସ ମଧ୍ୟ ଝାଞ୍ଜ ଖୋଳ ବଜାଇ ଶୋଭାଯାତ୍ରା କରିଛି।

ଆଜି କଂଗ୍ରେସ ନେତ୍ରୀ ମିନାକ୍ଷୀ ସାମନ୍ତରାୟ ବାଣପୁରରେ ଶୋଭାଯାତ୍ରା କରିଛନ୍ତି। କଂଗ୍ରେସ ନେତ୍ରୀ ମିନାକ୍ଷୀ ସାମନ୍ତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ରଙ୍କନାଥ ଦେବ ମନ୍ଦିର ଠାରୁ ସଙ୍କୀର୍ତ୍ତନ ରାଲି ଆରମ୍ଭ କରି ବଜାର ପରିକ୍ରମା କରି ପଲଟଣ ପଡିଆ ଚକାଦେବ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସମବେତ କର୍ମୀଙ୍କୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା, ଭକ୍ତ ମାନଙ୍କୁ ଚାରିଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିବା ଏବଂ ଜଗନ୍ନାଥଙ୍କ ଯେଉଁ ଅମୃତ ମଣୋହି ଜମି ବେଦାନ୍ତ ଅଧିଗ୍ରହଣ କରିଛି ତାହାକୁ ପୁନଃରୁଦ୍ଧାର କରିବା ପାଇଁ ଶ୍ରୀମତୀ ସାମନ୍ତରାୟ ଦାବି ରଖିଥିଲେ।

କଂଗ୍ରେସ କର୍ମୀମାନେ ସରକାରଙ୍କ ଅପାରଗତା ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବାରେ କର୍ମୀଙ୍କ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ତେବେ ରାଲିରେ ରାଜ୍ୟ ସେବାଦଳ ସମ୍ପାଦକ କୁଳମଣି ସାହୁ, ସେବାଦଳ ସଂଯୋଜକ ସାନ୍ଧ୍ୟରାଣୀ ଦାସ ଯୋଗ ଦେଇଥିବା ବେଳେ ପରାଜିତ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁଙ୍କୁ ଦେଖିବାକୁ ମିଳିନଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଯୁବ କଂଗ୍ରେସର ବିପ୍ର ରଞ୍ଜନ ଜେନା, ବିପିନ ବିହାରୀ ବାରିକି, ବିଜୟ ଦାସ, ଦିତ୍ୟ ପ୍ରତାପ ନାୟକ ପରିଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତାଳ ଠିକ୍ ନ ପଡିଲେ ମଧ୍ୟ ଶରତ ଏବଂ ତାରା ବଜାଇଲେ ଝାଞ୍ଜ, ପ୍ରଦେଶ କଂଗ୍ରେସର ଅଭିନବ ପ୍ରତିବାଦ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଚତୁର୍ଦ୍ଧାମୁରତୀଙ୍କ ସମ୍ମୁଖରେ “ସଂକୀର୍ତନ ସତ୍ୟାଗ୍ରହ” ସକାଳ ୯ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳ୍ୱନ କରି ପ୍ରଭୁ ବଳଭଦ୍ର, ମା ଶୁଭଦ୍ରା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତୀରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ସଂକୀର୍ତନ ହୁଳହୁଳି ଓ ଜୟଜଗନ୍ନାଥ ଧ୍ୱନୀରେ ସାରା ଅଂଚଳ ପ୍ରକମ୍ପିତ ହେଉଥିଲା। ସମଗ୍ର ବାତାବରଣ ଏକ ଭକ୍ତି ଭାବପୂର୍ଣ୍ଣ ଆବେଗରେ ପରିଣତ ହୋଇଥିଲା।

ପ୍ରକାଶ ଥାଉକି ଅକ୍ଟୋବର ମାସ ୧୬ ତାରିଖ ଦିନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ ନେତୃବର୍ଗ ୬ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦୀର୍ଘ ୩.୫ ବର୍ଷରୁ ଅଧିକ ସମୟ ଧରି ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାରକୁ ଛାଡ଼ି ବାକି ତିନିଦ୍ୱାରକୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ବନ୍ଦ କରିଦେଇଛନ୍ତି।

ଏପରିକି ଯେଉଁ ଶ୍ରୀ ମନ୍ଦିର ପ୍ରକଳ୍ପ କଥା ରାଜ୍ୟ ସରକାର କହୁଛନ୍ତି ତାହା ୨୦୨୧ ମସିହାରେ ସରିଯିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା କିନ୍ତୁ ଆଜି ୨୦୨୩ ନଭେମ୍ବର ମାସ ଭିତରେ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ସରିନାହିଁ ଏବଂ ଏହି କାର୍ଯ୍ୟର ଏକ ତୃତୀୟାଂଶ କାମ ଆରମ୍ଭ କରାଯାଇନାହିଁ।

ତେଣୁ କାହିଁକି ଏବଂ କାହାର ସ୍ୱାର୍ଥ ସାଧନ ପାଇଁ ଶ୍ରୀ ମନ୍ଦିରର ଚାରି ଦ୍ୱାରା କୁ ଦୀର୍ଘ ବର୍ଷ ବର୍ଷ ଧରି ବନ୍ଦ କରି ରଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ଶ୍ରୀକ୍ଷେତ୍ରକୁ କାର୍ତିକ ମାସରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମେତ ହବିଷ୍ୟାଳିଙ୍କ ସମାଗମ ହୁଏ। ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଭକ୍ତମାନେ ବଡଦାଣ୍ଡରେ ଲମ୍ବା ଲାଇନ ଲଗାଇ ଛିଡ଼ାହେଉଛନ୍ତି। କିନ୍ତୁ ପ୍ରଭୁଙ୍କର ଦର୍ଶନ ମିଳୁନାହିଁ।

ଶ୍ରୀମନ୍ଦିର ୪ ଦ୍ୱାରା ଦୀର୍ଘଦିନ ଧରି ବନ୍ଦ କରିବାଯୋଗୁଁ ଏ ସରକାର ଭକ୍ତ ଓ ଭଗବାନ ଭିତରେ ବାଧକ ସାଜୁଛି। ଏଭଳି ପରିସ୍ଥିତିରେ ୪ ଦ୍ୱାରକୁ ତୁରନ୍ତ ଖୋଲିବା ପାଇଁ କଂଗ୍ରେସ ବାରମ୍ବାର ଦାବି କରିଆସୁଛି। ଦୀର୍ଘ ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଉ ନାହିଁ, ଚାବି ହଜିଯିବାର ନାଟକ କରାଯାଉଛି, ପୁଣି ଚାବି ମିଳିଯାଉଛି କିନ୍ତୁ ରତ୍ନ ଭଣ୍ଡାରରକୁ ସରକାର କାହିଁକି ଖୋଲୁନାହାନ୍ତି। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ୱେ ରତ୍ନଭଣ୍ଡାରର ଗଣତି, ମଣତି ଏବଂ ରତ୍ନ ଭଣ୍ଡାରର ମରାମତି କରିବାପାଇଁ ଏ ସରକାର ତିଳେମାତ୍ର ତତ୍ପରତା ଦେଖାଉନାହାନ୍ତି।

ମହାପ୍ରଭୁ ଶ୍ରୀ ଜଗଗନ୍ନାଥଙ୍କ ପରମ ଭକ୍ତ କହୁଥିବା ମୁଖ୍ୟମନ୍ତ୍ରୀ ଏଥିପାଇଁ ତତ୍ପରତା ନ ଦେଖାଇବାର କାରଣ କଣ? ରତ୍ନ ଭଣ୍ଡାରର ରତ୍ନ ସବୁ ଚୋରାଇ ନିଆଯାଇଛି କି ବୋଲି କଂଗ୍ରେସ ପ୍ରଶ୍ନ କରୁଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏ ସରକାର ଅହଂକାର ଓ ଗର୍ବରେ ଫାଟିପଡ଼ୁଛି। ଭକ୍ତଙ୍କର କଷ୍ଟ ଦୁର୍ଦ୍ଦଶା ଦେଖି ଏ ସରକାର ଜାଣିସୁଣି ନୀରବ ରହୁଛି।

ବେଦାନ୍ତ କମ୍ପାନୀ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ଫେରାଇବା ପାଇଁ ଏ ସରକାର ସାମାନ୍ୟତମ ତତ୍ପରତା ନ ଦେଖାଇବା ଅତି ଆଶ୍ଚର୍ଯ୍ୟାନ୍ୱିତ କଥା। ମହାପ୍ରଭୁ ଜଗନ୍ନାଥ କାହାରି ଗର୍ବ ସହି ନାହାନ୍ତି କି ସହିବେ ନାହିଁ। ଏ ଅହଂକାର ବେଶିଦିନ ରହିବନାହିଁ। ଆଜି କଂଗ୍ରେସ ଦଳ ସାରା ରାଜ୍ୟରେ ପ୍ରତ୍ୟେକ ବ୍ଲକ, ମ୍ୟୁନିସିପାଲିଟି ଓ ଏନଏସିରେ ସଂକୀର୍ତନ ସତ୍ୟାଗ୍ରହ କରାଯାଇଛି। ଯଦି ରାଜ୍ୟ ସରକାର ଆମର ଦାବିକୁ ତୁରନ୍ତ ଗ୍ରହଣନକରନ୍ତି ତାହାହେଲେ ଆସନ୍ତା ଦିନରେ କଂଗ୍ରେସ ରାଜ୍ୟର ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଜନସାଧାରଣଙ୍କ ପାଇଁ କୋଠର ପଦକ୍ଷେପ ନେବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ଶ୍ରୀମତୀ ପ୍ରତିମା ମଲ୍ଲିକଙ୍କ ସମେତ ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ଅଶୋକ ଦାସ, ରଜତ ଚୌଧୁରୀ, ମୋହନ ଜେନା, ପ୍ରଶାନ୍ତ ଚମ୍ପତି, ଗିତାଞ୍ଜଳି ମହାନ୍ତି, ପ୍ରଣତି ମିଶ୍ର, ଶୁଭଦ୍ରା ମିଶ୍ର, ରଶ୍ମି ମହାପାତ୍ର, ଅକ୍ଷୟ କୁମାର ଦାସ, ତରୁଣ ମିଶ୍ର, ଶ୍ରୀନିବାସ ରାଉତରାୟ, ଯୋଗୀନାଥ ବାହୁବଳେନ୍ଦ୍ର,

ସେହିପରି ଦେଓ ପ୍ରସାଦ, ଆତ୍ମାରାମ ପତି, ରଣଜିତ ପାତ୍ର, ଦେବରାଜ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରଶନ୍ନ ନାୟକ, ମିହିର ଆଚାର୍ଯ୍ୟ, ଦୀପକ କୁମାର ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ଜ୍ୟୋତିଷ ସାହୁ, ସୌମେନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ପତି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଅଜୟ ସାହୁ, ନକୁଳ ନାୟକ, ମନୋରଞ୍ଜନ ରାଉତରାୟ, ରାଜକିଶୋର ବାରିକ, ମଂଟୁ ମଲ୍ଲିକ, ଜୟଶ୍ରୀ ପାତ୍ର, ସିଲି ସେଠୀ, ମଧୁସ୍ମିତା ଅଚାର୍ଯ୍ୟ, ପ୍ରଭାବତି ପଟ୍ଟନାୟକ, ପୁଷ୍ପିତା ଦାସ, ଭାଗ୍ୟଶ୍ରୀ ଜେନା ଥିଲେ।

ଅନ୍ୟପକ୍ଷରେ ରିନା ସାହୁ, କୁସୁମ ପ୍ରଧାନ, ମନୋଜ ସାହୁ, ଜୟନ୍ତ ଦାସ, ନରୋତମ ନାୟକ, ପୂର୍ଣ୍ଣ ସାହୁ, ସଂକୁନା କହଁର, ସେକ ତାକ୍‌ୱିମ, ଦେବେନ୍ଦ୍ର ଦାସ, ମୁନାଚାନ୍ଦ ନାୟକ, ଏମଡି ଶାହାଦୁଲ୍ଲା, ଖଗେଶ୍ୱର ମଲ୍ଲିକ, ସ୍ପନ୍ଦନ କୁମାର ସ୍ୱାଇଁ ପ୍ରମୁଖ ବହୁ ଜିଲ୍ଲା କଂଗ୍ରେସର ନେତୃବୃନ୍ଦ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।