ଚିଲିକା: ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ବିଭିନ୍ନ ଦାବିକୁ ନେଇ କଂଗ୍ରେସ ପକ୍ଷରୁ “ସଂକୀର୍ତ୍ତନ ସତ୍ୟାଗ୍ରହ”

Published: Nov 9, 2023, 8:00 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ବିଭିନ୍ନ ଦାବିକୁ ନେଇ ପ୍ରଦେଶ କଂଗ୍ରେସର ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ଆଜି କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରାଯାଇଛି।  “ସଂକୀର୍ତ୍ତନ ସତ୍ୟାଗ୍ରହ” ନାମରେ କଂଗ୍ରେସ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏହି ପ୍ରରିପ୍ରେକ୍ଷୀରେ ଚିଲିକା କଂଗ୍ରେସ ମଧ୍ୟ ଝାଞ୍ଜ ଖୋଳ ବଜାଇ ଶୋଭାଯାତ୍ରା କରିଛି।

ଆଜି କଂଗ୍ରେସ ନେତ୍ରୀ ମିନାକ୍ଷୀ ସାମନ୍ତରାୟ ବାଣପୁରରେ ଶୋଭାଯାତ୍ରା କରିଛନ୍ତି। କଂଗ୍ରେସ ନେତ୍ରୀ ମିନାକ୍ଷୀ ସାମନ୍ତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ରଙ୍କନାଥ ଦେବ ମନ୍ଦିର ଠାରୁ ସଙ୍କୀର୍ତ୍ତନ ରାଲି ଆରମ୍ଭ କରି ବଜାର ପରିକ୍ରମା କରି ପଲଟଣ ପଡିଆ ଚକାଦେବ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସମବେତ କର୍ମୀଙ୍କୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା, ଭକ୍ତ ମାନଙ୍କୁ ଚାରିଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିବା ଏବଂ ଜଗନ୍ନାଥଙ୍କ ଯେଉଁ ଅମୃତ ମଣୋହି ଜମି ବେଦାନ୍ତ ଅଧିଗ୍ରହଣ କରିଛି ତାହାକୁ ପୁନଃରୁଦ୍ଧାର କରିବା ପାଇଁ ଶ୍ରୀମତୀ ସାମନ୍ତରାୟ ଦାବି ରଖିଥିଲେ।

କଂଗ୍ରେସ କର୍ମୀମାନେ ସରକାରଙ୍କ ଅପାରଗତା ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବାରେ କର୍ମୀଙ୍କ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ତେବେ ରାଲିରେ ରାଜ୍ୟ ସେବାଦଳ ସମ୍ପାଦକ କୁଳମଣି ସାହୁ, ସେବାଦଳ ସଂଯୋଜକ ସାନ୍ଧ୍ୟରାଣୀ ଦାସ ଯୋଗ ଦେଇଥିବା ବେଳେ ପରାଜିତ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁଙ୍କୁ ଦେଖିବାକୁ ମିଳିନଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଯୁବ କଂଗ୍ରେସର ବିପ୍ର ରଞ୍ଜନ ଜେନା, ବିପିନ ବିହାରୀ ବାରିକି, ବିଜୟ ଦାସ, ଦିତ୍ୟ ପ୍ରତାପ ନାୟକ ପରିଚାଳନା କରିଥିଲେ।

Related posts